ସମ୍ବଲପୁର ହିଂସା ଘଟଣାର ଅନୁଧ୍ୟାନ କଲେ କେନ୍ଦ୍ରୀୟ ବିଜେପି ଟିମ୍

ଝାରସୁଗୁଡା/ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର ହିଂସା ଘଟଣାର ବାସ୍ତବ ଚିତ୍ର ଅନୁଧ୍ୟାନ ନିମନ୍ତେ ଉତରପ୍ରଦେଶ ରାଜ୍ୟସଭା ସାଂସଦ ବ୍ରିଜଲାଲଙ୍କ ଅଧ୍ୟକ୍ଷତାରେ ଝାଡଖଣ୍ଡର ରାଜ୍ୟସଭା ସାଂସଦ ସମୀର ଓରାଓଁ ଏବଂ ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ଗ୍ରାଉଣ୍ଡ ଜିରୋକୁ ଯାଇ ନିଖୁଣତାର ସହ ଘଟଣାର ସମୀକ୍ଷା କରିଛନ୍ତି । ହିଂସା ଘଟଣାରେ ମୃତ ଆଦିବାସୀ ଯୁବକ ସ୍ୱର୍ଗତ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଗାଁ ଚାଉଁପୂର ସ୍ଥିତ ମିର୍ଦ୍ଧା ପଡାକୁ ଯାଇଥିଲେ । ସେଠାରେ ସ୍ୱର୍ଗତ ମିର୍ଦ୍ଧାଙ୍କ ଘରେ ତାଲା ପଡିଥିବା ଦେଖି ପାଖ ପଡୋଶୀଙ୍କ ସହ ଆଲୋଚନା କରିଥିଲେ । ସ୍ୱର୍ଗତ ମିର୍ଦ୍ଧାଙ୍କ ହତ୍ୟା ପରେ ତାଙ୍କ ମୃତ ଶରୀରକୁ ଗାଁକୁ ପ୍ରଶାସନ ଛାଡିନଥିଲା ବୋଲି କମିଟି ଆଗରେ ଅଭିଯୋଗ କରିଥିଲେ ଗ୍ରାମବାସୀ । ଆଦିବାସୀ ସଂସ୍କୃତି, ପରମ୍ପରାକୁ ବାଦ ଦେଇ ପ୍ରଶାସନ ଚନ୍ଦ୍ରମଣିଙ୍କ ଶେଷକୃତ୍ୟ କରିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଓ ଆକ୍ରୋଶ ଥିଲା ବୋଲି କମିଟି ଅନୁଭବ କରିଛି । ଏହାପରେ ପ୍ରତିନିଧି ଦଳ ଭବାନୀପାଲିକୁ ଯାଇ ହିଂସାକାଣ୍ଡରେ ମରଣାନ୍ତ୍ରକ ଆକ୍ରମଣର ଶିକାର ହୋଇଥିବା କାଳିଆ ଶିଖାକୁ ଭେଟିଥିଲେ ଏବଂ ତାଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସ୍ପଷ୍ଟ ହୋଇଥିଲା ଯେ, କାଳିଆ ଏବଂ ତାଙ୍କ ପରିବାର ସଦସ୍ୟ ତଥା ବନ୍ଧୁଜନଙ୍କୁ ଭୟଭୀତ କରାଯାଇ ମୁହଁ ନଖୋଲିବାର ଧମକ ଦେଉଛନ୍ତି ପ୍ରଶାସନ, ପୋଲିସ ଓ ଶାସକ ବିଜେଡି କର୍ମୀ । ଏପରିକି କାଳିଆଙ୍କୁ ଅପହରଣ କରିବା ପାଇଁ ବହୁଥର ପ୍ରଚେଷ୍ଟା କରାଯାଇଥିବା କାଳିଆ ଶିଖା ପ୍ରତିନିଧି ଦଳ ଆଗରେ ପ୍ରକାଶ କରିଛନ୍ତି । ଏହାପରେ ପ୍ରତିନିଧି ଦଳ ସମ୍ବଲପୁର ଫେରିଆସି ସର୍କିଟ ହାଉସଠାରେ ଗଣ୍ଡଗୋଳରେ ଗୁରୁତରଭାବେ ଆହତ ହୋଇଥିବା ଧନୁପାଲି ଥାନାର ମହିଳା ଆଇଆଇସି, ସହରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ସଂଘ, ହନୁମାନ ଜୟନ୍ତୀ ସମନ୍ୱୟ କମିଟି, ଚେମ୍ବର ଅଫ କମର୍ସ, ଔଷଧ ବ୍ୟବସାୟୀ ସଂଘ, ହୋଟେଲ ସଂଘ, ପୂର୍ବତନ ସୈନିକ ସଂଘ, ବିଭିନ୍ନ ମହିଳା ଅନୁଷ୍ଠାନର ପ୍ରତିନିଧିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ପୋଲିସ ଆଇଜି ଦୀପକ କୁମାର, ଜିଲ୍ଲା ଏସପି ବି.