ଭୁବନେଶ୍ବର : ଠିକ୍ ସମୟରେ ଡ୍ୟାମ୍ଗୁଡ଼ିକର ଗେଟ୍ ନ ଖୋଲି ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନା କରିଥିବା ବିଜେପି ସରକାର ଏ ଥରର ଗଂଜାମ ବନ୍ୟା ପାଇଁ ଯେତିକି ଦାୟୀ, ୨୪ ବର୍ଷ କ୍ଷମତାରେ ରହି ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ କୌଣସି ପଦକ୍ଷେପ ନେଇ ନ ଥିବାରୁ ପୂର୍ବର ବିଜେଡି ସରକାର ମଧ୍ୟ ସେତିକି ଦାୟୀ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଗଂଜାମ ଓ ଗଜପତି ବନ୍ୟାଞ୍ଚଳରେ ୩ ଦିନ ଧରି ସହସ୍ର ସଂଖ୍ୟାରେ ପ୍ରଭାବିତ ଲୋକଙ୍କୁ ସାକ୍ଷାତ କରିବା ପରେ ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଥିଲେ, ବାତ୍ୟା ପରବର୍ତ୍ତୀ ବନ୍ୟା ମୁକାବିଲା ପାଇଁ ଯେଭଳି ଦୂରଦର୍ଶିତାର ଆବଶ୍ୟକତା ଦରକାର ତାହା ବିଜେପି ସରକାରର ନ ଥିଲା । ଆଇଏମଡିର ସମସ୍ତ ସତର୍କ ସୂଚନା ସତ୍ତ୍ବେ ୨୩ରୁ ୨୮ ତାରିଖ ୬ଟି ଯାକ ଡ୍ୟାମ୍ର ଜଳସ୍ତର ହ୍ରାସ କରାଯାଇ ନ ଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଥିତିର ମୁକାବିଲା ପାଇଁ ଅଧିକାରୀମାନଙ୍କୁ ଯେଭଳି କ୍ଷମତା ଦିଆଯିବା କଥା ତାହା ମଧ୍ୟ ଏ ସରକାର ଦେଉ ନ ଥିବା ସ୍ପଷ୍ଟ ହୋଇଛି । ପ୍ରଳୟଙ୍କରୀ ବନ୍ୟାର କ୍ଷୟକ୍ଷତି, ମାନବୀୟ ସମ୍ବେଦନଶୀଳତା ଓ କାରୁଣ୍ୟକୁ ଦେଖିବା ପାଇଁ ଯେଉଁ ଆଖି ଓ ହୃଦୟ ଦରକାର ତାହା ବିଜେପି ନାତାମାନଙ୍କର ନାହିଁ । କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ବଣ୍ଟନ କାର୍ଯ୍ୟ ବିଜେପିର ଦଳୀୟ ଲୋକଙ୍କ ଦ୍ବାରା କାହିଁକି କରାଯିବ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।
ଗଂଜାମର ଜୀବନରେଖା ଋଷିକୂଲ୍ୟାକୁ ଗଂଜାମର ଦୁଃଖ ହୋୟାଂହୋରେ ପରିଣତ କରିବାରେ ପୂର୍ବର ବିଜେଡି ସରକାର ମଧ୍ୟ କିଛି କମ୍ ଦାୟୀ ନୁହନ୍ତି ବୋଲି ଶ୍ରୀ ଦାସ କହିଛନ୍ତି । ପ୍ରତି ଥର ବନ୍ୟାଜନିତ କ୍ଷୟକ୍ଷତିର ଭରଣା, ରିଲିଫ ଆଦି ବଦଳରେ ଏକାଥରକେ ଏହାର ସ୍ଥାୟୀ ପ୍ରତିକାର ଦିଗରେ ବିଜେଡି ମଧ୍ୟ କାହିଁକି କିଛି କରି ନ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ସୂଚନା ମିଳିଲେ, ଥଇଥାନ, ଉଦ୍ଧାର ଓ ରିଲିଫ ଆଦି କାର୍ଯ୍ୟ ହୁଏତ ବିଜେଡି ସରକାର କିଛିଟା ଠିକ୍ କରୁଥିଲା । କିନ୍ତୁ ସ୍ଥାୟୀ ପ୍ରତିକାର କଲାନାହିଁ କାହିଁକି ?
ଗଂଜାମରେ ବନ୍ୟାର ଇତିହାସ ବିଷୟରେ ସ୍ମରଣ କରାଇ ଶ୍ରୀ ଦାସ କହିଛନ୍ତି, ଗଞ୍ଜାମ ଜିଲ୍ଲା ଇତିହାସରେ ୧୯୯୦ ମସିହାର ବନ୍ୟାକୁ ସବୁଠାରୁ ଭୟଙ୍କର ବୋଲି ଧରାଯାଏ । ଏକ ଭୟାବହ ବାତ୍ୟା ଜନିତ ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀରେ ଅଭୂତପୂର୍ବ ବନ୍ୟା ଆସିଥିଲା, ଯାହା ସାରା ଜିଲ୍ଲାକୁ ଛାରଖାର କରିଦେଇଥିଲା । ବିଶେଷ କରି ଆସିକା, ପୁରୁଷୋତ୍ତମପୁର ଏବଂ ହିଞ୍ଜିଳିକାଟୁ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା। ଏହି ବନ୍ୟାର ଜଳସ୍ତର ଦୀର୍ଘ ବର୍ଷ ଧରି ଗଞ୍ଜାମ ପାଇଁ ଏକ ସର୍ବୋଚ୍ଚ ବିପଦ ସଙ୍କେତର ମାପଦଣ୍ଡ ହୋଇ ରହିଥିଲା । ୧୯୯୦ ଦଶକରେ ଗଞ୍ଜାମ ଜିଲ୍ଲା କ୍ରମାଗତ ଭାବେ ବନ୍ୟା ସ୍ଥିତିର ସାମ୍ନା କରିଥିଲା, ଯେଉଁଥିରେ ହଜାର ହଜାର ହେକ୍ଟର ଚାଷଜମି ନଷ୍ଟ ହେବା ସହ କୃଷିଭିତ୍ତିକ ଅର୍ଥନୀତି ଭାଙ୍ଗି ପଡ଼ିଥିଲା । ୧୯୯୯ ମହାବାତ୍ୟାର ମୁଖ୍ୟ ପ୍ରଭାବ ଜଗତସିଂହପୁରରେ ଥିଲା, ତଥାପି ବାତ୍ୟା ଜନିତ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମର ନଦୀଗୁଡ଼ିକରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇ ବ୍ରହ୍ମପୁର ସମେତ ସମଗ୍ର ଉପକୂଳ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ୨୦୧୩ ମସିହା ଅକ୍ଟୋବର ମାସରେ ଆସିଥିବା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା “ଫାଇଲିନ୍” ସିଧାସଳଖ ଗଞ୍ଜାମର ଗୋପାଳପୁରଠାରେ ସ୍ଥଳଭାଗ ଛୁଇଁଥିଲା। ବାତ୍ୟା ପରେ ପରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା, ଯାହାଫଳରେ ଋଷିକୁଲ୍ୟା ନଦୀ କୂଳ ଲଂଘିଥିଲା । ଏହି ବନ୍ୟାରେ ଜିଲ୍ଲାର କୃଷି, ବିଦ୍ୟୁତ ଭିତ୍ତିଭୂମି ଓ ଗମନାଗମନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଥିଲା । ବିଶେଷ କରି ଆସିକା ସହର ଅନେକ ଦିନ ଧରି ପାଣି ଘେରରେ ବୁଡ଼ି ରହିଥିଲା । ୨୦୧୮ ମସିହାରେ ବାତ୍ୟା “ତିତଲି” ପ୍ରଭାବରେ ହୋଇଥିବା ଅତି ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଓ ପଡ଼ୋଶୀ ଗଜପତି ଜିଲ୍ଲାରେ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ଘଟିଥିଲା । ପାର୍ବତ୍ୟ ଅଞ୍ଚଳରୁ ଅତି ତୀବ୍ର ଗତିରେ ଆସିଥିବା ବନ୍ୟା ଜଳ ଗ୍ରାମୀଣ ଅଞ୍ଚଳରେ ବ୍ୟାପକ ଧନଜୀବନ ହାନି କରିଥିଲା । ତେବେ ନିକଟରେ ୨୦୨୬ ଅକ୍ଟୋବର ମାସରେ ଆସିଥିବା ବାତ୍ୟା “ଅର୍ଣ୍ଣବ” ଗଞ୍ଜାମର ବନ୍ୟା ଇତିହାସରେ ଏକ ନୂଆ କଳା ଅଧ୍ୟାୟ ଯୋଡ଼ିଥିବା ଶ୍ରୀ ଦାସ କହିଥିଲେ । ମାତ୍ର ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରେ ରେକର୍ଡ ପ୍ରାୟ ୫୪୬ ମିଲିମିଟର ବର୍ଷା ହୋଇଥିଲା, ଯାହା ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ୧୯୯୦ ଓ ୨୦୧୩ର ରେକର୍ଡ ଭଙ୍ଗ: ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀର ଜାନିବିଲିଠାରେ ଜଳସ୍ତର ପୂର୍ବର ସମସ୍ତ ବନ୍ୟା (୧୯୯୦ ଏବଂ ୨୦୧୩) ର ସର୍ବୋଚ୍ଚ ସ୍ତରକୁ ଟପି ଯାଇଥିଲା । ଜିଲ୍ଲାର ପ୍ରାୟ ୮୦୦ରୁ ଅଧିକ ଗାଁ ବନ୍ୟା ଜଳରେ ବୁଡ଼ି ଯାଇଥିଲା ଏବଂ ହଜାର ହଜାର ପରିବାର ବାସ୍ତୁହରା ହୋଇଯାଇଥିଲେ । ଆସିକା ଓ ପୁରୁଷୋତ୍ତମପୁର ଅଞ୍ଚଳରେ ଉତ୍ତରାଖଣ୍ଡ ପ୍ରଳୟ ଭଳି ଦୃଶ୍ୟ ସୃଷ୍ଟି ହୋଇଥିଲା । ଗଂଜାମରେ ବାରମ୍ବାର ବନ୍ୟା ହେବା ସତ୍ତ୍ବେ ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ଶୂନ ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ ।
ଗଂଜାମ ବନ୍ୟା ମନୁଷ୍ୟକୃତ ଥିଲା; ଜଳସମ୍ପଦ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଏହାର ଉତ୍ତରଦାୟିତ୍ବ ନେବେ ତ ବୋଲି ପଚାରିବା ସହ ଶ୍ରୀ ଦାସ ଏଥି ସହ ଆହୁରି ଅନେକ ପ୍ରଶ୍ନ କରିଛନ୍ତି ।
- ଆଇଏମଡିର ବାରମ୍ବାର ସତର୍କ ସୂଚନା ସତ୍ତ୍ବେ ନଦୀର ଜଳସ୍ତରକୁ କମାଇବା ପାଇଁ ୨୩ରୁ ୨୮ ତାରିଖ ଡ୍ୟାମ୍ଗୁଡ଼ିକର ଗେଟ୍ ଖୋଲାଯାଇ ନ ଥିଲା କାହିଁକି ?
- ୨୮ ତାରିଖ ଯାଏ ଦୈନିକ ପ୍ରବାହିତ ହେଉଥିବା ମାତ୍ର ୭ ହଜାର କ୍ୟୁସେକ୍ରୁ ବଢ଼ାଇ ୨୯-୩୦ରେ ହଠାତ୍ ଲକ୍ଷେ ୪୦ ହଜାର କ୍ୟୁସେକ୍ ଜଳପ୍ରବାହ କରାଇବାର ନିଷ୍ପତ୍ତି କିଏ ନେଇଥିଲେ ?
- ଏତେବଡ଼ ମନୁଷ୍ୟକୃତ ବନ୍ୟା ସତ୍ତ୍ବ ଏ ଯାଏ କାର୍ଯ୍ୟାନୁଷ୍ଠାନ ଘର ‘ଶୂନ’ କାହିଁକି ?
- ଆଗକୁ ରବିଋତୁ ଆସୁଛି; ନଦୀବନ୍ଧ, ଆନିକଟ, କେନାଲ ଆଦିର ଯୁଦ୍ଧକାଳୀନ ମରାମତି ପାଇଁ କି ପଦକ୍ଷେପ ନେଇଛନ୍ତି, ସରକାର କେବେ କହିବେ ?
- ପୂର୍ବତନ ଜଳସମ୍ପଦ ସଚିବ ସୁରେଶ ମହାପାତ୍ରଙ୍କ ମତକୁ ସରକାର ଗ୍ରହଣ କରି ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ, ନହେଲେ ତାଙ୍କୁ ଭୁଲ୍ ପ୍ରମାଣିତ କରନ୍ତୁ
ବାତ୍ୟା ନ ସରୁଣୁ ମୁଖ୍ୟମନ୍ତ୍ରୀ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ସାଧନ ହେଲା ବୋଲି ବାହାସ୍ଫୋଟ ମାରୁଥିଲେ । ଦୁଇଜଣ ଭାସିଯିବା ଓ ଅନ୍ୟ ଦୁଇ ଚାଷୀଙ୍କ ଆତ୍ମହତ୍ୟା କ’ଣ କାଜୁଆଲିଟି ନୁହେଁ ? କନ୍ଧମାଳ ଭୂସ୍ଖଳନ ଯୋଗୁଁ ୧୨ ଜଣ ଜୀବନ୍ତ ସମାଧି ଭୋଗିବା କ’ଣ କାଜୁଆଲିଟି ନୁହେଁ ? ଭାଗ୍ୟ ଭଲ, ବନ୍ୟାଜଳ ୨୯ ତାରିଖ ଦିନବେଳା ଆସିଲା, ନହେଲେ କ’ଣ ଯେ ଅବସ୍ଥା ହୋଇଥା’ନ୍ତା ଓ କେତେଜଣଙ୍କ ଜୀବନ ଯାଇଥା’ନ୍ତା, ମୁଖ୍ୟମନ୍ତ୍ରୀ ଭାବିପାରୁଛନ୍ତି ତ ? ଜଳସମ୍ପଦ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଏହି ମନୁଷ୍ୟକୃତ ବନ୍ୟାର ଉତ୍ତରଦାୟିତ୍ବ ନିଜ ମୁଣ୍ଡକୁ ନେବେ ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।
- ୧୦ ଦିନ ବିତିଯାଇଥିଲେ ମଧ୍ୟ ଏତେବଡ଼ ବିପର୍ଯ୍ୟୟକୁ ଡାକିଆଣିଥିବା ଜଣେ ବି ଯନ୍ତ୍ରୀ ବା ଅଧିକାରୀଙ୍କ ବିରୋଧରେ ଏ ଯାଏ କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ତଳ ସ୍ତରର ଯେଉଁ ଇଂଜଂନିୟରମାନେ ଭାବନ୍ତି ଡ୍ୟାମ କେବଳ ପିଇବା ପାଣି ଓ ଜଳସେଚନ ପାଇଁ ଅଛି, ତଥା ଯେଉଁ କନିଷ୍ଠ ଯନ୍ତ୍ରୀମାନେ ବନ୍ୟା ପରିଚାଳନା କଥା ଭାବନ୍ତି ନାହିଁ, ସେମାନଙ୍କ ହାତରେ ଦାୟିତ୍ବ ଟେକିଦେଇ ସରକାର ନିଘୋଡ଼ ନିଦରେ କିପରି ଶୋଇଗଲେ?
ପିସିସି ସଭାପତିଙ୍କ ଦାବି:
- କେନ୍ଦ୍ର ଏହାକୁ ଜାତୀୟ ବିପର୍ଯ୍ୟୟ ବୋଲି ମାନୁ। ଅଢ଼େଇ ହଜାର କୋଟି ନୁହେଁ, ୫ ହଜାର କୋଟିର କେନ୍ଦ୍ରୀୟ ସହାୟତା ପାଇଁ ରାଜ୍ୟ ଦାବି କରୁ ।
- ଚାଷଜମିମାନଙ୍କରେ ବାଲିଚର ହୋଇଛି। ଅନେକ ପୁରୁଣା ଆନିକଟ, ନଦୀବନ୍ଧ ଓ କେନାଲ ଭାଙ୍ଗିଯାଇଛି । ଆଗକୁ ରବି ଋତୁ। ଏହା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏଗୁଡ଼ିକର ମରାମତି ଦରକାର ।
- ଅନ୍ୟପକ୍ଷରେ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ଯଥାଶିଘ୍ର କାର୍ଯ୍ୟକାରୀ କରାଯାଉ ।
- ପୁରୁଣାକାଳିଆ ରିଲିଫ କୋଡ ଅନୁସରଣ କରି ଏପରି ଏକ ମାନବୀୟ ବିପର୍ଯ୍ୟୟକୁ ଭରଣା କରିବା ଅନ୍ୟାୟ । ତେଣୁ ସରକାର ତୁରନ୍ତ ଏମଏସପି ଅନୁସାରେ ଅମଳ ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟକୁ ବିଚାରକୁ ନେଇ ସେହି ଅନୁସାରେ ହିସାବ କରି ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ।
- ଗିଡ଼ିପାବାଲିର ମୃତକ ଓ ଗଂଜାମର ଦୁଇ ମୃତ ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଉ ।
- ସର୍ବୋପରି ଏହି ମନୁଷ୍ୟକୃତ ବନ୍ୟା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉ ।
- ଋଣଯନ୍ତାରେ ପଡ଼ିଥିବା ଚାଷୀଙ୍କର ଋଣ ଛାଡ଼ କରାଯାଉ ।