ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ୩୩ ଓଡ୍ରାଫ୍ ଟିମ୍ ମୁତୟନ

ଗଭୀର ଅବପାତ ଜନିତ ବର୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷା ଓ ଏହାର ପ୍ରଭାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସମୀକ୍ଷ କରିଛନ୍ତି । ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ମୁଖ୍ୟମନ୍ତ୍ରୀଙ୍କୁ ଅବପାତ, ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ଆମର ଏକମାତ୍ର ନୀତି ହେଉଛି-‘ଜିରୋ କାଜୁଆଲ୍‌ଟି’। ତେଣୁ, ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷାକରି ଏହି ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ । ଲୋକଙ୍କ ଧନଜୀବନ ସୁରକ୍ଷା ଉପରେ ସେ ସର୍ବାଧିକ ଗୁରୁତ୍ୱ ଆରୋପ କରିଥିଲେ। ଜଳବନ୍ଦୀ କ୍ଷେତ୍ରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ସେମାନଙ୍କୁ ଉପଯୁକ୍ତ ରିଲିଫ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ବାତ୍ୟାର ସମ୍ଭାବନା ନାହିଁ, ତଥାପି ସମସ୍ତ ପ୍ରକାର ସତର୍କତାମୂଳକ ବ୍ୟବସ୍ଥା ସହ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରୁ ଜଣାଯାଇଛି ଯେ, ଏହି ଅବପାତ ଯୋଗୁ ଆଜି ଏବଂ ଆସନ୍ତା କାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ଓ ୨୫ ତାରିଖ ପରେ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ଏହି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି । ଗଞ୍ଜାମରେ ୬, ଗଜପତିରେ ୩, କୋରାପୁଟରେ ୬, ମାଲକାନଗିରିରେ ୩, ରାୟଗଡ଼ାରେ ୩, କଳାହାଣ୍ଡିରେ ୨ ଏବଂ ବଲାଙ୍ଗିରରେ ୧ଟି ଟିମ୍ ମୁତୟନ ହୋଇଛି । ଏହା ବ୍ୟତୀତ ଗଞ୍ଜାମର ଛତ୍ରପୁରସ୍ଥିତ ଓଡ୍ରାଫ୍ ୟୁନିଟ୍‌ର ୯ଟି ଟିମ୍ ରିଜର୍ଭ ରଖାଯାଇଛି ।

ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ସମସ୍ତ ବନ୍ଦରରେ ସ୍ଥାନୀୟ ସତର୍କ ସଙ୍କେତ ସଂଖ୍ୟା-୩ ଉତ୍ତୋଳନ କରାଯାଇଛି ଏବଂ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ଉପରେ ନିଷେଧ ଜାରି ରହିଛି । ଏହାର ଶତ ପ୍ରତିଶତ ଅନୁପାଳନ ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।

ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଗୁଡିକ ଯଥା- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ବେଳେ, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଜିଲ୍ଲା ପ୍ରଶାସନ ତଥା ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ପ୍ରସ୍ତୁତି କରାଯାଇଛି ।

ଜିଲ୍ଲା ଓ ବ୍ଲକ୍ ଆପାତକାଳୀନ କାର୍ଯ୍ୟ କେନ୍ଦ୍ରଗୁଡ଼ିକୁ ୨୪x୭ କାର୍ଯ୍ୟରତ ରଖିବା, ସମ୍ବେଦନଶୀଳ ବସତି ଚିହ୍ନଟ କରିବା, ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବା ଏବଂ ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ, ପାନୀୟ ଜଳ ଓ ପରିଷ୍କାରତା ସାମଗ୍ରୀ ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଓଡ୍ରାଫ୍, ଏନ୍‌ଡିଆରଏଫ୍ ଓ ଅଗ୍ନିଶମ ସେବା ଦଳକୁ ପୂର୍ବରୁ ମୁତୟନ ଓ ସଜ୍ଜ ରଖାଯାଇଥିବା ବେଳେ ଉଦ୍ଧାର ନୌକା, ଲାଇଫ୍ ଜାକେଟ୍ ଓ ପାୱାର ବୋଟ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ଜଳସମ୍ପଦ ବିଭାଗ ପକ୍ଷରୁ ନଦୀ ଓ ଜଳାଶୟର ଜଳସ୍ତର ନିରନ୍ତର ନିରୀକ୍ଷଣ, ସମ୍ବେଦନଶୀଳ ବନ୍ଧ ସ୍ଥାନଗୁଡ଼ିକର ପରୀକ୍ଷା ଏବଂ ଆବଶ୍ୟକସ୍ଥଳେ ନିୟନ୍ତ୍ରିତ ଜଳମୁକ୍ତି ପାଇଁ ସମନ୍ୱୟ କରାଯାଉଛି । ସହରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ନିରୀକ୍ଷଣ, ନିମ୍ନାଞ୍ଚଳ ଅଣ୍ଡରପାସ୍‌ରେ ଡି-ୱାଟରିଂ ପମ୍ପ ମୁତୟନ ଏବଂ ଆବଶ୍ୟକସ୍ଥଳେ ଟ୍ରାଫିକ୍ ଡାଇଭର୍ସନ୍ ପାଇଁ ମଧ୍ୟ ପ୍ରସ୍ତୁତି ରହିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ପଞ୍ଚାୟତିରାଜ ଓ ପାନୀୟ ଜଳ, ଶକ୍ତି , ବାଣିଜ୍ୟ ଓ ପରିବହନ, ନିର୍ମାଣ , କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ସହ ସଜାଗ ରହିବାକୁ କୁହାଯାଇଛି ।

ରାଜ୍ୟ ଓ ଜିଲ୍ଲା ସ୍ତରରେ ସ୍ଥିତିର ରିଅଲ୍-ଟାଇମ୍ ନିରୀକ୍ଷଣ କରାଯାଉଥିବା ବେଳେ ଭାରି ବର୍ଷା, ଜଳବନ୍ଦୀ, ଆଶ୍ରୟସ୍ଥଳ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଉଦ୍ଧାରକାରୀ ଦଳର ମୁତୟନ ଏବଂ ଜଳାଶୟର ସଂରକ୍ଷଣ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି ।

ସୂଚନା ଯୋଗ୍ୟ ଯେ, ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରିଛି । ଆଜି ସକାଳ ୫:୩୦ ଘଣ୍ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୧୫୦ କିଲୋମିଟର ଦକ୍ଷିଣ ଦିଗରେ ରହିଛି ।

ଏହି ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟଣମ ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଏଥିପାଇଁ ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ଏବଂ ଝଟକା ପବନ ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ ହୋଇପାରେ ।

ସେହିପରି, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ବୌଦ୍ଧ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।