ବ୍ରହ୍ମପୁର:ବିଜେପି ଜିଲ୍ଳା ସଭାପତି ବିଭୂତି ଭୂଷଣ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟର ସବୁଠୁ ପଛୁଆ ଓ ଅନୁନ୍ନତ ଜିଲ୍ଲା ହେଉଛି ଗଞ୍ଜାମ । ଏଠାରେ ବିକାଶ ଛାଇ ମାଡ଼ିନି । କୃଷି, ଶିଳ୍ପ, ଶିକ୍ଷା, ଚିକିତ୍ସା ଓ ମହିଳା ବିକାଶ କ୍ଷେତ୍ରରେ ସବୁଠୁ ନିମ୍ନରେ। ଦାଦନ ଶ୍ରମିକରେ ଗଞ୍ଜାମ ଜିଲ୍ଲା ନମ୍ବର ୱାନ ହୋଇଛି । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଜିଲ୍ଳାରେ ଗୋଟିଏ ବି ଡ୍ୟାମ୍ ନିର୍ମାଣ ହୋଇନି । ଇଞ୍ଚେ ଅଧିକ ଜମିକୁ ଜଳସେଚନ ହୋଇନି । ଗତ ୨୪ ବର୍ଷରେ ଛୁଞ୍ଚି କାରଖାନା ଗୋଟେ ସରକାର କରିନାହାନ୍ତି । ଅନ୍ୟପକ୍ଷରେ ଶିଳ୍ପ ନାଁ ରେ ହଜାର ହଜାର ଏକର ଜମି ବୃହତ୍ କମ୍ପାନୀକୁ ଟେକି ଦେଇଛନ୍ତି । କୌଣସି ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି । ସ୍କୁଲରେ ଶିକ୍ଷକ ଅଭାବ । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରାଜନୈତିକ କାର୍ଯ୍ୟକ୍ରମ ପାଲଟିଛି । ପଲ୍ଲୀସଭା ଓ ଗ୍ରାମ ପଞ୍ଚାୟତ ବୈଠକରେ ଯୋଜନା ପ୍ରସ୍ତୁତ ହେଉନାହିଁ । ଲୋକଙ୍କ ଭାଗୀଦାରୀ ରହୁନାହିଁ । ଏହି ଯୋଜନା ବିଜେଡିର ରାଜନୈତିକ ସ୍ଵାର୍ଥ ହାସଲ କରୁଛି । ମନେରଗା ଯୋଜନାରେ ଆର୍ଥିକ ହେରଫେର ଅଭିଯୋଗ ସବୁ ପଞ୍ଚାୟତରୁ ଆସୁଛି । ଶହେ ଦିନର କାମ କାଁଭାଁ ମିଳିଛି । ଦାଦନ ଶ୍ରମିକ ଚାଲାଣରେ ଗଞ୍ଜାମ ନମ୍ବର ୱାନ ହୋଇଛି । ରାଜ୍ଯ ଓ ବିଦେଶରୁ ଫେରୁଛି ଶବ । ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ମିଳିନି । ଚାଷ ଜମିକୁ ପାଣି ମିଳିନି । ହେକ୍ଟର ହେକ୍ଟର ଜମି ପଡ଼ିଆ ପଡ଼ିଛି । ଚାଷୀ ହତାଶ । ଗୋଟିଏ ବି ଶୀତଳ ଭଣ୍ଡାର ସ୍ଥାପନ ହୋଇପାରିଲାନି । ଗୋପାଲପୁର ରାୟପୁର ରେଳଲାଇନ୍ ପ୍ରକଳ୍ପ ସର୍ଭେରେ ଅଟକିଛି । ବ୍ରହ୍ମପୁରରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ସ୍ଵପ୍ନ ପାଲଟିଛି । ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ବିମାନବନ୍ଦର ନିର୍ମାଣ ଦିଗରେ ସରକାର ନିର୍ବାଚନ ଧୂଆଁବାଣ । ବ୍ରହ୍ମପୁର ରେଳ ଷ୍ଟେସନ ରାଜ୍ୟର ସର୍ବ ପୁରାତନ । ଗତ ଦଶନ୍ଧି ଧରି ଏହାକୁ ସମ୍ପ୍ରସାରଣ କରାଯିବ ବୋଲି ଶୁଣିବାକୁ ମିଳୁଛି । ଆଧୁନିକୀକରଣ ପାଇଁ ସରକାର ପଦକ୍ଷପ ନେଇନାହାନ୍ତି । ମହିଳା ସଶକ୍ତୀକରଣ କେବଳ କାଗଜ କଲମରେ ସୀମିତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଉନି । ରାଜନୈତିକ ଭେଦଭାବ ହେଉଛି । ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଛନ୍ତି । ଗଞ୍ଜାମର ବୁଣାକାରଙ୍କୁ ପ୍ରୋସାହନ ଅଭାବରୁ କୌଳିକ ବୃତ୍ତି ଛାଡୁଛନ୍ତି ।ଗଞ୍ଜାମ ଜିଲ୍ଲାରୁ ପ୍ରଚୁର ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହେଉଛି । ସରକାର ବାଲି ଓ ପଥର ମାଫିଆଙ୍କ ସହାୟତାରେ ଭୋଟ ରାଜନୀତି କରୁଛି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଗଞ୍ଜାମ ଜିଲ୍ଲାର ଏସବୁ ସମସ୍ୟା ଅଭିଯୋଗ ସମାଧାନ ଦିଗରେ ପଦକ୍ଷେପ ନେବେ କି ବୋଲି ବିଜେପି ସଭାପତି ଜେନା ପ୍ରଶ୍ନ କରିଛନ୍ତି । ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ, ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି, ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ କରି ଏହି ସବୁ ବିଷୟ ଉପସ୍ଥାପନା କରିଛନ୍ତି ।