ଗୁରୁ

ମହାତ୍ମାଗାନ୍ଧୀ ଆମର ଶକ୍ତି । ଗାନ୍ଧୀ ବିନା ଆମ ଦୈନନ୍ଦିନ ଜୀବନରେ ବଞ୍ଚିବା, ଚଳିବା କଷ୍ଟକର କହିଲେ ଅତ୍ୟୁକ୍ତି ହେବ ନାହିଁ । ଗାନ୍ଧୀ ଏହି ପରି ଜଣେ ମହାପୁରୁଷ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଚିତ୍ର ବା ଫଟୋ ମାଧ୍ୟମରେ ଥାଆନ୍ତି, ତାହାର ଉଦାହରଣ ହେଲା ପ୍ରଚଳିତ “ଟଙ୍କା ବା ନୋଟ୍‍” । ଏହି ଯୁଗରେ ଟଙ୍କା ବିନା ଚଳିବା ବହୁ କଷ୍ଟକର ବ୍ୟାପାର । ଆମ ପାଖରେ କୌଣସି ମହାପୁରୁଷ ବା ଭଗବାନଙ୍କ ଫଟୋ ଥାଉ ବା ନଥାଉ ଗାନ୍ଧୀଙ୍କ ଫଟୋ ନିଶ୍ଚିତ ଥିବ । ସେହି ଫଟୋଥିବା ଟଙ୍କା ନ ଥିଲେ ଆମ ଦୈନନ୍ଦିନ ଚଳଣିରେ ଘୋର ବ୍ୟାଘାତ ସୃଷ୍ଟି ହେବ । ସେହି ମହାନ୍‍ ଆତ୍ମା ପ୍ରକୃତରେ ଆମର ସକଳ ଶକ୍ତିର ଆଧାର । ତାଙ୍କର ଚିତ୍ରକୁ ଆମେ ପାଖରେ ରଖୁଛୁ, ଶକ୍ତି ମିଳୁଛି ଓ ଜୀବନକୁ ବଞ୍ଚାଇ ପାରୁଛୁ, କିନ୍ତୁ ସେ କହିଯାଇଥିବା ବାଣୀ ଓ ଉପଦେଶକୁ ଆମେ କାର୍ଯ୍ୟରେ ଲଗାଇ ପାରୁନାହୁଁ । ଦେଶ ସ୍ୱାଧୀନ ଓ ଶାନ୍ତି ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ଅହିଂସା ମାଧ୍ୟମରେ ସେ ସାରା ପୃଥିବୀକୁ ଜୟ କରିପାରିଛନ୍ତି । ତାଙ୍କର ଜନ୍ମଦିନକୁ ଆନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରାଯାଉଛି । ଯାହାକି ଭାରତୀୟଙ୍କ ପାଇଁ ବହୁ ଗର୍ବର ବିଷୟ । ଗାନ୍ଧୀଙ୍କ ବାଣୀକୁ ନେଇ ସାରା ପୃଥିବୀରେ ଚର୍ଚ୍ଚା ହେଉଥିବା ବେଳେ ଆମେ କିନ୍ତୁ ତାଙ୍କ ବାଣୀକୁ ଚର୍ଚ୍ଚା ପରିଧିକୁ ଆଣୁ ନାହୁଁ, ଯାହାକି ବହୁ ଦୁଃଖଦାୟକ ବିଷୟ । ଆମେ ଯଦି ଗାନ୍ଧୀଙ୍କ ସେ ଅହିଂସା ନୀତିକୁ ଜୀବନରେ ଅବଲମ୍ବନ କରିବା ତେବେ ଭାରତରେ ଅଶାନ୍ତି, ଆତଙ୍କବାଦ, ନକ୍ସଲବାଦ୍‍ ପରି ବଡ଼ବଡ଼ ଘଟଣା ସୃଷ୍ଟି ହେବ ନାହିଁ ଏବଂ ଶାନ୍ତି ପ୍ରିୟ ଦେଶ ଗଠିତ ହୋଇପାରିବ ଓ ଦୃତ ବିକାଶରେ ସହାୟକ ହୋଇପାରିବ । ସମସ୍ତେ ଶାନ୍ତି ଓ ଆନନ୍ଦରେ ଜୀବନକୁ ସଠିକ୍‍ ପଥରେ ନେଇ ପାରିବେ । ଗାନ୍ଧୀ ଆମମାନଙ୍କର ପ୍ରକୃତରେ ପ୍ରତ୍ୟକ୍ଷ ଗୁରୁ । ଟଙ୍କାକୁ ଯେମିତି ସମସ୍ତେ ଭଲ ପାଆନ୍ତି, ସେହିପରି ଯଦି ଗାନ୍ଧୀଙ୍କ ବାଣୀ ଓ ଉପଦେଶକୁ ପାଳନ କରାଯାଏ, ତେବେ ପୃଥିବୀରେ ଆମ ଦେଶ ସବୁଠାରୁ ଶ୍ରେଷ୍ଠ ରାଷ୍ଟ୍ର ହୋଇପାରିବ ।

ସମୀର କୁମାର ସିଂହ, ସଂପାଦକ, ଓଡ଼ିଶା ନ୍ୟୁଜ୍