ସରକାରୀ ରିହାତିରେ ଦୀର୍ଘ ସ୍ଥାୟୀ କୃଷି ଭିତ୍ତିକ ଆତ୍ମ ନିଯୁକ୍ତି ଦେବାକୁ ଦାବି

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ନବୀନ ବାବୁଙ୍କ ସରକାରରେ ରାଜ୍ୟର କୃଷି ଓ କୃଷକଙ୍କ ପ୍ରଗତି ଧାରାକୁ ବିଚାର କଲେ ପ୍ରତି କୃଷକ ପରିବାରର ଆୟ ସବୁଠାରୁ କମ୍ । ଧାନ ଚାଷକୁ ଛାଡ଼ିଦେଲେ ଅନ୍ୟାନ୍ୟ ଅର୍ଥକରୀ ଚାଷ କରିବାରେ ଫେଲ୍ ମାରିଛି । ସରକାର ଇତି ମଧ୍ୟରେ କୃଷି କ୍ୟାବିନେଟ୍‌, କୃଷକ କମିଶନ୍‌, ସ୍ୱତନ୍ତ୍ର କୃଷି ବଜେଟ୍‌, ସମୃଦ୍ଧି କୃଷିନୀତି, ଆଳୁ ମିଶନ, ପିଆଜ ମିଶନ୍ ଭଳି ଅନେକ୍ ବ୍ୟବସ୍ଥା କରିଥିଲେ ମଧ୍ୟ ତୃଟିପୂର୍ଣ୍ଣ କୃଷିନୀତି ଏବଂ ସମୟୋଚିତ ପଦକ୍ଷେପ ଓ ସହାୟତା ରାଶି ଯୋଗାଇବାରେ ଅହେତୁକ ଅବହେଳା କରିଥିବା ଫଳରେ ବାସ୍ତବ କ୍ଷେତ୍ରରେ ଚାଷୀ ଏହାର ସୁଫଳ ପାଇ ପାରୁନାହାନ୍ତି । ଆମ ଓଡ଼ିଶା ରାଜ୍ୟର ଚାଷୀଙ୍କ ବାସ୍ତବ ସମସ୍ୟାକୁ ଅଦ୍ୟାବଧି ସମାଧାନ କରାଗଲା ନାହିଁ । ନିକଟରେ ସରକାର ପୁଣି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ରିହାତି ରାଶି ୫୦ ଲକ୍ଷରୁ ଏକ କୋଟି ଟଙ୍କା ଏବଂ ପ୍ରକଳ୍ପ ମୂଲ୍ୟର ସର୍ବୋଚ୍ଚ ସୀମା ୨୦ କୋଟିରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିରେ ଆମ ଓଡ଼ିଶାର ଚାଷୀ ବାସ୍ତବ କ୍ଷେତ୍ରରେ ଲାଭବାନ ହେବେ ତ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସରକାରଙ୍କଠାରୁ ଷ୍ପଷ୍ଟୋକ୍ତି ଚାହିଁଛନ୍ତି । କାରଣ କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ ପରି ଅନେକ କୃଷକ ପରିବାରର ଯୁବକ କୃଷି କିମ୍ବା ଆନୁସଙ୍ଗିକ କୃଷି କ୍ଷେତ୍ରରେ ଏକ ପ୍ରକଳ୍ପ କରିବା ପାଇଁ ଇଚ୍ଛା ଥିଲେ ମଧ୍ୟ ସରକାରଙ୍କ ଘୋଷିତ ଯୋଜନାରେ ସାମିଲ ହେବାରେ ବହୁ ପ୍ରତିବନ୍ଧକ ସୃଷ୍ଟି ହେଉଛି । ବିଭିନ୍ନ ବ୍ୟାଙ୍କ ଋଣ ଦେବାରେ କୁଣ୍ଠାବୋଧ କରୁଛନ୍ତି ବୋଲି ସେ କହିଛନ୍ତି । ତେଣୁ ରାଜ୍ୟ ସରକାର ଗ୍ରାମାଞ୍ଚଳର କୃଷି ଭିତ୍ତିଭୂମି ସୁଦୃଢ଼ୀକରଣ, ଉଦ୍ୟୋଗୀ ଓ ବ୍ୟାଙ୍କ ମଧ୍ୟରେ ସମନ୍ୱୟ, ବାହାର ରାଜ୍ୟକୁ ଦାଦନ ରୋକିବା ଏବଂ ବେକାରୀ ସମସ୍ୟାର ସମାଧାନ ପାଇଁ କୃଷି ତଥା ଆନୁସଙ୍ଗିକ କୃଷି କ୍ଷେତ୍ରରେ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି କରିବାକୁ ପ୍ରତି କୃଷକ ପରିବାରକୁ ସଶକ୍ତ କରିବା ସହ ସ୍ଥାୟୀ ଆୟ ବୃଦ୍ଧି ପାଇଁ ଶତ ପ୍ରତିଶତ ସରକାରୀ ରିହାତିରେ ବିଭିନ୍ନ କୃଷିଭିତ୍ତିକ ପ୍ରକଳ୍ପ ସ୍ଥାପନ ପାଇଁ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି ।

 

 

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *