ରାହୁଲ ଗାନ୍ଧୀ ଓ ତାଙ୍କ ପରିବାର ସବୁବେଳେ ସଂରକ୍ଷଣ ବିରୋଧରେ ଷଡ଼ଯନ୍ତ୍ର କରି ଆସିଛନ୍ତି

ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁହନ୍ତି, ଭାରତୀୟ ସମ୍ବିଧାନ ଆମ ପାଇଁ ଜାତୀୟ ଗ୍ରନ୍ଥ ଅଟେ । ସେ ଥିବା ପର୍ଯ୍ୟନ୍ତ ସମ୍ବିଧାନ ଏବଂ ସଂରକ୍ଷଣକୁ କେବେ ବି କ୍ଷତି ପହଂଚିବ ନାହିଁ । କଂଗ୍ରେସ ପାଇଁ ସମ୍ବିଧାନ ରାଜନୈତିକ ସାଧନ ହୋଇପାରେ, କିନ୍ତୁ ଭାଜପା ପାଇଁ ସମ୍ବିଧାନ ହେଉଛି ଶ୍ରଦ୍ଧା ଏବଂ ଆସ୍ଥାର କେନ୍ଦ୍ର । କଂଗ୍ରେସର ପୂର୍ବତନ ସଭାପତି ତଥା ଲୋକ ସଭାର ବିରୋଧି ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଓ ତାଙ୍କ ଦଳ ଦ୍ୱାରା ଲୋକସଭା ନିର୍ବାଚନ ସମୟରେ ବିଜେପି ବିରୋଧରେ ଦେଶରେ ମିଥ୍ୟା ପ୍ରଚାର କରାଗଲା ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ସଂରକ୍ଷଣ ହଟାଇ ଦେବେ । ଏବେ କିଛିଦିନ ତଳେ ରାହୁଲ ଗାନ୍ଧୀ ଆମେରିକା ଯାଇଥିବାବେଳେ କହିଛନ୍ତି, କଂଗେସ କ୍ଷମତାକୁ ଆସିଲେ ସଂରକ୍ଷଣ ହଟାଇ ଦିଆଯିବ । ଯଦ୍ୱାରା କଂଗ୍ରେସର ଷଡ଼ଯନ୍ତ୍ର ଓ ଭିତିିରି ଉଦ୍ଦେଶ୍ୟ ପଦାରେ ପଡ଼ିଯାଇଛି । ଏସ୍‌ସି, ଏସ୍‌ଟି ଏବଂ ଓବିସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାକୁ ଶେଷ କରି ସେମାନଙ୍କୁ ସାଧାରଣ ଶ୍ରମିକ ଓ ଚାଷୀ ଭଳି ବ୍ୟବହାର କରିବା କଂଗ୍ରେସର ନୀତି ବୋଲି ସାମ୍ବାଦିକ ସମ୍ମିଳନୀ ଓ ପରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରୀୟ ନେତା ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମିଥିଲେଶ କୁମାର କାଠେରିଆ କହିଛନ୍ତି । ଶ୍ରୀ ମିଥିଲେଶ କହିଛନ୍ତି ଯେ, କଂଗ୍ରେସ ପାର୍ଟି ୫୭ ବର୍ଷ ପର୍ଯ୍ୟନ୍ତ ଦେଶରେ ଶାସନ କରିଥିଲେ । କଂଗ୍ରେସ କେବେହେଳେ ସମ୍ବିଧାନର ମୂଳ ସିଦ୍ଧାନ୍ତ ଓ ସଂରକ୍ଷଣକୁ ଠିକ୍ ଭାବେ ଲାଗୁ କରିବାକୁ ଚେଷ୍ଠା କରିନାହିଁ । ଜବାହାରଲାଲ ନେହେରୁ ଦେଶରେ ପ୍ରଧାନମନ୍ତ୍ରୀ ଥିଲାବେଳେ ୧୯୫୬ରେ କାକା କାଲେକରଙ୍କ ପକ୍ଷରୁ ଦିଆଯାଇଥିବା ସଂରକ୍ଷଣ ରିର୍ପୋଟକୁ ଖାରଜ କରିଦେଇଥିଲେ । ସେତେବେଳେ କାକା କାଲେକରଜୀ କହିଥିଲେ, ଦେଶରେ ଥିବା ଦଳିତ ଓ ପଛୁଆ ବର୍ଗର ଲୋକଙ୍କ ବିକାଶ ପାଇଁ ସଂରକ୍ଷଣ ବ୍ୟବସ୍ଥା ଜରୁରୀ । ମାତ୍ର ନେହେରୁ ସରକାର ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ । ୧୯୬୧ରେ ନେହେରୁ ସରକାର ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖି ଦର୍ଶାଇଥିଲେ ଯେ, ଆମେ ସଂରକ୍ଷଣ ଦେଉଛୁ କିନ୍ତୁ ଏହି ଲୋକେମାନେ ଠିକ୍ ନୁହନ୍ତି । ତେଣୁ ସେମାନଙ୍କ ସଂରକ୍ଷଣକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଡ. ବାବାସାହେବ ଭୀମରାଓ ଆମ୍ବେଦକର ଦଳିତ ଓ ପଛୁଆ ବର୍ଗଙ୍କ ପାଇଁ ସମ୍ବିଧାନ ଜରିଆରେ ସଂରକ୍ଷଣ ଦେବାକୁ ଉଦ୍ୟମ କରୁଥିବାରୁ ନେହେରୁ ତାଙ୍କ ରାଜନୈତିକ ଜୀବନ ଶେଷ କରିଦେବାକୁ ଉଦ୍ୟମ କରିଥିଲେ । ଏପରିକି ୧୯୫୨ ନିର୍ବାଚନ ଓ ୧୯୫୪ ଉପନିର୍ବାଚନରେ ନେହେରୁ ତାଙ୍କୁ ହରାଇବାକୁ ଷଡ଼ଯନ୍ତ୍ର କରିଥିଲେ । ଅପରପକ୍ଷେ ଡ. ଭୀମରାଓ ବାବାସେହେବ ଆମ୍ବେଦକର ସଂରକ୍ଷଣ ପାଇଁ ସମ୍ବିଧାନରେ ଯେଉଁ ପ୍ରାବଧାନ ରଖିଥିଲେ ତାହାକୁ ଠିକ୍ ଭାବେ ଲାଗୁ କରିବା କାମ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କରିଛନ୍ତି । ସେ ବାବାସାହେବ ଆମ୍ବେଦକରଙ୍କୁ ସ୍ମରଣ କରି “ଭୀମ ଆପ”ର ଶୁଭାରମ୍ଭ କରିଥିଲେ । ଏହା ମାଧ୍ୟମରେ ନିମ୍ନ ମଧ୍ୟମବର୍ଗର ବ୍ୟବସାୟୀ, କୃଷକ ଏବଂ ଗରିବ ଲୋକଙ୍କୁ ସଶକ୍ତ କରାଯାଇଛି । ଶ୍ରୀ ମୋଦିଜୀ ଓ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ୭୦ବର୍ଷ ପରେ ଜମ୍ମୁ କାଶ୍ମୀରର ଅନୁସୂଚିତ ଜନଜାତି ବର୍ଗକୁ ସାମାଜିକ ନ୍ୟାୟ ଏବଂ ସମ୍ମାନ ମିଳିିପାରିଛି । ସେଠାରୁ ଧାରା ୩୭୦ ଓ ୩୫ଏ ହଟିବା ପରେ ଏବେ ଯେଉଁ ନିର୍ବାଚନ ହେଉଛି ସେଥିରେ ଅନୁସୂଚିତଜାତି ବର୍ଗକୁ ୭ ଏବଂ ଅନୁସୂଚିତ ଜନଜାତି ବର୍ଗକୁ ୯ଟି ଆସନ ଦେବା ପାଇଁ ସ୍ଥିର କରାଯାଇଛି । ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳରେ୧୯୭୫ରେ ଆପାତକାଳୀନ ପରିସ୍ଥିତି ଲାଗୁ କରି ସମ୍ବିଧାନର ଆତ୍ମାକୁ ଦଳି ଦିଆଯାଇଥିଲା । ମଣ୍ଡଲ ଆୟୋଗ ରିପୋର୍ଟକୁ ଅମାନ୍ୟ କରି ଓବିସି ସଂରକ୍ଷଣରେ ବିଳମ୍ବ କରାଯାଇଥିଲା । ୧୯୬୬ରୁ ୧୯୭୭ ପର୍ଯ୍ୟନ୍ତ, ସମ୍ବିଧାନରେ ୨୫ଥର ସଂଶୋଧନ କରାଯାଇଥିଲା । ୪୨ତମ ସଂଶୋଧନରେ ୪୧ଟି ଅନୁଚ୍ଛେଦରେ ସଂଶୋଧନ କରାଯାଇଥିଲା ଏବଂ ୧୧ଟି ନୂଆ ଅନୁଚ୍ଛେଦ ଯୋଡ଼ାଯାଇଥିଲା । ଅପରପକ୍ଷେ ୨୦୧୪ ମୋଦିଜୀଙ୍କ କାର୍ଯ୍ୟ କାଳରେ ମାତ୍ର ୮ ଥର ସଂଶୋଧନ ହୋଇଥିଲା, ଯାହାକି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗଙ୍କ ହିତକୁ ଧ୍ୟାନରେ ରଖି କରାଯାଇଥିଲା । ଏହି ସଂଶୋଧନ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଶୋଧନଗୁଡ଼ିକ ହେଲା, ୨୦୧୭ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ(ଏନ୍‌ସିବିସି)କୁ ସାମ୍ବିଧାନିକ ମାନ୍ୟତା ଦିଆଯିବା ସହ ୨୦୧୯ରେ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ସଂରକ୍ଷଣ ଆରମ୍ଭ ହୋଇଥିଲା । ୨୦୧୯ରେ ଅର୍ଥ ଆୟୋଗ ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚିତ ସମ୍ପର୍କିତ ପ୍ରାବଧାନରେ ସଂଶୋଧନ ହୋଇଥିଲା । ୨୦୧୯ରେ ଲୋକସଭା ଓ ବିଧାନସଭାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସଂରକ୍ଷଣକୁ ୧୦ ବର୍ଷ ପାଇଁ ବିସ୍ତାର କରାଯାଇଥିଲା । ୨୦୨୧ରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ନିଜର ଓବିସି ସୂଚୀରେ ପରିବର୍ତନ କରିବାର ଅଧିକାର ଦିଆଯାଇଥିଲା । ସେହିପରି କଂଗ୍ରେସର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଶ୍ରୀ ରାଜୀବ ଗାନ୍ଧୀ ୩ ମାର୍ଚ୍ଚ ୧୯୮୫ରେ ଏସ୍‌ସି ସଂରକ୍ଷଣ ସମ୍ବନ୍ଧରେ ଟିପ୍ପଣି ଦେଇ କହିଥିଲେ ଯେ, ଆମେ ସଂରକ୍ଷଣ ଦ୍ୱାରା ମୁର୍ଖମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ ନୁହେଁ । ରାଜୀବ ଗାନ୍ଧୀ ସେତବେଳେ ମଣ୍ଡଳ ଆୟୋଗ ରିପୋର୍ଟକୁ ବିରୋଧ କରିଥିଲେ । ୧୯୯୦ରେ ସେ ଲୋକସଭାରେ ସଂରକ୍ଷଣକୁ ପ୍ରବଳ ବିରୋଧ କରିଥିଲେ । ଏଥିସହ ମୁସ୍‌ଲମାନମାନଙ୍କୁ ସଂରକ୍ଷଣ ଦେବା ପାଇଁ ଓକିଲାତି କରିଥିଲେ । ଏହା ବାବାସାହେବ ଡ. ଆମ୍ବେଦକରଙ୍କ ମୂଳ ସମ୍ବିଧାନକୁ ବିରୋଧ କରୁଥିଲା । ସେ କୌଣସି ଧର୍ମକୁ ସଂରକ୍ଷଣ ଦିଆଯିବା ଉପରେ କେବେ କହି ନ ଥିଲେ ।
ଭାରତୀୟ ଜନତା ପାର୍ଟିର୍ ସବୁବେଳେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଆଗକୁ ନେବାକୁ ଚେଷ୍ଠା କରୁଥିବା ବେଳେ କଂଗ୍ରେସ ତାହାକୁ ସହି ନ ପାରି ବିରୋଧ କରୁଛି । ଜାମିଆ ମିଲିଆ (୨୦୧୧) ଏବଂ ଏଏମ୍‌ଯୁ (୧୯୮୧) ପରି ସରକାରୀ ସହାୟତାପ୍ରାପ୍ତ ସଂସ୍ଥାଗୁଡ଼ିକ ଦ୍ୱାରା ଅଲ୍ପସଂଖ୍ୟକ ସଂସ୍ଥା ଭାବେ ବର୍ଗୀକୃତ କରାଯାଇଥିଲା, ଏହାଦ୍ୱାରା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କୁ ସଂରକ୍ଷଣ ଦେବାକୁ ଅସ୍ୱୀକାର କରାଯାଇଥିଲା । କଂଗ୍ରେସ ପକ୍ଷରୁ ପୁନର୍ବାର ସମ୍ବିଧାନରେ ସଂଶୋଧନ କରାଯାଇ ଅଳ୍ପ ସଂଖ୍ୟକମାନଙ୍କୁ ସଂରକ୍ଷଣ ଦେବାକୁ ରାସ୍ତା ଉନ୍ମୋକ୍ତ କରିଦେଇଥିଲା । କଂଗ୍ରେସ ମୁସଲମାନଙ୍କୁ ଧର୍ମ ଆଧାରରେ ସ୍ୱତନ୍ତ୍ର ଭାବେ ସଂରକ୍ଷର ଦେବାରୁ ବହୁ ପଛୁଆ ବର୍ଗ ଓ ଦଳିତ ସେମାନଙ୍କ ଅଧିକାରକୁ ବଞ୍ଚିତ ହୋଇଥିଲେ । ଅପରପକ୍ଷେ ମୋଦି ଅନୁସୂଚିତ ଜାତି ଓ ଜନଜାତିକୁ ସର୍ବୋଚ୍ଚ ସମ୍ମାନ ଦେଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଅନୁସୂଚିତ ଜାତିର ହୋଇଥିବାବେଳେ ବର୍ତମାନର ରାଷ୍ଟ୍ରପତି ଶ୍ରୀମତି ଦୌପଦୀ ମୁର୍ମୁ ଅନୁସୂଚିତ ଜନଜାତି ବର୍ଗରୁ ଆସିଛନ୍ତି । ଏହା କେବଳ ମୋଦିଜୀଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ସମ୍ଭବ ହୋଇପାରିଛି । ୧୯୪୭ରେ ଦେଶ ସ୍ୱାଧୀନ ହେବା ପରଠୁ ୫୭ ବର୍ଷ କେନ୍ଦ୍ରରେ କଂଗ୍ରେସ ସରକାର ରହିଥିଲା, କିନ୍ତୁ ସମ୍ବିଧାନ ଦିବସ ପାଳନ କରାଯାଇ ନ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୨୦୧୫ରୁ ସରକାରୀସ୍ତରରେ ସମ୍ବିିଧାନ ଦିବସ ପାଳନ ଆରମ୍ଭ କରିଥିଲେ । ତାପରେ ୨୦୧୫ରେ ମୋଦୀଜୀ ସଂସଦର ଉଭୟ ସଦନରେ ସମ୍ବିଧାନ ଉପରେ ଆଲୋଚନା କରିବାକୁ ନିଷ୍ପତି ନେଇଥିଲେ, ଏହାକୁ କଂଗ୍ରେସ ବିରୋଧ କରିଥିଲା । ୨୦୧୦ରେ, ସମ୍ବିଧାନର ୬୦ ବର୍ଷ ପୂର୍ତି ହୋଇଥିଲା । ଏହି ସମୟରେ, ଶ୍ରୀ ମୋଦିଜୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେତେବେଳେ ସେ ସମ୍ବିଧାନ ଗୌରବ ଯାତ୍ରା ଆୟୋଜନ କରିଥିଲେ । ଏହି ଯାତ୍ରାରେ ସମ୍ବିଧାନର ପ୍ରତୀକକୁ ହାତୀ ମସ୍ତକରେ ରଖି ସହରରେ ପ୍ରଦର୍ଶନ କରାଯାଇ ସମ୍ମାନିତ କରାଯାଇଥିଲା । କଂଗ୍ରେସ ୯୦ ଥର ନିର୍ବାଚିତ ସରକାରଗୁଡ଼ିକୁ ବରଖାସ୍ତ କରିବା ପାଇଁ ଅନୁଚ୍ଛେଦ ୩୫୬ର ଦୁରୁପଯୋଗ କରିଥିଲା, ଏହାଦ୍ୱାରା ସମ୍ବିଧାନକୁ ଅପମାନିତ କରାଯାଇଥିଲା । ଡ. ଆମ୍ବେଦକର ଧର୍ମ ଆଧାରରେ ସମ୍ବିଧାନରେ ସଂରକ୍ଷଣକୁ ମାନ୍ୟତା ଦେଇ ନ ଥିଲେ, ତଥାପି ଓବିସି ସଂରକ୍ଷଣରେ ଆନ୍ଧ୍ର ପ୍ରଦେଶରେ ୪%, କେରଳରେ ୮%, ଏବଂ ତାମିଲ ନାଡୁରେ ୩.୫% ସଂରକ୍ଷଣ ମୁସଲିମ ଗୋଷ୍ଠୀକୁ ଦିଆଯାଇ ସମ୍ବିଧାନର ଉଲ୍ଲଂଘନ କରାଯାଇଥିଲା । ଡ. ଆମ୍ବେଦକରଙ୍କୁ ଅନେକ ସମୟରେ କଂଗ୍ରେସ ଅପମାନିତ କରିଛି । କଂଗ୍ରେସ ସରକାର ସମୟରେ କେବେ ମଧ୍ୟ ବାବା ସାହେବଙ୍କ ଫଟୋକୁ ସଂସଦରେ ସ୍ଥାପନ କରିବାକୁ ଦିଆଯାଇ ନ ଥିଲା । ତାଙ୍କୁ କେବେ ଭାରତରତ୍ନ ପୁରସ୍କାର ଦିଆଯିବା ଉପରେ ବିଚାର କରାଯାଇ ନ ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ପୂର୍ବ ଉପ ପ୍ରଧାନମନ୍ତ୍ରୀ ଶ୍ରୀ ଲାଳକୃଷ୍ଣ ଆଡଭାନୀଙ୍କ ଚେଷ୍ଟାରେ ୧୯୯୦ ମସିହାରେ ବାବାସାହେବ ଡ. ଆମ୍ବେଦକରଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବାଜପେୟୀ ସରକାର ସମୟରେ ଅନସୂଚିତ ଜାତି ଓ ଜନଜାତିଙ୍କୁ ସମ୍ମାନ ଦେବା ପାଇଁ କଲ୍ୟାଣ ମନ୍ତ୍ରାଳୟକୁ ‘ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ’ ଭାବେ ପରିବର୍ତନ କରାଯାଇଥିଲା । ମୋଦିଜୀ ପ୍ରଧାନମନ୍ତ୍ରୀ ହେବାପରେ ବାବା ସାହେବଙ୍କ ଜୀବନ ସହ ଜଡ଼ିତଥିବା ସମସ୍ତ ଐତିହାସିକ ସ୍ଥଳଗୁଡ଼ିକୁ ତୀର୍ଥସ୍ଥଳ ଭାବେ ସମ୍ମାନ ଦେଇଥିଲେ । ବାବା ସାହେବଙ୍କ ଜୀବନ ସହିତ ଜଡ଼ିତଥିବା ୫ଟି ମହତ୍ୱପୂର୍ଣ୍ଣ ସ୍ଥଳକୁ ଭାଜପା