ଭୁବନେଶ୍ୱର:ବାଲେଶ୍ୱର ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ସଂପର୍କରେ ଜିଲ୍ଲାପାଳ, ବାଲେଶ୍ୱରଙ୍କ ଠାରୁ ମିଳିଥିବା ଶେଷ ତଥ୍ୟ ଅନୁସାରେ ଏହି ସଂଖ୍ୟା ୨୮୮ ବୋଲି ଜଣାପଡିଛି । ସୋମବାର ଦିନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୭୫ ବିବରଣୀ ଦିଆଯାଇଥିଲା । ପ୍ରଥମେ ରେଳ ଟ୍ରାକରୁ ୩୦ ମିଟର, ପରେ ୭୦ ମିଟର ଓ ଏହା ପରେ ୨୦୦ ଫୁଟ ପର୍ଯ୍ୟନ୍ତ ଦୁର୍ଘଟଣା ସ୍ଥାନର ପୁଙ୍ଖାନୁପୁଙ୍ଖ ତନଖି ଏବଂ ଯାଞ୍ଚ, ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ଜିଲ୍ଲାପାଳ ଚୂଡାନ୍ତ ରିପୋର୍ଟରେ ମୃତକଙ୍କ ସଂଖ୍ୟା ୨୮୮ ବୋଲି ଦର୍ଶାଇଛନ୍ତି । ଭୁବନେଶ୍ୱରକୁ ପ୍ରଥମେ ଜିଲ୍ଲାରୁ ୧୯୩ଟି ମୃତଦେହ ପଠାଯାଇଥିଲା, ଯାହାକି ବିଭିନ୍ନ ଶବ ସଂରକ୍ଷଣ କେନ୍ଦ୍ରରେ ରଖାଯାଇଥିଲା । ବାଲେଶ୍ୱର ଠାରେ ଜିଲ୍ଲାମଧ୍ୟରେ ଟ୍ରାକ୍ ରୁ ହସ୍ପିଟାଲ ପର୍ଯ୍ୟନ୍ତ ରେକର୍ଡ ଯାଞ୍ଚ କରି ଜିଲ୍ଲା ସ୍ତରର ୯୪ଟି ମୃତଦେହ ଚିହ୍ନଟ ପୂର୍ବକ ସେମାନଙ୍କର ସଂପର୍କୀୟମାନଙ୍କୁ ହସ୍ତାନ୍ତର କରିଥିଲେ । ସେହିପରି ଭଦ୍ରକ ରେ ଚିକିତ୍ସିତ ଥିବା ଆହତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ମୃତଦେହ ଚିହ୍ନଟ ପରେ ତାହା ତାଙ୍କର ନିକଟ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଏହିପରି ଦୁର୍ଘଟଣାରେ ମୋଟ ମୃତ୍ୟୁସଂଖ୍ୟା ୨୮୮ ବୋଲି ଜଣା ପଡିଛି । ରେଲଓ୍ୱେ ପୋଲିସ୍ ମଧ୍ୟ ତାଙ୍କ ପତ୍ରରେ ଏହି ସଂଖ୍ୟା ବାଲେଶ୍ୱର ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଆହତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଜଣେ ସଂକଟାପନ୍ନ ସ୍ଥିତିରେ ଅଛନ୍ତି । ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦିପ ଜେନା କହିଥିଲେ । ୯୬ ଟି ଆମ୍ବୁଲାନ୍ସରେ ୧୯୩ ଟି ମୃତଦେହକୁ ଭୁବନେଶ୍ୱର ଅଣାଯାଇଥିଲା । ସେଥିରୁ ମଙ୍ଗଳବାର ଦିନ ଅପରାହ୍ଣ ସୁଦ୍ଧା ୧୧୦ ଟି ମୃତଦେହ ଚିହ୍ନଟ ହୋଇ ସେମାନଙ୍କର ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ବାଲେଶ୍ୱରରେ ୯୪ , ଭଦ୍ରକରେ ଗୋଟିଏ ଓ ଭୁବନେଶ୍ୱରରେ ୧୧୦ କୁ ମିଶାଇ ମୋଟ ୨୦୫ ଟି ମୃତଦେହ ଚିହ୍ନଟ ପରେ ହସ୍ତାନ୍ତର କରାଯାଇଛି । ଆଉ ୮୩ ଟି ମୃତଦେହ ଚିହ୍ନଟ ପ୍ରକ୍ରିୟାରେ ରହିଛି । ଚିହ୍ନଟ ହୋଇପାରିନଥିବା ସବୁ ମୃତଦେହଗୁଡିକର ଡିଏନ୍ଏ ନମୁନା ସଂଗ୍ରହ କରାଯାଇସାରିଛି , ଯାହାକି ପରବର୍ତ୍ତୀ ସମୟରେ ଚିହ୍ନଟ ପ୍ରକ୍ରିୟାକୁ ସାହାଯ୍ୟ କରିବ । ଆମର ରହିଥିବା କଲ ସେଣ୍ଟରକୁ ଟ୍ରୋଲ ଫ୍ରି ନମ୍ବର-18003450061 ଏବଂ 1929 ରେ ବହୁ ଟେଲିଫୋନ୍ ଆସୁଛି ଯେଉଁଥିରେ ଲୋକମାନେ ସେମାନଙ୍କର ଆତ୍ମୀୟ ସ୍ଵଜନଙ୍କ ସମ୍ପର୍କରେ ଅନୁସନ୍ଧାନ କରୁଛନ୍ତି । ଚିକିତ୍ସିତଙ୍କୁ ସାକ୍ଷାତ , ମୃତହେହ ଚିହ୍ନଟକରଣ ଓ ପରିବହନ ଆଦି ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରାଯାଉଛି । ବୁଧବାର ଦିନ ଭିତରେ ମୃତଦେହ ଚିହ୍ନଟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ବୋଲି ମୁଖ୍ୟ ଶାସନ ସଚିବ ଆଶା ପ୍ରକାଶ କରିଛନ୍ତି । ସଂଧ୍ୟାରେ ଅନୁଷ୍ଠିତ ଏ ସଂପର୍କିତ ଏକ ବୈଠକରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ହସ୍ପିଟାଲରେ ଅଲଗା ରହିଥିବା ମୃତଦେହଗୁଡିକୁ ଏମ୍ସ ହସ୍ପିଟାଲକୁ ଅଣାଯାଇ ଏକତ୍ର ଗୋଟିଏ ସ୍ଥାନରେ ସଂରକ୍ଷିତ କରି ରଖାଯିବା ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି । ଫଳରେ ମୃତଦେହ ଚିହ୍ନଟକରଣ ପାଇଁ ସଂପର୍କୀୟମାନେ ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ଆସି ପହଁଚିବେ ଓ ଏହା ଫଳରେ ମଧ୍ୟ ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ଅଧିକ ସହଜ ହୋଇପାରିବ ।