ପ୍ରମୁଖ ନଦୀର ଜଳସ୍ତର ହ୍ରାସ ପାଉଛି : ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା

ଭୁବନେଶ୍ୱର: ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ଲଘୁଚାପ ଅବପାତରେ ପରିଣତ ହୋଇ ଓଡିଶା ଅତିକ୍ରମ କରିସାରିଛି । ଏବେ ହୀରାକୁଦରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ।  ମୁଣ୍ଡଳୀ ସମେତ ସବୁ ସ୍ଥାନରେ ଜଳସ୍ତର କ୍ରମଶଃ ହ୍ରାସ ପାଉଛି । ଆବଶ୍ୟକସ୍ଥଳେ ହୀରାକୁଦରେ ଖୋଲାଥିବା ୪ ଟି ଗେଟକୁ ମଧ୍ୟ ବନ୍ଦ କରିଦିଆଯାଇପାରେ । ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଦ୍ୱାରା ୧୩ଟି ଜିଲ୍ଲାର ୭୩ଟି ବ୍ଲକ୍‌ ୬୦୭ଟି ଗ୍ରାମ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୨୩୨ଟି ଗ୍ରାମ ପ୍ରଭାବିତ ହୋଇଛି । ରାଜ୍ୟର ୭୬୩ଟି ଗ୍ରାମ ଜଳ ଘେରରେ ରହିଥିବାବେଳେ ୪ ଲକ୍ଷ ୭୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୭ ଲକ୍ଷ ୧୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୨୪୮ଟି ରିଲିଫ୍‌ କେନ୍ଦ୍ରରେ ୧ ଲକ୍ଷ ୪ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ବନ୍ୟାରେ ୧୮୬୬ଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଲଗାଣ ବର୍ଷାରେ ୩୯୧୬ଟି ଘର ଭାଙ୍ଗିଯାଇଛି । ସେହିପରି ଲଗାଣ ବର୍ଷାରେ ୮ଟି ଜିଲ୍ଲାର ୫୨ଟି ବ୍ଲକ ଅନ୍ତର୍ଗତ ୨୬୩ଟି ଗ୍ରାମପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୫୨୪ଟି ଗ୍ରାମ ପ୍ରଭାବିତ ହୋଇଛି ଓ ୨୬ ହଜାର ୯୮୨ ଲୋକ ପ୍ରଭାବିତ ହୋଇଛନ୍ତି ଏହି ଅଞ୍ଚଳରେ ୧୪ଟି ରିଲିଫ କେନ୍ଦ୍ରରେ ୨ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଛି ,ବନ୍ୟାପ୍ରଭାବିତ ଅଞ୍ଚଳରେ ୩ ଲକ୍ଷ ୮୭ ହଜାର ବିଦ୍ୟୁତ୍‌ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥି ମଧ୍ୟରୁ ୩ ଲକ୍ଷ ୬୪ ହଜାର ଲୋକଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୬୩ ମେଡିକାଲ ରିଲିଫ୍‌ କେନ୍ଦ୍ର ଖୋଲା ଯାଇଥିବାବେଳେ, ୧୧୫ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଟିମ୍‌ ମୃତୟନ ହୋଇଛି । ୪୨ ହଜାର ଓଆରଏସ୍‌ ପ୍ୟାକେଟ୍‌, ୧ ଲକ୍ଷ ୭୭ ହଜାର ହାଲୋଜିନ୍‌ ବଟିକା ବଣ୍ଟାଯାଇଛି । ଏହି ସମୟ ମଧ୍ୟରେ ୬୭୦୦ଟି ସାଧାରଣ ରୋଗର ଚିକିତ୍ସା କରାଯାଇଥିବାବେଳେ, ୧୨ ଟି ସାପ କାମୁଡା ଘଟଣାର ଚିକିତ୍ସା କରାଯାଇଛି । ଗୋସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ଟି ଭେଟେରିନାରୀ ଟିମ୍‌ ନିୟୋଜିତ ହୋଇଛି । ୪୦୭ଟି କ୍ୟାମ୍ପ ଆୟୋଜିତ ହୋଇଥିବାବେଳେ ୧୮ ହଜାରରୁ ଉର୍ଦ୍ଧ୍ଵ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯାଇଛି । ୧୦ଟି ଜିଲ୍ଲାକୁ ମୋଟ ୬୧୩.୯୮୩ ମେଟ୍ରିକ ଟନ୍‌ ଗୋଖାଦ୍ୟ ଯୋଗାଇ ଦିଆଯାଇଛି । ବନ୍ୟାଞ୍ଚଳରେ ୧୬୦ଟି ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାବେଳେ, ୯ ଟି ପାଇପ୍‌ ଲାଇନ୍‌କୁ ସ୍ୱାଭାବିକ କରାଯାଇଛି । ୬୧୮ଟି ନଳକୂପକୁ ବିଶୋଧନ କରାଯାଇଛି, ୧ ଲକ୍ଷ ୫୦ ହଜାର ପାଣି ବୋତଲ, ୭ ଲକ୍ଷ ୫୦ ହଜାର ପାଣି ପାଉଚ୍‌ ବଣ୍ଟାଯାଇଛି । ୧୫୩ଟି ଭ୍ରାମ୍ୟମାଣ ଜଳଯୋଗାଣ ଟ୍ୟାଙ୍କର ନିୟୋଜିତ କରାଯାଇଛି ।

Leave a Reply

Your email address will not be published. Required fields are marked *