ପଛୁଆବର୍ଗ ମହିଳାଙ୍କ ପାଇଁ ସୋନିଆ ଗାନ୍ଧୀଙ୍କ ସଂରକ୍ଷଣ ଦାବିକୁ ପିସିସିର ସମର୍ଥନ,ମହିଳାମାନଙ୍କ ପ୍ରତି ବିଜେପି ଦଳ କେତେ ସମ୍ମାନ ତାହା ଦେଶବାସୀଙ୍କୁ ଜଣାଅଛି ।

ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସମ୍ମାନନୀୟ ଶ୍ରୀମତୀ ସୋନିଆ ଗାନ୍ଧୀ ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂସଦରେ ଯେଉଁ ଦାବି ଉପସ୍ଥାପନ କରିଛନ୍ତି ତାହାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ପ୍ରାଣରେ ସମର୍ଥନ କରୁଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କହିଥିଲେ । ଗତକାଲି ଲୋକସଭାରେ ଯେଉଁ ମହିଳା ସଂରକ୍ଷଣ ବିଲ୍ ପାସ୍ କରାଗଲା ତାହା ହେଉଛି କଂଗ୍ରେସ ଦଳର ଅନୁଚିନ୍ତା । ମହିଳାମାନଙ୍କୁ ପଞ୍ଚାୟତ ଓ ନଗରପାଳିକାରେ ଏକ ତୃତୀୟାଂଶ ଆସନ ସଂରକ୍ଷଣ ରଖିବା ପାଇଁ ପୂବର୍ତନ ପ୍ରଧାନମନ୍ତ୍ରୀ ୧୯୮୯ ମସିହାରେ ୭୩ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପିଭି ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୧୯୯୩ ମସିହାରେ ଏହି ବିଲ୍‌କୁ ଆଇନ୍‌ରେ ପ୍ରଣୟନ କରାଯାଇଥିଲା । ଏହି ଆଇନ୍ ବଳରେ ଆଜି ୧୫ ଲକ୍ଷରୁ ଅଧିକ ମହିଳା ଭାରତ ବର୍ଷରେ ବିଭିନ୍ନ ପଞ୍ଚାୟତ ଓ ନଗରପାଳିକାକୁ ନିର୍ବାଚିତ ହୋଇ କାର୍ଯ୍ୟଭାର ଦକ୍ଷତାର ସହ ତୁଲାଉଛନ୍ତି । ୨୦୧୦ ମସିହା ମାର୍ଚ୍ଚ ମାସରେ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀଙ୍କ କାଳରେ ମହିଳା ସଂରକ୍ଷଣ ବିଲ୍‌କୁ ରାଜ୍ୟ ସଭାରେ ପାରିତ କରିଥିଲେ । କଂଗ୍ରେସ ଦଳ ମହିଳାଙ୍କୁ ଲୋକସଭା ଏବଂ ବିଧାନ ସଭାରେ ୩୩ ପ୍ରତିଶତ ସଂରକ୍ଷଣ ମିଳୁ ବୋଲି ବହୁବାର ଏଥିପାଇ ପ୍ରୟାସ କରିଛନ୍ତି । ମହିଳା ସଂରକ୍ଷଣ ବିଲ୍‌କୁ କଂଗ୍ରେସ ଦଳର ପୂର୍ଣ୍ଣ ସମର୍ଥନ କରେ । ମୋଦୀ ସରକାର ଏହି ବିଲ୍‌କୁ ଦୀର୍ଘ ୯ ବର୍ଷ ଧରି କାହିଁକି ଲୋକସଭାରେ ଆଗତ କଲେ ନାହିଁ । ଏବେ ଯେଉଁ ବିଲ୍‌କୁ ପାସ୍ କରାଗଲା ତାହା ତୁରନ୍ତ କାର୍ଯ୍ୟକାରୀ କରାଯାଉ ଏବଂ ଜନସଂଖ୍ୟା ଅନୁପାତରେ ପଛୁଆବର୍ଗ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯାଉ । ସେହିଭଳି ଭାବରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ମହିଳା ଲୋକସଂଖ୍ୟା ଆଧାରରେ ୩୩ ପ୍ରତିଶତ ସଂରକ୍ଷଣ ଦିଆଯାଉ ବୋଲି କଂଗ୍ରେସ ଦାବି କରୁଛନ୍ତି । କିନ୍ତୁ ଅତ୍ୟନ୍ତ ବିଡ଼ମ୍ବନାର କଥା ଏ ପର୍ଯ୍ୟନ୍ତ ଦେଶରେ ଜନଗଣନା କରାଗଲା ନାହିଁ । ତେଣୁ ପଛୁଆବର୍ଗ ମହିଳାଙ୍କ ଜନସଂଖ୍ୟା କେତେ ତା’ର ସରକାରଙ୍କ ପାଖରେ ତଥ୍ୟ ନାହିଁ । ୨୦୨୯ ମସିହାରେ ଏହି ବିଲ୍‌କୁ ଲାଗୁ କରାଯିବ ବୋଲି ସରକାର କହୁଛନ୍ତି । ଏହାର ଅର୍ଥ ଭାରତ ବର୍ଷର ମହିଳାମାନେ ତାଙ୍କର ନ୍ୟାର୍ଯ୍ୟ ଅଧିକାର ପାଇବା ପାଇଁ କ’ଣ ଆହୁରି ୬ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ? ମହିଳାମାନଙ୍କ ପ୍ରତି ବିଜେପି ଦଳ କେତେ ସମ୍ମାନ ତାହା ଦେଶବାସୀଙ୍କୁ ଜଣାଅଛି । ବେଟି ପଢ଼ାଅ ଓ ବେଟୀ ବଚାଅ ନାମରେ ପ୍ରତିଦିନ ବିଜେପି ଦଳର ମନ୍ତ୍ରୀ, ସାଂସଦ, ବିଧାୟକ ଏପରିକି ନେତାମାନେ ମହିଳାମାନଙ୍କୁ ଉତ୍ପୀଡ଼ିନ ଏବଂ ଅତ୍ୟାଚାର ଭଳି ସଂଗୀନ ଘଟଣାରେ ଅଭିଯୁକ୍ତ ଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ । ଏହା ବିଜେପି ଦଳର ମହଳିାମାନଙ୍କୁ ପ୍ରକୃତ ସମ୍ମାନ । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ରାଜ୍ୟରେ ଅଫିସର ଶାସନ ଚାଲିଛି । ଓଡ଼ିଶାରେ ପାଣ୍ଡିଆନ ଶାସନ ଚାଲିବାକୁ ଦିଆଯିବ ନାହିଁ । ଏ ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦମାନେ, ସମସ୍ତେ କ୍ଷମତାଶୂନ୍ୟ । ମୁଖ୍ୟମନ୍ତ୍ରୀ ଜଣେ ସେଚ୍ଛାଚାରୀ ଓ ଗଣତନ୍ତ୍ର ବ୍ୟବସ୍ଥାର ବିରୋଧି । ରାଜ୍ୟର ଜନସାଧାରଣ ନିର୍ବାଚିତ ପ୍ରତିନିଧିମାନଙ୍କୁ ତାଙ୍କ ଦୁଃଖ ଜଣାଇବାକୁ ଗଲାବେଳେ ମନ୍ତ୍ରୀ, ବିଧାୟକମାନେ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି । ଦୀର୍ଘ ୨୩ ବର୍ଷର ଶାସନରେ ଓଡ଼ିଶାକୁ କୌଣସି ସୁଫଳ ମିଳିଲା ନାହିଁ । ରେମୁଣା ବିଧାୟକଙ୍କ ଦୁର୍ନୀତି କଥା ସରକାରଙ୍କୁ ଆଜିକୁ ୪ ବର୍ଷ ପୂର୍ବେ ଜଣାଥିଲେ ମଧ୍ୟ କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ କାହିଁକି ? ଜଣେ ସମ୍ପାଦକ ରାଜ୍ୟ ଶାସନର ପ୍ରକୃତ ସ୍ଥିତିକୁ ସମ୍ବାଦକୀୟରେ ଲେଖିବା କ’ଣ ଭୁଲ୍‌, ଏହା କ’ଣ ଜନବିରୋଧି କି ? ବୋଲି ସେ ପ୍ରଶ୍ନ କରିଥିଲେ । ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ସାମ୍ବାଦିକମାନଙ୍କୁ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଏକ ଅରାଜକତା ସୃଷ୍ଟି ହୋଇଛି । ସତ କହିଲେ ସରକାର ନାଲି ଆଖି ଦେଖାଉଛନ୍ତି । କଂଗ୍ରେସ ରାଜ୍ୟ ଶାସନରେ ଫେରିଲେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେବ । କଂଗ୍ରେସର ମେନିଫାଷ୍ଟୋ କମିଟିର ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ କାନୁନ୍‌ଗୋ କହିଲେ ଯେ ମହିଳା ସଂରକ୍ଷଣ ବିଲ୍‌କୁ ତୁରନ୍ତ ୨୦୨୪ ମସିହାରେ ଲାଗୁ କରାଯାଉ ।