ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଉଦ୍‌ଘାଟିତ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଭୁବନେଶ୍ୱର ସ୍ଥିତ ଅର୍ବାନ ହାଟ ଠାରେ ଆୟୋଜନ କରାଯାଇଅଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତବାୟ ସମିତି/ ଏସ୍‌ଏଚ୍‌ଜି ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପୋହି (POHI)-୨୦୨୩-୨୪ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି । ଏହି ମେଳାକୁ ଶ୍ରୀଯୁକ୍ତ ଶୋଭନ କ୍ରୀଷ୍‌ନା ସାହୁ, ଆଇ.ଆର.ଏସ୍‌ ବୟନଶିଳ୍ପ ନିର୍ଦ୍ଦେଶକ, ଓଡିଶା, ମଙ୍ଗଳବାର ଦିନ ଉଦ୍‌ଘାଟନ କରିଥିଲେ । ଉକ୍ତ ଉତ୍ସବରେ ଶ୍ରୀଯୁକ୍ତ ସଂବିତ କୁମାର ଆଚାର୍ଯ୍ୟ, ସଭାପତି, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ, ଶ୍ରୀଯୁକ୍ତ ଦେବଜୀତ ନନ୍ଦି, ଯୁଗ୍ମ ନିର୍ଦ୍ଦେଶକ ବୟନଶିଳ୍ପ, ଭୁବନେଶ୍ୱର, ଓ ଶ୍ରୀଯୁକ୍ତ ହେମନ୍ତ କୁମାର ମିଶ୍ର, ବାଣିଜ୍ୟ ଅଧିକାରୀ, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ ଉପସ୍ଥିତ ଥିଲେ । ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ବାରିପାଦା,ବାଲେଶ୍ୱର, ପାଟଣାଗଡ, ନୟାଗଡ, ଖୋର୍ଦ୍ଧା ଓ ବୌଦ୍ଧ ବୟନ ମଣ୍ଡଳ ମାନଙ୍କରୁ ୩୩ଗୋଟି ତନ୍ତବାୟ ସମିତି/ ଏସ୍‌ଏଚ୍‌ଜିର ବୁଣାକାର ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବାପାଇଁ ଯୋଗଦାନ କରିଛନ୍ତି । ଏଥି ସକାଶେ ସେମାନଙ୍କୁ ୩୪ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଅଛି । ଏହି ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଆସନ୍ତା ୩୧.୧୦.୨୦୨୩ ପର୍ଯ୍ୟନ୍ତ ଚାଳୁରହିବ । ଏହି ଏକାମ୍ର ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗଙ୍କ ପ୍ରଚେଷ୍ଠାରେ ଚଳିତବର୍ଷ ଅକ୍ଟୋବର-୨୩ ସୁଦ୍ଧା ରାଜ୍ୟର ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ହସ୍ତଶିଳ୍ପ କାରିଗର ଭାଗ ନେଇ ଯଥାକ୍ରମେ ଟ.୨୭୮.୬୫ ଲକ୍ଷ ଓ ଟ.୧୨୫.୨୯ଲକ୍ଷ ମୋଟ ଟ.୪୦୩.୯୪ଲକ୍ଷର କାରବାର କରିପାରିଛନ୍ତି, ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ । ଉକ୍ତ ଅବଧି ମଧ୍ୟରେ ଏକାମ୍ର ହାଟ ମଧ୍ୟକୁ ୨ ଲକ୍ଷ ଲୋକ ଆଗମନ କରିଛନ୍ତି । ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦% ସରକାରୀ ରିହାତିରେ କିଣିପାରିବେ । ଏହାର ସୁଯୋଗ ନେବାପାଇଁ ସମିତି ତରଫରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଅଛି ।