କମ୍ପନ ସୃଷ୍ଟି ହୁଏ ଏବଂ ହୃଦୟର ସ୍ପନ୍ଦନ ବୃଦ୍ଧି ହୁଏ

ଚିନ୍ମୟ ପ୍ରଥମ କରି ସେଦିନ କଲେଜରେ କମନ୍‌ରୁମ୍‌ରୁ ବାହାରି ଆସୁଥିବା ସାଲୁଆର ପଂଜାବୀ ପିନ୍ଧିଥିବା ଝିଅଟି ସଙ୍ଗେ ଚକ୍ଷୁର ମିଳନରେ ଆକୃଷ୍ଟ ହୋଇପଡ଼ିଥିଲା । ସେ ଝିଅଟି ହେଉଛି ଉର୍ମିଳା । ଉର୍ମିଳାର ଭସାଣିଆ ଆଖିର ଚଞ୍ଚଳ ହରିଣୀ ପରି ଚୋରା ଚାହାଣୀରେ ଚିନ୍ମୟର ଶରୀରରେ ଏକ ଆର୍ଷଣର ଶରବିଦ୍ଧ ହୋଇଯାଇଥିଲା । ପ୍ରତିଦିନ ଠିକ୍ ସେହି ସମୟରେ ଚିନ୍ମୟ ଆସି ପ୍ରତୀକ୍ଷା କରିଥାଏ ସେହି ଗୌର ତନୁପାତେଳୀ ଝିଅଟି ସହ କ୍ଷଣିକ ଚକ୍ଷୁ ମିଳନରେ ପୁଲକିତ ହେବା ପାଇଁ । ତା’ପରେ ପରସ୍ପର ପ୍ରତି କ୍ରମେ କ୍ରମେ ଉଭୟେ ଏକ ଆକର୍ଷଣର ରଜ୍ଜୁରେ ବାନ୍ଧି ହୋଇଗଲେ । କିପରି, ମନକଥା ପ୍ରକାଶ କରିବେ ? ମନ ଭିତରେ ପ୍ରବଳ ପ୍ରତିଦ୍ୱନ୍ଦିତାର ସମ୍ମୁଖିନ ହୋଇଥିଲା ଚିନ୍ମୟ ମନକଥା ବ୍ୟକ୍ତ କରିବା ପାଇଁ ଉର୍ମିଳାର ସୌନ୍ଦର୍ଯ୍ୟରେ ସେ ଯେପରି ବିମୋହିତ ହୋଇପଡ଼ିଥିଲା, ଉର୍ମିଳା ତା ପାଖ ଦେଇ ଚାଲିଗଲା ବେଳେ ଚିନ୍ମୟର ଶରୀରରେ ଏକ ଅଜଣା କମ୍ପନ ସୃଷ୍ଟି ହୁଏ ଏବଂ ହୃଦୟର ସ୍ପନ୍ଦନ ବୃଦ୍ଧି ହୁଏ । ଦିନେ ଉର୍ମିଳା ଏକୁଟିଆ କଲେଜରୁ ଫେରିବା ବେଳେ ଚିନ୍ମୟ ପଛରୁ ତାକୁ ଡାକିଲା, ଟିକିଏ ଶୁଣିବେ ? ଉର୍ମିଳା ଆଶ୍ଚର୍ଯ୍ୟ ହୋଇ ପଛକୁ ଚାହିଁ ରହିଥିଲା, ଚିନ୍ମୟ ଯେପରି କଣ କହିବ କହିବ ହୋଇ କହି ନପାରି ନୀରବ ରହି ଗଲା । ଉର୍ମିଳାର ମଧୁର କଣ୍ଠର ଝଙ୍କାର ଶୁଣାଗଲା, । ଆପଣ ଡାକୁଥିଲେ ବୋଧେ । କୁହନ୍ତୁ କଣ କହିବେ । ଚିନ୍ମୟ ବାଧ୍ୟ ହୋଇ ଉତ୍ତର ଦେଇଥିଲା । ଆପଣଙ୍କ ଗୀତ ଖାତା ଦିନକ ପାଇଁ ଦେବା ପାଇଁ ମୋର ଅନୁରୋଧ । ଆପଣ ଖୁବ୍ ସୁନ୍ଦର ଗୀତ ଗାଉଛନ୍ତି । ମୁଁ କେତୋଟି ସମ୍ବଲପୁରୀ ନୂଆ ଗୀତ ଶିଖୁଛି । ଶୁଣିଲି ଆପଣଙ୍କ ଗୀତ ଖାତାରେ ଥିବ ଗୀତ ଗୁଡ଼ିକ ଆଧୁନିକ ଓ ଏହାର ସୁନ୍ଦର ସ୍ୱର ସହିତ ମୁଁ ତାଳ ମିଳାଇ ମୁଁ ଏହି ଗୀତ ଶିଖିବି । ଉର୍ମିଳାର ଆଖିରେ ଆନନ୍ଦର ଝଲକ ଫୁଟିଉଠିଥିଲା । ସେ କହିଥିଲା, ଆପଣ ଗୀତ ଗାଆନ୍ତି । ଏହା ମୁଁ ଜାଣି ନଥିଲି । ମୁଁ ନିଶ୍ଚୟ ଆପଣଙ୍କୁ ଗୀତ ଖାତାଟି ଦେବି ଏବଂ ଆପଣଙ୍କ ଗୀତର ଉନ୍ନତି ହେଉ ମୁଁ କାମନା କରୁଛି । ଆପଣ ଆମ ଘରକୁ ଆଜି ସନ୍ଧ୍ୟାରେ ଆସନ୍ତୁ । ଗୀତ ଖାତାଟି ନେଇଯିବେ । ଚିନ୍ମୟ ଏପରି ଭାବ ବିହ୍ୱଳ ହୋଇ ପଡ଼ିଥିଲା ଯେ ହଠାତ୍ ପଛରୁ ଆସୁଥିବା ସ୍କୁଟରର ହର୍ଣ୍ଣ ଶୁଣି ବୁଲି ପଡ଼ିବା ବେଳକୁ ସ୍କୁଟର ଧକ୍କାରେ ତଳେ ପଡ଼ି ଯାଇଥିଲା । ଚିନ୍ମୟର