ଗଣମାଧ୍ୟମର କଣ୍ଠରୋଧ ପାଇଁ ପ୍ରାୟୋଜିତ ରେଡ୍ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

ଭୁବନେଶ୍ୱର : ଓଡିଶା ସରକାର ରାଜନୈତିକ ଅଭିସନ୍ଧି ରଖି ଓଡିଆ ସମ୍ବାଦ ଖବରକାଗଜ ଗଣମାଧ୍ୟମ ସମୂହ ଉପରେ ପ୍ରାୟୋଜିତ ରେଡ୍ କରିବା ଭଳି ଲାଗୁଛି । ଗଣମାଧ୍ୟମର କଣ୍ଠରୋଧ ପାଇଁ ଏହି ପ୍ରାୟୋଜିତ ରେଡ୍ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ଏବଂ ଏହାକୁ ମୁଁ ଦୃଢ ନିନ୍ଦା କରୁଛି ବୋଲି ପ୍ରେସ୍ ବାର୍ତା ଜରିଆରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମୀର ମହାନ୍ତି କହିଛନ୍ତି । ଦୈନିକ ସମ୍ବାଦ ଖବରକାଗଜ ମୁଖ୍ୟ ଯେପର୍ଯ୍ୟନ୍ତ ବିଜେଡିରେ ଥିଲେ ଏବଂ ଦଳର ସ୍ୱାର୍ଥକୁ ସାଧନ କରିବା ପାଇଁ କାର୍ଯ୍ୟ କରୁଥିଲେ, ସେପର୍ଯ୍ୟନ୍ତ ସରକାର ଓ ବିଜେଡି ଖୁସି ଥିଲା । ଯେବେ ସେ ଓଡିଶାର ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ସମାଲୋଚନା କଲେ ସେତେବେଳେ ତାହା ସରକାର ଓ ବିଜେଡିକୁ ଭଲ ଲାଗିଲା ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ ସରକାର ଯେଉଁଭଳି ଏକପାଖିଆ ଭାବେ ଏକଛତ୍ରବାଦ ଶାସନ ଚଳାଇବା ପାଇଁ ଚେଷ୍ଟା କରୁଛନ୍ତି, ନିୟମ କାନୁନକୁ ନମାନି ରାଜନୈତିକ ଆକ୍ରୋଶ ରଖି ଗଣତନ୍ତ୍ରର ହତ୍ୟା କରୁଛନ୍ତି, ଏହା ଆଦୌ ଗ୍ରହଣୀୟ ନୁହେଁ । ଶାନ୍ତିପ୍ରିୟ ରାଜ୍ୟ ଓଡିଶାରେ ଗତ କିଛି ଦିନ ଧରି ଯେଉଁ ପ୍ରତିଶୋଧ-ରାଜନୀତିର ପରମ୍ପରା ସୃଷ୍ଟି କରାଯାଉଛି ତାହାକୁ ଦଳମତ ନିର୍ବିଶେଷରେ ସମସ୍ତେ ବିରୋଧ କରିବା ଆବଶ୍ୟକ ବୋଲି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଗଣତନ୍ତ୍ରରେ ପ୍ରଶ୍ନ ପଚାରିବା ଅଧିକାରକୁ ନାଲି ଆଖି ଦେଖାଇ କ୍ଷୁର୍ଣ୍ଣ କରିବା ଅପଚେଷ୍ଟାରୁ ରାଜ୍ୟର ଶାସନତନ୍ତ୍ର ନିଜକୁ ନିବୃତ ରଖୁ । ସାଢେ ଚାରି କୋଟି ଓଡିଆ ଲୋକମାନେ କେବେ ବି ଇଷ୍ଟ ଇଣ୍ଡିଆ ଭଳି ମନୋବୃତି ରଖୁଥିବା ଏକପାଖିଆ ଶାସନ ବ୍ୟବସ୍ଥାକୁ ଆଗାମୀ ଦିନରେ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।