ଜୟ ନାରାୟଣଙ୍କ ନାଁ ଶୁଣିବା ମାତ୍ରେ ବିଜେଡି ନେତା ଛାନିଆ: ଦିଲୀପ ମଲ୍ଲିକ

ଭୁବନେଶ୍ୱର : ବିଜେଡିର ନେତାମାନେ ଏବେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ନାଁ ଶୁଣିବା ମାତ୍ରେ ଡ଼ରିକି ଛାନିଆ ହୋଇଯାଉଛନ୍ତି । ସେହି ଡରରୁ ବଞ୍ଚିବା ପାଇଁ ସେମାନଙ୍କ ପାଇଁ ଏବେ 5ଟି ଚାଳିଶା ଭରଷା । ସେପଟେ ପୁଣି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରତି ଦିନ ଅଣ ଓଡ଼ିଆ ଅଧିକାରୀଙ୍କ ବିଜେଡି ନେତାଙ୍କୁ ନୂଆ ନୂଆ ନିର୍ଦ୍ଦେଶ ଆଉ ହକିମାତି । ବିଜେଡି ନେତାମାନେ ଏବେ କେତେ ମାନସିକ ଦୁଶ୍ଚିନ୍ତାରେ ବଞ୍ଚୁଛନ୍ତି ତାହା ତାଙ୍କ ବକ୍ତ୍ୟବରୁ ବୁଝାପଡି ଯାଉଛି । ଆଉ କିଛି ଦିନ ପରେ ବିଧାନସଭା । ଆଗାମୀ ବିଧାନସଭାରେ ଜୟ ନାରାୟଣଙ୍କୁ କେମିତି ସାମ୍ନା କରିବେ ସେଥିପାଇଁ ବିଜେଡି ଦଳର ନେତାମାନେ ଏବେଠୁ ଭାରି ଭୟଭିତ ହୋଇ ଦିନ କାଟୁଛନ୍ତି ବୋଲି ଏକ ପ୍ରେସ ବାର୍ତାରେ ବିଜେପି ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି । ଜୟ ନାରାୟଣଙ୍କ ସ୍ୱାସ୍ଥ୍ୟକୁ ନେଇ ଅରୁଚିକର ଓ ଶସ୍ତା ବକ୍ତ୍ୟବ ଦେଉଥିବା ବିଜେଡିର ନେତାମାନେ ତାଙ୍କର ମୁଖିଆଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଟିକେ ଖବର ରଖନ୍ତୁ । ମୁଖ୍ୟମନ୍ତ୍ରୀ ଚାଲିବୁଲି ପାରୁଛନ୍ତି ତ? ମୁଖ୍ୟମନ୍ତ୍ରୀଙ୍କର ମାନସିକ ଓ ଶାରୀରିକ ଅବସ୍ଥା ଠିକ ଅଛିକି ନାହିଁ ସେନେଇ ଲୋକଙ୍କ ମନରେ ସନ୍ଦେହ ହେଲାଣି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ରାଜ୍ୟରେ ଯେଉଁଭଳି ଅଗଣତାନ୍ତ୍ରିକ ବ୍ୟବସ୍ଥା ଚାଲିଛି ତାହା ବିରୋଧରେ ଭାରତୀୟ ଜନତା ପାର୍ଟିର ଲଢେ଼ଇ ସହିତ ସାରା ଓଡିଶା ଲୋକ ଠିଆ ହୋଇଛନ୍ତି । 5ଟି ନାଁରେ ଯେଉଁଭଳି ଭାବରେ 50% ପିସି ଆଦାୟ କରାଯାଇଛି ତାହା ଓଡିଶା ଲୋକଙ୍କ ଦୁଃଖକୁ ଆହୁରି ଦୁଇ ଗୁଣ କରୁଛି । ନବୀନ ବାବୁ ଏସି ଲଗେଇ ଆରାମ କରୁଛନ୍ତି; ଆଉ ଏପଟେ ଓଡିଶା ଲୋକ ଛଟପଟ ହେଲେଣି ଦୁର୍ନୀତି, ଭ୍ରଷ୍ଟାଚାର ଆଉ ଗୁଣ୍ଡାରାଜରେ । 5ଟି ଯନ୍ତ୍ରଣାରୁ ଓଡିଶା ଲୋକେ ସବୁଦିନ ପାଇଁ ମୁକ୍ତି ପାଇବା ପାଇଁ ବ୍ୟାକୁଳ ହେଲେଣି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।