ମୁଣ୍ଡରେ ସାମାନ୍ୟ ଆଘାତ ହୋଇ ରକ୍ତ ବାହାରୁଥିଲା । ହାତର କହୁଣୀ ଆଞ୍ଛୁଡ଼ି ହୋଇ ରକ୍ତ ଜକେଇ ଆସୁଥିଲା । ସେତେବେଳେକୁ ଉର୍ମିଳା ଚିନ୍ମୟର ଦୃଷ୍ଟିର ଅନ୍ତରାଳରୁ ଚାଲିଯାଇଥିଲା । ଉର୍ମିଳାର ଚିନ୍ତାରେ ଅଧିର ହୋଇ ଚିନ୍ମୟ ଘରକୁ ଫେରି ଆସିଥିଲା । ମୁଣ୍ଡରେ ପଟି, ହାତର କହୁଣୀରେ ପଟି, ତାର ମନ ଅସ୍ଥିର, ଆଉ ଖାଇବାକୁ ଇଚ୍ଛା ହେଉ ନାହିଁ । ସନ୍ଧ୍ୟା ହେବା ପାଇଁ ସେ ପ୍ରତୀକ୍ଷାରତ । ତାକୁ ଲାଗୁଛି ଏତେ ବିଳମ୍ବ ଆଉ ସହି ହେଉନାହିଁ । ଖୁବ୍ ଶୀଘ୍ର ସମୟ କଟି ଯାଆନ୍ତା କି ? ସନ୍ଧ୍ୟାରେ ଚିନ୍ମୟ ଉର୍ମିଳାର ଗେଟ୍ ଖୋଲି ପ୍ରବେଶ କରିବା ସମୟରେ ଉର୍ମିଳା ତାଙ୍କ ବଗିଚାର ଗୋଲାପ ଗଛର ପ୍ରସ୍ପୁଟିତ ଶୋଭାରେ ଅନ୍ୟମନସ୍କ ଭାବେ ନିମଜ୍ଜିତ ଥିବା ସମୟରେ ଚିନ୍ମୟ ଉପରେ ଦୃଷ୍ଟି ପଡ଼ିବା ମାତ୍ରେ ତରତର ହୋଇ ଆଗେଇ ଆସିଲା । ଚିନ୍ମୟର ମୁଣ୍ଡରେ ଓ ହାତରେ ବ୍ୟାଣ୍ଡେଜ୍ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଥିଲା । ଆପଣଙ୍କର ଏ ଅବସ୍ଥା କିପରି ହେଲା ? ଚିନ୍ମୟ କହିଥିଲା, ଆପଣଙ୍କ ସଙ୍ଗେ କଥାବାର୍ତ୍ତା ପରେ ଟିକିଏ ଅନ୍ୟମନସ୍କ ହୋଇପଡ଼ିଥିଲି । ଏବଂ ସ୍କୁଟରଟିଏ ତାଙ୍କୁ ପଛରୁ ଧକ୍କା ମାରିଥିଲା । ବିଶେଷ କିଛି କ୍ଷତି ହୋଇନାହିଁ । ଉର୍ମିଳା କହିଲା, ‘ଆପଣ ବହୁତ ଅନ୍ୟମନସ୍କ ଓ ବିଚଳିତ ଜଣା ପଡୁଛନ୍ତି । କଣ ହୋଇଛି ଆପଣଙ୍କର ? ଆସନ୍ତୁ ଘରକୁ, ‘ଚିନ୍ମୟ ଉର୍ମିଳାର ପଛେ ପଛେ ଯାଇ ତା ପଢ଼ା ଘରେ ଉର୍ମିଳାର ଅନୁରୋଧରେ ସୋଫା ଉପରେ ବସିଲା । ଉର୍ମିଳା ତାର ବୋଉକୁ ଡାକି କହିଥିଲା, ‘ବୋଉ, ଇୟେ ହେଉଛନ୍ତି ଚିନ୍ମୟ କୁମାର, ଆମ କଲେଜର ଫାଇନାଲ୍ ଇୟର ବି.ଏ.ର ଷ୍ଟୁଡେଣ୍ଟ ଏବଂ ଭଲ ସ୍କଲାର । ସେ ମଧ୍ୟ ଗୀତ ଗାଆନ୍ତି । ମୋର ଗୀତ ଖାତାଟି ମାଗି ଆସିଛନ୍ତି । ତୁ ଟିକିଏ ଭଲ ଚାହା କରି ଆଣ ତାଙ୍କ ଦେହ ଅସୁସ୍ଥ ।’ ଚିନ୍ମୟ ଯେପରି ସେଠାରେ ଆତ୍ମୀୟତାର ବନ୍ଧନର ସ୍ୱପ୍ନରେ ଭାସିଯାଉଥିଲା । ତାର ମନେ ହେଉଥିଲା, ଉର୍ମିଳା ତାର ପାଖେ ପାଖେ ବସି ଏପରି ଗପ କରୁଥାଆନ୍ତା । ସେ ଉର୍ମିଳାର ସୌନ୍ଦର୍ଯ୍ୟର ଅଭାରେ ଅଭିଭୂତ ହୋଇ ତାର ଅସ୍ତିତ୍ୱ ହରାଇ ସାରିଥିଲା । ଉର୍ମିଳାର କଣ୍ଠ ସ୍ୱରରେ ମାଧୁର୍ଯ୍ୟ ଭରି ରହିଥିଲା । ଚିନ୍ମୟ ବଡ଼ କଷ୍ଟରେ ଉର୍ମିଳାକୁ କହିଥିଲା, ଆପଣଙ୍କ କଥା ଗୁଡ଼ିକ ଶୁଣିବାକୁ ବହୁତ ଆଗ୍ରହ ଲାଗୁଛି, ଆପଣ ଯଦି ଗୀତ ଗାଆନ୍ତି ତେବେ ମୋର ଏତେ କଷ୍ଟ ଯନ୍ତ୍ରଣାର ଲାଘବ ହୁଅନ୍ତା । ସହି ସମୟରେ ଉର୍ମିର