୨୪ ବର୍ଷ ଧରି ପଛୁଆବର୍ଗଙ୍କୁ ପ୍ରତାରଣା କରିଛି ବିଜେଡି

ଭୁବନେଶ୍ୱର : ୨୪ ବର୍ଷ ଶାସନରେ ବିଜୁ ଜନତା ଦଳ ସରକାର ୫୪ ଭାଗ ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି । ନିଜେ ନବୀନ ବାବୁ ଏବଂ ତାଙ୍କ ଦଳ ବିଜେଡି ସମ୍ପୂର୍ଣ୍ଣ ଭାବେ ପଛୁଆବର୍ଗ ବିରୋଧୀ । ଶିକ୍ଷା, ନିଯୁକ୍ତି, ଏବଂ ରାଜନୈତିକ ପ୍ରତିନିଧିତ୍ୱ କ୍ଷେତ୍ରରେ ଏହି ବର୍ଗଙ୍କୁ ବଞ୍ଚିତ କରିଛି ବିଜେଡି । ବିଜେଡି ଦଳରେ ପଛୁଆବର୍ଗ ପାଇଁ କୌଣସି ସେଲ୍ ନଥିବା, ପଛୁଆବର୍ଗ ପ୍ରତି ତାଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ନିଜ ଦଳ ଭିତରେ ତୀବ୍ର ଗୋଷ୍ଠୀ କନ୍ଦଳ, ବିଦ୍ରୋହ ଏବଂ ଜଣକ ପରେ ଜଣେ ଦଳ ଛାଡ଼ୁଥିବାବେଳେ ସେଥିରୁ ଦୃଷ୍ଟି ହଟାଇବାକୁ ଯାଇ ବିଜେଡିର ନେତାମାନେ ଅନେକ ବୟାନବାଜୀ ଓ ନାଟକ ଆରମ୍ଭ କରିଦେଇଛନ୍ତି । ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି । ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ବିଜେଡି ଆତ୍ମଚିନ୍ତନ କରିବା ବଦଳରେ ଏବେ ହୀନ ରାଜନୀତି କରୁଛି । ଦୀର୍ଘ ୨୪ ବର୍ଷ ଶାସନରେ ରହିବା ସତ୍ୱେ ପଛୁଆବର୍ଗଙ୍କ ମୌଳିକ ଅଧିକାର ସମ୍ପର୍କରେ କର୍ଣ୍ଣପାତ କରିନଥିଲା ବିଜେଡି । ଅନ୍ୟ ସମସ୍ତ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ନାମ ଲେଖା ପାଇଁ ଓବିସିବର୍ଗର ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ମିଳୁଥିଲାବେଳେ ତତ୍କାଳୀନ ବିଜେଡି ସରକାର ସଂରକ୍ଷଣ ନଦେବା ଫଳରେ ଆମ ରାଜ୍ୟର ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ବିଜେଡି ଶାସନ ଥିବା ସମୟରେ ଯେଉଁ ପ୍ରଶ୍ନ ବିଜେପି ପକ୍ଷରୁ ପଚରାଯାଇଥିଲା, ଆଜି ସେମାନେ ଓଲଟା ସେହି ପ୍ରଶ୍ନ ପଚାରୁଛନ୍ତି । ଅପରପକ୍ଷେ ଓବିସିମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ସାମ୍ବିଧାନିକ ଅଧିକାର ଦେବାକୁ ଯଦି କେହି ଉଦ୍ୟମ କରିଥାନ୍ତି, ସେ ହେଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ସେ ତାଙ୍କ ନିଜ ମନ୍ତ୍ରୀମଣ୍ଡଳରେ ୨୭ ଜଣ ଓବିସିଙ୍କୁ ସ୍ଥାନ ଦେଇ ଏହାକୁ ପ୍ରମାଣିତ କରିଛନ୍ତି । ଦେଶରେ ପ୍ରଥମକରି ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ଦେଇଛନ୍ତି ମୋଦିଜୀ । ସେ ଓବିସିମାନଙ୍କ ପାଇଁ ଡାକ୍ତରୀ ପାଠପଢ଼ା, ଇଞ୍ଜିନିୟରିଂ, ସୈନିକ ସ୍କୁଲ, ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ସବୁଠି ୨୭ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିଛନ୍ତି । ଓଡ଼ିଶାରେ ବିଜେପି ଯେଉଁ ସଂକଳ୍ପପତ୍ର ଘୋଷଣା କରିଥିଲା, ସେଥିରେ ଓବିସିଙ୍କ ଦାବି ସମ୍ପର୍କରେ ସ୍ପଷ୍ଟତା ଅଛି । ଏବେ ସଂକଳ୍ପପତ୍ର୍ରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ଗୋଟିକ ପରେ ଗୋଟିଏ ପୂରଣ କରାଯାଉଛି । ଏଥିରେ ବିଜେଡିର କୌଣସି ଚିନ୍ତାପ୍ରକଟ କରିବାର ଆବଶ୍ୟକତା ନାହିଁ । ଅପରପକ୍ଷେ ବିଜେଡି ଓବିସିଙ୍କ ଅବା ପଛୁଆବର୍ଗଙ୍କ ପାଇଁ କିଛି ନକରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି । ଦୀର୍ଘଦିନ ଧରି ରାଜ୍ୟରେ ଓବିସି କମିଶନ ପଦବୀ ଖାଲି ପଡ଼ିଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ଚିଠି ଲେଖିବାପରେ ବହୁ ବିଳମ୍ବରେ କମିଶନ ଗଠନ କରାଗଲା, କିନ୍ତୁ ତାଙ୍କୁ ସାମ୍ବିଧାନିକ କ୍ଷମତା ଦିଆଯାଇ ନଥିଲା । ଏହା ଧର୍ମକୁ ଆଖିଠାର ସଦୃଶ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଓବିସି ବର୍ଗର ଯୁବତୀ ଯୁବକଙ୍କ ଆତ୍ମନିଯୁକ୍ତି ପାଇଁ ଓବିସି ଫାଇନାନ୍ସ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ ରହିଛି । ମାତ୍ର ଦୀର୍ଘଦିନ ହେବ ଏହି ନିଗମ ଅଚଳ ହୋଇପଡ଼ିଛି । ଏହାର କାରଣ କ’ଣ ବିଜେଡି ସ୍ପଷ୍ଟ କରିବ କି ? ଏହାର ଅର୍ଥ କିଏ ଲୁଟ୍ କଲା ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସିବର୍ଗଙ୍କୁ ଦୀର୍ଘଦିନ ହେବ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିଲା । ମାତ୍ର ବିଜେଡି ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରି ମିଥ୍ୟା ତଥ୍ୟ ଉପସ୍ଥାପନ କରି ଓବିସିବର୍ଗଙ୍କୁ ସେଥିରୁ ବଞ୍ଚିତ କରିଥିଲା । ଲୋକେ ଏହି ଆକ୍ରୋଶକୁ ଏବେବି ଭୁଲିପାରି ନାହାଁନ୍ତି । ବିଜେଡି ଯେଉଁ ଜାତି ଜନଗଣନା ବିଷୟରେ କହୁଛି ସେଥିରେ ଆମର ପ୍ରଶ୍ନ ଯେ, ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରି ଓଡ଼ିଶାରେ ବିଜେଡି ସରକାର ଯେଉଁ ଓବିସି ସର୍ଭେ କରିଥିଲେ, ସେହି ରିପୋର୍ଟ କୁଆଡ଼େ ଗଲା ? ବିଜେଡି ଏବେ କେବଳ ରାଜନୀତି ପାଇଁ ଲୋକଙ୍କୁ ଭୁଆଁ ବୁଲେଇବାକୁ ଉଦ୍ୟମ କରୁଛି । ନିର୍ବାଚନରେ ହାରିଯିବା ପରେ ଏବେ ପଛୁଆବର୍ଗଙ୍କ କଥା ଉଠାଇବା ଲଜ୍ଜ୍ୟାଜନକ, ଦୁଃଖଦାୟକ ଅଟେ । ରାଜ୍ୟରେ ବିଜେପି ସରକାର ଏବେ ଆସିଛି । ସରକାର ଓ ଆମ ଦଳ ଓଡିଶାରେ ଓବିସି ଓ ଏସ୍‌ଇବିସିମାନଙ୍କୁ ଉଭୟ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବାକୁ ଦୃଢ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ ।