ବିଳମ୍ବ ନକରି ରତ୍ନ ଭଣ୍ଡାର ରାଜ୍ୟ ସରକାର ଖୋଲନ୍ତୁ

ଭୁବନେଶ୍ୱର : ଓଡ଼ିଆ ଜାତିର ଆରାଧ୍ୟ ଦେବତା ଓ ସମଗ୍ର ବିଶ୍ୱ ଯେଉଁ ପ୍ରଭୁଙ୍କୁ ପୂଜା କରୁଛି ତାଙ୍କର ଅମୂଲ୍ୟ ସମ୍ପତି ସୁରକ୍ଷିତ ନେଇ ୧୯୫୫ରେ ଆଇନ ପ୍ରଣୟନ କରାଯାଇଥିଲା । ଶ୍ରୀଜୀଉଙ୍କ ରତ୍ନ ଭଣ୍ଡାର ଅପ୍ରେଲି ୩ ତାରିଖ, ୨୦୧୮ମସିହା ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ବଡ ଅନୁଧ୍ୟାନକାରୀ ଦଳ ଧଳା ଲୁଗା ପିନ୍ଧି ଅରୁଆ ଖାଇ କୂଅରେ ଗାଧୋଇ ମନ୍ଦିର ଭିତରକୁ ପ୍ରବେଶ କଲେ ରତ୍ନ ଭଣ୍ଡାର ଖୋଲିବା ପାଇଁ କିନ୍ତୁ ପାଖରେ ଚାବିକାଠି ନଥିଲା । ଅପ୍ରେଲି ୪ତାରିଖ ସାମ୍ନାକୁ ଆସିଲା ତତ୍‌କାଳୀନ ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ଅଗ୍ରୱାଲ ବିବୃତି ଦେଲେ, ରତ୍ନ ଭଣ୍ଡାର ଚାବି ମିଳୁନି । ଏହାପରେ ସାରା ରାଜ୍ୟରେ ଆନ୍ଦୋଳନ ହେଲା ଓ ପ୍ରତିବାଦର ସ୍ୱର ଉଠିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଭାରତୀୟ ଜନତା ପାର୍ଟି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ବି ପୁଲିସ ମାମଲା ରୁଜୁ କରିଲା ନାହିଁ । ପୁଣି ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପାଖରେ ଗୁହାରି ହୋଇଥିଲେ ବି କର୍ଣ୍ଣପାତ କଲେ ନାହିଁ । ରାଜ୍ୟ ସରକାର ଜନତା, ବିରୋଧୀ ଓ ଗଣମାଧ୍ୟମ ସହ ଲୁଚକାଳି ଖେଳିଲେ । ବିଜେପିର ତୀବ୍ର ଆନ୍ଦୋଳନ ପରେ ରାଜ୍ୟ ସରକାର ଜୁନ୍ ୬(୨ମାସ)ରେ ଜଷ୍ଟିସ୍ ରଘୁବୀର ଦାସ କମିଶନ ଗଠନ କଲେ । ବିଜେପି ସେହି ସମୟରେ କମିଶନର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲା । ଏହି କମିଶନରୁ କିଛି ସୁଫଳ ମିଳିବ ନାହିଁ ବୋଲି ବିଜେପି ଆଶଙ୍କା ପ୍ରକାଶ କରିଥିଲା । ଆଜି ପୁନଃର୍ବାର ସେହି କଥାକୁ ଦୋହରାଇ ଏ ସରକାର ଏକ କମିଶନ ସର୍ବସ୍ୱ ସରକାର ବୋଲି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଏ ସରକାରର ସବୁବେଳେ କମିଶନ ଦରକାର । ରାଜ୍ୟରେ ପାଇଖାନା, ବାସଗୃହ, ବିଧବା-ବାର୍ଦ୍ଧକ୍ୟ ଭତା ଓ ଯୁବକଙ୍କୁ ଚାକିରୀ ଦେବାରେ ସବୁ ସ୍ତରରେ କମିଶନ କାରବାର ବ୍ୟାପକ ମାତ୍ରାରେ ଚାଲିଛି । ଶେଷରେ ଏ କମିଶନ ସର୍ବସ୍ୱ ସରକାର ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ କମିଶନ ଶବ୍ଦଟିକୁ ଲଗାଇବାକୁ ପଛାଇଲେ ନାହିଁ । ଜଷ୍ଟିସ୍ ରଘୁବୀର ଦାସ କମିଶନ ପାଇଁ ରାଜ୍ୟ ସରକାର ୨୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବାର ୬ମାସ ପରେ ଗୋଟିଏ ରିପୋର୍ଟ ସାମ୍ନାକୁ ଆସିଲା । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସେତେବେଳେ ବିଜେପି ମାମଲା ରୁଜୁ କରିବା ପରେ ଜିଲ୍ଲାପାଳ ନାଟକ କରି କହିଲେ, “ରେକର୍ଡ ରୁମ୍‌ରୁ ଗୋଟିଏ ଡୁପଲିକେଟ୍ ଚାବି ମିଳିଲା” । ଶ୍ରୀମନ୍ଦିର ପ୍ରଶାସନ ଆଇନ ୧୯୫୪ ମସିହାରେ ପ୍ରଣୟନ କରାଗଲା ଏବଂ ପରବର୍ତୀ ମନ୍ଦିର ଆଇନ ୧୯୬୦ ସେଥିରେ ଉଲ୍ଲେଖ ଅଛି, ରତ୍ନଭଣ୍ଡାରର ଚାବି ଏବଂ ରେକର୍ଡ କିଭଳି ସୁରକ୍ଷିତ ରହିବ । ଶ୍ରୀ ଜଗନ୍ନାଥ କମିଟିର ମୁଖ୍ୟ ହେଉଛନ୍ତି ରାଜା ଗଜପତି । ଗଜପତିଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟି ଗଠନ କରାଯାଇଛି ତାହାର ପ୍ରତ୍ୟକ୍ଷ ତତ୍ୱାବଧାନରେ ଇନଭେଂଟ୍ରି ପ୍ରସ୍ତୁତ କରାଗଲା । ରତ୍ନ ଭଣ୍ଡାର ୩ ଭାଗରେ ବିଭକ୍ତ । ଗୋଟିଏ ଭିତର ଭଣ୍ଡାର ଅନ୍ୟଟି ବାହାର ଭଣ୍ଡାର । ଭିତର ଭଣ୍ଡାରରେ ସୁନା, ରୁପା, ହୀରା, ମୋତି ଓ ମାଣିକକୁ ଯାହା ସମସ୍ତ ରାଜାରାଜୱଡା ଶ୍ରୀଜଗନ୍ନାଥଙ୍କୁ ଦାନ କରିଥିଲେ । ରାଜ୍ୟ ସରକାର ଗଜପତି ମହାରାଜାଙ୍କଠାରୁ କ୍ଷମତା ପ୍ରତ୍ୟାହାର କରି ଶ୍ରୀଜଗନ୍ନାଥଙ୍କ ସମ୍ପତିକୁ ହାତକୁ ନେଲେ ସେତେବେଳେ ରତ୍ନ ଭଣ୍ଡାର ଇନଭେଂଟ୍ରି କରାଗଲା । ଏହାପରେ ଭିତର ରତ୍ନ ଭଣ୍ଡାର ୨ଟି ତାଲା ପଡିବ ଓ ସେହି ଚାବିକୁ ଦାୟିତ୍ୱରେ ଥିବା ପ୍ରଶାସକ ନେଇ ସରକାରଙ୍କ ଟ୍ରେଜେରିରେ ଦାଖଲ କରିବେ । ବାହାର ରତ୍ନଭଣ୍ଡାରରେ ଦୁଇ କିସମର ସ୍ୱର୍ଣ୍ଣ ଅଳଙ୍କାର ରହିବ ଯାହାକି ୨ଭାଗରେ ବିଭକ୍ତ । ଗୋଟିଏ ଶ୍ରୀଜିଉଙ୍କ ଯାନିଯାତ ଓ ଅନ୍ୟଟି ପ୍ରଭୁଙ୍କ ନୀତିକାନ୍ତ ପାଇଁ । ଯାନିଯାତ ଅଳଙ୍କାରକୁ ପାଟଯୋଶୀ ମହାପାତ୍ର ୨ଟି ଲକ୍ କରି ନିଜ ଦାୟିତ୍ୱରେ ରଖିବେ । ୧୯୭୮ମସିହାରେ ଶେଷଥର ପାଇଁ ତତ୍‌କାଳୀନ ରାଜ୍ୟପାଳଙ୍କ ତତ୍ୱାବଧାନରେ ଏକ କମିଟି କରାଗଲା । ତାହାପରେ ରତ୍ନଭଣ୍ଡାରକୁ ସରକାର କେବେ ହେଲେ ଖୋଲିନାହାନ୍ତି ବୋଲି ଦାବି କରୁଛନ୍ତି । ୪୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଓଡ଼ିଶା ସରକାର ରତ୍ନଭଣ୍ଡାର ଚାବିକୁ ହଜେଇ ଦେଇଛନ୍ତି ବୋଲି ୨୦୧୮ରେ ଜଣାପଡିଲା । ରାଜ୍ୟ ସରକାର ପ୍ରଥମତଃ ସ୍ୱୀକାର କଲେ ଅରଜିନାଲ ଚାବି ହଜିଛି ଓ ଡୁପଲିକେଟ୍ ଚାବି ମିଳିଛି । ଯଦି ପ୍ରକୃତ ସେ ଚାବିର ଡୁପଲିକେଟ୍ ଚାବି ହୋଇଥାଏ ତାହାଲେ ରତ୍ନଭଣ୍ଡାର ଖୋଲିବାର ପ୍ରତିବନ୍ଦକ ରହିଲା କେଉଁଠି ? ୫ ବର୍ଷ ଧରି ଗୋଟିଏ ଡୁପଲିକେଟ୍ ଚାବିକୁ ପାଇଥିବା ସରକାର ତାହା ସତରେ ଅର୍ଜିନାଲ ଚାବିର ଡୁପଲିକେଟ୍ କି ନୁହେଁ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ୫ବର୍ଷ ହେଲା ସରକାର ରତ୍ନଭଣ୍ଡାର ଖୋଲୁନାହାନ୍ତି କାହିଁକି ? ଭାରତୀୟ ଆରକୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ସତ୍ୟପାଠ ଜରିଆରେ ଓଡ଼ିଶା ହାଇକୋର୍ଟରେ ସ୍ପଷ୍ଟୀକରଣ ରଖିଛନ୍ତି ଯେ, ରତ୍ନ ଭଣ୍ଡାର ପ୍ରତି ବିପଦ ଅଛି ଏବଂ ଏହାକୁ ତୁରନ୍ତ ମରାମତି କରାଯିବା ଦରକାର । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ପ୍ରକୃତରେ ଶ୍ରୀଜଗନ୍ନାଥଙ୍କ ସମ୍ପତିର ସୁରକ୍ଷା ଦିଗରେ ସାମାନ୍ୟତମ ଚିନ୍ତିତ ତାହାଲେ ତୁରନ୍ତ ଯେଉଁ ଡୁପଲିକେଟ୍ ଚାବିକାଠି ମିଳିଛି ବୋଲି କହୁଛନ୍ତି ତାହାଦ୍ୱାରା ରତ୍ନ ଭଣ୍ଡାରକୁ ଖୋଲନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି । ବିଜୁ ଜନତା ଦଳର ପୁରୀ ଜିଲ୍ଲାର ଜନୈକ ବରିଷ୍ଠ ନେତା କିଛି ମାସ ତଳେ ସର୍ବସାଧାରଣରେ ଅଭିଯୋଗ କରିଥିଲେ ଯେ, କିଛି ବ୍ୟକ୍ତି ରତ୍ନ ଭଣ୍ଡାରକୁ ଲୁଟ୍ କରିବାର ଯୋଜନା କରିଛନ୍ତି । ଜନୈକ ନେତାଙ୍କ ଏପ୍ରକାର ଆଶଙ୍କା ବଡ ସାଘାତିକ ତଥା ସିଧାସଳଖ ରାଜ୍ୟ ସରକାରଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ଠିକ୍ ସେହିଭଳି ଓଡ଼ିଶାର ଜନସାଧାରଣଙ୍କ ସମେତ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଆଶଙ୍କା ବ୍ୟକ୍ତ କରୁଛି । ରାଜା ରାଜୁଡାମାନେ ଦେଇଥିବା ସୁନା ଅଳଙ୍କାର ସବୁ ରତ୍ନଭଣ୍ଡାରରେ ଅଛି ତ ? ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟରେ କ’ଣ ଅଛି ରାଜ୍ୟ ସରକାର ତାହା ଆଜି ପର୍ଯ୍ୟନ୍ତ ପ୍ରକାଶ କଲେ ନାହିଁ । ଆଇନ ଅନୁଯାୟୀ ୬ ମାସ ଭିତରେ ରାଜ୍ୟ ସରକାର କମିଶନ ଇନକ୍ୱାରି ରିପୋର୍ଟ କଣ କଣ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ତାହାକୁ ବିଧାନସଭା ଗୃହରେ ଉପସ୍ଥାପନ କରିବାର ନିୟମ ରହିଛି । କିନ୍ତୁ ତାହା ରାଜ୍ୟ ସରକାର କରିନାହାନ୍ତି । ଏଥିରୁ ବୁଝାପଡୁଛି ରାଜ୍ୟ ସରକାରଙ୍କ ବିଧାନସଭା ଉପରେ ଏବଂ ଜନପ୍ରତିନିଧିମାନଙ୍କ ଉପରେ ତଳେ ମାତ୍ର ଭରସା ଓ ବିଶ୍ୱାସ ନାହିଁ । ଯଥାଶୀଘ୍ର ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ଶୀତଳଭଣ୍ଡାରରେ ନରଖି ରିପୋର୍ଟ ଉପରେ କଣ ପଦକ୍ଷେପ ନେଇଛନ୍ତି ତାହାକୁ ବିଧାନସଭାରେ ଉପସ୍ଥାପନ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ କୁଆଡେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ବୋଲି କୁହନ୍ତି । ଯଦି ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କ ଭକ୍ତ ତାହାଲେ ତାଙ୍କ ସମ୍ପତିର ସୁରକ୍ଷା ପାଇଁ କଣ ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟୀକରଣ ରଖନ୍ତୁ । ରତ୍ନଭଣ୍ଡାର ମରାମତି ନିମନ୍ତେ ଏଏସଆଇକୁ ଦାୟତ୍ୱ ଦିଅନ୍ତୁ । ରତ୍ନଭଣ୍ଡାରର ଚାବି ସମ୍ପର୍କ ଶାସକ ଦଳ ସ୍ପଷ୍ଟ ଉତର ରଖନ୍ତୁ । ବିଜେପି ପ୍ରଶ୍ନ କଲେ ରାଜ୍ୟ ସରକାର ଓ ଶାସକ ବିଜେଡି ପ୍ରସଙ୍ଗ ବାହାରକୁ ଯାଇ ବିଭିନ୍ନ ଆଳ ଦେଖାଇ ଆସୁଛନ୍ତି । ପ୍ରକୃତରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତି ଉପରେ ମୁଖ୍ୟମନ୍ତ୍ରୀ ଚିନ୍ତିତ ଏବଂ ରତ୍ନଭଣ୍ଡାର ସୁରକ୍ଷା ବାବଦରେ ତିଳେମାତ୍ର ଦାୟିତ୍ୱ ରହିଛି ତାହାଲେ ରତ୍ନଭଣ୍ଡାର ଖୋଲାଯାଉ, ପ୍ରଭୁଙ୍କ ସୁନା ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସର୍ବସମ୍ମତିରେ ପ୍ରକାଶ କରାଯାଉ ଏବଂ ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇ ତରଫରୁ ୫ବର୍ଷ ତଳୁ ହୋଇଥିବା ଦାବିକୁ କାର୍ଯ୍ୟକାରୀ କରାଯାଉ । ଏ ସମସ୍ତ ପ୍ରସଙ୍ଗରେ ବିଜେଡି ସରକାର ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଉମାକାନ୍ତ ପଟ୍ଟନାୟକ, ପୁରୀ ଜିଲ୍ଲା ବିଜେପି ସଭାପତି ଆର୍ଶିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *