ହସ୍ତଶିଳ୍ପ କାରିଗର ଓ ବୁଣାକାର ମାନଙ୍କର ଜୀବନ ବୀମା ସମ୍ବନ୍ଧରେ ଆଲୋଚନା

ଭୁବନେଶ୍ଵର : ୦୭.୦୯.୨୦୨୩ ରିଖ ଅପରାହ୍ନ ୪ ଘଟିକା ସମୟରେ ମନ୍ତ୍ରୀ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ଓଡ଼ିଶା ଶ୍ରୀମତୀ ରୀତା ସାହୁ ଙ୍କ ଅଧ୍ୟକ୍ଷତାରେ କୃଷି ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ରାଜ୍ୟର ହସ୍ତଶିଳ୍ପ କାରିଗର ଓ ବୁଣାକାର ମାନଙ୍କ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ଯୋଜନା ଦ୍ଵାରା ବିଭିନ୍ନ ଜୀବନ ବୀମା ଯୋଜନା ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ଏବଂ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ପଦ୍ମ ବିଭୂଷଣ ଡଃ ସୁଦର୍ଶନ ସାହୁ ନିଜର ମତାମତ ପ୍ରକାଶ କରିଥିଲେ । ଏହି ବିଷୟରେ ସବିଶେଷ ଆଲୋଚନା କରାଯାଇ ରାଜ୍ୟର ହସ୍ତଶିଳ୍ପ କାରିଗର ଓ ବୁଣାକାର ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଜୀବନ ବୀମା ଯୋଜନା ପ୍ରଣୟନ କରିବା ନିମନ୍ତେ ସରକାରଙ୍କ ସମୁଖରେ ପ୍ରସ୍ତାବ ରଖିବା ପାଇଁ ସ୍ଥିର କରାଯାଇଥିଲା । ଏତଦ ବ୍ୟତୀତ ଓଡ଼ିଶାର ସମସ୍ତ ହସ୍ତଶିଳ୍ପ ଗ୍ରାମକୁ ସଂଯୋଗ କରୁଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ପ୍ରମୁଖ ଜିଲ୍ଲା ରାସ୍ତା ମାନଙ୍କରେ ସାଇନବୋର୍ଡ ଲଗାଇବା ପାଇଁ ପ୍ରସ୍ତୁତ ହୋଇଥିବା ଡିଜାଇନକୁ ଅନୁମୋଦନ କରାଯାଇଥିଲା । ଏହି ବୈଠକରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ସରୋଜ କୁମାର ପଟେଲ, ହସ୍ତଶିଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତୀ ଛୋଟରାୟ, ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ବାରିକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।