ଆକାଶମାର୍ଗରୁ ଗଞ୍ଜାମ ଜିଲ୍ଲାର ବାତ୍ୟା ଅକୱାନ ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ଗଞ୍ଜାମ ଜିଲ୍ଲାର ବାତ୍ୟା ଅକୱାନ ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟ ମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମଧ୍ୟ ଗଞ୍ଜାମରେ ଉପସ୍ଥିତ ଥିଲେ ।

ସେମାନେ ସଡକ ପଥରେ ପୁରୁଷୋତ୍ତମପୁର ବ୍ଲକ ଓ ଛତ୍ରପୁର ବ୍ଲକ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବା ସହିତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଏବଂ ଛତ୍ରପୁର ବ୍ଲକର ବଉଳ ଗାଁରେ କ୍ଷତିଗ୍ରସ୍ତ ଚାଷଜମି ଅନୁଧ୍ୟାନ କରିଥିଲେ ଏବଂ ଗ୍ରାମବାସୀଙ୍କ ସହିତ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ଓ ସହାୟତା ବାବଦରେ ପଚାରି ବୁଝିଥିଲେ ।

ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି, ପୁନରୁଦ୍ଧାର ଓ ସହାୟତା ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହିତ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଜିଲ୍ଲା ପ୍ରଶାସନକୁ କ୍ଷୟକ୍ଷତିର ଆକଳନ ତୁରନ୍ତ ସାରି ଚଳିତ ମାସ ଶେଷ ସୁଦ୍ଧା ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷା ପରେ ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଞ୍ଜାମ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ଓ ଅକୱାନ ଦ୍ୱାରା ଚାଷ ଜମି ଗୁଡିକ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗଞ୍ଜାମ ଜିଲ୍ଲାରେ ଅର୍ଣ୍ଣବ ସମୟରେ ୨.୧୧ ଲକ୍ଷ ଏବଂ ଅକୱାନ ସମୟରେ ୧.୫୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାର ସ୍ଥିତିକୁ ଗମ୍ଭୀରତାର ସହ ନେଇଛନ୍ତି । ପ୍ରଭାବିତ ପରିବାର ଗୁଡିକୁ ୫୦ କିଲୋଗ୍ରାମ ଚାଉଳ ସହିତ ୨୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ପରିବାରକୁ ଚାଉଳ ଏବଂ ୬୦ ପ୍ରତିଶତ ପରିବାରଙ୍କୁ ସହାୟତା ରାଶି ବଣ୍ଟନ କରାଯାଇ ସାରିଲାଣି ।

ଏଥିସହିତ ୨୫୦୦ ପରିବାରଙ୍କୁ ଘରଭଙ୍ଗା ସହାୟତା ପ୍ରଦାନ କରାଯାଇସାରିଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି । ଏହା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ଇନପୁଟ ସବସିଡି ପ୍ରଦାନ କରାଯାଉଛି । ସରକାରଙ୍କ SDRF ନର୍ମରେ ପରିବର୍ତ୍ତନ କରାଯାଇ ବର୍ଦ୍ଧିତ ହାରରେ ସହାୟତା ପ୍ରଦାନ କରାଯାଉଛି ବୋଲି ସେ କହିଥିଲେ ।

ଯେଉଁ ମାନଙ୍କର ରାସନ କାର୍ଡ ନାହିଁ, ସେମାନଙ୍କୁ ତୁରନ୍ତ ବ୍ଲକ ଅଫିସ ସହ ଯୋଗାଯୋଗ କରି ରାସନ କାର୍ଡ ପାଇଁ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଯେପରି ଜଣେ ବି କେହି କ୍ଷତିଗ୍ରସ୍ତ ଲୋକ ସହାୟତା ପାଇବାରୁ ବଞ୍ଚିତ ନହେବେ, ସେଥିପାଇଁ ଘରକୁ ଘର ବୁଲି ସର୍ଭେ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପନିପରିବା ଚାଷୀ, ଛୋଟ ବ୍ୟବସାୟୀ, ଉଠା ଦୋକାନୀ, ସମସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ।

ଜିଲ୍ଲାର ଦୁଇଜଣ ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଜିଲ୍ଲା ପ୍ରଶାସନର ସମ୍ମିଳିତ ଉଦ୍ୟମରେ ଗଞ୍ଜାମ ଜିଲ୍ଲାରେ ବାତ୍ୟା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ପରିଚାଳନା ସମୟରେ ଏକ ଟିମ୍ ଭଳି- ଟିମ୍‌ ଗଞ୍ଜାମ ଓ ଟିମ୍‌ ଓଡିଶା- କାମ କରିଥିବାରୁ ସଫଳତା ମିଳିଛି ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିଲେ ।