ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନହେବା ପର୍ଯ୍ୟନ୍ତ ଲଢେଇ ଜାରୀ ରଖିବ ବିଜେପି

ଭୁବନେଶ୍ୱର : ଓଡିଶାରେ ଦୀର୍ଘ ୨୩ ବର୍ଷ ଧରି ନିରନ୍ତର ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ଆଦୌ ଦରଦ ନାହିଁ ଏବଂ ତାଙ୍କୁ ବିକାଶ ଧାରାରୁ ବଞ୍ଚିତ ରଖୁଛନ୍ତି । ଓଡିଶାରେ ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗର । ଆଜି ପର୍ଯ୍ୟନ୍ତ ପଛୁଆ ବର୍ଗର ସମୁଦାୟମାନଙ୍କୁ ଶିକ୍ଷା, ନିଯୁକ୍ତି ବା ସ୍ଥାନୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି ବିଜେଡି ସରକାର । ସମଗ୍ର ଦେଶରେ ଓଡିଶା ଏଭଳି ଏକ ରାଜ୍ୟ ଯେଉଁଠି ଅର୍ଦ୍ଧାଧିକ ଜନସଂଖ୍ୟା ବିଶିଷ୍ଟ ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର ବୋଲି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀମତୀ କ୍ରୀଷ୍ଣା ଗୌର କହିଛନ୍ତି । ରବିବାର ଦିନ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଗୌର କହିଛନ୍ତି ଯେ, ପଛୁଆ ବର୍ଗ କମିଶନ ହେଉଛି ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାବେଳେ ଓଡିଶାରେ ପଛୁଆ ବର୍ଗ କମିଶନଙ୍କୁ କୌଣସି କ୍ଷମତା ଦିଆଯାଇନାହିଁ । ଏହି ସଂସ୍ଥାଟି କେବଳ ନାମକୁ ମାତ୍ର ହୋଇଥିବାବେଳେ କମିଶନ ଦନ୍ତ ହୀନ ସଦୃଶ । ସେହିପରି କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଶିକ୍ଷା, ନିଯୁକ୍ତିରେ ୨୭% ସଂରକ୍ଷଣ ଦେଉଥିଲେ ବି ଓଡ଼ିଶା ସରକାର ରାଜ୍ୟ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି । ଓବିସି ବର୍ଗଙ୍କ ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଅଣଦେଖା କରି ଆସୁଥିବାରୁ ବହୁ ସଂଖ୍ୟାରେ ଆର୍ଥିକ ଅନଗ୍ରସର ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ଆଜି ସମାଜର ବିକାଶ ସ୍ରୋତରେ ସାମିଲ ହେବାରୁ ବଞ୍ଚିତ ହେଉଛନ୍ତି । ପଛୁଆ ବର୍ଗର ଯୁବକଯୁବତୀଙ୍କ ପାଇଁ ଅନ୍ୟ ରାଜ୍ୟମାନେ କୋଟି କୋଟି ଟଙ୍କାର ସୁବିଧା ସୁଯୋଗ ଯୋଗାଇ ଦେଉଥିବାବେଳେ ଓଡିଶା ସରକାର ଅଣଦେଖା କରୁଛନ୍ତି । ପଛୁଆ ବର୍ଗର ଯୁବକମାନଙ୍କର ଆତ୍ମନିଯୁକ୍ତି ପାଇଁ ଥିବା ଓଡିଶା ଓବିସି ଫାଇନାନ୍ସ ଆଣ୍ଡ ଡେଭେଲପମେଣ୍ଟ କର୍ପୋରେସନ ଆଜି ବନ୍ଦ ହୋଇ ପଡିରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡିଶାରେ ଥିବା ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କେବେ ସଂରକ୍ଷଣ କେବେ ମିଳିବ ? ପଛୁଆ ବର୍ଗଙ୍କୁ ତାଙ୍କ ନ୍ୟାର୍ଯ ଅଧିକାରରୁ ବଞ୍ଚିତ ରଖିପାରିବେ ନାହିଁ ବିଜେଡି ସରକାର । ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ନହେବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରୀ ରଖିବ ବୋଲି ଶ୍ରୀମତୀ ଗୌର କହିଛନ୍ତି । ସମାଜର ଶୋଷିତ, ପୀଡିତ, ବଞ୍ଚିତ ପଛୁଆବର୍ଗଙ୍କ ବିକାଶ ପାଇଁ କୌଣସି ସାମ୍ବିଧାନିକ ନିୟମ ନଥିଲା । କିନ୍ତୁ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପଛୁଆ ବର୍ଗଙ୍କ ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ନେତୃତ୍ୱ ନେବା ପରେ ଓବିସି ବର୍ଗଙ୍କ ଭାଗ୍ୟର ସୂର୍ଯ୍ୟଦ୍ୟୋୟ କରିଥିଲେ । ଶିକ୍ଷା, ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ଓବିସି ବର୍ଗର ଲୋକେ କିଭଳି ଉପକୃତ ହେବେ ସେ ନେଇ ମୋଦୀ ସରକାର ସଂକଳ୍ପବଦ୍ଧ । ବିଶେଷ ଭାବେ କେନ୍ଦ୍ର ସରକାରଙ୍କ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ନିଯୁକ୍ତିରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସୌନିକ ସ୍କୁଲରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପଢ଼ିବାର ସୁବନ୍ଦୋବସ୍ଥ ମୋଦି ସରକାର କରିଛନ୍ତି । ଓବିସି ବର୍ଗର ଛାତ୍ରଛାତ୍ରୀମାନେ ନିଟ୍‌, ମେଡିକାଲ, ଡେଣ୍ଟାଲ ଓ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ୨୭ ପ୍ରତିଶତ ସଂରକ୍ଷଣର ସୁନିଶ୍ଚିତ କରିଛନ୍ତି । ମୋଦିଜୀ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଓବିସି ବର୍ଗର ୨୭ଜଣ ମନ୍ତ୍ରୀଙ୍କୁ ସ୍ଥାନ ଦେଇଛନ୍ତି । ବିଜେପି ଶାସିତ ରାଜ୍ୟମାନଙ୍କରେ ପଛୁଆ ବର୍ଗକୁ ଶିକ୍ଷା, ନିଯୁକ୍ତି ଓ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରଦାନ କରାଯାଉଛି । ମଧ୍ୟପ୍ରଦେଶ, ଉତରପ୍ରଦେଶ ଭଳି ବଡ ବଡ ବିଜେପି ଶାସିତ ରାଜ୍ୟରେ ପଛୁଆ ବର୍ଗଙ୍କ ସଂରକ୍ଷଣ ପାଇଁ ନ୍ୟାୟିକ ଲଢାଇ ଲଢି ସେମାନଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ କରିଥିବାବେଳେ ଓଡିଶା ସରକାର କାହିଁକି ସେପରି କରିନାହାନ୍ତି ବୋଲି ଶ୍ରୀମତୀ ଗୌର କହିଛନ୍ତି । ଓବିସି ବର୍ଗ ସର୍ଭେକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରେ ସ୍ପଷ୍ଟତା ନାହିଁ । ‘ଅନ୍‌ଲାଇନ – ଅଫ୍‌ଲାଇନ୍ ସର୍ଭେ’ କେବଳ ଏକ ଧୁଆଁବାଣ ଏବଂ ଓବିସିବର୍ଗଙ୍କୁ ପ୍ରତାରଣା । ଅନ୍ୟ ରାଜ୍ୟମାନଙ୍କ ଭଳି ‘ଡୋର-ଟୁ-ଡୋର ସର୍ଭେ’ କରି ପ୍ରକୃତ ତଥ୍ୟ ହାସଲ କାହିଁକି କରୁନାହାନ୍ତି ବୋଲି ଶ୍ରୀମତୀ ଗୌର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଓବିସିଙ୍କୁ ନ୍ୟାୟ ଓ ତାଙ୍କ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ ଦାବୀରେ ବିଜେପି ଓବିସି ମୋର୍ଚ୍ଚା ତରଫରୁ ସର୍ବଦା ଲଢ଼େଇ ଜାରୀ ରହିଛି । ଆସନ୍ତା ଏପ୍ରିଲ ୬ ବିଜେପି ପ୍ରତିଷ୍ଠା ଦିବସରୁ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଓବିସି ମୋର୍ଚ୍ଚା ତରଫରୁ ଦେଶବ୍ୟାପୀ “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନ ଚାଲିବ । ଏପ୍ରିଲ ୧୧ରେ ସମାଜ ସୁଧାରକ ଜ୍ୟୋତିବାରାଓ ଫୁଲେଜୀଙ୍କ ଜୟନ୍ତୀ ପାଳନ କରାଯିବ । ଏହି ଅବସରରେ ମୋଦି ସରକାରଙ୍କ ଗତ ୯ ବର୍ଷର ସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବାର କାର୍ଯ୍ୟ କରିବେ ମୋର୍ଚ୍ଚାର କାର୍ଯ୍ୟକର୍ତା । ଏଥି ସହ ଓବିସି ବର୍ଗର ମହାପୁରୁଷଙ୍କ ପ୍ରତିମାର ସ୍ୱଚ୍ଛତା, ବୃକ୍ଷରୋପଣ, ସାମାଜିକ ଜାଗୃତ, ବୁଦ୍ଧିଜୀବୀ ସମ୍ମିଳନୀ କାର୍ଯ୍ୟକ୍ରମମାନ ପ୍ରତ୍ୟେକ ଜିଲ୍ଲା, ବ୍ଲକ, ପଞ୍ଚାୟତ ଓ ଗ୍ରାମମାନଙ୍କରେ ଅନୁଷ୍ଠିତ ହେବ ବୋଲି ଶ୍ରୀମତୀ ଗୌରା କହିଛନ୍ତି । ଏହି ଅବସରରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସଂଯୋଜକ ରାହୁଲ ନଗର ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଏପ୍ରିଲ ୬ରୁ ଆରମ୍ଭ ହେବାକୁ ଥିବା “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନକୁ ସଫଳ କରିବା ପାଇଁ ରବିବାର ଦିନ ରାଜ୍ୟ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀମତୀ କ୍ରୀଷ୍ଣା ଗୌର, ରାଷ୍ଟ୍ରୀୟ ସଂଯୋଜକ ରାହୁଲ ନଗର, ରାଜ୍ୟ ସଂଯୋଜକ ସୁକାନ୍ତ ବିଶ୍ୱାଳ, ଜ୍ଞାନେନ୍ଦ୍ର ସ୍ୱାଇଁ, ପ୍ରତାପ ପ୍ରଧାନ, ରାମଚନ୍ଦ୍ର ବେହେରା, ଦିଲୀପ କର୍ସେଲ, ଦୁର୍ଗାପ୍ରସନ୍ନ ନାୟକ, କରିସ୍ମା ମହାକୁଡ, ସିଦ୍ଧାର୍ଥ ଶଂକର ପତି, ସଂଗ୍ରାମ ନାୟକ ପ୍ରମୁଖଙ୍କ ସମେତ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *