ପୂର୍ବତନ ବାଚସ୍ପତି ସୂର୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ଵର:ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି । ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ । ବାଚସ୍ପତି ଭାବରେ ସେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଅମାୟିକ ସ୍ଵଭାବ ପାଇଁ ସେ ଦଳ, ମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବେ ସେ ଦଳକୁ ନୂଆ ଦିଗ ଦେଇଥିଲେ । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହଛନ୍ତି । ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ।