ରାଜ୍ୟରେ ବିଜେଡ଼ିର ପ୍ରକ୍ସି ସରକାର ଚାଲିଛି,୨୩ ବର୍ଷ ଭିତରେ ଗୋଟିଏ ମଧ୍ୟ କୃଷି ଭିତିକ ଶିଳ୍ପ ପ୍ରତିଷ୍ଠା ହୋଇନାହିଁ

ଭୁବନେଶ୍ୱର: ଶୁକ୍ରବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଗରଦପୁର ବ୍ଲକ ଅନ୍ତର୍ଗତ ଚଁପୁର ଖେଲପଡିଆ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅଂଶୁମାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଶାଳ “ପରିବର୍ତ୍ତନ ସମାବେଶ” ଆୟୋଜିତ ହୋଇଥିଲା । ପରିବର୍ତ୍ତନ ସମାବେଶରେ ଉଦ୍‌ବୋଧନ ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ସରକାରଙ୍କର ନେତୃତ୍ୱ କିଏ ନେଉଛି ତାହା ଜନସାଧାରଣରେ ଏବେ ଦ୍ୱନ୍ଦ ସୃଷ୍ଟି କରୁଛି । ସାଧାରଣ ଜନତା କାହା ପାଖରେ ଗୁହାରୀ କରିବେ ? ଯାହାଙ୍କୁ ଭୋଟ ଦେଇ ଜନପ୍ରତିନିଧି ବାଛିଥିଲେ ଏବଂ ଯେଉଁମାନେ ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କର ଏ ସରକାରରେ କିଛି ଭୂମିକା ନଥିବା ଭଳି ଜଳ ଜଳ ହୋଇ ଦେଖାଯାଉଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଜୁବାବୁଙ୍କ ସ୍ୱପ୍ନ ଶାକାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ତାଙ୍କର ଠିକଣା ହଜିଯାଇଛି ଏବଂ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ସତଚେଷ୍ଟିତ । ତାଙ୍କ ସ୍ଥାନରେ ଜଣେ ଅଫିସର ସାଧାରଣ ଲୋକଙ୍କୁ ଦରଖାସ୍ତ ମାଗୁଛନ୍ତି । ଓଡ଼ିଶା ବାସୀଙ୍କର ଦୁର୍ଭାଗ୍ୟ ଏହିକି ଯେ ରାଜ୍ୟରେ ଏବେ ବିଜେଡ଼ିର ପ୍ରକ୍ସି ସରକାର ଚାଲିଛି । ୨୪ ବର୍ଷ ଶାସନରେ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରଗତି ଗୋଟିଏ ପାଦ ଆଗେଇ ପାରିଲାନାହିଁ । ସରକାରୀ ଡାକ୍ତରଖାନାରେ ୪୪ ପ୍ରତିଶତ ଡାକ୍ତର ନାହାନ୍ତି । ରୋଗୀ ଆଜି ବି ଭାରରେ ଏବଂ ଭରା ନଈରେ ତା’ର ଧରି ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି । ପ୍ରତି ଅଞ୍ଚଳରେ ଆଜି ଢ଼େର ଦାନ ମାଝୀର କାହାଣି ଓଡ଼ିଶା ସରକାର ସୃଷ୍ଟି କରୁଛନ୍ତି । ନକଲି ଔଷଧ କାରବାର ବ୍ୟାପକ । ଏଣୁ ୨୩ ବର୍ଷର ନବୀନ ସରକାର ରାଜ୍ୟବାସୀଙ୍କ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ । କଂଗ୍ରେସ ସରକାର ଆସିବାର ପ୍ରଥମ ଦିନରେ କେନ୍ଦ୍ରାପଡ଼ାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଘୋଷଣା କରାଯିବ । ଓଡ଼ିଶାର ଚାଷୀ ଆୟ ଭାରତ ବର୍ଷର ଦ୍ୱିତୀୟ ସର୍ବନିମ୍ନ । ଓଡ଼ିଶାର ଚାଷୀଟିଏ ପ୍ରତିଦିନ ୨୭ ଟଙ୍କା ପ୍ରତିପୋଷଣ କରେ । ମନମୋହନ ସିଂ ସରକାର ୭୨ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲା । ନବୀନ ସରକାର ଏକ ଚାଷୀ ବିରୋଧି ସରକାର ବୋଲି ଓଡ଼ିଶାର ଚାଷୀ ଅନୁଭବ କରିଛନ୍ତି । ଏ ରାଜ୍ୟରେ ବାରମ୍ବାର ଚାଷୀ ଆତ୍ମହତ୍ୟା ଘଟଣାକୁ ନବୀନ ସରକାର ଅସ୍ୱୀକାର କରୁଛନ୍ତି । ମୋଦୀ ସରକାର ଚାଷୀକୁ ରସାତଳଗାମୀ କରିବା ପାଇଁ ୩ ଟି କଳା କୃଷି ଆଇନ୍ ପ୍ରଣୟନ କରିଥିଲେ । ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡ଼ି ଚଢ଼େଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ହତ୍ୟା କଲେ । ୨୩ ବର୍ଷର ନବୀନ ସରକାର ଗୋଟିଏ ବି ନୂଆ ସ୍କୁଲ ଓ ଡାକ୍ତରଖାନା ପ୍ରତିଷ୍ଠା କରିନଥିଲାବେଳେ ଲୋକଙ୍କ ଟିକସ ପଇସାରେ ନିଜର ଫଟୋ ମାରିବାରେ ବ୍ୟସ୍ତ । ଛତିଶଗଡ଼ ଓ କର୍ଣ୍ଣାଟକରେ କଂଗ୍ରେସ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିଛି । ଓଡ଼ିଶାରେ ମଧ୍ୟ କଂଗ୍ରେସ ସରକାରକୁ ଆସିଲେ ସମସ୍ତ ପ୍ରତିଶ୍ରୁତିକୁ ୧୦୦ ଦିନ ମଧ୍ୟରେ ପୂରଣ କରାଯିବ । ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ଯେଉଁମାନେ ସତ୍ୟ ଓ ନ୍ୟାୟ ସହିତ ଲଢ଼େଇ କରୁଛନ୍ତି, ସମସ୍ତଙ୍କୁ କଂଗ୍ରେସ ଉପଯୁକ୍ତ ସମ୍ମାନ ପ୍ରଦାନ କରିବ । କେନ୍ଦ୍ର ଓ ଓଡ଼ିଶା ସରକାର ଯେଉଁଭଳି ଭାବରେ ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ତାହାକୁ ଆମେ ଦୃଢ଼ନିନ୍ଦା କରୁଛୁ । ମହିଳା ସଂରକ୍ଷଣ ଆଇନକୁ ୨୦୨୪ ମସିହାରେ ଲାଗୁ କରାଯାଉ । ୩୩ ପ୍ରତିଶତ ଆରକ୍ଷଣ ଭିତରେ ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ବର୍ଗକୁ ମହିଳା ଲୋକସଂଖ୍ୟା ଆଧାରରେ ଆରକ୍ଷଣ ଦିଆଯାଉ । କେନ୍ଦ୍ର ବିଜେପି ସରକାର ଏ ଆଇନ କେବେ ଲାଗୁ କରିବେ ତାହା ମଧ୍ୟ ଆଜି ସନ୍ଦିହାନ । ଏହା ୨୦୨୯ ମସିହାରେ ଲାଗୁ ହେବ ନା ୨୦୩୧ ରେ ଲାଗୁ ହେବ ତା’ର ସ୍ପଷ୍ଟତା କାହିଁକି ନାହିଁ । ମହିଳାମାନଙ୍କ ପାଇଁ କଂଗ୍ରେସର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସମ୍ବିଧାନର ୭୩ ଓ ୭୪ ତମ ସଂଶୋଧନ ଆଣି ଏ ତୃତୀୟାଂଶ ଆସନ ପଞ୍ଚାୟତ ଓ ନଗରପାଳିକାମାନଙ୍କରେ ସଂରକ୍ଷଣର ବ୍ୟବସ୍ଥା କରିଥିଲେ । ୧୯୯୩ ମସିହାରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ଏହି ଆଇନ୍ ପ୍ରଣୟନ ହୋଇଥିଲା । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀଙ୍କର ସ୍ୱପ୍ନକୁ ପୂରଣ କରିବାକୁ ଯାଇ ସଂସଦ ଏବଂ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଲ୍ ଆଗତ କରିଥିଲେ । ଏହି ବିଲ୍ ୨୦୧୦ ମସିହା ମାର୍ଚ୍ଚ ମାସ ୯ ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା । ଶ୍ରୀମତୀ ଗାନ୍ଧୀ ପରବର୍ତି ସରକାର ଉପରେ ବାରମ୍ବାର ଚାପ ପ୍ରୟୋଗ କରିଥିଲେ ଏବଂ ଚିଠି ମଧ୍ୟ କରିଥିଲେ । ଏହି ବିଲ୍‌କୁ ଲୋକସଭାରେ ପାରିତ କରି ଭାରତ ବର୍ଷର ମହିଳାମାନଙ୍କୁ ନ୍ୟାର୍ଯ୍ୟ ଦାବି ପ୍ରଦାନ କରିବା ପାଇଁ ବାରମ୍ବାର ଦାବି କରିଆସୁଥିଲେ । ଆଜି ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ବେକାର ହୋଇ ରହିଛନ୍ତି । ଲକ୍ଷ ଲକ୍ଷ ପଦବୀ ଫାଙ୍କାଥିଲା ବେଳେ ଏଗୁଡ଼ିକ ପୁରଣ ହେଉନାହିଁ କାହିଁକି ? ୨୩ ବର୍ଷ ଭିତରେ ଗୋଟିଏ ମଧ୍ୟ କୃଷି ଭିତିକ ଶିଳ୍ପ ପ୍ରତିଷ୍ଠା ହୋଇନାହିଁ । ନିଜ ଦଳର ବିଧାୟକ, ମନ୍ତ୍ରୀ ଏବଂ କିଛି ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଆଇ.ଏ.ଏସ୍‌. ଅଫିସରମାନେ ରାଜ୍ୟରେ ସମସ୍ତ କଂଟ୍ରାକ୍ଟର, କୃଷିଯନ୍ତ୍ରପାତି ବ୍ୟବସାୟ, ଯୋଗାଣ ଏବଂ ଖଣିଜ ପରିବହନ ଇତ୍ୟାଦି କାମ ଅଣ ଓଡ଼ିଆ ବ୍ୟବସାୟୀମାନଙ୍କ ମାଧ୍ୟମରେ କରୁଛନ୍ତି । କୋଟି କୋଟି ଟଙ୍କା ଦଲାଲି ନେଉଛନ୍ତି । ରାଜ୍ୟର ବ୍ୟବସାୟୀ ଭାଇ ମାନେ ହାତବାନ୍ଧି ବସିଛନ୍ତି । କଂଗ୍ରେସ ଆସିଲେ ରାଜ୍ୟର ବ୍ୟବସାୟୀଙ୍କ ସ୍ୱାର୍ଥ ପ୍ରଥମେ ରକ୍ଷା କରାଯିବ । ସମସ୍ତ ଫାଙ୍କା ପଦବୀକୁ ତୁରନ୍ତ ପୁରଣ କରାଯିବ । ଠିକା ନିଯୁକ୍ତିର ପ୍ରଥାକୁ ସଂପୂର୍ଣ୍ଣ ବନ୍ଦ କରାଯିବ । ରାଜ୍ୟର ମହିଳାମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର କଂଗ୍ରେସ ସରକାରର ପ୍ରାଥମିକ ଦାୟିତ୍ୱ ହେବ ।