ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି,ହୀରାକୁଦ ବନ୍ଧ ବିସ୍ଥାପିତମାନଙ୍କୁ ସରକାର ଦେବେ ଜମିପଟ୍ଟା ।

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଏକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ । ହୀରାକୁଦ ବନ୍ଧ ବିସ୍ଥାପିତମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା – ଏହିପରି ଅନେକ ସମସ୍ୟା ସଂପର୍କରେ ୫-ଟି ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ 5-T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଗଞ୍ଜାମ ଓ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି ।

ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟର । ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି । ୧୭୪୯ଟି ପରିବାରକୁ ପ୍ରାୟ ୩୨୩୧ ଏକର ଜମି ଉପରେ ଅଧିକାର ଦିଆଯିବ । ଡିସେମ୍ବର ମାସରୁ ଲିମେଇତିକ୍ରା, ସାହାସବାଗ,ଲାଛିପଲ୍ଲୀ, ପାତ୍ରପଲ୍ଲୀ ଓ ଡୁଆଁମୁଣ୍ଡା – ଏହି ୫ଟି ଗାଁରେ ପଟ୍ଟା ବଣ୍ଟନ ଆରମ୍ଭ ହେବ ।

ଗଞ୍ଜାମ ଜିଲ୍ଲାକୁ ଗତ ଅଗଷ୍ଟ ୨୬ ତାରିଖରେ ୫-ଟି ସଚିବ ଗସ୍ତ କରିଥିଲେ । ସେଠାରେ ଲୋକଙ୍କ ସମସ୍ୟା ଶୁଣିବା ପରେ ମାତ୍ର ୫ ଦିନରେ ଜମି ସମସ୍ୟା ର ସମସ୍ୟା ସମାଧାନ ହୋଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକ୍‌ର ୧୭ଟି ଗ୍ରାମର ୮୮୩ ଜଣ ଲୋକଙ୍କୁ ଘରଡିହ ପଟ୍ଟା ଦିଆଯିବ ଏବଂ ୨୦୨୩ ସେପ୍ଟେମ୍ବର ୨୨ ସୁଦ୍ଧା ସମସ୍ତ ପଟ୍ଟାବଣ୍ଟନ ପ୍ରକ୍ରିୟା ଶେଷ ହେବ । ସେହିପରି ୧୬୮ ଜଣ ଲୋକଙ୍କୁ ଚାଷଜମି ପାଇଁ ପଟ୍ଟା ଦିଆଯିବ ଏବଂ ଏହି ପ୍ରକ୍ରିୟା ଅକ୍ଟୋବର ପହିଲାରୁ ଆରମ୍ଭ ହେବ । 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କ ଜିଲା ଗସ୍ତ ସମୟରେ ମିଳିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗର ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ତଥା ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ସେପ୍ଟେମ୍ବର ମଧ୍ଯ ଭାଗରେ ମୁଖମନ୍ତ୍ରୀ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ।