କଳାହାଣ୍ଡିରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ମେଡିକାଲ କଲେଜ ଅବ୍ୟବସ୍ଥା: ସୁପରିଟେଣ୍ଡେଣ୍ଟ କାର୍ଯ୍ୟାଳୟ ଘେରିଲା ଯୁବ ବିଜେଡି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର, ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟାର ତୁରନ୍ତ ସମାଧାନ ଏବଂ ଚିକିତ୍ସା ଅବହେଳା ଅଭିଯୋଗରେ ମୃତ ରଶ୍ମି ରଞ୍ଜନ ମିଶ୍ରଙ୍କ ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶରେ ବିଳମ୍ବକୁ ନେଇ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ କାର୍ଯ୍ୟାଳୟ ଘେରାଉ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୬ ତାରିଖରେ ଆଇସିୟୁରେ ଭର୍ତ୍ତି ହୋଇଥିବା ରଶ୍ମି ରଞ୍ଜନ ମିଶ୍ରଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ଯୁବ ବିଜେଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତଦନ୍ତ ଦାବି କରିଥିଲା । ତଦନ୍ତ ହୋଇ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ରିପୋର୍ଟକୁ ସାର୍ବଜନୀନ ନକରି ଚାପି ଦିଆଯାଇଛି ବୋଲି ଯୁବ ବିଜେଡି ଅଭିଯୋଗ କରିଛି । ଏପର୍ଯ୍ୟନ୍ତ ରଶ୍ମିଙ୍କ ମୃତ୍ୟୁ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇନାହିଁ ବୋଲି ଜିଲ୍ଲା ପ୍ରଶାସନକୁ ପ୍ରଶ୍ନ କରାଯାଇଛି ।
ଏଥିସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଓ ଉପଯୁକ୍ତ ଚିକିତ୍ସା ନପାଇ ଅନେକ ରୋଗୀ ଓ ସେମାନଙ୍କ ପରିବାର ବାରମ୍ବାର ସମସ୍ୟାର ସମ୍ମୁଖୀନ ହେଉଥିବା ଘଟଣାରେ ଯୁବ ବିଜେଡି କର୍ମକର୍ତ୍ତା ଉଦ୍ବେଗ ପ୍ରକାଶ କରିଛନ୍ତି । ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ତାଳମେଳ ଓ ସମନ୍ୱୟର ଅଭାବ ଯୋଗୁଁ ରୋଗୀଙ୍କ ଚିକିତ୍ସାରେ ଅବହେଳା ସାମ୍ନାକୁ ଆସୁଛି ବୋଲି ଯୁବ ବିଜେଡି ଅଭିଯୋଗ ଆଣିଛି । ସେହିପରି ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ହଷ୍ଟେଲ, ପାନୀୟ ଜଳ, ବିଦ୍ୟୁତ ସରବରାହ, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଦାବି କରାଯାଇଛି ।
ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଆମ ପଡ଼ୋଶୀ ଜିଲ୍ଲାର ହୋଇଥିଲେ ସୁଦ୍ଧା କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟସେବାର ସୁଧାରରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି । ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲର ବହିର୍ବିଭାଗ ଓ ଅନ୍ତଃବିଭାଗ ମଧ୍ୟ ଆରମ୍ଭ ହୋଇପାରୁନାହିଁ ବୋଲି ଯୁବ ବିଜେଡି ସଭାପତି ଅବିନାଶ ଠାକୁର କହିଛନ୍ତି । ରୋଗୀଙ୍କୁ ଉତ୍ତମ ଚିକିତ୍ସା, ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ଏବଂ ରଶ୍ମି ରଞ୍ଜନ ମିଶ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ ନକଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଯୁବ ବିଜେଡି ଚେତାବନୀ ଦେଇଛି ।
ବିଜୁ ଯୁବ ଜନତା ଦଳ ପକ୍ଷରୁ ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ଆବଶ୍ୟକ ସୁଧାର ଆଣିବା ସହ ରୋଗୀ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି । ଏହି ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ବିଜେଡି ଉପସଭାପତି ମନିନ୍ଦ୍ର ମହାନ୍ତି , ସେନାପତି ନାଏକ, ହାରାମଣି ଗଣ୍ଡ, ଦିନେଶ ସାହୁ, ତ୍ରିଲୋଚନ ପାଣିଗ୍ରାହୀ, କ୍ଷିରସିନ୍ଧୁ ନାଏକ, ପରିକ୍ଷିତ ନାଏକ, ଦିଲେଶ ନାଗ ଯାଦବ , ଯୁବ ନେତା ଶିବା ସାହୁ, ରଞ୍ଜୁକ୍ତା ପ୍ରଧାନ, ପିତବାସ ବେହେରା,ମହେନ୍ଦ୍ର ରାଉତ, ରବି ଚନ୍ଦ୍ର ନାଏକ, ନିଳାମ୍ବର ସାହୁ, ପ୍ରଭାତି ମହାରଣା, ଛାତ୍ର ନେତା ମାନସ ସିନ୍ଦୂର, କେ ପ୍ରବୀଣ କୁମାର, ଅଙ୍କିତ ସାହୁ, ହିମାଂଶୁ ପୂଜାରୀ, ଭୋଳାନାଥ ନାଗ, ନବୀନ ନାୟକ, ବୈଷ୍ଣବି ରାଉତ, ଗଣେଶ ବାଗ, ସମିତା ମହାପାତ୍ର, ସିଦ୍ଧାର୍ଥ ନାୟକ ପ୍ରମୁଖ ଯୋଗଦେଇଥିଲେ ।