ଛୁଟିରେ ନ ରହି କାର୍ଯ୍ୟରେ ଯୋଗଦେବାକୁ ପରାମର୍ଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ବିଭିନ୍ନ ଜିଲ୍ଲା ଦପ୍ତରରେ କାର୍ଯ୍ୟରତ ଅମଲା କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଓ ସମୂହ ଛୁଟିରେ ରହିବା ପ୍ରସଙ୍ଗରେ ବୁଧବାର ଦିନ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ପ୍ରତିନିଧିଙ୍କ ସହ ଲୋକସେବା ଭବନରେ ଆଲୋଚନା କରିଛନ୍ତି । ଏ ସଂପର୍କରେ ଚଳିତ ମାସ ୨ ତାରିଖରେ ମଧ୍ୟ ମୁଖ୍ୟ ଶାସନ ସଚିବ ମିଳିତ ମଞ୍ଚର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ । ଅମଲା ମିଳିତ ମଞ୍ଚ ତରଫରୁ କନିଷ୍ଠ ସହାୟକମାନଙ୍କର ପ୍ରବେଶିକା ଦରମା ହାର ଲେଭେଲ-୪ରୁ ଲେଭେଲ-୯ (୪୨୦୦) କୁ ବୃଦ୍ଧିପାଇଁ ଅମଲାମାନେ ଯେଉଁ ଦାବି ରଖିଛନ୍ତି, ସେଥିପ୍ରତି ସରକାର ସହୃଦୟତାର ସହିତ ବିଚାର କରି ନିଷ୍ପତ୍ତି ଜଣାଇବେ ବୋଲି ଗତ ୨ତାରିଖରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ସଂଘର ସମସ୍ତ ମୁଖ୍ୟମାନଙ୍କୁ ଜଣାଇଥିଲେ । ଏ ସଂପର୍କରେ ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅମଲାମାନଙ୍କୁ ବୁଝାଇ ସରକାରୀ କାର୍ଯ୍ୟ ବନ୍ଦ ନ କରି କାର୍ଯ୍ୟରେ ଯୋଗଦାନ କରିବାକୁ ଅନୁରୋଧ କରିଥିଲେ । ୨ ତାରିଖ ଦିନରେ ଏହି ଆଲୋଚନା ହୋଇଥିବା ବେଳେ ଏହି ଦିନ ସଂଧ୍ୟାରେ ବାଲେଶ୍ୱର ବାହାନଗାଠାରେ ଟ୍ରେନ ଦୁର୍ଘଟଣା ଘଟିଥିଲା । ରାଜ୍ୟ ସରକାର ତଥା ରାଜ୍ୟ ପ୍ରଶାସନର ସମସ୍ତ ପ୍ରଶାସନିକ ମୁଖ୍ୟ ଏବଂ ସମ୍ପୃକ୍ତ ଜିଲ୍ଲାରେ ଅଧିକାରୀ ଓ କର୍ମଚାରୀମାନେ ଏହି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କର ଉଦ୍ଧାର ଓ ପରବର୍ତ୍ତୀ ସହାୟତା କାର୍ଯ୍ୟ ଦିନରାତି ଏକାଠି କରି ସଂପାଦନ କରୁଥିବା ବେଳେ ଅମଲାମାନେ ସେମାନଙ୍କୁ କରାଯାଇଥିବା ଅନୁରୋଧ ସତ୍ତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତି । କେବଳ ସେତିକି ନୁହେଁ, ସରକାର ସେମାନଙ୍କ କଥା ଶୁଣୁ ନାହାଁନ୍ତି ବୋଲି ସାମାଜିକ ଗଣମାଧ୍ୟମ ଓ ମୁଦ୍ରଣ ଗଣମାଧ୍ୟମରେ ମଧ୍ୟ ନକରାତ୍ମକ ମନ୍ତବ୍ୟ ଦେଉଛନ୍ତି । ଏହାକୁ ମୁଖ୍ୟ ଶାସନ ସଚିବ ଗୁରୁତର ସହ ନେଇ ଗତକାଲି ସଂଧ୍ୟାରେ ପତ୍ରମାଧ୍ୟମରେ ଅମଲା ସଂଘର କର୍ମକର୍ତ୍ତାମାନଙ୍କୁ ଜଣାଇ ଆଜି ଆଲୋଚନା ପାଇଁ ଡକାଇଥିଲେ । ଅନୁଷ୍ଠିତ ବୈଠକରେ ମିଳିତ ଅମଲା ମଞ୍ଚର ଦାବୀ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ସରକାର ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଦାବୀ ପ୍ରତି ସଚେତନ ଅଛନ୍ତି । ଏହି ପ୍ରସ୍ତାବ ସଂପର୍କରେ ସବିଶେଷ ନିରୀକ୍ଷଣ ଓ ଅନୁଶୀଳନ କରାଯାଇ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଖୁବ୍ ଶୀଘ୍ର ସେମାନଙ୍କର ଦାବୀ ଉପସ୍ଥାପନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ । ପୁନଶ୍ଚ ଆଗାମୀ ୧ମାସ ମଧ୍ୟରେ ଏ ସଂପର୍କରେ ପୁନର୍ବାର ଆଲୋଚନା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଥିଲେ । ଜିଲ୍ଲାସ୍ତରର ସମସ୍ତ ଅମଲା ସଂଘର ପ୍ରତିନିଧି ଓ ଅମଲାମାନେ ନିଜ ନିଜ କାର୍ଯ୍ୟରେ ଯୋଗଦେବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ଅନୁଷ୍ଠିତ ଏହି ଆଲୋଚନା ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଅତିରିକ୍ତ ଶାସନ ସଚିବ ଶ୍ରୀ ଗଣେଶ ଚନ୍ଦ୍ର ପାତ୍ର ଏବଂ ଶ୍ରୀ ଶଶାଙ୍କ ଶେଖର ଦାସ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଲୋଚନାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ନାରାୟଣ ଦାସ, ଆବାହକ ଚିତ୍ତରଂଜନ ତରାସିଆ, ଓଡିଶା ଅମଲା ସଂଘର ଅଧ୍ୟକ୍ଷ ହୃଦୟବିହାରୀ ମହାପାତ୍ର, ମୁଖ୍ୟ ପୃଷ୍ଟପୋଷକ ପ୍ରସନ୍ନ କୁମାର ତ୍ରିପାଠୀ, ରାଜସ୍ୱ ଅମଲା ସଂଘର ସଭାପତି ଟି. ବାଲାଜୀ ସାହୁ, ସାଧାରଣ ସଂପାଦକ ନରେଶ କୁମାର ମହାପାତ୍ର,ଟ୍ରେଜେରୀ ଅମଲା ସଂଘର ସଭାପତି ସମୀର କାନୁନଗୋ, ସାଧାରଣ ସଂପାଦକ ଶୁଭେନ୍ଦୁ ରାଉତରାୟ, ସବ୍ ରେଜିଷ୍ଟ୍ରାର ଅମଲା ସଂଘ ର ସଭାପତି ରାକେଶ ମହାନ୍ତି , ସାଧାରଣ ସଂପାଦକ ବିଭୁଦତ୍ତ ବାରିକ, ଓଡିଶା ଅମଲା ସଂଘ ଉପ ସଭାପତି ବିରଞ୍ଚି ବରାଳ , ମିଡିଆ ସମ୍ପାଦକ ଗୁରୁଗୋବିନ୍ଦ ଦଳେଇ, କାର୍ଯ୍ୟାଳୟ ସଂପାଦକ ଜି. ଦିଲକେଶ୍ୱର ରାଓ, ସୁବ୍ରତ କୁମାର ମିଶ୍ର, ସୌମ୍ୟ ସାମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

 

 

 

 

 

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *