ଓଡ଼ିଶା ଜଳ ସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ୱର : ୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ (ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ) ୨୦୨୬ରେ ରାଜ୍ୟ ବର୍ଗରେ ଓଡ଼ିଶା ଜଳ ସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି । ‘ଜଳବାୟୁ ସହନଶୀଳ ଜଳ ପରିଚାଳନା’ ବିଷୟବସ୍ତୁ ଉପରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସହଯୋଗୀ ରାଜ୍ୟ ଭାବେ ଅଂଶଗ୍ରହଣ କରିଥିଲା ।

ଓଡ଼ିଶା ପାଭିଲିୟନ୍‌ରେ ଜଳ ସଂରକ୍ଷଣ ଓ ବଣ୍ଟନ, ଜଳର ଦକ୍ଷ ବ୍ୟବହାର, କୃଷି ନବସୃଜନ ଏବଂ ସ୍ଥାନୀୟ ସମୁଦାୟର ଅଂଶଗ୍ରହଣକୁ ଏକୀକୃତ କରି ରାଜ୍ୟର ଜଳ ପରିଚାଳନା ମଡେଲ୍‌ ପ୍ରଦର୍ଶିତ ହୋଇଥିଲା । ଜଳ ସମ୍ପଦ ଭିତ୍ତିଭୂମି, କୃଷି ନବୀନତା ଓ ସାମୁଦାୟିକ ଅଂଶଗ୍ରହଣ ମାଧ୍ୟମରେ କୃଷକ ଓ ସମୁଦାୟର ଜୀବିକାକୁ କିପରି ସୁଦୃଢ଼ କରାଯାଇପାରିବ, ତାହା ପାଭିଲିୟନ୍‌ରେ ପ୍ରଦର୍ଶିତ ହୋଇଥିଲା ।

ଓଡ଼ିଶା ଜଳସେଚନ ପ୍ରକଳ୍ପ ନିମନ୍ତେ ଜଳବାୟୁ ସହନଶୀଳ କୃଷି (ଓଆଇଆଇପିସିଆରଏ) ଏହି ପ୍ରଦର୍ଶନୀର ଏକ ପ୍ରମୁଖ ଆକର୍ଷଣ ଥିଲା । ଏଥିରେ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାର ପୁନରୁଦ୍ଧାର ସହ ଧାନ ଚାଷ, ସବୁଜ ସାର ପ୍ରୟୋଗ, ଫସଲ ବିବିଧୀକରଣ, ସମନ୍ୱିତ ଧାନ-ମାଛ ଚାଷ ଏବଂ କଷ୍ଟମ୍ ହାୟାରିଂ ସେଣ୍ଟର ମାଧ୍ୟମରେ କୃଷି ଯନ୍ତ୍ରପାତି ଉପଲବ୍ଧତା ଭଳି ପଦକ୍ଷେପ ପ୍ରଦର୍ଶିତ ହୋଇଥିଲା ।

ଏଥିସହ କାନପୁର ଜଳସେଚନ ପ୍ରକଳ୍ପର ମଡେଲ୍‌ ମାଧ୍ୟମରେ ରାଜ୍ୟର ବୃହତ୍ ଜଳସେଚନ ଭିତ୍ତିଭୂମି ଏବଂ ଆବଶ୍ୟକତା ଅନୁଯାୟୀ ଜଳ ପହଞ୍ଚାଇବା ଉପରେ ଗୁରୁତ୍ୱ ପ୍ରଦର୍ଶିତ ହୋଇଥିଲା । ପାଣି ପଞ୍ଚାୟତ ସମ୍ପର୍କିତ ପ୍ରଦର୍ଶନୀରେ ଜଳ ବ୍ୟବହାର ଯୋଜନା ଓ ଜଳସେଚନ ପରିଚାଳନାରେ କୃଷକ ଏବଂ ସ୍ଥାନୀୟ ସଂସ୍ଥାଗୁଡ଼ିକର ଭୂମିକାକୁ ଉପସ୍ଥାପିତ କରାଯାଇଥିଲା । ବେଷ୍ଟ ପ୍ରାକ୍ଟିସେସ୍ କର୍ଣ୍ଣର୍ ଓ ବିଭିନ୍ନ ଇଣ୍ଟରାକ୍ଟିଭ୍ କାର୍ଯ୍ୟକ୍ରମ ମାଧ୍ୟମରେ ଜଳ ସଂରକ୍ଷଣ ଓ ସମୁଦାୟ ଭିତ୍ତିକ ସମାଧାନ ସମ୍ପର୍କରେ ଦର୍ଶକଙ୍କୁ ଅବଗତ କରାଯାଇଥିଲା ।

ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ-୨୦୨୬ରେ ରାଜ୍ୟ ବର୍ଗରେ ମିଳିଥିବା ଶ୍ରେଷ୍ଠ ପୁରସ୍କାର ଓଡ଼ିଶାର ଜଳ ଭିତ୍ତିଭୂମିକୁ କୃଷି ଓ ସମୁଦାୟର ଆବଶ୍ୟକତା ସହ ଯୋଡ଼ିବା ଦିଗରେ ଚାଲିଥିବା ପ୍ରୟାସର ଏକ ସ୍ୱୀକୃତି । ସହଯୋଗୀ ରାଜ୍ୟ ଭାବେ ଓଡ଼ିଶା ଏହି ମଞ୍ଚରେ ନିଜ ଅଭିଜ୍ଞତା ଆଦାନ-ପ୍ରଦାନ କରିବା ସହ ଜଳବାୟୁ ପରିବର୍ତ୍ତନଜନିତ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଅନ୍ୟ ସ୍ଥାନରେ ଗ୍ରହଣ କରାଯାଉଥିବା ପଦକ୍ଷେପରୁ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଥିଲା ।