ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ପ୍ରକଳ୍ପ

ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ପ୍ରକଳ୍ପର ଗୁଣାତ୍ମକ ମାନ ଓ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ଉପରେ କ୍ରୀଡ଼ାମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର : ରାଜ୍ୟର ସମସ୍ତ ୩୧୪ ଟି ବ୍ଲକରେ ୪,୧୨୪ କୋଟି ଟଙ୍କା ବଜେଟ୍ ବିନିମୟରେ ୩୧୪ଟି ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପ୍ରକଳ୍ପ ସମ୍ପର୍କିତ ଏକ ଦିଗଦର୍ଶନ ତଥା ବୈଷୟିକ ଉପସ୍ଥାପନା (Orientation-cum-Technical Presentation) ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପ୍ରକଳ୍ପରେ ଉନ୍ନତମାନର ନିର୍ମାଣ କାର୍ଯ୍ୟ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍‌ରେ ପ୍ରସ୍ତାବିତ ଥିବା ଆନୁଷଙ୍ଗିକ ସୁବିଧାଗୁଡ଼ିକ ମଧ୍ୟରେ ଷ୍ଟାଡ଼ିୟମ୍‌ରେ ଫୁଟବଲ୍‌, କ୍ରିକେଟ୍ ପଡ଼ିଆ, ଆଥଲେଟିକ୍ସ ଟ୍ରାକ୍, ଥ୍ରୋ ଏରିଆ, ଜମ୍ପ ଏରିଆ, ଭଲିବଲ କୋର୍ଟ ଆଦିର ନିର୍ମାଣ କରାଯିବ । ଏଥିସହିତ ଦେଶୀୟ ବା ଆଞ୍ଚଳିକ କ୍ରୀଡ଼ା ଯଥା ଖୋଖୋ, କବାଡ଼ି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଷ୍ଟାଡ଼ିୟମ୍‌ର ଇଣ୍ଡୋର ହଲ୍‌ରେ ବ୍ୟାଡ଼ମିଣ୍ଟନ କୋର୍ଟ, ଟେବୁଲ ଟେନିସ୍‌ ଆଦି କ୍ରୀଡ଼ା ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିବ ।

ଏଥିସହ ପ୍ରତିଟି ଷ୍ଟାଡ଼ିୟମ୍‌ରେ ସାଧାରଣ ସୁବିଧା କେନ୍ଦ୍ର (Common Facility Centre) ରହିବା ସହ ଷ୍ଟାଡ଼ିୟମ୍‌ରେ ବିଭିନ୍ନ ବ୍ୟବସ୍ଥା ଯଥା ଜଳ ଯୋଗାଣ, ନିଷ୍କାସନ ବା ସ୍ବେରେଜ, ଆଲୋକୀକରଣ, ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାର ମଧ୍ୟ ଚୟନ କରାଯିବ ।

ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବ୍ଲକ ସ୍ତରୀୟ ଷ୍ଟାଡିୟମ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଗୁଣାତ୍ମକମାନ ଓ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ଉପରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଗୁରୁତ୍ୱରୋପ କରିଥିଲେ । ପ୍ରତ୍ୟେକଟି କାର୍ଯ୍ୟକୁ ସଠିକ୍ ସମୟ ମଧ୍ୟରେ ସାରିବା ପାଇଁ କ୍ରୀଡ଼ାମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସେ କହିଥିଲେ ଯେ, କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କର ସାମଗ୍ରିକ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ଓଡ଼ିଶାର ୩୧୪ଟି ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆମ ରାଜ୍ୟର ପ୍ରତ୍ୟେକ ବ୍ଲକରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ସହ କ୍ରୀଡ଼ାବିତ୍‌ମାନେ ଯେପରି କ୍ରୀଡ଼ା କ୍ଷେତ୍ରରେ ନିଜର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିପାରିବେ ସେହି ଲକ୍ଷ୍ୟ ନେଇ କାର୍ଯ୍ୟ କରାଯାଉଛି ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ , ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ଇଡ୍‌କୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।