ଓଡ଼ିଶା ସରକାରଙ୍କ ବାହାର ଠିକାଦାର ପ୍ରୀତି ଏତେ କାହିଁକି ?

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଯେତେଗୁଡ଼ିଏ ପାନୀୟଜଳ ବିଭାଗର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏ ସବୁ ପ୍ରକଳ୍ପରେ ଓଡ଼ିଶାର ଜଣେ ହେଲେ ବି ଠିକାଦାରଙ୍କୁ ଠିକାକାମ ମିଳୁନାହିଁ । ରାଜ୍ୟର ସମସ୍ତ ପାନୀୟଜଳ ପ୍ରକଳ୍ପ ଆଜି ରାଜ୍ୟ ବାହାରେ ଥିବା ବଡ଼ ବଡ଼ ଠିକାଦାରଙ୍କ ହାତରେ ଟେକି ଦିଆଯାଇଛି । କିନ୍ତୁ ରାଜ୍ୟର ଠିକାଦାରଙ୍କୁ ଖୋଦ ନିଜ ରାଜ୍ୟର ସରକାର ସାବତପୁଅ ଠାରୁ ହୀନ ଦୃଷ୍ଟିରେ ଦେଖୁଛନ୍ତି । ଏହାର ମୂଳ ଉଦ୍ଦେଶ୍ୟ ରାଜ୍ୟ ବାହାର ଠିକାଦାରଙ୍କୁ ବଡ଼ ବଡ଼ ଠିକା କାମ ଦେଇ କୋଟି କୋଟି ଟଙ୍କା ଅର୍ଥ ରୋଜଗାର କରାଯାଉଛି ବୋଲି ମଙ୍ଗଳବାର ଦିନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ଏ ଅଭିଯୋଗ କରିଛନ୍ତି । ଏହା ଏକ ବଡ଼ ଘୋଟାଲା ଅଟେ । ରାଜ୍ୟର ଶହ ଶହ କୋଟି ଟଙ୍କାଙ୍କୁ ରାଜ୍ୟ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କ ମିଳିତ ଷଡ଼ଯନ୍ତ୍ରରେ ରାଜ୍ୟ ରାଜ କୋଷରୁ ଲୁଟ କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ମାଳ ମାଳ ପ୍ରତିଶ୍ରୁତି କିନ୍ତୁ କୌଣସି ଗୋଟିଏ ବି ପ୍ରତିଶ୍ରୁତି ପାଳନ ହେଉନାହିଁ । ସମସ୍ତଙ୍କ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାପାଇଁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି କୌଣସି ଗୋଟିଏ ଗାଁରେ ସମସ୍ତଙ୍କୁ ଘରକୁ ପାନୀୟଜଳ ଯୋଗାଇ ଦିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଗଣମାଧ୍ୟମରେ ଦିନରାତି ପ୍ରଚାର କରାଯାଉଛି ନବୀନ ପଟ୍ଟନାୟକଙ୍କ ସରକାର ସ୍ୱଚ୍ଛ ସରକାର ବୋଲି କିନ୍ତୁ ବାସ୍ତବତା ହେଉଛି ଏ ସରକାର ଦୁର୍ନୀତିରେ ଉବୁଟୁବୁ ହେଉଛି ଏବଂ ରାଜ୍ୟର ଜନସାଧାରଣ ଓ ବ୍ୟବସାୟୀଙ୍କୁ କାମ ନଦେବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନସଚିବ ଶ୍ରୀ ବିଜୟ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ରାଜ୍ୟରେ ସମୁଦାୟ ୨୦୫ ଟି ପାନୀୟ ଜଳ ପ୍ରକଳ୍ପର ଘୋଷଣା କରାଯାଇ ଟେଣ୍ଡର କରାଯାଇଛି । ଏହି ସମସ୍ତ ପାନୀୟଜଳ ପ୍ରକଳ୍ପର ଚୁକ୍ତି ମୂଲ୍ୟ ୩୪୮୦୬.