ଗଙ୍ଗାଧରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ-୧ ଓ ୨ ଏବଂ ଉପ ଜିଲ୍ଲାପାଳ ସହ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ସମ୍ବଲପୁର ହିଂସାରେ ହତ୍ୟା କରାଯାଇଥିବା ଯୁବକ ମିର୍ଦ୍ଧାଙ୍କ ଶେଷକୃତ୍ୟ ଓ ପରିବାର ସଦସ୍ୟ ଗାଁରେ ଅନୁପସ୍ଥିତ ସମ୍ପର୍କରେ ଶ୍ରୀ ବ୍ରିଜଲାଲ ଏସ୍ପିଙ୍କୁ ପଚାରିବାରୁ ସନ୍ତୋଷଜନକ ଉତର ମିଳିନଥିଲା । ମଙ୍ଗଳବାର ଦିନ ସମ୍ବଲପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ହନୁମାନ ଜୟନ୍ତୀ ହିଂସା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ପ୍ରତିନିଧି ଦଳର ସଦସ୍ୟବୃନ୍ଦ । ଏପ୍ରିଲ ୫ତାରିଖ କେନ୍ଦ୍ର ଗୃହମନ୍ତ୍ରଣାଳୟର ସୂଚନା ପରେ ମଧ୍ୟ ରାଜ୍ୟ ସରକାର ତତ୍ପରତା ପ୍ରକାଶ ନକରିବା ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀଙ୍କ ପ୍ରତି ତୃଷ୍ଟିକରଣ ମାନସିକତା ଥିବା କମିଟି ଅନୁଭବ କରିଛି । ଏପରିକି ରାଜ୍ୟ ଗୋଇନ୍ଦା ବିଭାଗ ସୂଚନାକୁ ଅଣଦେଖା କରିଛନ୍ତି ରାଜ୍ୟ ସରକାର । ବିଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ଓଡ଼ିଶାର ବିଜେଡି ସରକାର ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରର ଜେରକ୍ସ କପି ବୋଲି ଆକ୍ଷେପ କରିଛନ୍ତି । ପଶ୍ଚିମବଙ୍ଗରେ ଯେଭଳି ଶାସନ ଚାଲିଛି ଓଡ଼ିଶାରେ ମଧ୍ୟ ଠିକ୍ ସେମିତି । ବିଜେଡି ସରକାର ଗୋଟିଏ ସଂପ୍ରଦାୟ ପାଖରୁ ଭୋଟ ପାଇବା ପାଇଁ ଏଭଳି ହୀନ କାର୍ଯ୍ୟ କରିଛନ୍ତି । ଭାରତୀୟ ଜନତା ପାର୍ଟି କେବେ ବି ଏହାକୁ ବରଦାସ୍ତ କରିବ ନାହିଁ । ସମ୍ବଲପୁରଠାରେ ଘଟିଯାଇଥିବା ହିଂସାକାଣ୍ଡ ଏନଆଇଏ ତଦନ୍ତ ସାପେକ୍ଷ । ରାଜ୍ୟ ସରକାର ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବା ପାଇଁ ଶ୍ରୀ ବ୍ରିଜଲାଲ ଦାବୀ ଜଣାଇଛନ୍ତି । ଅନୁସୂଚିତ ଜାତି ଓ ଜନଜାତିଙ୍କ ହତ୍ୟା ଘଟଣାରେ ତାଙ୍କ ପରିବାରକୁ ସାଢ଼େ ୮ଲକ୍ଷ ଟଙ୍କା ଆର୍ଥକ ସହାୟତ ଅନ୍ୟ ରାଜ୍ୟମାନଙ୍କରେ ମିଳିଥାଏ । ହତ୍ୟାରେ ମୃତକ ତା ପରିବାର ପ୍ରତିପୋଷଣ କରୁଥାଏ ତାହାଲେ ସେ ପରିବାକୁ ପ୍ରତି ମାସ ୫୦୦୦ଟଙ୍କା ଦେବା କଥା । ପିଲାଙ୍କୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ମାଗଣା