କାଳିଆ ସହାୟତା ବଣ୍ଟନ ଅବସରରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ
ଜୟ ଜଗନ୍ନାଥ, ଜୟ ମା ସମଲେଶ୍ବରୀ
ଆଏଜ୍ ନୂଆଖାଇ । ଇ ଅବସରଥି ଆପଣମାନକେ ସମସ୍ତକେ ମୋର ଜୁହାର ।
ନୂଆଖାଇ ମାଟି ମା’ର ପର୍ବ । ଆମର ଚାଷୀ ଭାଇ ମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ । ତେଣୁ ଚାଷୀ ଆମର ଗର୍ବ ଓ ଗୌରବ ।
ଏହି ପବିତ୍ର ଦିନରେ ମୋର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି । ଆଜି ରାଜ୍ୟର ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ 869 କୋଟି ଟଙ୍କାର ସହାୟତା ଦିଆଗଲା । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ୨୦୦୦ ଟଙ୍କା ଗଲା ।
କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା । ଛୋଟ ଚାଷୀ ମାନଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି । ଭୂମିହୀନ ଚାଷୀ ମାନଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରୁଛି । ଗତ ମେ ମାସରେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଆମ ଚାଷୀ ଭାଇ ମାନଙ୍କୁ ୮୦୦ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଥିଲା । ମୁଁ ଆଶା କରୁଛି, ଏହି ସହାୟତା ଆପଣଙ୍କ ଚାଷ କାମକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ । ଚଳିତ ବନ୍ୟା ଯୋଗୁ ଆପଣମାନେ ସମସ୍ତେ ଚିନ୍ତାରେ ଅଛନ୍ତି । ମୁଁ କହିବାକୁ ଚାହେଁ, ମୁଁ ସବୁ ସମୟରେ ଆପଣମାନଙ୍କ ସାଥିରେ ଅଛି। ଶୀଘ୍ର Damage Assessment କରି ରିପୋର୍ଟ ଦେବାକୁ ମୁଁ ନିର୍ଦ୍ଦେଶ ଦେଇଛି । ଆପଣମାନଙ୍କୁ ଖୁବ ଶୀଘ୍ର ଫସଲ କ୍ଷତି ପାଇଁ ସହାୟତା ଯୋଗାଇ ଦିଆଯିବ । ଓଡିଶାର ଗୌରବକୁ ଆମର ଚାଷୀଭାଇ ମାନେ ଉଜ୍ଜଳ କରିଛନ୍ତି। ଖାଦ୍ୟ ସୁରକ୍ଷାରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତେଣୁ ରାଜ୍ୟର ସବୁ ଲୋକ ଚାଷୀଭାଇଙ୍କ ନିକଟରେ ଋଣୀ ।