ଏକାମ୍ର ହାଟଠାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଉଦ୍‌ଘାଟିତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ଗଣେଶ ପୂଜା ଅବସରରେ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ଆୟୋଜନ କରାଯାଇଅଛି । ରାଜ୍ୟରେ ଥିବା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କରେ ଜଡିତଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ତାଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ POHI-୨୦୨୨-୨୩ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି । ବୁଧବାର ଦିନ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାଶ, ସମ୍ବଲପୁରୀ ବସ୍ତ୍ରାଳୟର ସଂପାଦକ ଶ୍ରୀଯୁକ୍ତ ସଂପୂର୍ଣ୍ଣାନନ୍ଦ ପ୍ରଧାନ, ଓ ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡର ବାଣିଜ୍ୟ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର,ଆଠଗଡ, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ, କଲାହାଣ୍ଡି, ବଲାଙ୍ଗିର ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ୫୫ଗୋଟି ସମବାୟ ସମିତି/ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବା ପାଇଁ ଯୋଗଦାନ କରିଛନ୍ତି । ଏଥି ସକାଶେ ସେମାନଙ୍କୁ ୫୫ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଅଛି । ଏହି ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଆସନ୍ତା ତା.୩୧.୦୮.୨୦୨୨ ପର୍ଯ୍ୟନ୍ତ ଚାଲୁରହିବ । ଏହି ଏକାମ୍ର ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରଚେଷ୍ଠାରେ ଗତ ତା.୦୨.୧୦.୨୦୨୧ ରୁ ତା.୧୪.୦୮.୨୦୨୨ ପର୍ଯ୍ୟନ୍ତ ରାଜ୍ୟର ୫୩୬ଜଣ ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ୭୧୮ଜଣ ହସ୍ତଶିଳ୍ପ କାରିଗର
ଭାଗନେଇ ଯଥାକ୍ରମେ ୭୦୦.୭୨ ଓ ୩୮୫.୦୪ ଲକ୍ଷ ଟଙ୍କା, ଏହିପରି ମୋଟ ୧୦୮୫.୭୬ ଲକ୍ଷ ଟଙ୍କାର କାରବାର କରିପାରିଛନ୍ତି, ଯାହାକି ଏକ ଯୁଗାନ୍ତକାରି ପଦକ୍ଷେପ ଅଟେ । ଏତତ୍‌ବ୍ୟତୀତ ଉକ୍ତ ହାଟରେ ଥିବା ଫୁଡ ଷ୍ଟଲମାନଙ୍କରେ ମଧ୍ୟ ୨୧୩.୦୩ ଲକ୍ଷ ଟଙ୍କାର ବିକ୍ରୟ କରି ପାରିଛନ୍ତି ଓ ଏହି ହାଟରେ ୧୬ଗୋଟିସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଅଛି । ଉକ୍ତ ଅବଧି ମଧ୍ୟରେ ଏକାମ୍ର ହାଟ ମଧ୍ୟକୁ ୧.୯୬ ଲକ୍ଷ ଲୋକ ଆଗମନ କରିଛନ୍ତି । ତା.୧୭.୦୮.୨୦୨୨ରୁ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉପିାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦% ସରକାରୀ ରିହାତିରେ କିଣିପାରିବେ । ଏହାର ସୁଯୋଗ ନେବାପାଇଁ ସମିତି ତରଫରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଅଛି । 

Leave a Reply

Your email address will not be published. Required fields are marked *