“ନବୀନ ଓଡିଶା, ଲୁଟ୍ ଓଡିଶା”: ଜୟନାରାୟଣ ମିଶ୍ର

ଭୁବନେଶ୍ୱର : ମଙ୍ଗଳବାର ଦିନ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଆମ ଓଡିଶା ନବୀନ ଓଡିଶା ଯୋଜନା’ ହେଉଛି ବାସ୍ତବରେ “ନବୀନ ଓଡିଶା ଲୁଟ୍ ଓଡିଶା” । ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୪୦୦୦କୋଟି ଟଙ୍କାରୁ ୫୦ପ୍ରତିଶତ ପିସି ହାରରେ ୨୦୦୦କୋଟି ଟଙ୍କା ବିଜୁ ଜନତା ଦଳ ସରକାର ଲୁଟ୍ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି । ଖାଲି ସେତିକି ନୁହେଁ, ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳର ଦଳୀୟ ଚିହ୍ନକୁ ବ୍ୟବହାର କରି ଏକ ଘୃଣ୍ୟ ପରମ୍ପରା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜ୍ଞାପନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବିଜୁ ଜନତା ଦଳର ଲୋକପ୍ରିୟତା ରସାତଳ ହୋଇଛି । ସେଥିପାଇଁ ସେମାନେ ଏବେ ସରକାରୀ ଯୋଜନାରେ ନିଜର ଦଳୀୟ ଚିହ୍ନକୁ ଥୋପିବା ପାଇଁ ଅପଚେଷ୍ଟା କରିଛନ୍ତି । ସରକାରୀ ବିଜ୍ଞାପନରେ କୌଣସି ବି ହାଲତରେ ଦଳୀୟ ଚିହ୍ନ, ଦଳୀୟ ପ୍ରଚାର କରାଯାଇ ପାରିବନାହିଁ । ଆଜି ରାଜ୍ୟ ସରକାର ସମସ୍ତ ନୀତିନିୟମକୁ ଭାଙ୍ଗି ଯେଉଁ ଭଳି ଭାବରେ ସରକାରୀ ଅର୍ଥରେ ବିଜୁ ଜନତା ଦଳର ଚିହ୍ନର ପ୍ରଚାର କରିଛନ୍ତି ଏହାର ଜବାବ ଆଗାମୀ ଦିନରେ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ଆଜି ସରପଞ୍ଚ ରାଜରାସ୍ତାରେ, ସମିତି ସଭ୍ୟ ରାଜରାସ୍ତାରେ । ଏହି ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ଲୁଟପାଟ୍ କରିବା ପାଇଁ ଏହି ଯୋଜନାର ଦାୟିତ୍ୱ ଅଫିସରମାନଙ୍କ ହାତରେ ଟେକି ଦିଆଯାଇଛି । ଏହା କି ପ୍ରକାର ଗଣତନ୍ତ୍ର? ବିଜୁ ଜନତା ଦଳର ବିଧାୟକମାନେ ସଚିବଙ୍କ ପାଇଁ ଟେଣ୍ଟ ହାଉସ ବାନ୍ଧିବା, ଚା ଜଳଖିଆ ସଜାଡିବାରେ ବ୍ୟସ୍ତ ଅଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଅତୀତରେ ନବୀନ ବାବୁ ଯେଉଁ ସବୁ ଯୋଜନା ଘୋଷଣା କରିଥିଲେ ସେ ସବୁ ଯୋଜନାର ଅପମୃତ୍ୟୁ ଘଟିସାରିଛି । କୁଆଡେ ଗଲା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଗୋପବନ୍ଧୁ ଗ୍ରାମୀଣ ଯୋଜନା, ବିଜୁ ପକ୍କା ଘର ଯୋଜନା, ଆମ ଗାଁ ଆମ ବିକାଶ ଯୋଜନା , ପିଠା ଯୋଜନା, ବିଜୁ ଗାଁ ଗାଡି ଯୋଜନା, ବିଜୁ ଯୁବ ବାହିନୀ ଯୋଜନା? ନିର୍ବାଚନ ଆସିଲେ ନବୀନ ବାବୁଙ୍କ ବିଭିନ୍ନ ଯୋଜନା କଥା ମନେପଡେ, କିନ୍ତୁ ନିର୍ବାଚନ ସରିଗଲେ ସେ ସବୁ ଭୁଲି ଯାଆନ୍ତି । ନବୀନ ବାବୁଙ୍କ ଘୋଷଣା କେବଳ ଖବରକାଗଜ ଘୋଷଣାରେ ସୀମିତ ହୁଏ । ଓଡିଶାର ଗରୀବ ଲୋକ ଏହି ଯୋଜନାର ଲାଭ ପାଆନ୍ତି ନାହିଁ । ତାଙ୍କ ଦଳର ବିଧାୟକ, ମନ୍ତ୍ରୀ, ତାଙ୍କ ଅଣ ଓଡିଆ ଅଫିସର ମାନେ ମାଲାମାଲ ହୁଅନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ସିଏଜି ରିପୋର୍ଟକୁ ନବୀନ ବାବୁ ପଢିଲେଣି କି ନାହିଁ ? ସିଏଜି ରିପୋର୍ଟରେ ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି କଥା, ଭତା ଦୁର୍ନୀତି କଥା, ଛାତ୍ରବୃତି ଦୁର୍ନୀତି କଥା ଉଲ୍ଲେଖ ଅଛି ତାହା କ’ଣ ୫ଟି କି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଓ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ ।