ଓଡ଼ିଶାର ପରମ୍ପରାରେ ଦକ୍ଷତା ରହିଛି- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଓଡ଼ିଶାର ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୂର୍ବରୁ ରହିଆସିଛି । ଆବାହାମାନ କାଳରୁ ଓଡ଼ିଶାର ଭୂମିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ବୋଲି ରବିବାର ଭୁବନେଶ୍ୱର ସ୍ଥିତ ଆଇଏମଏମଟି ପରିସରରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗୋଷ୍ଠି ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ”ର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “ଭବିଷ୍ୟତ କାର୍ଯ୍ୟଶୈଳୀରେ ଗହନ ପ୍ରଯୁକ୍ତି ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ” କଥାବସ୍ତୁ ଉପରେ ଆୟୋଜିତ ସମ୍ମିଳନୀରେ ସମ୍ବୋଧନ କରିଥିଲେ । ସେ କହିଛନ୍ତି ଯେ ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ବିଶ୍ୱର ପରିବର୍ତ୍ତନ ସହ ତାଳ ଦେବାକୁ ଦକ୍ଷତା ବିକାଶ ନିତ୍ୟାନ୍ତ ଆବଶ୍ୟକ । ଦକ୍ଷତା ବିକାଶ ଉପରେ ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଗୁରୁତ୍ୱ ଦେଇଛନ୍ତି । ଭବିଷ୍ୟତର କାର୍ଯ୍ୟଶୈଳୀ ପାଇଁ ଆମର ଯୁବଶକ୍ତିଙ୍କୁ ନିଯୁକ୍ତିଦାତା ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ରହିଛି । ଆଗାମୀ ଦିନରେ ୨୦୪୭ ସୁଦ୍ଧା ବିଶ୍ୱର ଯୁବବର୍ଗଙ୍କ ସଂଖ୍ୟାରେ ୨୫ ପ୍ରତିଶତ ଯୁବବର୍ଗ ଭାରତର ରହିବ । ଆଗାମୀ ୨୫ ବର୍ଷର ଅମୃତ କାଳରେ ଡିଗ୍ରୀ ନୁହେଁ ଦକ୍ଷତା ଓ ସାମର୍ଥ୍ୟ ହିଁ ଗୁରୁତ୍ୱ ବହନ କରିବ । ତେଣୁ ଏହି ସମୟରେ ଆଗାମୀ ଦିନର କାର୍ଯ୍ୟଶୈଳିର ରୂପରେଖ ଅନୁସାରେ ଦେଶର ଯୁବ ସମ୍ବଳ ପ୍ରସ୍ତୁତ କରିବାକୁ ହେବ । ଏ ଦିଗରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗୋଷ୍ଠି ବୈଠକ ବିଶେଷ ଭାବରେ ସହାୟକ ହେବ । ଆଜି ସାରା ଦେଶ ଏବଂ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ସମୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ଜି-୨୦ର ପ୍ରେସିଡେନ୍ସି କରୁଛି ଏବଂ ଆମର କଥାବସ୍ତୁ “ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ” ସହ ଭାରତ ବିଶ୍ୱ କଲ୍ୟାଣରେ ବ୍ରତୀ ହୋଇଛି । ବସୁଧୈବ କୁଟୁମ୍ବକମ୍ ଆମର ମୂଳ ମନ୍ତ୍ର ରହି ଆସିଛି । