ମିଡିଆ ସ୍ୱାଧୀନତାକୁ କୌଣସି ମତେ କ୍ଷୁର୍ଣ୍ଣ କରିବାକୁ ଦିଆଯିବ ନାହିଁ

ଭୁବନେଶ୍ୱର : ଚତୁର୍ଥ ସ୍ତମ୍ବ ଗଣତନ୍ତ୍ରର ଏକ ବୃହତ ସ୍ତମ୍ବ ଅଟେ । ଗଣତନ୍ତ୍ରକୁ ସଶକ୍ତ କରିବା, ଲୋକଙ୍କ ସମସ୍ୟାକୁ ସରକାରଙ୍କର ସମ୍ମୁଖରେ କେବଳ ଗଣମାଧ୍ୟମ ଦ୍ୱାରା ହିଁ ରଖାଯାଇଥାଏ । ସମ୍ବାଦପତ୍ରରେ ରାଜ୍ୟରେ ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାର ଘୋର ଦୁରୁପୋଯୋଗକୁ ଲୋକଲୋଚନକୁ ଆଣିବା ପ୍ରତ୍ୟେକ ସାମ୍ବାଦିକଙ୍କ ଗୁରୁଦାୟୀତ୍ୱ । ରାଜ୍ୟରେ ଆଜି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଖୋଦ ମୁଖ୍ୟମନ୍ତ୍ରୀ ଗୌଣ କରିଛନ୍ତି । ବିଜେଡ଼ି ସରକାରରେ ମନ୍ତ୍ରୀମାନେ କ୍ଷମତାଶୂନ୍ୟ । ସାଂସଦ ଓ ବିଧାୟକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । କେବଳ ନାମକୁ ମାତ୍ର ମନ୍ତ୍ରୀପଦରେ ରହିଛନ୍ତି । କିନ୍ତୁ ଜନସାଧାରଣଙ୍କ ସାମାନ୍ୟ ସମସ୍ୟାକୁ ସମାଧାନ କରିବାରେ ଏମାନଙ୍କ ପାଖରେ କିଛି କ୍ଷମତା ନାହିଁ । ଖୋଦ ମୁଖ୍ୟମନ୍ତ୍ରୀ ଜାଣିଶୁଣି ଏଭଳି ବିଲକ୍ଷଣକୁ ପ୍ରଶୟ ଦେଉଛନ୍ତି । ଗଣମାଧ୍ୟମ ନିଜର ଦାୟୀତ୍ୱକୁ ସମ୍ପାଦନ କରୁଥିଲା ବେଳେ ସରକାର ପ୍ରତିହିଂସା ପରାୟଣ ହୋଇ ଗଣମାଧ୍ୟମୁ ଆକ୍ରମଣ କରିବା ଏବଂ କଣ୍ଠରୋଧ କରିବାପାଇଁ ଚେଷ୍ଟା କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ରାଜ୍ୟରେ ଏଭଳି ସ୍ଥିତି ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣରୂପେ ଦାୟୀ । ଚତୁର୍ଥ ସ୍ତମ୍ବ ଗଣତନ୍ତ୍ରର ଜାଗ୍ରତପ୍ରହରୀ, ସାଧାରଣ ଜନତାର ସ୍ୱର । ସେ ସ୍ୱରକୁ ପ୍ରତିହିଂସା ପରାୟଣ ହୋଇ ଦମନ କରିବାକୁ ସରକାର ଏବଂ ସରକାରୀ ବ୍ୟବସ୍ଥାର ଅପପ୍ରୟୋଗ ଅତ୍ୟନ୍ତ ଚିନ୍ତାଜନକ ଓ କ୍ଷୋଭର ବିଷୟ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ ପ୍ରେସ ବିବୃତିରେ ସ୍ପଷ୍ଟ ଭାବରେ ସରକାରଙ୍କ ଏତାଦୃଶ କାର୍ଯ୍ୟ ଦୃଢ଼ ନିନ୍ଦା କରିବା ସହିତ ଏଭଳି କାର୍ଯ୍ୟକୁ କଂଗ୍ରେସ ଦଳ କଦାପି ବରଦାସ୍ତ କରିବ ନାହିଁ । ଗଣତନ୍ତ୍ରର ସୁରକ୍ଷା ଓ ଲୋକଙ୍କ ସ୍ୱରକୁ ମଜବୁତ କରିବାପାଇଁ ରାଜ୍ୟ କଂଗ୍ରେସ ପ୍ରତ୍ୟେକ ସ୍ତରରେ ଲଢ଼େଇ କରିବ । ମିଡିଆ ସ୍ୱାଧୀନତାକୁ କୌଣସି ମତେ କ୍ଷୁର୍ଣ୍ଣ କରିବାକୁ ଦିଆଯିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।