୬୪ କୋଟି ଥିଲା । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ଏସବୁ ପ୍ରକଳ୍ପ ମଧ୍ୟରୁ ୧୬ଟି ପ୍ରକଳ୍ପ ସଂପୂର୍ଣ୍ଣ ସରିଯାଇଛି ବୋଲି ଘୋଷଣା କରିସାରିଥିଲେ ମଧ୍ୟ ପ୍ରକୃତ ଗ୍ରାଉଣ୍ଡ ଜିରୋର ସ୍ଥିତି ଗୋଟିଏ ବି ପ୍ରକଳ୍ପ ସଂପୂର୍ଣ୍ଣ ହୋଇନାହିଁ । ରାଜ୍ୟର ଠିକାଦାର ମାନେ କିଭଳି ଠିକା କାମ ପାଇବେ ନାହିଁ ସେଥିପାଇଁ ଜାଣିଶୁଣି ଏକ ବଡ଼ ଷଡ଼ଯନ୍ତ୍ର କରି ବହୁ ଗୁଡ଼ିଏ ପ୍ୟାକେଜକୁ ମିଶାଇ ଶହ ଶହ କୋଟି ଟଙ୍କାର ଠିକା ମୂଲ୍ୟ କରି ରାଜ୍ୟ ବାହାରେ ଥିବା ବଡ଼ ବଡ଼ ଠିକାଦାର ମାନଙ୍କୁ ଦିଆ ଯାଉଛି । ବହୁ ଗୁଡ଼ିଏ ପ୍ୟାକେଜକୁ ମିଶାଇ ଦେବାକୁ ବଂଚି କୁହାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗୋଟେ ଗୋଟେ ପ୍ୟାକେଜର କାହିଁକି ଟେଣ୍ଡର କରାଗଲା ନାହିଁ । କେଉଁମାନେ ଏହି ପ୍ୟାକେଜ ସବୁକୁ ବଂଚି କରିବାପାଇଁ ନିଷ୍ପତି ନେଲେ । ପାନୀୟ ଜଳ ବିଭାଗର ସଚିବ ନା ବିଭାଗୀୟ ମନ୍ତ୍ରୀ ନା ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ନେଇଛନ୍ତି । ମୂଳ କଥାଟି ହେଲା ଗୋଟେ ଗୋଟେ ପ୍ୟାକେଜର ଟେଣ୍ଡର କରିଥିଲେ ବହୁ ଓଡ଼ିଆ ଠିକାଦାର ମାନେ କାମ ପାଇପାରିଥାନ୍ତେ, କାରଣ ସେମାନେ ଟେକ୍ନିକାଲ ଏବଂ ଫାଇନାନ୍ସସିଆଲ ବିଡରେ ସାମିଲ ହୋଇପାରିଥାନ୍ତେ । କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକର ୧୧୫ ଟି ଗାଁର ଛୋଟ ଛୋଟ ପ୍ୟାକେଜକୁ ବଂଚି କରି ୧୯୪.୫ କୋଟି କରିଦିଆଗଲା ଏବଂ ଏହି କାମର ଟେଣ୍ଡର ବେଳେ ଓଡ଼ିଶାର ଠିକାଦାରମାନେ ଅଂଶଗ୍ରହଣ କରିପାରିବାର ଯୋଗ୍ୟତା ରଖିପାରିଲେ ନାହିଁ । ଫଳସ୍ୱରୂପ ଏହି କାମକୁ ରାଜ୍ୟ ବାହାରର ବଡ଼ କଣ୍ଟ୍ରାକ୍ଟର ଫାର୍ମକୁ ଦିଆଗଲା । ଠିକ୍ ସେହିଭଳି ଭାବରେ ଅନୁଗୁଳ ଜିଲ୍ଲାର ୩୦ଟି ଗ୍ରାମପଞ୍ଚାୟତର ୨୧୪ ଟି ଗାଁରେ ପାନୀୟଜଳ ପ୍ରକଳ୍ପକୁ ବଂଚି କରିବାଯୋଗୁଁ ଏହାର ମୂଲ୍ୟ ୨୬୨.