ବେଆଇନ୍ ଭାବରେ ବେଦାନ୍ତ ଜମି ଅଧିଗ୍ରହଣ ମାମଲାରେ ମୁଖ୍ୟମନ୍ତ୍ରୀ ଶୀଘ୍ର ଇସ୍ତଫା ଦିଅନ୍ତୁ : ଶରତ ପଟ୍ଟନାୟକ

ଭୁବନେଶ୍ୱର : ବେଦାନ୍ତ ବିଶ୍ୱ ବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ କରିବା ପାଇଁ ଓଡ଼ିଶା ସରକାର ଜମି ଅଧିଗ୍ରହଣ ଆଇନ ୧୮୯୪ ଏବଂ ନିୟମ ୧୯୬୩ର ସମସ୍ତ ନୀତି, ନିୟମ ଓ ଆଇନ କାନୁନ୍‌କୁ ଖାତିର ନକରି ଜମି ଅଧିଗ୍ରହଣ କରିବା ଅତ୍ୟନ୍ତ ଅତ୍ୟନ୍ତ ଦୁର୍ଭାଗ୍ୟ ବୋଲି ମାନ୍ୟବର ଉଚ୍ଚତମ ନ୍ୟାୟଳୟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଶୁକ୍ରବାର ଦିନ ଏକ ପ୍ରେସ ବିଜ୍ଞପ୍ତିରେ ଓଡ଼ିଶା ସରକାରଙ୍କୁ କଟୁ ସମାଲୋଚନା କରି କହିଛନ୍ତି ଯେ, କିଭଳି ଭାବରେ ରାଜ୍ୟ ସରକାର ଆଖି କାନ ବନ୍ଦ କରି ଅନିଲ ଅଗ୍ରୱାଲ ଫାଉଣ୍ଡେସନ ପାଇଁ ପୁରୀ ଜିଲ୍ଲାର ୭ ହଜାର ଏକର ଉର୍ବର କୃଷି ଜମି, ଜଙ୍ଗଲ ଓ ଗୋଚର ଜମି ଏପରିକି ନୂଆ ନଈକୁ ମଧ୍ୟ ଅଧିଗ୍ରହଣ କରିବା ପାଇଁ ସମସ୍ତ ସହାୟତା ଓ ସହଯୋଗ କାହିଁକି କରିଥିଲେ ? ପୁରୀ ଜିଲ୍ଲାର କୋଣାର୍କ ଓ ନିକଟବର୍ତୀ ଅଞ୍ଚଳର ୧୦ ହଜାର କୃଷକ ପରିବାରଙ୍କର ଜୀବିକା ଓ ଜୀବନକୁ ଦୁର୍ବିସହ କରି କାହିଁକି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଗୋଟିଏ କମ୍ପାନୀ ପାଇଁ ଏତେ ପ୍ରୀତି ଦେଖାଉଥିଲେ । ଏ ପ୍ରୀତି ପଛରେ ପ୍ରକୃତ ଉଦ୍ଦ୍ୟେଶ କ’ଣ । ଏଥିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ବେଦାନ୍ତ କମ୍ପାନୀ ଦ୍ୱାରା କିଭଳି ଭାବରେ ଲାଭାନ୍ନିତ ହୋଇଛନ୍ତି ତା’ର ତଦନ୍ତ ହେବା ଉଚିତ୍ । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଏହି ଜମି ଅଧିଗ୍ରହଣ ମାମଲାକୁ ନେଇ ଖୋଦ ଉଚ୍ଚତମ ନ୍ୟାୟାଳୟ ସରକାରଙ୍କର ଉଦ୍ଦ୍ୟେଶକୁ ମାଲାଫାଏଡ଼ ବା ଉଦ୍ଦ୍ୟେଶ ପ୍ରଣୋଦିତ ବୋଲି କହିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେବା ପରିବର୍ତେ ଚୁପ୍ ହୋଇ ରହିଯିବା ଅତ୍ୟନ୍ତ ସାଂଘାତିକ ଓ ଦୁର୍ଭାଗ୍ୟଜନକ ଘଟଣା । ଦୀର୍ଘ ୧୭ ବର୍ଷ ଧରି ବେଦାନ୍ତ କମ୍ପାନୀ ଓ ସରକାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୧୦ ହଜାର ପରିବାର ନିଜ ଜମିରେ ଚାଷ କାର୍ଯ୍ୟ କରିପାରିନାହାନ୍ତି । ରାଜ୍ୟ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତି ଛୁଇଁ ପାରୁନାହିଁ ବୋଲି କହୁଥିଲାବେଳେ ବେଦାନ୍ତ ଜମି ଅଧିଗ୍ରହଣ ଘଟଣାରେ ସରକାର, ସରକାରୀ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁଖା ଖୋଲି ଦେଇଛି । ଏହି ଜମି ଦୁର୍ନୀତି ପରସ୍ପର ବୁଝାମଣା ଭିତରେ ଉଭୟ ଉଭୟଙ୍କ ଲାଭ ପାଇଁ ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥକୁ ବଳି ଦେଇଛନ୍ତି । ଏହି ଘଟଣାକୁ ଶ୍ରୀ ପଟ୍ଟନାୟକ ଅତି କଟୁଭାଷାରେ ସମାଲୋଚନା କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତି ଜଣାଇଛନ୍ତି ।