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ପ୍ରଚୁର ଖଣିଜ ସମ୍ପଦ, ମାନବ ସମ୍ବଳ, ସୁଦୀର୍ଘ ବେଳାଭୂମି ରହିଛି । ଏହି ମର୍ମରେ ଓଡ଼ିଶା ବିଶ୍ୱ ଦକ୍ଷତା ପରିସଂସ୍ଥାନରେ କିପରି ନିଜ ସ୍ଥାନ ନିରୁପଣ କରିବ ତାହା ଉପରେ ଚର୍ଚ୍ଚା ଆଲୋଚନା ହେବ । ଏକବିଂଶ ଶତାବ୍ଦୀରେ ରୋଜଗାର ଓ କାର୍ଯ୍ୟର ସ୍ୱଭାବ କଣ ରହିବ, ତା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଏବଂ ଟେକ୍ନୋଲୋଜିର ଯୁଗ ହେବ । ଭାରତ ମଧ୍ୟ ଭୌଗଳିକ ସ୍ଥିତି, ଜ୍ଞାନର ଭଣ୍ଡାର ସହ ସୃଜନଶୀଳ ସମ୍ବଳ, ସୁଦୃଢ ବଜାର ରହିଛି । ଏହା ମାଧ୍ୟମରେ ଭାରତ ଏକବିଂଶ ଶତାବ୍ଦୀରେ ସବୁ କ୍ଷମତାକୁ ଉପଯୋଗ କରି ବ୍ୟାପକ ପରିବର୍ତ୍ତନର ସାରଥୀ ହେବ । ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱ ଆକାଂକ୍ଷାକୁ ପୂରଣ କରିବ । ଅଟୋମେସନ, ମେକାନାଇଜେସନ, ଡିଜିଟାଇଜେସନ ଏବଂ ଟେକ୍ନୋଲୋଜି କାର୍ଯ୍ୟ କରିବାର ପୁରୁଣା ପଦ୍ଧତିକୁ ପରିବର୍ତ୍ତନ କରୁଛି ଏବଂ ନୂଆ ନୂଆ ଚାକିରି ସୁଯୋଗ ସୃଷ୍ଟି କରୁଛି । ଏହାର ଅର୍ଥ ହେଉଛି ଆମକୁ ସବୁବେଳେ ସ୍କିଲ, ରି ସ୍କିଲ ଏବଂ ଅପ ସ୍କିଲର ଆବଶ୍ୟକତା ରହିଛି । କୋ-ଓ୍ୱିନ ଆପରେ ଟିକାକରଣ, ୟୁପିଆଇ ପେମେଣ୍ଟ ଭାରତର ଡିଜିଟାଲ କ୍ଷମତାର ଶକ୍ତିକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତି ଏକ ଦସ୍ତାବିଜ ନୁହେଁ ବରଂ ବିଶ୍ୱ କଲ୍ୟାଣର ରୋଡମ୍ୟାପ୍ ବୋଲି ସେ କହିଛନ୍ତି । ଜି-୨୦ ଜନଭାଗିଦାରୀରେ ଓଡ଼ିଶାବାସୀଙ୍କ ଯୋଗଦାନ ଉତ୍ସାହପୂର୍ଣ୍ଣ । ଓଡ଼ିଶାର ମାସ ବ୍ୟାପୀ ଚାଲିଥିବା ଜି- ୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ୧ ଲକ୍ଷ ଯୁବକଙ୍କ ଅଂଶଗ୍ରହଣ ପ୍ରଶଂସନୀୟ । ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଶିଳ୍ପସମୂହ, ଶିକ୍ଷାନୁଷ୍ଠାନ, ଷ୍ଟର୍ଟଅପ୍ ପରିସଂସ୍ଥାନ ଏବଂ ଷ୍ଟେକହୋଲ୍ଡର ଜି-୨୦ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ଫ୍ରେମଓ୍ୱାର୍କରେ ସାମିଲ ହୋଇ ଭାରତକୁ ବିଶ୍ୱ ମାନବ ସମ୍ବଳର ପେଣ୍ଠସ୍ଥଳୀ କରିବା ପାଇଁ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ଶିକ୍ଷା, ସ୍ୱାସ୍ଥ୍ୟ, ମୋବିଲିଟି, ମେଟାଭର୍ସ, ରିଭର୍ସ ଇଞ୍ଜିନିୟରିଂ, ଡ୍ରୋନ ଟେକ୍ନୋଲୋଜି ସହ ହସ୍ତତନ୍ତ, ଓଡ଼ିଆ ଭାସ୍କର୍ଯ୍ୟ, କଳା ସଂସ୍କୃତି, ପାଶ୍ଚାତ୍ୟ ପଢ଼ା ଶୈଳୀକୁ ନେଇ ବିଭିନ୍ନ ସାମଗ୍ରୀକୁ ବୁଲି ଦେଖିଥିଲେ । ସେ କହିଥିଲେ ଏହି ପ୍ରଦର୍ଶନୀ ଡିଜିଟାଲ ନବସୃଜନରେ ଆସିଥିବା ବ୍ୟାପକ ପରିବର୍ତ୍ତନ ଓ ବିଶ୍ୱର ପୁନଃକାର୍ଯ୍ୟଶୈଳୀର ପ୍ରତଫଳନ । ଜି-୨୦ ଭବିଷ୍ୟତର ଆଧୁନିକ କାର୍ଯ୍ୟଶୈଳୀ, କୌଶଳ ଏବଂ ଭବିଷ୍ୟତର ରୋଜଗାର ସହ ଉଭା ହେଉଥିବା ଶିକ୍ଷା ଆହରଣ, ଦକ୍ଷତା ଏବଂ ନିଯୁକ୍ତି ଦୃଶ୍ୟପଟ୍ଟର ଏକ ଝଲକ । ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ କ୍ଷେତ୍ରର ଅନେକ ବ୍ୟକ୍ତି ବିଶେଷ ଏବଂ ଆଇଆଇଟି, ଭୁବନେଶ୍ୱର, ଏନଆଇଟି, ରାଉରକେଲା, ଆଇଆଇଏମ, ସମ୍ବଲପୁର ଆଇଜର, ନାଇଜର ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *