ଆତ୍ମ ସମର୍ପଣ

ଆପଣ ନିଜେ ଯଦି ଅନୁଭବ କରୁଛନ୍ତି ଯେ ଆପଣ ଦୁର୍ବଳ, ତେବେ ସମ୍ମାନ ଖୋଜନ୍ତୁ ନାହିଁ; ବରଂ ନିଜକୁ ସମର୍ପଣ କରିବାର ଶୈଳୀ ଶିଖନ୍ତୁ । ଏହାଦ୍ୱାରା ହୁଏତ ଆପଣ ନିଜକୁ ବିଜୟୀ ବୋଲି ଭାବିବେ ନାହିଁ । କିନ୍ତୁ ସେ ପରାଜୟ ଆପଣଙ୍କୁ ଭବିଷ୍ୟତରେ ସଫଳତା ଆଣିଦେବ । ପ୍ରତିପକ୍ଷ ଶକ୍ତିର କ୍ଷୟପାଇଁ ଆପଣ ଉପଯୁକ୍ତ ସମୟ ମଧ୍ୟ ଦେଇପାରିବେ । ତେଣୁ ଆପଣଙ୍କ ପ୍ରତିପକ୍ଷ ଯଦି ଶକ୍ତିଶାଳୀ ବୋଲି ଆପଣଙ୍କର ହୃଦବୋଧ ହେଉଛି, ଯୁଦ୍ଧ କରି ବିଜୟର ଟୀକା ପିନ୍ଧିବାର ସୁଯୋଗ ଆପଣ ତାଙ୍କୁ ଦିଅନ୍ତୁ ନାହିଁ; ବରଂ ତା’ ପୂର୍ବରୁ ଆପଣ ଆତ୍ମସମର୍ପଣ କରିଯାଆନ୍ତୁ । ମନେ ରଖନ୍ତୁ, ଆତ୍ମ ସମର୍ପଣ ସମୟ ସମୟରେ ଶକ୍ତି ଆହରଣର ଏକ ମାଧ୍ୟମ ମଧ୍ୟ ହୋଇଥାଏ । ଅନେକ ସମୟରେ ଆମର ଶତ୍ରୁଙ୍କ ଗତିବିଧିକୁ ଲକ୍ଷ୍ୟ କରି ଆମେ ଅଯଥା ବେଶି ପ୍ରତିକ୍ରିୟା ଦେଖାଇଥାଉ । ଏହା ଆମ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଯଦି ଆମେ ଟିକିଏ ସତର୍କ ହେବା, ଏପରି ସମସ୍ୟାଗୁଡ଼ିକ ସହଜରେ ଏଡ଼ାଇ ପାରିବା । ବେଳେବେଳେ ବୁମେରାଂ ଭଳି ଆମ ପ୍ରତିକ୍ରିୟା କାର୍ଯ୍ୟ କରିଥାଏ । ଫଳରେ ଆମର ପ୍ରତିପକ୍ଷ ତଥା ଶତ୍ରୁ ମଧ୍ୟ ବେଶି ପ୍ରତିକ୍ରିୟା ଦେଖେଇ ଥାଆନ୍ତି । ଏ କ୍ଷେତ୍ରରେ ଗାନ୍ଧୀଙ୍କ ନୀତିକୁ ମାନିନେବା ଭଲ । ଗୋଟିଏ ଗାଲରେ ଚାପୁଡ଼ା ଖାଇ ଅନ୍ୟ ଗାଲଟିକୁ ଦେଖେଇ ଦେବା ଉଚିତ୍‍ । ଏହାଦ୍ୱାରା ପ୍ରତିପକ୍ଷ ଭାବିବେ ଯେ ଆପଣ ସହଜରେ ହାର୍‍ ମାନିଲେ । ଏହା ହେଉଛି ସମର୍ପଣ କରିଦେବାର ଗୋଟିଏ ଦିଗ ।