ଦମନ

ଦମନ ବା ବଳପ୍ରୟୋଗ ଦ୍ୱାରା ଜୟଯୁକ୍ତ ହେବା ଆଦୌ ସମ୍ଭବ ନୁହେଁ । କିନ୍ତୁ ମନଦେଇ, ହୃଦୟଜିଣି କାମଟିଏ କରାଇନେବା ବା ସ୍ୱାର୍ଥ ହାସଲ କରିବା ଅତ୍ୟନ୍ତ ସହଜ । ଏମିତି ପରିସ୍ଥିତି ସୃଷ୍ଟି କରନ୍ତୁ, ଯାହାଦ୍ୱାରା ଅନ୍ୟ ବ୍ୟକ୍ତିମାନେ ଆପଣଙ୍କ ସହ ତାଳଦେଇ ନାଚିବା ପାଇଁ ବାଧ୍ୟ ହେବେ । କିନ୍ତୁ ଏହା ଚତୁରତାର ସହ କରିବାକୁ ପଡ଼ିବ । ଯଦି ଆପଣଙ୍କ କୌଶଳ ସଂପର୍କରେ ଅନ୍ୟମାନେ ଅବଗତ ହୋଇଯାଆନ୍ତି, ତେବେ ଆପଣଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ଅସମ୍ଭବ ନୁହେଁ । ଅନ୍ୟକୁ ଅନୁଗତ କରାଇବାକୁ ହେଲେ ସେମାନଙ୍କର ବ୍ୟକ୍ତିତ୍ୱ, ଆଶା, ପ୍ରତ୍ୟାଶା ଏବଂ ମନସ୍ତତ୍ତ୍ୱକୁ ଆଗ ବୁଝିବାକୁ ପଡ଼ିବ । ଏସବୁ ନବୁଝି ଯେଉଁ ବ୍ୟକ୍ତି କିଛି ଲୋକଙ୍କୁ ଆପଣେଇ ନେବାକୁ ଚାହାଁନ୍ତି, ସେ ଖୁବ୍‍ କମ୍‍ ସମୟ ବ୍ୟବଧାନରେ ଅସୁବିଧାରେ ପଡ଼ନ୍ତି । କାହାକୁ ନିଜ ଅଧିନକୁ ଆଣିବାକୁ ଚାହିଁଲେ, ପ୍ରଥମେ ସେଇ ବ୍ୟକ୍ତିର ଦୁର୍ବଳତା ସଂପର୍କରେ ଅବଗତ ହୁଅନ୍ତୁ । ତାଙ୍କର ଆଗ୍ରହ, ଆବେଗ ଏବଂ ଭୟ ସମ୍ବନ୍ଧରେ ଜାଣନ୍ତୁ । ଯଦି ଆପଣ ଅନ୍ୟର ମନ ଓ ହୃଦୟକୁ ଜିଣିବାକୁ ଅକ୍ଷମ ହେବେ, ତେବେ ସେମାନେ ଆପଣଙ୍କର ଶତ୍ରୁ ପାଲଟିଯିବେ ।