ପାପୀମାନେ ଭୁଲ୍ କାର୍ଯ୍ୟ କରିବାରେ ସହାୟତା କରନ୍ତି । ଏହିଭଳି ପାପୀମାନେ ଆପେ ଆପେ ଜୁଟିଯାଆନ୍ତି । ସେମାନଙ୍କୁ ସାଙ୍ଗ କରିବାକୁ ପଡ଼େ ନାହିଁ । ସେମାନେ ଭୁଲ୍ କାମ କରିବା ପାଇଁ ଆପଣଙ୍କୁ ସହାୟତା କରନ୍ତି । ଏମାନଙ୍କ ସହିତ ମିଶି ଆପଣ ଭୁଲ୍ କାମ କରିଚାଲିଥାନ୍ତି ଏବଂ ନିଜ କାମ ବିଷୟରେ କାହାରିକୁ କିଛି ନକହିବାକୁ ସେମାନଙ୍କୁ କହି ରଖିଥାନ୍ତି । କେହି କେହି ପାଠ ପଢ଼ାରେ ମନ ନଦେଇ,ପାର୍ଟି ଆଦିରେ ସମୟ ନଷ୍ଟ କରି, ଭୁଲ୍ ସଂପର୍କ ଗଢି, କାହାରିକୁ କିଛି ନଜଣାଇବାକୁ ସାଙ୍ଗକୁ କୁହନ୍ତି ଓ ସାଙ୍ଗ ଜଣକ ବି ସେମିତି ଭାବନ୍ତି, ମିତ୍ରତା ରକ୍ଷା କରୁଛନ୍ତି । କିନ୍ତୁ ପ୍ରକୃତରେ ମିତ୍ରତା ରକ୍ଷା କରିବା ବଦଳରେ ଚରିତ୍ର ଅଧୋପତନ ହେବାର କାରଣ ହୋଇଥାନ୍ତି । ମଣିଷ ନିଜେ ଜାଣେନା ଯେ ଭୁଲ୍ କାର୍ଯ୍ୟକୁ ଲୁଚେଇବା ଦ୍ୱାରା କ’ଣ ପରିଣାମ ମିଳେ ? ମାୟା ଦ୍ୱାରା ଆକର୍ଷିତ ହୋଇ ସେ ନିମ୍ନଗାମୀ ହୋଇଯାଏ । ସେହି ସମୟରେ ସେ ଯାହା କରୁଥାଏ ସେସବୁ ଠିକ୍ କରୁଛି ବୋଲି ତାକୁ ଜଣାପଡ଼େ । ଏବଂ ଭୁଲ୍ କାର୍ଯ୍ୟ କରି ଚାଲେ । ଏମାନଙ୍କଠାରୁ ରକ୍ଷା ପାଇବା ଉଚିତ୍ । ସଚ୍ଚା ଦୋସ୍ତ ବା ପ୍ରକୃତ ବନ୍ଧୁ ଯେଉଁମାନେ ଆପଣଙ୍କୁ ସଂପୂର୍ଣ୍ଣ କରନ୍ତି, ମୁକ୍ତ କରାନ୍ତି, ଆପଣଙ୍କୁ ଅଖଣ୍ଡ କରାଇଥାନ୍ତି । ଏହି ଭଲି ମିତ୍ରଙ୍କର ସହିତ ସଂପର୍କ ରଖିବା ଦ୍ୱାରା ଆପଣଙ୍କର ଭାବ,ବିଚାର,ବାଣୀ ଏବଂ କ୍ରିୟାରେ ପବିତ୍ରତା ଆସେ । ଏହି ମାନଙ୍କୁ ସଚ୍ଚାମିତ୍ର ବା ଉତ୍ତମ ବନ୍ଧୁ କୁହାଯାଏ କାରଣ ଏମାନେ ପୂର୍ଣ୍ଣତା ଆଣି ଦିଅନ୍ତି । ଯେଉଁ ମିତ୍ର ବା ବନ୍ଧୁ ନିଜେ ବନ୍ଧୁଙ୍କର ଭୁଲ କାର୍ଯ୍ୟରେ ସହାୟତା କରନ୍ତି ନାହିଁ କିନ୍ତୁ ପ୍ରକୃତ ମାର୍ଗ ଦର୍ଶନ କରାଇଥାନ୍ତି ସେହି ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ପ୍ରକୃତ ସଚ୍ଚୋଟ ବନ୍ଧୁଙ୍କ ସହିତ ରହିବା ଉଚିତ । ନିଜର ଲକ୍ଷ୍ୟ ପୂର୍ଣ୍ଣ କରିବା ପାଇଁ ଏମିତି ମନୁଷ୍ୟମାନଙ୍କର ସାହାଯ୍ୟ ନିଅନ୍ତୁ ଯେଉଁମାନଙ୍କର ଲକ୍ଷ୍ୟ ଆପଣଙ୍କ ଲକ୍ଷ୍ୟ ସହିତ ସମାନ ଥିବ । ପର୍ବତ ଆରୋହୀଙ୍କ ସହିତ ହାତ ମିଳାନ୍ତୁ, ପର୍ବତ ଅବତରଣକାରୀଙ୍କ ସହିତ ନୁହଁ । କାରଣ ପର୍ବତ ଆରୋହୀ ଆପଣଙ୍କୁ ନିଜ ସାଥିରେ ଉପରକୁ ନେଇଯିବ,କିନ୍ତୁ ପର୍ବତ ଅବତରଣକାରୀ ଆପଣଙ୍କୁ ତା ସହିତ ନିମ୍ମଗାମୀ କରାଇବ । ଯେଉଁ ବ୍ୟକ୍ତିମାନେ ଆମଠାରୁ ଦୁଇ ପାଦ ଆଗରେ ଥିବେ (ଗୁଣରେ,ପଇସାରେ ନୁହେଁ) ବା ଆମର ସମାସ୍କନ୍ଧ ହୋଇଥିବେ, ସେହି ବ୍ୟକ୍ତିମାନଙ୍କ ସହିତ ସର୍ବଦା ବନ୍ଧୁତା ସ୍ଥାପନ କରିବା ଉଚିତ । ଏହି ଭଳି ବନ୍ଧୁମାନଙ୍କ ସହିତ ବନ୍ଧୁତା ରଖିଲେ ଆପଣଙ୍କର ଚରିତ୍ର ନିର୍ମାଣର ସମ୍ଭାବନା ଖୋଲିଥାଏ । କାରଣ ଆପଣଙ୍କ ସହିତ ଯିଏ ଥାଆନ୍ତି, ସେ ମଧ୍ୟ ଚରିତ୍ରବାନ ହେବାର ଗୁରତ୍ୱ ଜାଣି ଥାଆନ୍ତି ତେଣୁ ଉଭୟ ଚରିତ୍ରବାନ ହୋଇ ସୁଖୀ ଜୀବନ ଯାପନ କରିପାରିବେ । ଯଦି ଆପଣଙ୍କର ମିତ୍ର ପ୍ରଥମରୁ ଚରିତ୍ରବାନ ହୋଇଥାନ୍ତି, ତାହାହେଲେ ଆପଣଙ୍କ ପାଇଁ ଏହା ବହୁତ ଭଳକଥା, ଯାହାଫଳରେ ତା ସହିତ ରହି ଆପଣ ମଧ୍ୟ ଅତିଶୀଘ୍ର ନିଜର ଚରିତ୍ର ନିର୍ମାଣ କରିପାରିବେ । ପାପ କାର୍ଯ୍ୟରେ ସଂପୃକ୍ତ ହେବେ ନାହିଁ । ଜୟ ଭିମ୍ ! ସମୀର,ଓଡ଼ିଶା ନ୍ୟୁଜ୍