କଳ୍ପନା କରନ୍ତୁ କି, ଜୀବନ ହେଉଛି ପ୍ରେମ, ଉଲ୍ଲାସ, ଭୋକ ଓ ଭୟର ଏକ ମହାସାଗର; ଆଉ ଆମେ ସମେସ୍ତ ସେଥିରେ ଭାସୁଛନ୍ତି । ଏହାର ସୁନ୍ଦର ଓ ଭୟଙ୍କର, ଶକ୍ତିଶାଳୀ ଓ ସର୍ବଦା ବଦଳୁଥିବା ତରଙ୍ଗ ମଧ୍ୟରେ ଆମେ ବଞ୍ଚିବାକୁ ପ୍ରୟାସ ଚଳାଇଛନ୍ତି । ଏହି ମହା ସମୁଦ୍ରରେ ଯେଉଁଠି ପ୍ରେମ, ଆନନ୍ଦ ଓ ଅପାର ସୁଖ ରହିଛି, ସେଠି ଭୟ ମଧ୍ୟ ବି ରହିଛି । ସେହି ଭୟ ହେଉଛି – ମୃତ୍ୟୁର ଭୟ, ଭୋକର ଭୟ, ଦୁଃଖର ଭୟ, ଲାଭକ୍ଷତିର ଭୟ, ଭିଡ଼ ଭିତରେ ହଜିଯିବାର ଭୟ ଏବଂ ଅସଫଳ ରହିଯିବାର ଭୟ । ଏହି ମହା ସମୁଦ୍ରରେ ସାମୂହିକ ଏବଂ ନିରନ୍ତର ଯାତ୍ରାର ନାମ ଜୀବନ, ଯାହାର ଭୟାନକ ଗଭୀରତାରେ ଆମେ ସମସ୍ତେ ପହଁରୁଛେ । ଏହା ଏଥିପାଇଁ ଭୟାବହ ଯେ, ଏ ପର୍ଯ୍ୟନ୍ତ କେହି ଏହି ମହାସାଗରରୁ ରକ୍ଷା ପାଇବାକୁ ସକ୍ଷମ ହୋଇନାହାନ୍ତି କିମ୍ବା କେହି ରକ୍ଷା ପାଇପାରିବେ ନାହିଁ । ଯେଉଁ ବ୍ୟକ୍ତି ନିଜର ଭୟର ଗଭୀରତାରେ ପଶିବାର କ୍ଷମତା ରଖିଛନ୍ତି ଏବଂ ଏହି ମହାସାଗରକୁ ସତ୍ୟ ନିଷ୍ଠାର ସହ ଦେଖିବାର ସାହାସ ରଖିଛନ୍ତି-ସେ ହେଉଛନ୍ତି ହିନ୍ଦୁ । ହିନ୍ଦୁ ଧର୍ମ କେବଳ କିଛି ସାଂସ୍କୃତିକ ମାନ୍ୟତାରେ ସୀମିତ ବୋଲି କହିବା ତାହା ବାବଦରେ ଅଳ୍ପ ପାଠ ହେବ । ତାହାକୁ ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ର କିମ୍ବା ଭୂଭାଗ ବିଶେଷରେ ବାନ୍ଧି ରଖିବା ମଧ୍ୟ ତାହାର ଅବମାନନା ହେବ । ଭୟ ସହିତ ନିଜର ଆତ୍ମାର ସମ୍ବନ୍ଧକୁ ବୁଝିବା ଲାଗି ହିନ୍ଦୁ ଧର୍ମ ହେଉଛି ମନୁଷ୍ୟ ଦ୍ୱାରା ଆବିଷ୍କୃତ ଏକ ପଦ୍ଧତି । ସତ୍ୟକୁ ଅଙ୍ଗୀକାର କରିବାର ଏହା ଏକ ମାର୍ଗ । ସେହି ମାର୍ଗ କୌଣସି ଜଣେ ବ୍ୟକ୍ତିଙ୍କର ନୁହେଁ, ବରଂ ଏହାକୁ ଆଧାର କରି ଚାଲିବାକୁ ଚାହୁଁଥିବା ପ୍ରତ୍ୟେକ ବକ୍ତିଙ୍କପାଇଁ ଏହା ଉଦ୍ଦିଷ୍ଟ । ଜଣେ ହିନ୍ଦୁ ନିଜର ଜୀବନ କାଳ ଭିତରେ ସମସ୍ତ ପ୍ରାଣୀଙ୍କ ପତି କରୁଣା ଓ ଗରିମାର ସହିତ ଉଦାରପୂର୍ବକ ବ୍ୟବହାର ପ୍ରଦର୍ଶନ କରିଥାଏ । କାରଣ ସେ ଜାଣିଛି ଯେ, ଜୀବନରୂପୀ ଏହି ମହାସାଗରରେ ଆମେ ସମସ୍ତେ ବୁଡିବା ଏବଂ ଉଠିବାରେ ଲାଗିଛନ୍ତି । ବଞ୍ଚିବା ଲାଗି ସଂଘର୍ଷ କରୁଥିବା ସମସ୍ତ ପ୍ରାଣୀକୁ ରକ୍ଷା କରିବା ଲାଗି ସେ ଆଗେଇ ଆସିଥାଏ । ସବୁଠୁ ନିର୍ବଳ ଚିନ୍ତା ଓ ନିଶଦ୍ଦ ଚିତ୍କାର ପ୍ରତି ମଧ୍ୟ ସେ ସଚେତନ ଥାଏ । ନିର୍ବଳମାନଙ୍କୁ ସୁରକ୍ଷା ଦେବାର କର୍ତବ୍ୟ ହେଉଛି ତାହାର ଧର୍ମ । ସତ୍ୟ ଓ ଅହିଂସା ଶକ୍ତି ଦ୍ୱାରା ଦୁନିଆର ସବୁଠୁ ଅସହାୟର ଚିତ୍କାରକୁ ଶୁଣିବା ଏବଂ ତାହାର ସମାଧାନ ଖୋଜି ବାହାର କରିବା ମଧ୍ୟ ହେଉଛି ତାହାର ଧର୍ମ । ଜଣେ ହିନ୍ଦୁ ପାଖରେ ଭୟକୁ ଗଭୀର ଭାବରେ ଦେଖିବା ଏବଂ ତାହାକୁ ସ୍ୱୀକାର କରିବାର ସାହସ ରହିଛି । ଜୀବନର ଯାତ୍ରାପଥରେ ସେ ଭୟ ରୂପୀ ଶତ୍ରୁକୁ ମିତ୍ରରେ ବଦଳାଇଦେବା ଶିଖେ । ଭୟ କେବେ ତା’ ଉପରେ ପ୍ରଭାବ ବିସ୍ତାର କରନାହିଁ, ବରଂ ଜଣେ ଘନିଷ୍ଠ ସଖା ହୋଇ ତା’କୁ ଆଗକୁ ଯିବାର ବାଟ ଦେଖାଇଥାଏ । ଜଣେ ହିନ୍ଦୁର ଆତ୍ମା ଏତେ ଦୁର୍ବଳ ନୁହେଁ ଯେ ସେ ନିଜ ଭୟର ନିୟନ୍ତ୍ରଣରେ ଆସି କୌଣସି ପ୍ରକାର କ୍ରୋଧ, ଘୃଣା ବା ପ୍ରତିହିଂସାର ମାଧ୍ୟମ ପାଲଟିଯିବ । ହିନ୍ଦୁ ଜାଣିଥାଏ, କି ସଂସାରର ସମସ୍ତ ଜ୍ଞାନରାଶି ହେଉଛି ସାମୂହିକ ଏବଂ ସବୁ ଲୋକଙ୍କର ଇଚ୍ଛାଶକ୍ତି ଓ ପ୍ରୟାସରେ ତାହା ଉତ୍ପନ୍ନ ହୋଇଛି । ଏହା କେବଳ କାହା ଜଣଙ୍କର ସମ୍ପତି ନୁହେଁ । ଏଥିରେ ସମସ୍ତଙ୍କର କିଛି ନା କିଛି ଅବଦାନ ରହିଛି । ସେ ଜାଣିଥାଏ କି, କିଛି ବି ସ୍ଥାୟୀ ନୁହେଁ ଏବଂ ସଂସାରୂପୀ ମହାସାଗରର ଏହି ଧାରାରେ ଜୀବନ ଲଗାତର ପରିବର୍ତନଶୀଳ । ଜ୍ଞାନ ପ୍ରତି ଉତ୍କଟ ଜିଜ୍ଞାସାର ଭାବନା ଦ୍ୱାରା ସଂଚାଳିତ ହିନ୍ଦୁର ବିବେକ ସର୍ବଦା ଖୋଲା ରହିଥାଏ । ସେ ବିନମ୍ର ହୋଇଥାଏ ଏବଂ ଏହି ଭବସାଗରରେ ବିଚରଣ କରୁଥିବା ଯେ କୌଣସି ବ୍ୟକ୍ତିଠାରୁ ବି ଶୁଣିବାକୁ ଓ ଶିଖିବାକୁ ସେ ପ୍ରସ୍ତ୍ରୁତ ଥାଏ । ହିନ୍ଦୁ ସମସ୍ତ ପ୍ରାଣୀଙ୍କୁ ଶ୍ରଦ୍ଧା କରିଥାଏ । ସେ ଜାଣିଥାଏ କି, ଏହି ମହାସାଗରରେ ପହଁରିବା ପାଇଁ ସମସ୍ତଙ୍କର ନିଜସ୍ୱ ପଥ ଓ ପଦ୍ଧତି ରହିଛି । ନିଜ ରାସ୍ତାରେ ଚାଲିବାର ଅଧିକାର ସମସ୍ତଙ୍କର ରହିଛି । ସେ ସବୁ ରାସ୍ତାକୁ ଶ୍ରଦ୍ଧା କରେ, ସମସ୍ତଙ୍କୁ ଆଦର କରେ ଏବଂ ସେମାନଙ୍କର ଉପସ୍ଥିତିକୁ ସଂପୂର୍ଣ୍ଣ ନିଜର ଭାବି ସ୍ୱୀକାର କରେ ।
ରାହୁଲ ଗାନ୍ଧୀ, ସାଂସଦ
ପୂର୍ବତନ ସଭାପତି ଅଖିଳ ଭାରତ କଂଗ୍ରେସ କମିଟି