ଶିକ୍ଷା ଓ ଘଟଣାର ୩ମାସ ପର୍ଯ୍ୟନ୍ତ ଘର ଖର୍ଚ୍ଚ ଦିଆଯାଇ ଥାଏ । କିନ୍ତୁ ଏ ଯୋଜନା ଓଡ଼ିଶାରେ ଲାଗୁ ହୋଇନାହିଁ । ଚନ୍ଦ୍ରମଣିଙ୍କ ମାତାଙ୍କୁ ସମସ୍ତ ସୁବିଧା ସହ ମାସିକ ୫ହଜାର ଟଙ୍କା ଦେବା ପାଇଁ କେନ୍ଦ୍ରୀୟ ଟିମ୍ ଦାବି କରିଛି । ଏଠାରେ ରାଜ୍ୟ ସରକାର ଦଳିତ ଓ ଆଦିବାସୀ ବିରୋଧୀ ବୋଲି ଜଣାପଡୁଛି । ଯେଉଁ ଯୁବକଟିର ଦଙ୍ଗାକାରୀମାନେ ହାତ କାଟି ଦେଇଛନ୍ତି ତାକୁ ସୁରକ୍ଷା ଓ ସହଯୋଗ କରିବା ପରିବର୍ତେ ପ୍ରଶାସନ ଓ ବିଜେଡି ଦଳର କର୍ମୀ ଧମକ ଚମକ ଦେଉଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି କମିିଟିର ଅନ୍ୟତମ ସଦସ୍ୟ ସଂସଦ ସମୀର ଓରାଓଁ କ୍ଷୋଭ ପ୍ରକାଶ କରିଛନ୍ତି । ସମ୍ବଲପୁରବାସୀଙ୍କ ସହ ଆଲୋଚନା ପରେ ବିଜେଡି ସରକାରଙ୍କ ଆଚରଣ ପାଇଁ ସମ୍ବଲପୁର ହିନ୍ଦୁ ସମାଜ ଭୟଭିତ ଅଛନ୍ତି । ପୋଲିସ ପ୍ରଶାସନ ସାମ୍ନାରେ ହିଂସା, ଗଣ୍ଡଗୋଳ, ମାଡପିଟି ହେଉଥିଲେ ବି ହିଂସାକାରୀକୁ ପୋଲିସ ଗିରଫ କରିବାରେ ବିଫଳ । ବିଜେଡି ସରକାରକୁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ ଓ ଭାରତୀୟ ଜନତା ପାର୍ଟି ଚୁପ୍ ହୋଇ ବସିପାରିବ ନାହିଁ ବୋଲି ଶ୍ରୀ ଓରାଓଁ କହିଛନ୍ତି । ବିଜୁ ଜନତା ଦଳ ଇସାରାରେ ପୋଲିସ ପ୍ରଶାସନ ଚାଲୁଛି । ଏହା ଭଳି କାର୍ଯ୍ୟକୁ ଦାୟିତ୍ୱବାନ ବିରୋଧୀ ଦଳ ହିସାବରେ ବିଜେପି ଆଦୌ ବରଦାସ୍ତ କରିବ ନାହିଁ । ସମ୍ବଲପୁର ହିଂସାକାଣ୍ଡ ସଂପର୍କିତ ସମସ୍ତ ଭିଡିଓ, ଏଫଆଇଆର ନକଲ, ପ୍ରାଥମିକ ରିପୋର୍ଟକୁ ସଂଗ୍ରହ କରାଯାଇଛି । ସମ୍ବଲପୁର ହିଂସା ଘଟଣାର ପ୍ରଚ୍ଛଦପଟର କାହାଣୀ, ରାଜ୍ୟ ସରକାରଙ୍କ ଭୂମିକାର ସବିଶେଷ ରିପୋର୍ଟକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଙ୍କୁ ପ୍ରଦାନ କରାଯିବ ବୋଲି କେନ୍ଦ୍ରୀୟ କମିଟିର ଅନ୍ୟତମ ସଦସ୍ୟ ତଥା ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ସିଂ  ମହତୋ କହିଛନ୍ତି । ଏହି କେନ୍ଦ୍ରୀୟ କମିଟି ସହ ବରଗଡ ସାଂସଦ ସୁରେଶ ପୂଜାରୀ, ବିଧାୟକ ମୋହନ ଚରଣ ମାଝୀ, ନାଉରୀ ନାଏକ, କୁସୁମ ଟେଟେ, ନିତ୍ୟାନନ୍ଦ ଗଣ୍ଡ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରମୁଖ ଘଟଣା ସ୍ଥଳ ଅନୁଧ୍ୟାନ କରିଥିଲେ ।

Leave a Reply

Your email address will not be published. Required fields are marked *