ସରକାର ବିକାଶ କରି ପଂଚତୀର୍ଥଭାବେ ନାମିତ କରିଥିଲା । ସେଗୁଡ଼ିକ ମଧ୍ୟରେ ମହୁରେ ଡ. ଆମ୍ବେଦକରଙ୍କ ଜନ୍ମଭୂମି, ଲଣ୍ଡନରେ ଶିକ୍ଷାଭୂମି, ନାଗପୁରରେ ଦୀକ୍ଷାଭୂମି, ଦିଲ୍ଲୀର ମହାପରିନିର୍ବାଣ ସ୍ଥଳ ଏବଂ ମୁମ୍ବାଇରେ ଚୈତ୍ୟଭୂମି ସାମିଲ ଅଛି । ୨୦୧୭ରେ ମୋଦିଜୀଙ୍କ ଦ୍ୱାରା ଅନୁସୂଚିତ ଜାତି ଉପରେ ଅଧ୍ୟୟନ, ଅନୁସନ୍ଧାନ, ବିଶ୍ଲେଷଣ ଏବଂ ନୀତି ନିର୍ମାଣ କରିବା ପାଇଁ ଡ. ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରର ପ୍ରତିଷ୍ଠା କରାଯାଇଥିଲା । ଅପରପକ୍ଷେ କଂଗ୍ରେସ ୫୭ ବର୍ଷ ଧରି ଦେଶରେ ଶାସନ କରିଥିଲେ ମଧ୍ୟ ନାଗରିକମାନଙ୍କୁ ବିଦ୍ୟୁତ, ପାଣି, ବ୍ୟାଙ୍କ ଖାତା, ଶୌଚାଳୟ, ଘର ଇତ୍ୟାଦି ପ୍ରମୁଖ ମୌଳିକ ସେବା ଯୋଗାଇବାରେ ବିଫଳ ହୋଇଛି । ମାତ୍ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନେତୃତ୍ୱରେ ଭାଜପା ସରକାର ୧୦ ବର୍ଷ ଧରି ବାବାସାହେବଙ୍କ ସ୍ୱପ୍ନକୁ ସଫଳ କରିବାକୁ ପ୍ରୟାସ କରୁଛି ବୋଲି ଶ୍ରୀ ମିଥିଲେଶ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ସାଂସଦ ଡ. ବିଭୁପ୍ରସାଦ ତରାଇ, ସାଂସଦ ଡ. ରବି ନାରାୟଣ ବେହେରା, ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିଧାୟକ ଛବି ମଲ୍ଲିକ, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ଡ. କଳ୍ପନା ମଲ୍ଲିକ, ବରିଷ୍ଠ ନେତା ଡ.ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ । ପରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମ୍ମିଳନୀରେ ସମସ୍ତ ନେତୃବୃନ୍ଦଙ୍କ ସହ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଚନ୍ଦନ ସ୍ୱରାଜ, ପୂର୍ବତନ ସଭାପତି ମନୋଜ ବେହେରା, ଉପସଭାପତି ମନିଜର ଆର୍ଯ୍ୟ, ସ୍ମିତା ପ୍ରଧାନ, ରାମବିଶି ଦିଗାଲ, ହେମନ୍ତ ମଲ୍ଲିକ, ରାଜ୍ୟ ସମ୍ପାଦକ ସରୋଜ ଜେନା, ଜଗନ୍ନାଥ ବେହେରା, ମଧୁସ୍ମିତା ବଳିୟାରସିଂହଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।