ଓଡ଼ିଶା ସରକାରଙ୍କ ଦୁର୍ନୀତି ଓ ଅପାରଗତାକୁ ସିଏଜି ପଦାରେ ପକାଇଛନ୍ତି ।

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ବଜେଟର ଆକାର ଆଜି ବହୁତ ବଡ଼ ବୋଲି ମିଛ ପ୍ରଚାର କରିଚାଲିଛନ୍ତି । ବଜେଟରେ ବ୍ୟୟବରାଦ ହୋଇଥିବା ଖର୍ଚ୍ଚକୁ ଆଦୌ ଖର୍ଚ୍ଚ କରୁ ନାହାନ୍ତି । କିନ୍ତୁ ସେହି ବିଭାଗ ପାଇଁ ପୁଣି ଅତିରିକ୍ତ ବଜେଟ ଉପସ୍ଥାପନ କରୁଛନ୍ତି ଏବଂ ଅର୍ଥ ମଧ୍ୟ ବ୍ୟୟବରାଦ ହେଉଛି କିନ୍ତୁ ଏସବୁ ପ୍ରକୃତରେ ଓଡ଼ିଶାର ଜନସାଧାରଣଙ୍କୁ ଭେଳିକ ଦେଖାଉଛନ୍ତି ବୋଲି ଗୁରୁବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଇସ୍ତାହାର କମିଟିର ଅଧ୍ୟକ୍ଷ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ ସାମ୍ବାଦିକମାନଙ୍କୁ କହିଥିଲେ । ରାଜ୍ୟରେ ଏକ ଜନବିରୋଧି ସରକାର ଚାଲିଛି । ଏକଥା ଆମେ କହୁ ନାହୁଁ । ଏକଥା ଖୋଦ ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟ ସରକାରଙ୍କର ପ୍ରତିବର୍ଷ ବଜେଟର ୩୦% ରୁ ଅଧିକ କାର୍ଯ୍ୟକ୍ରମ (ପ୍ରୋଗାମ) ଖର୍ଚ୍ଚ ହୁଏ ନାହିଁ ଏବଂ ୧୫% ରେଭେନିୟୁ ଖର୍ଚ୍ଚ ହୁଏ ନାହିଁ । ଶହ ଶହ ଯୋଜନାକୁ ସରକାର ଘୋଷଣା କରନ୍ତି କିନ୍ତୁ ୨୦୨୧-୨୨ ଆର୍ଥିକ ବର୍ଷରେ ୯୩ଟି ଯୋଜନାର ବଜେଟରେ ଯେଉଁ ଅର୍ଥରାଶି ବ୍ୟୟବରାଦ ହୋଇଥିଲା ତାହା ଏକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇନାହିଁ । ତେଣୁ ଏସବୁ ଯୋଜନା କାହିଁକି ଘୋଷଣା କରାଯାଇଥିଲା । ଏହା କେବଳ ପ୍ରଚାର ସବ୍ୱର୍ସ ଛଡ଼ା ଓଡ଼ିଶାର ଜନସାଧାରଣଙ୍କର ହିତ ପାଇଁ ଏହି ଯୋଜନା ଲାଗୁ କରାଯାଇ ନାହିଁ । ମିଛ ପ୍ରଚାର ଖୁବ ଜୋର ଆତ୍ମ ପ୍ରଚାର ଛଡ଼ା ଏ ରାଜ୍ୟରେ ଆଉ କିଛି ହେଉ ନାହିଁ । ମୁଖ୍ୟମନ୍ତ୍ରୀ ୧ ନମ୍ବର ରାଜ୍ୟରେ ୫ଟି ଇନିସିଏଟିଭର କାର୍ଯ୍ୟକ୍ରମ ହେଉଛି ବୋଲି ଜୋରସୋର ପ୍ରଚାର ହେଉଛି କିନ୍ତୁ ବର୍ଷ ବର୍ଷ ଧରି ଶହ ଶହ ଯୋଜନାର ଟଙ୍କାଟିଏ ବି ଖର୍ଚ୍ଚ ହେଉନାହିଁ କାହିଁକ ? ଏହା କଣ ଟିମ ୱାର୍କ, ଟେକ୍ନୋଲୋଜି ବ୍ୟବହାର, ଟାଇମ ଏବଂ ଟ୍ରାନ୍ସଫରେନ୍ସି କାର୍ଯ୍ୟକ୍ରମର ଫଳ କି ? ସବୁଠାରୁ ବଡ଼ କଥା ହେଲା ୨୦୧୮-୧୯ ଆର୍ଥିକ ବର୍ଷରେ ୧୯ ହଜାର କୋଟି ଟଙ୍କା, ୨୦୧୯-୨୦ ରେ ୨୫ ହଜାର କୋଟି, ୨୦୨୦-୨୧ ରେ ୪୩ ହଜାର କୋଟି ଟଙ୍କା ୨୦୨୧-୨୨ ରେ ୪୦ ହଜାର କୋଟି ଟଙ୍କାର ବଜେଟର ବ୍ୟୟବରାଦ ରାଶିର ଖର୍ଚ୍ଚ ହୋଇପାରି ନାହିଁ । ଗତ ୪ ଆର୍ଥିକ ବର୍ଷରେ ୧ଲକ୍ଷ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ନହୋଇ ଟଙ୍କା ପଡ଼ି ରହିଲା ଏହା ସରକାରଙ୍କର ଜନପ୍ରୀତି ନା ଜନବିରୋଧି ବୋଲି ସେ ପ୍ରଶ୍ନ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ୫ଟି ଅଧିନରେ ଥିବା କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ନକରି ପାରିବାରୁ ଫେରି ଯାଇଛି । ଏହାଦ୍ୱାରା ରାଜ୍ୟରେ ପ୍ରୋଗାମ ଖର୍ଚ୍ଚ ବହୁପରିମାଣରେ କମି କମି ଯାଉଛି । ରାଜ୍ୟର ପ୍ରତ୍ୟେକ ବାସହୀନଙ୍କୁ ମୁଖ୍ୟମନ୍ତ୍ରୀ ୨୦୧୮ ମସିହା ସୁଧା ଛାତ ଘର ଯୋଗାଇ ଦେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସିଏଜି ଓଡ଼ିଶାର ସରକାରଙ୍କର ଗ୍ରାମାଞ୍ଚଳର ଆବାସ ଯୋଜନାର ଦୁର୍ନୀତି, ଅପାରଗତାକୁ ଅତି କୋଠର ଭାଷାରେ ସମାଲୋଚନା କରିଛନ୍ତି । ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି ରାଜ୍ୟରେ ୮ଲକ୍ଷ ୫୯ ହଜାର ଆବାସ ଯୋଜନାର ହିତାଧିକାରୀଙ୍କ ନାମ ଗ୍ରାମସଭା ଏବଂ ପଞ୍ଚାୟତର ଲିଷ୍ଟରେ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଲିଷ୍ଟରେ ଅଦଳ ବଦଳ କରି ଦିଆଯାଇଥିଲା । ଯଦ୍ୱାରାକି ୮ଲକ୍ଷ ୫୯ ହଜାର ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଲେ । ଏପରିକି ରାଜ୍ୟରେ ଜଣେ ହେଲେ ଭୂମିହୀନ ରହିବେ ନାହିଁ ବୋଲି ଖୋଦ ମୁଖ୍ୟମନ୍ତ୍ରୀ ପ୍ରଚାର କରୁଥିଲେ ମଧ୍ୟ ରାଜ୍ୟରେ ୫ଲକ୍ଷ ୭୬ ହଜାର ଭୂମିହୀନଙ୍କ ମଧ୍ୟରୁ ୭୦ ଭାଗ ଭୂମିହୀନଙ୍କୁ ଭୂମି ଚାଖଣ୍ଡେ ଦେଇ ପାରିଲେ ନାହିଁ ବୋଲି ସେମାନେ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହେଲେ । ଗୋଟେ ପଟେ କେନ୍ଦ୍ର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ସୁଦ୍ଧା ସାରା ଦେଶଷର ସମସ୍ତ ବାସହୀନଙ୍କୁ ଛାତ ଘର ଯୋଗାଇଦେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହେଲା ନାହିଁ । ଏବେ ୨୦୨୪ ମସିହା ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦେବା ପାଇଁ ମିଛ ପ୍ରତିଶ୍ରୁୂତି ଦେଉଛନ୍ତି । ରାଜ୍ୟରେ ସିଏଜିଙ୍କ ଦ୍ୱାରା ଅଳ୍ପ କିଛି ଘରକୁ ନେଇ ଯେଉଁ ତଥ୍ୟ ସାମନାକୁ ଆସିଛି ତାହା ଏ ସରକାରର ଦୁର୍ନୀତିକୁ ପଦାରେ ପକାଇଛି । ଅଧିକାଂଶ ଘରେ ବିଜୁଳି ସଂଯୋଗ ହୋଇନାହିଁ, ପାଣି ସଂଯୋଗ ହୋଇନାହିଁ ଏପରିକି ପାଇଖାନା ଘର ମଧ୍ୟ ହୋଇନାହିଁ । ଏସବୁ ଅନିୟମିତତା କୁ ରାଜ୍ୟ ସରକାରଙ୍କ ଦେଖିପାରିଲେ ନାହିଁ କିପରି? ବିଜୁ ବାବୁଙ୍କ ଲୋଗ ଲଗାଇବାପାଇଁ ପ୍ରତିଘରେ ୫୮୦ ଟଙ୍କା ଲୋଗଟି ପାଇଁ ଖର୍ଚ୍ଚ କରିଛନ୍ତି ତାହା ପ୍ରକୃତ ମୂଲ୍ୟ ୧୫୦ ଟଙ୍କାରୁ ଅଧିକ ହେବ ନାହିଁ । ରାଜ୍ୟର କର ପଇସାରେ ଏଭଳି ଶ୍ରାଦ୍ଧ କ’ଣ ଏକ ଜନପ୍ରିୟ ସରକାର କରିବା ଉଚିତକି ? ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକମାନଙ୍କୁ କହିଥିଲେ ଯେ ରାଜ୍ୟରେ ୩୧୫୯ ଟି ଘର ହିତାଧିକାରୀ ଏ ରାଜ୍ୟର ଅଧିବାସୀ ନୁହଁନ୍ତି । ତାହାଲେ ଏହାର ହିତାଧିକାରୀ କିଏ ? ଏହା କିପରି ସରକାରୀ ଅଧିକ।।ରୀମାନେ ଜାଣିଲେ ନାହିଁ ଏହା କଣ ସରକାରଙ୍କର ଟ୍ରାନନ୍ସଫରମେସନ ଫଳ କି ? କୋଟି କୋଟି ଟଙ୍କା ଆତ୍ମସାତ କରୁଛନ୍ତି କିଛି ଅସାଧୁ ଅଫିସର ଏବଂ ରାଜ୍ୟ ସରକାରଙ୍କ ନେତୃବୃନ୍ଦ । ରାଜ୍ୟ ସରକାର ଯଦି ନିଜକୁ ସ୍ୱଚ୍ଛ ବୋଲି ଭାବୁଛନ୍ତି ତାହାଲେ ସିଏଜି ରିପୋର୍ଟକୁ ଖଣ୍ଡନ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ ଶତଥି ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।