ନବୀନ ବାବୁ ରାଜନୈତିକ ଫାଇଦା ପାଇଁ ସାମ୍ପ୍ରଦାୟିକ ବୟାନବାଜି କରୁଛନ୍ତି : ଅନିଲ ବିଶ୍ୱାଳ

ଭୁବନେଶ୍ୱର : ନବୀନ ବାବୁ ନିଜେ କ୍ରମାଗତ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ସେ ପ୍ରଥମେ ଉତର ଦିଅନ୍ତୁ ଯେ, କନ୍ଧମାଳ ଦଙ୍ଗା ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ ? ୨୦୧୭ରେ ରାମ ନବମୀ ସମୟରେ ଭଦ୍ରକରେ ହୋଇଥିବା ଦଙ୍ଗା ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ଥିଲେ ? ନିଜେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ନା ନାହିଁ ତାହା ସ୍ପଷ୍ଟ କରନ୍ତୁ । ୨୦୨୧ରେ ସମ୍ବଲପୁର ହନୁମାନ ଜୟନ୍ତୀ ସମୟରେ ହୋଇଥିବା ପଥରମାଡ ଆଉ ଦଙ୍ଗା ସମୟରେ ରାଜ୍ୟରେ କେଉଁ ଦଳ ଶାସନ କରୁଥିଲା ? ୨୪ ବର୍ଷରେ ଓଡିଶାରେ ଅଶାନ୍ତି ବାଣ୍ଟିଥିବା ନବୀନ ବାବୁ ଏବେ ନିଜର ରାଜନୈତିକ ରୁଟି ସେକିବା ପାଇଁ ଶେଷରେ ସାମ୍ପ୍ରଦାୟିକ ବୟାନ ବାଜି କରିବା ନିନ୍ଦନୀୟ ବୋଲି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି । ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଏବେ ଭଦ୍ରକରେ ହୋଇଥିବା ଦଙ୍ଗାରେ ଗିରଫ ହୋଇଥିବା ଦଙ୍ଗାକାରିମାନଙ୍କ ଫଟୋ ବିଜେଡିର ବିଧାୟକଙ୍କ ସହିତ ରହିଛି । ସେମାନେ ବିଜେଡିର ସକ୍ରିୟ ଓ ଆଗ ଧାଡିର ସଦସ୍ୟ ଅଟନ୍ତି । ୨୦୧୭ ମସିହାରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ଓଡିଶା ସାମ୍ପ୍ରଦାୟୀକ ହିଂସାରେ ଦେଶରେ ତିନି ନମ୍ବର ସ୍ଥାନରେ ଥିଲା । ୨୦୨୨ର ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ଓଡିଶାରେ ମାତ୍ର ଗୋଟିଏ ବର୍ଷରେ ୧୫ରୁ ଅଧିକ ସାମ୍ପ୍ରଦାୟୀକ ଦଙ୍ଗା ହୋଇଥିଲା । ଏହା କଣ ନବୀନ ବାବୁଙ୍କର ସୁଶାସନର ପ୍ରତିକ ଥିଲା କି ? ଉତର ପ୍ରଦେଶର ଗ୍ୟାଙ୍ଗଷ୍ଟାର ତଥା ସାମ୍ପ୍ରଦାୟୀକ ଦଙ୍ଗାର ଅପରାଧୀ ରାଜା ଖାନକୁ ଯେତେବେଳେ ଓଡିଶାରେ ବିଜେଡିର ଜଣେ ତତକାଳିନ ବିଧାୟକ ସୁରକ୍ଷା ଦେଇଥିଲେ, ସେତେବେଳେ ନବୀନ ବାବୁ କାହିଁକି ଚୁପ ଥିଲେ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।