ବୋଉ ଚା ଓ ଜଳଖିଆ ଆଣି ପହଞ୍ଚିଥିଲେ । ଉର୍ମିର ବୋଉ ଚିନ୍ମୟଙ୍କ କଥାରେ ଅଭିଭୂତ ହୋଇ ପଡ଼ିଥିଲେ । ସେ ଅନୁଭବ କରୁଥିଲେ ଚିନ୍ମୟ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ସୁନ୍ଦର ଯୁବକ । ଜଣେ କୃତୀଛାତ୍ର, ଉଚ୍ଚ ଘରର ସନ୍ତାନ । ତାଙ୍କ ମନରେ ଦୁଃଖ ନଦେବା ପାଇଁ ସେ କହିଲେ, ‘ଆପଣ ଆଗ ଚା ଜଳଖିଆ ଖାଇସାରନ୍ତୁ । ଉର୍ମି ଗୀତ ଗାଇବ ଆପଣ ଶୁଣିବେ । ଉର୍ମି ଇଂରାଜୀରେ ଭାରି ଦୁର୍ବଳ, ଆପଣ ଯଦି ପ୍ରତିଦିନ ସନ୍ଧ୍ୟାରେ ତାର ଇଂରାଜୀ ବୁଝିବାରେ ସାହାଯ୍ୟ କରନ୍ତେ, ଭଲ ହୁଅନ୍ତା । ଉର୍ମିର ବାପା ତ ସଦାବେଳେ ବାହାରେ, ତାର ପଢ଼ାପଢ଼ି ବହୁତ ଅସୁବିଧା ହେଉଛି, ଆଉ ଆପଣ ଗୀତ ସବୁଦିନ ଶୁଣିପାରିବେ, ଉର୍ମି ବ୍ୟତିବ୍ୟସ୍ତ, ହୋଇ ପାଟିକଲା, ‘ବୋଉ, ତୁ ଏମିତି କଣ କହୁଛୁ, ମତେ କି ଗୀତ ଆସେ ?’ କିନ୍ତୁ ତାର ବୋଉ ବାଧ୍ୟ କରିବାରେ ଉର୍ମି ରୋଷେଇ ଘରେ ଲୁଚିକରି ଏକ ତରୁଣ ସମ୍ମୁଖରେ ପ୍ରଥମ କରି ଗୀତ ଗାଇବାର ଲଜ୍ଜା ଅନୁଭବ କରି ଏକ ମର୍ମସ୍ପର୍ଶୀ ଓଡ଼ିଆ ଫିଲ୍ମ ‘କା’ର ଗୀତଟି ଗାଇଥିଲା ।
ସେହି ଗୀତଟି
ଲିଭି ଲିଭି ଯାଏ ଆଖି ଲୁହଧାର
କାନ୍ଦି କାନ୍ଦି ମରେ ସାହା ନାହିଁ ମୋର
ସେହି ଗୀତଟି ଶୁଣି ଚିନ୍ମୟ ଯେପରି ଅନୁଭବ କରୁଥିଲା, ଉର୍ମିର ଅନ୍ତର ଯେପରି ଦୁଃଖରେ ଭରି ଯାଇଛି, କି କରୁଣ ସେ ସଙ୍ଗୀତର ମୂର୍ଚ୍ଛନା । ସେ ଦିନ ସେ ସ୍ମୃତିକୁ ନେଇ ଫେରି ଆସିଥିଲା ଚିନ୍ମୟ, ତାର ମାଙ୍କୁ ଉର୍ମିକୁ ପଢ଼ାରେ ସାହାଯ୍ୟ କରିବାର ନିର୍ଭର ପ୍ରତିଶ୍ରୁତି ଦେଇ । ଉର୍ମିର ନୀରବ ସମ୍ମତି ଲକ୍ଷ୍ୟ କରିଥିଲା ଚିନ୍ମୟ । ଉର୍ମି ମଧ୍ୟ ସେ ଆସିଲା ବେଳେ ଅନୁରୋଧ କରିଥିଲା । ‘ଚିନ୍ମୟ ବାବୁ, ଆପଣ ନିଶ୍ଚୟ ଆସିବେ । ସେହି କଥା ପଢ଼ିକି ଚିନ୍ମୟର କାନରେ ଶଯ୍ୟାରେ ଶୋଇଥିବା ଅବସ୍ଥାରେ ରାତି ସାରା ପ୍ରତିଧ୍ୱନିତ ହେଉଥିଲା । ତା’ପରେ ଆସ୍ତେ ଆସ୍ତେ ଦୁହିଁଙ୍କର ଘନିଷ୍ଠତା ବୃଦ୍ଧି ପାଇଲା । ପ୍ରତିଦିନ ପାଠପଢ଼ା ସରିଲେ ଚିନ୍ମୟର ପ୍ରାପ୍ୟ ଗୋଟିଏ ଗୀତ ଶୁଣିବା, ଓ ଉର୍ମିଳା ମଧ୍ୟ ନିଃସଙ୍କୋଚରେ ତାଙ୍କ ଆଗରେ ଲତା ମଙ୍ଗେସକର ହିନ୍ଦୀଗୀତର ଶ୍ରେଷ୍ଠ ଗାୟିକାଙ୍କ ଅବିକଳ କଣ୍ଠସ୍ୱର ଫୁଟି ଉଠୁଥିଲା ଯେକୌଣସି ହିନ୍ଦୀ ଗୀତ ଓଡ଼ିଆ ଗୀତ ରେଡ଼ିଓରୁ ବା ଫିଲ୍ମରୁ ଥରେ ଶୁଣିବା ମାତ୍ରକେ ସେହି ଗୀତ ସେ ସଙ୍ଗେ ସଙ୍ଗେ ଗାଇ ଦେଉଥିଲା । ଗୀତ ଗାଇଲା ବେଳେ ଉର୍ମିଳା ତନ୍ମୟ ହୋଇଯାଏ । ଚିନ୍ମୟ ପାଠ ପଢ଼ାଇଲା ବେଳେ ଉର୍ମି ଲକ୍ଷ୍ୟ କରେ ଚିନ୍ମୟର ଚକ୍ଷୁକୁ । ଉଭୟେ ପରସ୍ପରର ନିବିଡ଼ ଆକର୍ଷଣରେ ଦିନେ ଧୈର୍ଯ୍ୟ ହରାଇ ବସିଲେ । ଚିନ୍ମୟ ଉର୍ମିର ହାତଟିକୁ ଧରି କହିଥିଲା, ଉର୍ମି, ତୁମେ ମୋ ଜୀବନର ସାଥି, ତୁମକୁ ଛାଡ଼ି ମୁଁ ମୁହୂର୍ତ୍ତେ ରହିବା କଷ୍ଟକର । ଉର୍ମି ଲଜ୍ଜାରେ ତଳକୁ ମୁହଁ କରି କହିଥିଲା, ଆପଣଙ୍କ ସାନିଧ୍ୟ ବିନା ମୋର ଜୀବନରେ ଅନ୍ଧକାର ଘୋଟି ଆସିବ । ଆପଣ ହେଉଛନ୍ତି ମୋ ଜୀବନର ଦେବତା । ମୋ ଚକ୍ଷୁର ଉଜ୍ଜବଳଦୀପ୍ତି । ଆପଣ ହେଉଛନ୍ତି ମୋ ହୃଦୟ ମନ୍ଦିରର ପ୍ରଥମ ପୂଜାରୀ । ଆପଣଙ୍କ ଉପସ୍ଥିତିରେ ମୋର ଶରୀରରେ ଏକ ଅସ୍ୱାଭାବିକ ଆନନ୍ଦର ଲହରୀ ଖେଳିଯାଏ । ଆପଣ କଣ ସବୁଦିନ ପାଇଁ ମତେ ଗ୍ରହଣ କରିବେ ? ମତେ ଯଦି ଏ ଅବସ୍ଥାରେ ଛାଡ଼ି ଚାଲିଯାନ୍ତି, ତେବେ ମୋର ଜୀବନରେ ମୃତ୍ୟୁ ଛଡ଼ା ଅନ୍ୟ ରାସ୍ତା ନାହିଁ । ମୁଁ ମୋର ଅଜାଣତରେ ଆପଣଙ୍କ ଆକର୍ଷଣରେ ବାନ୍ଧି ହୋଇଯାଇଛି । ତା’ପରେ ଉଭୟଙ୍କର ଆକର୍ଷଣ ପ୍ରେମରେ ପରିଣତ ହୋଇଗଲା । ଚିନ୍ମୟର ବାହୁ ବନ୍ଧନରେ ଉର୍ମିର ଜୀବନର ସତ୍ତା ଲୋପ ପାଇଯାଇଥିଲା । ସେ ଏ ଆନନ୍ଦର ଶିହରଣରେ ବାସ୍ତବତାକୁ ଭୁଲିଯାଇ ସ୍ୱପ୍ନର କୁତବମିନାରରେ ହଜି ଯାଇଥିଲା । ହଠାତ୍ ଉର୍ମିର ବୋଉ ଙ୍କ ଉପସ୍ଥିତିରେ ଧରାପଡ଼ିଯାଇଥିଲେ ଚିନ୍ମୟ ଓ ଉର୍ମିଳା । ଚିନ୍ମୟ ଲଜ୍ଜାରେ ମୁହଁ ତଳକୁ କରି ଫେରି ଆସିଥିଲେ । ତା’ପରଦିନ କଲେଜରେ ଉର୍ମିର ଆଖିରେ ଦୁଃଖର ଆଭାସ ପାଇ ଚିନ୍ମୟ ତାକୁ ଅତ୍ୟନ୍ତ ଉତ୍କଣ୍ଠାର ସହ ପଚାରିଥିଲେ, ‘ତୁମେ ଏପରି ଦୁଃଖିତ କାହିଁକି ?’ ଉର୍ମି ତା ବୋଉଙ୍କ ଠାରୁ ଶୁଣିଥିବା ଗାଳି ଓ ଆପଣଙ୍କ ସହ ଦେଖା ହେବାକୁ ମନା କରିଥିବା ସବୁ ବିଷୟ ପ୍ରକାଶ କରିଥିଲା । ଏହା ଶୁଣି ଚିନ୍ମୟଙ୍କ ମନରେ ଦୁଃଖର ବାଦଲ ଛାଇ ଯାଇଥିଲା । ଚିନ୍ମୟ କହିଥିଲା, ‘ଉର୍ମି, ତୁମେ ମନ ଦୁଃଖ କର ନାହିଁ । ସମୟ ଆସିବ, ସବୁ ଠିକ୍ ହୋଇଯିବ, ତୁମକୁ ମୁଁ ବିବାହ କରିବି, ‘ଉର୍ମି କହିଥିଲା, ‘ଆପଣଙ୍କ ଘରେ ମତେ କଣ ଗ୍ରହଣ କରିବେ ? ଆପଣ ବ୍ରାହ୍ମଣ ଓ ମୁଁ କରଣ । ଆପଣଙ୍କ ସ୍ନେହ ମୋ ପ୍ରତି ଅଛି । କିନ୍ତୁ ସେମାନଙ୍କ ଚାପରେ ଆପଣ ଦିନେ ମତେ ଦୂରେଇ ଦେବେ । ତା ଆଗରୁ ଆପଣମତେ ଭୁଲିଯାନ୍ତୁ । ମୋତେ ମୋର ପଥରେ ଯିବା ପାଇଁ ଛାଡ଼ି ଦିଅନ୍ତୁ । ଆଜିଠାରୁ ମୋର ଗୋଲାପ ବଗିଚାରେ ଆଉ ଗୋଲାପ ଫୁଲ ଫୁଟିବ ନାହିଁ । ଉର୍ମିର ଏପରି ପରିବର୍ତ୍ତନ ଦେଖି ଚିନ୍ମୟ ଆଖିରୁ ଝରଝର ହୋଇ ନୀରବାଶ୍ରୁ ଝରିଆସିଲା । ହୃଦୟରୁ କୋହ ପରେ କୋହ ଉଠି ବାକ୍ ରୁଦ୍ଧ ହୋଇଗଲା । ଥରଥର କଣ୍ଠ ରେ ସେ କହିଲା, ଉର୍ମି ‘ତୁମେ ହେଉଛ ମୋର ଜୀବନର ଧ୍ରୁବତାର । ତୁମର ଅଭାବରେ ମୋର ଜୀବନର ପଞ୍ଜୁରୀ ଶୂନ୍ୟ ହୋଇଯିବ । ମୋର ହୃଦୟର ଦୁଃଖକୁ ଲାଘବ କରୁଥିବା ସଂଗୀତ ଆଉ ଶୁଣିବାକୁ ମିଳିବ ନାହିଁ । ମୋର ପ୍ରିୟତମା କଳାଶାରୀକୁ ମୋର ବାହୁ ବନ୍ଧନରେ ପରିସୀମାରୁ ଦୂରେଇ ଦେଇ ମୁଁ ବଞ୍ଚି ପାରିବି ନାହିଁ । ତୁମ ପାଇଁ ମୁଁ ଜୀବନର ସମସ୍ତ ପ୍ରତିବନ୍ଧକ କୁ ସମ୍ମୁଖିନ ହେବି ଏବଂ ସମସ୍ତ ଝଡ଼ଝଞ୍ଜାକୁ ଅତିକ୍ରମ କରି ତୁମକୁ ମୋର ପ୍ରେମ ଉଦ୍ୟାନର ପାରିଜାତ ପୁଷ୍ପରେ ପରିଣତ କରିବି ।’ ଉର୍ମି କହିଥିଲା, ‘ମୁଁ ମଧ୍ୟ ଆପଣଙ୍କ ବିଗ୍ରହରେ ଯନ୍ତ୍ରଣାରେ ଜର୍ଜରିତ । ମଧୁର କଥା କହି ଗୋଟିଏ ଝିଅର ସର୍ବସ୍ୱ ଅପହରଣ କରି ପୁରୁଷ ଭ୍ରମର ପରି ଗୋଟିଏ ଫୁଲର ମଧୁ ପାନ କରି ଆଉ ଗୋଟିଏ ଫୁଲର ମଧୁ ପାଇଁ ବ୍ୟଗ୍ର ହୋଇ ଉଠେ । ବାସି ଫୁଲ ପରି ମୋର ଜୀବନଟା କଣ ହେବ ? ଆପଣଙ୍କ ସ୍ୱାର୍ଥ ହାସଲ ହୋଇ ସାରିଲା ପରେ ଆପଣ ଯଦି ମତେ ଭୁଲିଯାନ୍ତି ମୋର ଅବସ୍ଥା କଣ ହେବ ? ଜୀବନରେ ପ୍ରେମ କଅଣ ମୁଁ ଜାଣି ନଥିଲି । ଆପଣଙ୍କ ଚକ୍ଷୁର ଆକର୍ଷଣ, ଆପଣଙ୍କ ଆକୁଳ ମିନତି, ଆପଣଙ୍କ ଦୁଃଖ ଦୂର କରିବା ପାଇଁ ମୁଁ କ୍ରମେ କ୍ରମେ ଆପଣଙ୍କ ନିକଟକୁ ଟାଣି ହୋଇ ଚାଲି ଆସିଲି । ବର୍ତ୍ତମାନ ମୁଁ ଅସହାୟ, ପିତାମାତାଙ୍କ ନିର୍ଦ୍ଦେଶରେ ମୁଁ ପରିଚାଳିତ । ଆପଣ ଶୀଘ୍ର ମତେ ଆପଣଙ୍କ ନିକଟକୁ ନେଇ ଯାଆନ୍ତୁ । ମୁଁ ଆପଣଙ୍କ ପାଦ ତଳେ ଦାସୀ ହୋଇ ରହିଲେବି ଆନନ୍ଦରେ ରହିବି । ତା’ପରେ ଚିନ୍ମୟର ହୃଦୟରୁ ଦୁଃଖ ଦୂର ହୋଇଯାଇଥିଲା । ଉଭୟ ପରସ୍ପର ପ୍ରତି ପ୍ରେମର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାରିଥିଲେ । ତା’ପରେ ଚିନ୍ମୟ ଉର୍ମିକୁ ବିବାହ କରିବାର ନିର୍ଭର ପ୍ରତିଶ୍ରୁତି ଦେଇ ଫେରି ଆସିଥିଲା । ନିଜର ପିତାମାତାଙ୍କ ଆଗରେ ଉର୍ମିକୁ ବିବାହ କରିବାର ବାସନା ପ୍ରକାଶ କରିଥିଲା । ଚିନ୍ମୟର ମାତା ପୁଅର ଦୁଃଖକୁ ବୁଝି ପାରି ତାର ପିତାଙ୍କୁ ରାଜି ହେବାକୁ କହିଥିଲେ । କିନ୍ତୁ ଚିନ୍ମୟର ପିତା କରଣ ଜାତି ଘରୁ ଝିଅ ଆଣିବାକୁ ନାରାଜ । ଅନ୍ୟ ଗୋଟେ ଝିଅ ସହ ବିବାହ ପାଇଁ ଚିନ୍ମୟର ପିତା ଏହା ଭିତରେ ଠିକ୍ କରିସାରିଥିଲେ । ଚିନ୍ମୟ ବିଏ ପରୀକ୍ଷାରେ ପାସ୍ କରି ଗୋଟିଏ ପ୍ରାଇଭେଟ୍ ଫାର୍ମରେ କିରାଣୀ ଚାକିରୀ ପାଇ ସାରିଥିଲା । ଚିନ୍ମୟର ପିତା ଯେତେବେଳେ ଚିନ୍ମୟକୁ ଝିଅ ଦେଖି ଯିବାକୁ ଡାକନ୍ତି । ଚିନ୍ମୟ ଦୃଢ଼ ସ୍ୱରରେ ପ୍ରତିବାଦ କରିଛି । ସେ କହିଛି ଯେ ଜୀବନରେ ସେ ଉର୍ମିକୁ ଭଲ ପାଇଛି । ଉର୍ମି ହିଁ ତାର ଜୀବନର ଏକମାତ୍ର ସାଥି । ଚିନ୍ମୟ କହିଥିଲା, ‘ବାପା, ଉର୍ମିକୁ ଦୂରେଇ ଦେଇ ଅନ୍ୟଗୋଟେ ଝିଅର ହାତ ଧରି ଉର୍ମିର ଜୀବନକୁ ଛାରଖାର କରି କି ଶାନ୍ତି ପାଇବି ? ଆପଣଙ୍କର ଧନ, ଆଭିଜାତ୍ୟ ମୋର ଦରକାର ନାହିଁ । ଉର୍ମିକୁ ଯଦି ବିବାହ ମୁଁ ନକରିପାରେ ତେବେ ମୁଁ ଅବିବାହିତ ରହିଯିବ । ତା ପରେ ଚିନ୍ମୟ ଘରଛାଡ଼ି କର୍ମ କ୍ଷେତ୍ରକୁ ଚାଲି ଆସିଛି । ଉର୍ମି ଚିନ୍ମୟର ବିଚ୍ଛେଦ ରେ ଭାଙ୍ଗି ପଡ଼ିଛି । ତାର ଚଳଚଞ୍ଚଳ ଗତି ମନ୍ଥର ହୋଇଯାଇଛି । ତାର ସୌନ୍ଦର୍ଯ୍ୟରେ ଦୁଃଖର କାଳିମା ଗୋଟିଯାଇଛି । ତାର କଣ୍ଠରୁ ଆଉ ଗୁଣୁଗୁଣୁ ଗୀତର ଲହରି ସୃଷ୍ଟି ହେଉନାହିଁ । ଏହି ସମୟରେ ଚିନ୍ମୟ ଆସି ତାଙ୍କ ଘରେ ପହଞ୍ଚି ଯାଇଛି । ଚିନ୍ମୟ ସଦାବେଳେ ଚିନ୍ତାମଗ୍ନ ହୋଇପଡ଼ିଛି । ଉର୍ମି ଆଖିରେ ଆନନ୍ଦର ଝଲକ ଦେଖାଦେଇଛି । ତାର ହୃଦୟରେ ଜୀବନୀ ସଞ୍ଚାରିତ ହୋଇଛି । ତା’ପରେ ଚିନ୍ମୟ ଉର୍ମିର ବୋଉଙ୍କ ନିକଟରେ ଉର୍ମିକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଛି । ଉର୍ମିର ବୋଉ ଉର୍ମିର ଦୁଃଖରେ ନିରାଶ ହୋଇ ଭାଙ୍ଗି ପଡ଼ିଥିଲେ । ନିଜର ଏକମାତ୍ର ଝିଅକୁ କିପରି ସାନ୍ତ୍ୱନା ଦେଇ ବୁଝାଇବେ ତାର କିଛି ବାଟ ଉର୍ମିର ବୋଉ ଓ ବାପା ପାଇ ପାରୁନଥିଲେ । ସେଦିନ ଚିନ୍ମୟଙ୍କୁ ତାଙ୍କ ଘରେ ରହିଯିବା ପାଇଁ ଉର୍ମି ବୋଉ ଚିନ୍ମୟକୁ ପରାମର୍ଶ ଦେଇଥିଲେ । ଏବଂ ଉର୍ମିର ପିତାଙ୍କ ସଙ୍ଗେ ପରାମର୍ଶ କରିବା ପାଇଁ ଚିନ୍ମୟକୁ ଉର୍ମିର ବୋଉ କହିଥିଲେ । ଚିନ୍ମୟ ତାର ପିତାଙ୍କ ସଙ୍ଗେ ରାତ୍ରିରେ ଆଲୋଚନା କରି ବିବାହ ପାଇଁ ସମ୍ମତି ଭିକ୍ଷା କରିଥିଲେ । ଉର୍ମିର ପିତା ଉର୍ମିର ମତାମତ ଜାଣିବା ପାଇଁ ଚାହିଁଥିଲେ । ଉର୍ମି ନୀରବରେ ତଳେ ପାଦରେ ନଖରେ ଗାର କାଟୁଥିଲା । ସେ ଲଜ୍ଜାରେ ମୌନ ରହିଥିଲା । ତାର ପିତା ଏ ବିବାହ ଶୀଘ୍ର ସମାପନ କରିବା ପାଇଁ ଚିନ୍ମୟକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଚିନ୍ମୟ କହିଥିଲା ଯେ ସେ ବର୍ତ୍ତମାନ ସେ ସମାନ ସାମ୍ମୁଖ୍ୟ ବିରୁଦ୍ଧରେ ଠିଆ ହେବା ପାଇଁ ଶକ୍ତି ଅର୍ଜନ କରି ସାରିଲେଣି । ତାଙ୍କ ପିତାଙ୍କ ଇଚ୍ଛା ବିରୁଦ୍ଧରେ ସେ ଉର୍ମିକୁ ବିବାହ କରିବା ପାଇଁ ଦୃଢ଼ ସଂକଳ୍ପ ଚିନ୍ମୟ ନେଇ ସାରିଥିଲା । ଉର୍ମିର ପିତା ଚିନ୍ମୟକୁ କହିଥିଲେ, ଚିନ୍ମୟ ତୁମେ ଆଜିଠାରୁ ମୋର ପୁଅ ପରି ସ୍ନେହ ପାଇବ । ଚିନ୍ମୟ ଭାସିଯାଉଥିବା ନଦୀରେ ଆଶ୍ରୟ ପାଇ ଆନନ୍ଦିତ ହୋଇଉଠୁଥିଲା । ତାପରେ ପାଖେଇ ଆସିଛି ବିବାହର ଶୁଭ ମୁହୂର୍ତ୍ତ । ଉର୍ମିଳା ବିବାହ ବେଦୀରେ ବସିବା ପାଇଁ ବେଳ ନିକଟ ହୋଇ ଆସୁଛି । ଚାରିପଟେ ତାର ସାଙ୍ଗ ଝିଅ ମାନଙ୍କର ଗହଳି । ସେପଟେ ଚିନ୍ମୟର ପିତା ହୃଦୟର ଯନ୍ତ୍ରଣାରେ ବଡ଼ ଅସ୍ଥିର ହୋଇ ଉଠୁଛନ୍ତି । ଆଜି ପୁଅର ବାହାରଘର, ସେ ଭାବୁଛନ୍ତି, ମୋର ପୁଅର ସୁଖରେ ପ୍ରତିବନ୍ଧକ ହୋଇ ମୁଁ କଣ ପାଇବି ? ମୋର ଧନ, ଆଭିଜାତ୍ୟର ରକ୍ଷକ କିଏ ହେବ ଯେଉଁ ପୁଅକୁ ଛୋଟ ଠାରୁ ଆଜି ପର୍ଯ୍ୟନ୍ତ ସ୍ନେହ, ମମତା ଓ ଶିକ୍ଷା ଦେଇ ଗଢ଼ି ତୋଳିଲି ତାର ମନକୁ ଆଜି ପର୍ଯ୍ୟନ୍ତ ଜୟ କରି ପାରିଲି ନାହିଁ । ସେ ଆଜି ମୋ ଠାରୁ ଦୂରେଇ ଯିବ ? ମୋର ସମସ୍ତ ଆଭିଜାତ୍ୟ ଆଜିଠାରୁ କଣ ମାଟିରେ ମିଶିଯିବ ? ନା ଏହା ଅସମ୍ଭବ । ମୁଁ ଏହା କଦାପି କରେଇ ଦେବି ନାହିଁ । ସେ ସଙ୍ଗେ ସଙ୍ଗେ ଗ୍ୟାରେଜରୁ କାର୍ ବାହାର କରି ଛୁଟିଯାଇଛନ୍ତି ଉର୍ମିର ଘରକୁ । ପୁଅ ଚିନ୍ମୟ ଆଖିରେ ଅଶ୍ରୁ । ଆଜି ସେ ପିତାମାତାଙ୍କ ଠାରୁ ଦୂରେଇ ଯାଇ ବିବାହ କରୁଛି । ହଠାତ୍ କାରର ସେ ଦେଖିଛି । ତାର ପିତା ଓହ୍ଲାଇ ଆସିଛନ୍ତି ବ୍ୟାକୁଳ ହୃଦୟରେ । ପୁତ୍ର ପ୍ରତି ପିତାଙ୍କର ବାତ୍ସଲ୍ୟ ମମତା ଫୁଟିଉଠିଛି । ସେ ଦୁଃଖ ଓ ଆନନ୍ଦର ମିଶ୍ରଣରେ ଉଭୟ ପିତା ଓ ପୁତ୍ରଙ୍କ ଆଖିରୁ ମମତାର ଆଶ୍ରୁ ସ୍ୱତଃପୂର୍ତ୍ତ ଭାବରେ ଝରିଆସିଛି । ପିତା ଦୌଡ଼ିଯାଇ ପୁତ୍ର ଚିନ୍ମୟକୁ ଆଲିଙ୍ଗନ କରି ପକାଇଛନ୍ତି । ଚାରିପଟେ ସମସ୍ତେ ଏହି ଅପୂର୍ବ ହୃଦୟର ମିଳନରେ ସ୍ତବ୍ଧ ହୋଇଯାିଛନ୍ତି । ପୁତ୍ରର ମୁଣ୍ଡରୁ ମୁକୁଟ ଖସିପଡ଼ିଛି । ତା’ପରେ ପିତା ନିଜେ ତା ମୁଣ୍ଡରେ ମୁକୁଟ ପିନ୍ଧାଇ ବେଦୀରେ ବସାଇ ଦେଇଛନ୍ତି ଏବଂ ଉର୍ମିର ପିତାଙ୍କୁ ସମୁଧି ରୂପେ ସମ୍ବୋଧନ କରିଛନ୍ତି । ଶଙ୍ଖ, ହୁଳହୁଳି ଧ୍ୱନି ମଧ୍ୟରେ ଉର୍ମିର ହାତଗଣ୍ଠି ଚିନ୍ମୟ ହାତ ସହିତ ପଡ଼ିଯାଇଛି । ଚିନ୍ମୟ ଉର୍ମିର ହାତର ଉଷ୍ମତାରେ ପୁଲକିତ ହୋଇଉଠିଛି । ଦୁଃଖ ପରେ ସୁଖର ଆବିର୍ଭାବ ହୋଇଛି । ବାହାଘର ସରିଯାଇଛି । ଉର୍ମି ପିତାମାତାଙ୍କଠାରୁ ବିଦାୟ ବେଳାରେ ଦୁଃଖରେ କାନ୍ଦି କାନ୍ଦି ଭାଙ୍ଗି ପଡ଼ିଛି । ତାର ଅବିବାହିତ ଜୀବନର ସୁଖ ସ୍ମୃତିର ସମାପ୍ତି ଘଟିଛି ଏବଂ ଏକ ନୂତନ ଜୀବନର ସଂସାରର କର୍ତ୍ତବ୍ୟ ପଥରେ ପାଦ ଦେଇଛି । ଉର୍ମିର ପିତା ଏକମାତ୍ର କନ୍ୟାର ବିଦାୟ ଦୁଃଖରେ ଅଚେତ ହୋଇପଡ଼ିଛନ୍ତି । ଉର୍ମିର ବୋଉଙ୍କ ଚକ୍ଷୁରୁ ଛୁଟିଚାଲିଛି ଅବିଶ୍ରାନ୍ତ ଲୋତକର ପ୍ଲାବନ । ଚିନ୍ମୟ ଉର୍ମି ସହ ଆଗେଇ ଚାଲିଛି ପିତାଙ୍କ କାର ନିକଟକୁ । ଦୁଇଜଣ କାରରେ ପାଖାପାଖି ହୋଇ ବସି ଦେଖୁଛନ୍ତି ନୂତନ ଭବିଷ୍ୟତର ସୁନେଲି ସ୍ୱପ୍ନ । ଚିନ୍ମୟର ପିତା କାର ଷ୍ଟାର୍ଟ କରିଛନ୍ତି ଏବଂ କାରଟି ଧିରେ ଧିରେ ଆଗେଇ ଚାଲିଛି ଚିନ୍ମୟର ଘର ଅଭିମୁଖେ । ଚିନ୍ମୟର ବୋଉଙ୍କର ଆକୁଳ ପ୍ରତୀକ୍ଷା ଭାବୁଛନ୍ତି ସତେ କଣ ମୋର ପୁଅ ବୋହୂ ଆସିବେ ? ପୁଅ ଚିନ୍ତାରେ ସେ ପ୍ରାୟ ଖାଇବା ଓ ଶୋଇବା ଛାଡ଼ିଦେଇଛନ୍ତି । ମା’ର ସ୍ନେହର କଣ ମୂଲ୍ୟ ନାହିଁ, ମାତୃତ୍ୱ ଡାକରା କଣ ପୁଅ ଅନୁଭବ କରିପାରିବ ନାହିଁ ? ଠିକ୍ ଏହି ସମୟରେ କାର ଆସି ରହିଛି ତାଙ୍କ ଘର ସାମନାରେ । ଚିନ୍ମୟର ବୋଉ ବିସ୍ମୟରେ ବାହାରକୁ ଦୌଡ଼ି ଯାଇଛନ୍ତି । ସେ ଦେଖିଛନ୍ତି ଚିନ୍ମୟର ପିତା କାରର କବାଟ ଖୋଲି ଧରିଛନ୍ତି । ଏବଂ ଓହ୍ଲାଇ ଆସୁଛନ୍ତି ତାଙ୍କର ପୁଅ ଚିନ୍ମୟ ଏବଂ ବୋହୂ ଉର୍ମି । ତାଙ୍କ କଣ୍ଠରୁ ଅକସ୍ମାତ ଆନନ୍ଦରେ ବାହାରି ଆସିଛି ହୁଳହୁଳି ଧ୍ୱନି । ଚିନ୍ମୟ ଓ ଉର୍ମିଳା ଚିନ୍ମୟର ବାପା ବୋଉଙ୍କ ପାଦତଳେ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ତାଙ୍କ ପ୍ରେମର ଜୟ ହୋଇଛି । ଚିନ୍ମୟର ବୋଉ, ପୁତ୍ର ଓ ବୋହୂଙ୍କୁ ଆନନ୍ଦରେ ଆଶୀର୍ବାଦ କରି ଘରକୁ ନେଇଯାଇଛନ୍ତି ସେତେବେଳେ ହଠାତ୍ ମାଇକରୁ ଗୀତଟିଏ ଶୁଣାଯାଇଥିଲା‘ଲଗନ ପରେ ମଗନ ଆଉ ତାପରେ ବାହାଘରତୁ ସାଜିଥିବୁ କନିଆଁ ଆଉ ମୁଁ ସାଜିଥିବି ବର ।

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ,Call:8260174676,6371338015

Admin

Leave a Reply

Your email address will not be published. Required fields are marked *

Next Post

ନରୱେର ରାଷ୍ଟ୍ରଦୂତଙ୍କ ସହ ସାମୁଦ୍ରିକ ଇକୋସିଷ୍ଟମର ସୁରକ୍ଷା ଉପରେ ଆଲୋଚନା

Thu Oct 21 , 2021
ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦(ଏନଇପି)ର ପ୍ରଣୟନ ସହିତ ଭାରତ ବିଶ୍ୱର ବଡ ଆହ୍ୱାନର ସମାଧାନ ପାଇଁ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ ରହିଛି ବୋଲି ଗୁରୁବାର ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଏସ୍ ୪-ବାର୍ଷିକ ଏସଡ଼ିଜି (ସଷ୍ଟେନେବଲ ଡେଭଲପ୍‌ମେଣ୍ଟ ଗୋଲ) କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ତର୍ଜାତୀୟ ବ୍ୟବସାୟ ସମାଧାନ କମ୍ପାନୀ ସାନମ ଦ୍ୱାରା ଆୟୋଜିତ […]