ଭୁବନେଶ୍ୱର: ମଙ୍ଗଳବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନ୍ଗୋ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପିକୁ ୧୦ ଟି ପ୍ରଶ୍ନ ପଚାରିଛନ୍ତି ।
୧. ଶ୍ରୀ କାନୁନ୍ଗୋ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ମାତ୍ର ୨ ଟି ଜାତୀୟ ରାଜପଥର ଭର୍ଚୁଆଲ ଉଦ୍ଘାଟନ ପାଇଁ ଓଡ଼ିଶା ଆସିବାର ଉଦ୍ଦେଶ୍ୟ କ’ଣ ଥିଲା ? କେବଳ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଟିପ ଧରି ସୁଇଜ୍ ଟିପି ଏହି ରାସ୍ତାର ଉଦ୍ଘାଟନ କଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ରାଜକୋଷରୁ ବହୁ ଅର୍ଥ ବ୍ୟୟ ହେଲା । ଏହି କାର୍ଯ୍ୟ ଦିଲ୍ଲୀରୁ ହୋଇପାରିଥାନ୍ତା ?
୨. ଓଡ଼ିଶାବାସୀ ଭୁଲି ନାହାନ୍ତି ଯେ, ଶ୍ରୀ ଅମିତ ଶାହା ନବୀନ ସରକାରଙ୍କୁ ପୋଡ଼ା ଟ୍ରାନସ୍ଫରମର ବୋଲି କହିଥିଲେ । ଏବେ କିଏ ଓ କେମିତି ଏହି ପୋଡ଼ା ଟ୍ରାନସ୍ଫରମରର ମରାମତି କଲା ? ଯାହାଫଳରେ ଅମିତ ଶାହା ଅନ୍ଧାରରୁ ଆଲୋକକୁ ଆସିଲେ । ଏ କଥା ଓଡ଼ିଶାର ସାଧାରଣ ଜନତାଙ୍କ ଆଗରେ ପ୍ରକାଶ କରାଯାଉ ।
୩. ୨୦୧୪ ମସିହା ପୂର୍ବରୁ ଏକ ନିର୍ବାଚନୀ ସଭାରେ ଶ୍ରୀ ଶାହା କହିଥିଲେ ଯେ, ତାଙ୍କ ଦଳ ସରକାରକୁ ଆସିଲେ ଓଡ଼ିଶା ସରକାରଙ୍କ ଦୁର୍ନୀତିର ସି.ବି.ଆଇ. ତଦନ୍ତ କରିବେ ଓ ଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କାରଗାରରେ ନିକ୍ଷେପ କରିବେ । ଏହା ମଧ୍ୟରେ ବିଜେପି କେନ୍ଦ୍ରରେ ୯ ବର୍ଷ ଶାସନ କଲାଣି । ଶ୍ରୀ ଶାହାଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା ? ସିବିଆଇ ତଦନ୍ତ ଆଳରେ ବିଜେଡ଼ିର ସମର୍ଥନ ହାସଲ କଲେ ନାହିଁ କି? ସିବିଆଇ ତଦନ୍ତକୁ ଅଟକାଇ ଦିଆଗଲା କାହିଁକି ?
୪. ଶ୍ରୀ ଶାହା ଏ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ । ସେ ଭୁବନେଶ୍ୱର ଆସିଲେ ଏହା ସ୍ୱାଗତଯୋଗ୍ୟ । ତେବେ ସେ ଯେଉଁ ହୋଟେଲରେ ରହୁଥିଲେ ସେଠାରେ ଓଡ଼ିଶାରେ ଚର୍ଚ୍ଚିତ ୫ଟି ସଚିବଙ୍କୁ ଭେଟି ୩୫ ମିନିଟ୍ ଧରି କ’ଣ ଆଲୋଚନା କଲେ ?
୫. ସେହି ଆଲୋଚନା ସମୟରେ ସେଠାରେ ଥିବା ୪ ଜଣ ଦଳୀୟ ପ୍ରମୁଖ ନେତାଙ୍କୁ ରୁମ୍ ବାହାରି ଯିବା ପାଇଁ କେଉଁ ଉଦ୍ଦେଶ୍ୟରେ କୁହାଗଲା ?
