ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ବିହାର ଓ ରାଜସ୍ଥାନ ଭଳି ଓଡ଼ିଶାରେ ଜାତିଭିତିକ ଜନଗଣନା କରିବା ପାଇଁ ଦାବୀ କରିଛନ୍ତି । ସେ କହିଛନ୍ତି ଯେତେବେଳେ କି ବିହାର ସରକାର ଜାତିଭିତିକ ଜାତିଭିତିକ ଜନଗଣନା କରିସାରିଛନ୍ତି ଏବଂ ଶନିବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ତାଙ୍କ ରାଜ୍ୟରେ ଜାତିଭିତିକ ଜନଗଣନା ଶେଷ ହେଉଛି ବୋଲି ପ୍ରକାଶ କରିଛନ୍ତି, ତେବେ ଓଡ଼ିଶାର ଶାସକ ବିଜୁ ଜନତା ଦଳ କେବେ ଜନଗଣନା ପ୍ରକ୍ରିୟା କରିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଆମ ଜନ ସଂଖ୍ୟାରେ ସଂପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ଚିତ୍ର ସ୍ପଷ୍ଟତା ପାଇଁ ପାଇବାକୁ ଆମ କଂଗ୍ରେସ ଦଳ ଦୀର୍ଘ ଦିନରୁ ଦାବି କରିଆସୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଏହି ପ୍ରସଙ୍ଗରେ କେବଳ କଥାବାର୍ତ୍ତା କରି ଚୁପ୍ ରହୁଛନ୍ତି କାହିଁକି ? ଯଦି ବିଜେଡ଼ି ସରକାର ଜାତିଭିତିକ ଜନଗଣନା କରିବାରେ କୌଣସି ଆଗ୍ରହ ଦେଖାଏ ନାହିଁ ତେବେ ୨୦୨୪ ମସିହାରେ କଂଗ୍ରେସ ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟରେ ତୁରନ୍ତ ଜାତିଭିତିକ ଜନଗଣନା କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଅତି ଦୃଢ଼ତାର ସହ କହିଛନ୍ତି । ଜାତିଭିତିକ ସର୍ଭେ ପାଇଁ ଏକ ସଂକଳ୍ପ ପାରିତ କରିବାକୁ ଓଡ଼ିଶା ବିଧାନସଭାରେ ଏକ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ଓପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ସେ କହିଛନ୍ତି ନବୀନ ସରକାର ତୁରନ୍ତ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇ ବିହାର ଏବଂ ରାଜସ୍ଥାନରେ ଜାତିଭିତିକ ସର୍ଭେ କରାଯାଇଥିବା ପରି ସର୍ବ ସମ୍ମତି କ୍ରମେ ରାଜ୍ୟରେ ସର୍ଭେ କରିବା ପାଇଁ ବିଧେୟକ ପାରିତ କରାନ୍ତୁ । ବିହାର ସରକାର ଜାତିଗଣନା ରିର୍ପୋଟ ଗାନ୍ଧୀ ଜୟନ୍ତୀରେ ପ୍ରକାଶ କରିଥିଲେ । ତତ୍ଦ୍ୱାରା ବିହାର ସରକାର ବିଭିନ୍ନ ଜାତି ଓ ବର୍ଗଙ୍କର ଆର୍ଥିକସ୍ଥିତି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇପାରିଲେ । ଯଦ୍ୱାରା କି ନିର୍ଦ୍ଦିଷ୍ଟ ବର୍ଗଙ୍କର ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇପାରିବ । ଏହା ସରକାରଙ୍କୁ ସମସ୍ତ ଜାତିର ବିକାଶ ପାଇଁ ଯୋଜନା ଓ ନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବାସ୍ତବରେ ବିହାର ସରକାରଙ୍କ ସଂପର୍କିତ ଜାତି ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ୁଛି ଯେ, ବିହାରର ୬୩ ପ୍ରତିଶତରୁ ଅଧିକ ଅନ୍ୟପଛୁଆବର୍ଗ (ଓବିସି) ଏବଂ ଅତ୍ୟଧିକ ପଛୁଆବର୍ଗ (ଇବିସି) ରହିଛନ୍ତି । କିନ୍ତୁ ଆମ ଓଡ଼ିଶାରେ ପଛୁଆବର୍ଗ ଓ ଅତ୍ୟଧିକ ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ପଛୁଆବର୍ଗଙ୍କ ତାଲିକା ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ନିକଟରେ ଓଡ଼ିଶା ସରକାର ଓବିସି କମିଶନଙ୍କ ଦ୍ୱାରା ସର୍ଭେ କରାଯାଇଥିବା ରିପୋର୍ଟରେ କୁହାଯାଇଛି, ରାଜ୍ୟରେ ୪୩ ପ୍ରତିଶତ ଓବିସି ଅଛନ୍ତି ବୋଲି କିନ୍ତୁ କମିଶନଙ୍କ ଦ୍ୱାରା କୌଣସି ଘରକୁ ଘର ବୁଲି ସର୍ଭେ କରାଯାଇନଥିବାରୁ ଏହି ରିପୋର୍ଟ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ । ଓବିସି ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସେମାନଙ୍କର ଜାତି ରେକର୍ଡ଼ ଦାଖଲ କରିବାକୁ କୁହାଯାଇଥିଲା । ଏଭଳି ଢ଼ଙ୍ଗରେ କୌଣସି ସର୍ଭେ କରାଯାଏ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଯଦି ରାଜ୍ୟ ସରକାର ଓଡ଼ିଶାର ଓବିସିବର୍ଗର ଛାତ୍ର / ଛାତ୍ରୀ, ଯବୁକମାନଙ୍କ ସ୍ୱାର୍ଥ ପାଇଁ ତିଳେ ମାତ୍ର ଦରଦ ଅଛି ତେବେ ତୁରନ୍ତ କାଳ ବିଳମ୍ବ ନ କରି ରାଜ୍ୟରେ ଜାତିଭିତିକ ଜନଗଣନା ପାଇଁ ଘୋଷଣା କରନ୍ତୁ ।