୬୮ କୋଟି ହେଲା । ଫଳସ୍ୱରୂପ ଏହି କାମ ମଧ୍ୟ ଅଣଓଡ଼ିଆ ଠିକାଦାରଙ୍କୁ ଦିଆଗଲା । ଠିକ ସମାନ ଢ଼ଙ୍ଗରେ ସୁନ୍ଦରଗଡ଼ ଲେଫ୍ରିପଡ଼ା, ଟାଙ୍ଗରପାଲ୍ଲି, ବାଲିଶଙ୍କରା, ବଡ଼ଗାଁ ଇତ୍ୟାଦି ଅଞ୍ଚଳରେ ପାନୀୟ ଜଳ ଯୋଗାଇବାପାଇଁ ପ୍ୟାକେଜ ଗୁଡ଼ିକର ବଂଚି କରିଦିଆଗଲା ଏବଂ ଏହାର କଂଟ୍ରାକ୍ଟ ମୂଲ୍ୟ ୭୮୬.୬୭ କୋଟି ହେଲା । ଏହି କାମକୁ ମଧ୍ୟ ରାଜ୍ୟବାହାର କଣ୍ଟ୍ରାକ୍ଟରଙ୍କୁ ଦିଆଗଲା । ରାଜ୍ୟବାସୀଙ୍କ କର ପଇସାରେ ରାଜ୍ୟ ସରକାର ପାନୀୟଜଳ ପ୍ରକଳ୍ପ ନିଜ ରାଜ୍ୟରେ କରୁଛନ୍ତି କିନ୍ତୁ ରାଜ୍ୟର ଓଡ଼ିଆ ଠିକାଦାର ଗୋଟିଏବି କାମ ପାଉନାହିଁ । ଏହା ନବୀନ ବାବୁଙ୍କର ଓଡ଼ିଶା ପ୍ରୀତିର ଏକ ଜ୍ୱଳନ୍ତ ଉଦାହରଣ । ଏହା ପଛରେ ଯେଉଁ ମୁଖ୍ୟ କାରଣଟି ରହିଛି, ତାହାହେଲା ଓଡ଼ିଆ ଠିକାଦାର ମାନଙ୍କୁ କାମ ଦେଇ ପିସି ଆଦାୟ କଲେ କାଳେ କେତେବେଳେ ପ୍ରଘଟ ହୋଇଯିବ । ବାହାର ଠିକାଦାରଙ୍କୁ ଦେଲେ ବାହାରେ ବାହାରେ ଅର୍ଥ କାରବାର ହୋଇଯାଉଛି । ଏହାର ଶବ୍ଦ ରାଜ୍ୟବାସୀ ପାଇବେ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ କହିବେ କେମିତି ? ଏ ଷଡ଼ଯନ୍ତ୍ର ସୁଚିନ୍ତିତ ଉପାୟରେ ଏବଂ ଯୋଜନାବଦ୍ଧ ଭାବରେ କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ଘଟଣାର ତୁରନ୍ତ ସିଏଜି ଅଡିଟ ହେବା ଦରକାର ଏବଂ ଏହାର ଉପଯୁକ୍ତ ତଦନ୍ତ ହେବା ଉଚିତ । ଏ ସମସ୍ତ ତଥ୍ୟ ଜଣେ ବିଧାୟକ ବିଧାନସଭାରେ ପଚାରିଥିବା ପ୍ରଶ୍ନର ସରକାର ଦେଇଥିବା ଉତର । ଓଡ଼ିଶାର ଜନସାଧାରଣ ଏବଂ ଓଡ଼ିଶାର ବ୍ୟବସାୟୀମାନେ ଏକଥାକୁ ହୃଦୟଙ୍ଗମ କରିବା ଉଚିତ ନବୀନ ପଟ୍ଟନାୟକ ସରକାର ଓଡ଼ିଶାର ଜନସାଧାରଣଙ୍କର ବିରୋଧି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ଓ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।