୬. ଏହି ଆଲୋଚନାରେ କୌଣସି ଅଲିଖିତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା କି ? ତାଙ୍କ ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଆସିଥିବା ଚିଠି ଉପରେ ଗୁରୁତ୍ୱ ଦିଆଯାଇ ନାହିଁ ତ ? ରାଜ୍ୟରେ ଶାସନ ପରିଚାଳନାରେ ଗୁରୁତ୍ୱଲାଭ କରିଥିବା ଏହି ଅଣଓଡ଼ିଆ ଅଫିସରଙ୍କ ସହ ଆଗାମୀ ନିର୍ବାଚନରେ ବିଜେଡ଼ି ଓ ବିଜେପି ଭିତରେ ହୋଇଥିବା ବୁଝାମଣା ଏଥିରେ ପ୍ରସଙ୍ଗ ଥିଲା କି?
୭. ଗତ ଜୁଲାଇ ୧୯ ତାରିଖରେ ବିଜେଡ଼ି ଦ୍ୱାରା ପ୍ରଚାରିତ “ସ୍ୱତନ୍ତ୍ର ଫୋକସ୍ ରାଜ୍ୟ” ମାନ୍ୟତା ସଂପର୍କରେ ସାକ୍ଷାତ ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉଠାଇଥିଲେ କି ? ଏବଂ ଏହାର ଉତରରେ ଶାହା କ’ଣ କହିଥିଲେ ? ନା ମୁଖ୍ୟମନ୍ତ୍ରୀଙ୍କର କିଛି ବ୍ୟକ୍ତିଗତ ସୁବିଧାର ବାର୍ତା ସେ ଦେଇଗଲେ ।
୮. ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କାଳରେ କେବଳ ଶାହା ଏବଂ ମୁଖ୍ୟମନ୍ତ୍ରୀ ଥାଇ ଆଲୋଚନା ହୋଇଥିଲା ନା ସେଠି ଆଉ କେହି ଅଫିସର ଥିଲେ ?
୯. ଶାହା ବିଜେପି ପାଇଁ ବିଜେଡ଼ି ସମର୍ଥନ ହାତେଇଲା ବେଳେ ପ୍ରତିବଦଳରେ ରାଜ୍ୟ ବା ନବୀନଙ୍କ ସ୍ୱାର୍ଥ ପାଇଁ କ’ଣ ସବୁ ପ୍ରତିଶ୍ରୁତି
ଦେଇଥିଲେ?
୧୦. ଦୁଇ ଦିନ ଭିତରେ କଥାକଥିତ “ସମଦୂରତା” ପରିବର୍ତନ ହୋଇ ସମଭାଗିତାର କେଉଁ କେଉଁ ଦିଗ ଉପରେ ଆଲୋଚନା ହୋଇଥିଲା ? ସଂସଦର ସିଟ୍ ବା ବିଧାନସଭା ସିଟ୍ ବଣ୍ଟନ ପ୍ରକ୍ରିୟାର ସୂତ୍ର ଓ ଆଧାର ନିର୍ଣ୍ଣିତ ହୋଇଥିଲା କି? ସେ ସବୁ ତ ଭୋଟବେଳେ ଜଣାପଡ଼ିବ । ଏବେ ଯାହା ଜଣାପଡୁଛି ଭାଜପା, ନବୀନଙ୍କ ଦଳ ବା ସରକାର ବିରୁଦ୍ଧରେ ଆଉ ଅଭିଯୋଗ ନ ଆଣି ଚୁପ୍ଚାପ ରହିବ ? ଶ୍ରୀ ଶାହା ଓଡ଼ିଶାରେ ତୁମ୍ବି ତୋଫାନ କରୁଥିବା ବିଜେପି ନେତାଙ୍କ ପାଟି ଚୁପ୍ କରିଥିଲେ ଓ ସେମାନଙ୍କ ମୁହଁରେ କଳାବୋଳି ଲଜ୍ଜାଜନକ ସ୍ଥିତିକୁ ଠେଲିଦେଲେ । ଉପରୋକ୍ତ ପ୍ରଶ୍ନ ସମୂହର ଉତର ଓଡ଼ିଶାବାସୀଙ୍କୁ ବିଜେପି ପକ୍ଷରୁ ଦିଆଯାଉ ଏବଂ ଓଡ଼ିଶାବାସୀଙ୍କର ଏ ସବୁ ଜାଣିବା ଅଧିକାର ରହିଛି ବୋଲି ଶ୍ରୀ କାନୁନ୍ଗୋ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।