ଭୁବନେଶ୍ୱର:ସୋମବାର ଦିନ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଉଦ୍ଘାଟିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ବୟନିକାର ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମେହେର, ବୟନଶିଳ୍ପ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଶୋଭନ କୃଷ୍ଣ ସାହୁ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ସରୋଜ କୁମାର ପଟେଲ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ପ୍ରଣତୀ ଛୋଟରାୟ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଆଜି ସମଗ୍ର ଦେଶରେ ପାଳିତ ହେଉଛି “ନବମ ଜାତୀୟ ହସ୍ତତନ୍ତ ଦିବସ ’’ । ପ୍ରତ୍ୟେକ ଭାରତୀୟ ଭିତରେ ଆମର ଐତିହ୍ୟ ସମ୍ପନ୍ନ ଓ ବହୁ ପୁରାତନ ପାରମ୍ପରିକ ହସ୍ତତନ୍ତ କଳା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏହି ସଂସ୍କୃତି ଓ କଳା ସହିତ ବଂଶାନୁକ୍ରମେ ଜଡ଼ିତ ବୁଣାକରମାନଙ୍କ ସମ୍ମାନାର୍ଥେ ଏହି ଦିବସକୁ ପାଳନ କରାଯଉଛି । ଭାରତବର୍ଷରେ ଓଡ଼ିଶାର ଋଦ୍ଧିମନ୍ତ ହସ୍ତତନ୍ତ ବସ୍ତ୍ର ବିଶେଷତଃ ବାନ୍ଧବସ୍ତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ରହିଅଛି । ସର୍ବୋପରି ଏହି ହସ୍ତତନ୍ତ କ୍ଷେତ୍ର ଲକ୍ଷ ଲକ୍ଷ ଗ୍ରାମୀଣ ବୁଣାକାରଙ୍କୁ ଜୀବିକା ଯୋଗାଇବାରେ ସମର୍ଥ ହୋଇପାରିଛି । ଅଗଷ୍ଟ ୭ ତାରିଖକୁ ହସ୍ତତନ୍ତ ଦିବସ ରୂପେ ପାଳନ କରିବାର ତାତ୍ପର୍ଯ୍ୟ ହେଉଛି, ୧୯୦୫ ମସିହାରେ ଏହି ତାରିଖରେ କଲିକତାର ଟାଉନ୍ହଲ୍ରେ ଆୟୋଜିତ ସ୍ୱଦେଶୀ ଆନ୍ଦୋଳନରେ ବିଦେଶୀବସ୍ତ୍ର ବର୍ଜନ କରି ସ୍ୱଦେଶୀବସ୍ତ୍ର ପରିଧାନ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଏଣୁ ଭାରତର କଳା ସଂସ୍କୃତିକୁ ଋଦ୍ଧିମନ୍ତ କରିଥିବା ହସ୍ତତନ୍ତ କଳାକୁ ସର୍ବଜନବିଦିତ କରିବା ତଥା ସଂରକ୍ଷିତ କରି ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନଟିକୁ ସର୍ବଭାରତ ସ୍ତରରେ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରାଯାଉଅଛି । ଏହାର ମୂଳଲକ୍ଷ୍ୟ ହେଉଛିଏହି କ୍ଷେତ୍ରସହ ଜଡ଼ିତ ଅଗଣିତ ବୁଣାକରଙ୍କ ମନରେ “ସ୍ୱାଭିମାନ’’ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ବୃତ୍ତିକୁ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ବସ୍ତ୍ରକୁ ସୁଦୂର ପ୍ରସାର କରାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା । ଓଡ଼ିଶାର ବିଭିନ୍ନ ଜିଲ୍ଲାର ବୁଣାକର ଭାଇ-ଭଉଣୀ, ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ ଅନେକ ସନ୍ଥକବିର, ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାର । ଏହି ଉତ୍ସବରେ ଯୋଗଦେଇଥିଲେ । ଏହି ଜାତୀୟ ହସ୍ତତନ୍ତ ଦିବସରେ ମୁଖ୍ୟ ଆକର୍ଷଣ ଭାବେ ନିରବଚ୍ଛିନ୍ନ ଭାବେ ୭୫ ବର୍ଷରୁ ଅଧିକ ବର୍ଷଧରି ରାଜ୍ୟରେ ବୁଣାକାରଙ୍କ ସେବାରେ କାର୍ଯ୍ୟରତ ଥିବା ତିନୋଟି ତନ୍ତୁବାୟ ସହଯୋଗ ସମିତିକୁ ସମ୍ମାନ ସହ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନକରାଯାଇଅଛି । ଏତଦ୍ବ୍ୟତୀତ ଶ୍ରୀ ଗୋପିନାଥ ଦାସ, ରାଉତପଡ଼ା, ଖୋର୍ଦ୍ଧାଙ୍କୁ ଶ୍ରୀକ୍ଷେତ୍ରର ଚତୁର୍ଦ୍ଧାମୂର୍ତ୍ତିଙ୍କ ପରିଧାନ ନିମନ୍ତେ ସାତ୍ତ୍ୱିକ ରେଶମ ସୂତା ଉପଯୋଗରେ ଅଙ୍ଗବସ୍ତ୍ର ବୟନ କରି ଯୋଗାଉଥିବାରୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ସମ୍ମାନୀତ କରାଯାଇଥିଲା । ଏହି ଉତ୍ସବକୁ ଆୟୋଜନ କରିଛନ୍ତି ବୟନିକା ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାର । ଆଶା, ଏହି ସମାରୋହ ଓଡ଼ିଶାର ଅଗଣିତ ବୁଣାକାରଙ୍କ ମନରେ ଦୃଢ଼ ବିଶ୍ୱାସ ଓ ଉଦ୍ଦୀପନା ଜାଗ୍ରତ କରି ରାଜ୍ୟର ହସ୍ତତନ୍ତ କଳାକୁ ଆହୁରି ବିକଶିତ ଓ ସମୃଦ୍ଧ କରାଇବାରେ ସହାୟକ ହେବ ।