ଆଇଏଫ୍ସି ସହ ସହଯୋଗ ରାଜ୍ୟରେ ପ୍ରଥମ ଲବଣମୁକ୍ତ ଜଳ ପ୍ରକଳ୍ପ ସ୍ଥାପନର ଆଶା ଉଜ୍ଜ୍ୱଳ କରିଛି
ଭୁବନେଶ୍ୱର : ସରକାରୀ-ଘରୋଇ ସହଭାଗିତା (ପିପିପି) ପ୍ରକଳ୍ପ ପାଇଁ ଭିତ୍ତିଭୂମି ସମ୍ପର୍କିତ କ୍ଷମତାସମ୍ପନ୍ନ କମିଟି(ଇସିଆଇ)ର ୬୬ତମ ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ଯେ, ଅନ୍ତର୍ଜାତୀୟ ଅର୍ଥ ନିଗମ ( ଆଇଏଫସି) ସହ ବର୍ତ୍ତମାନର ସହଯୋଗ ଅନୁଯାୟୀ, ସହରାଞ୍ଚଳରେ ସୁଲଭ ଗୃହ ନିର୍ମାଣ, ଶିଳ୍ପ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ର ସମେତ ବ୍ୟାପକ ସାମାଜିକ ପ୍ରଭାବ ସୃଷ୍ଟି କରିପାରୁଥିବା ପ୍ରକଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତ କରି କାର୍ଯ୍ୟକାରୀ ହୋଇପାରୁଥିବା ସରକାରୀ-ଘରୋଇ ସହଭାଗିତା (ପିପିପି ) ପ୍ରକଳ୍ପଗୁଡ଼ିକର ଏକ ସୁସଂଗଠିତ ତାଲିକା ପ୍ରସ୍ତୁତ କରିବା ଆବଶ୍ୟକ । ଏହି ବୈଠକରେ ଗୋପାଳପୁରଠାରେ ଲବଣମୁକ୍ତ ଜଳ ପ୍ରକଳ୍ପ ( ଡିସାଲାଇନେସନ ପ୍ରୋଜେକ୍ଟ) ସ୍ଥାପନ ପ୍ରତିଷ୍ଠା ନିମନ୍ତେ ଇଡକୋ, ଆଇଏଫସି ଏବଂ ପିପିପି ସେଲ୍ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ପ୍ରାୟ ୧,୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ରାଜ୍ୟରେ ଏହି ଧରଣର ପ୍ରଥମ ସରକାରୀ-ଘରୋଇ ସହଭାଗିତା ( ପିପିପି ) ପ୍ରକଳ୍ପ ହେବ । ଏହି ଅବସରରେ ଆଇଏଫସି ର ଦକ୍ଷିଣ ଏସିଆ ଅଞ୍ଚଳର ପିପିପି କାରବାର ପରାମର୍ଶ ସେବା ବିଭାଗର ପରିଚାଳକ ଶ୍ରୀ କମଲ ଡୋରାବାୱିଲା ନିଜ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଶାକୁ ବିଶ୍ୱସ୍ତରରେ ପ୍ରତିଯୋଗିତା ମୂଳକ ନିବେଶ ସୁଯୋଗର ଏକ ରଣନୈତିକ କେନ୍ଦ୍ର ଭାବେ ଗଢ଼ି ତୋଳିବା ଦିଗରେ ଆଇଏଫସି ର ସମଗ୍ର ଟିମ୍ ଏକାଗ୍ରତାର ସହ କାର୍ଯ୍ୟ କରୁଛନ୍ତି । ଆଇଏଫସି ସହ ସହଯୋଗର ଅଂଶସ୍ୱରୂପ ଚିହ୍ନଟ କରାଯାଇଥିବା ମୋଟ ୧୧ଟି ପ୍ରକଳ୍ପକୁ କମିଟି ପକ୍ଷରୁ ନୀତିଗତ ଅନୁମୋଦନ ପ୍ରଦାନ କରାଯାଇଥିଲା । ଏହି ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ବ୍ୟୟ ପ୍ରାୟ ୧୫,୪୯୮ କୋଟି ଟଙ୍କା । ଏଥିସହ ପ୍ରାୟ ୮୩୧.୬୮ କୋଟି ଟଙ୍କାର ମୋଟ ଆନୁମାନିକ ବ୍ୟୟ ବିଶିଷ୍ଟ ଅନ୍ୟ ୫ଟି ନୂତନ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି । ଏହା ବ୍ୟତୀତ, ପ୍ରାୟ ୨୮,୭୬୪.୨୮ କୋଟି ଟଙ୍କାର ମୋଟ ଆନୁମାନିକ ବ୍ୟୟ ବିଶିଷ୍ଟ ୨୮ଟି ଚାଲୁ ରହିଥିବା ପିପିପି ପ୍ରକଳ୍ପର ଅଗ୍ରଗତି ଓ ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଥିଲା ।
