ବ୍ରାହ୍ମୀର ଉପକାରିତା

ବ୍ରାହ୍ମୀ ଏକ ଲତା ଜାତୀୟ ଉଦ୍ଭିଦ । ଏହା ଭୂମି ଉପରେ ସନ୍ତସନ୍ତିଆ ଜାଗାରେ ମାଡ଼ିଥାଏ । ସଂସ୍କୃତରେ ଏହାକୁ ମଣ୍ଡୁକ ପର୍ଣ୍ଣି କୁହାଯାଏ । ଏହା ମେଧା ପ୍ରଦାୟୀ ହୋଇଥିବାରୁ ଏହାକୁ ବ୍ରାହ୍ମୀ ନାମରେ ନାମିତ କରାଯାଇଛି । ବ୍ରାହ୍ମୀରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଅଛି । ଏହା ଦେଖିବାକୁ ସୁନୁସୁନିଆ ଶାଗ ପରି କିନ୍ତୁ ସୁନୁସୁନିଆଁ ଶାଗର ଗୋଟିଏ ଡେମ୍ଫରେ ୪ଟି ପତ୍ର ଥାଏ, ବ୍ରାହ୍ମୀର ଗୋଟିଏ ଡେମ୍ଫରେ ଗୋଟିଏ ଲେଖାଏଁ ବଡ଼ ପତ୍ର ଥାଏ । ଏହି ପତ୍ରର ଧାର କୁଞ୍ଚ କୁଞ୍ଚ ଦେଖାଯାଏ ।

ଚର୍ମରୋଗ: ବ୍ରାହ୍ମୀ ପତ୍ରକୁ ହଳଦୀ ସହିତ ବାଟି ଦେହରେ ଲଗାଇଲେ ସମସ୍ତ ପ୍ରକାର ଚର୍ମରୋଗ ଦୂର ହୋଇଥାଏ । ସ୍ମରଣଶକ୍ତି ବଢ଼ାଇବା ପାଇଁ: ବ୍ରାହ୍ମୀ ପତ୍ରକୁ ଘିଅରେ ଭାଜି ଖାଇଲେ ସ୍ମରଣ ଶକ୍ତି ବଢ଼ିଥାଏ । ବ୍ରାହ୍ମୀ ପତ୍ରକୁ ବାଟି ମହୁ ମିଶାଇ ୭ ଦିନ ଖାଇଲେ ସ୍ମରଣ ଶକ୍ତି ବଢ଼ିଥାଏ । ବ୍ରାହ୍ମୀ ପତ୍ର ୩-୪ଟିକୁ ଚୋବାଇ ଖାଇ ପାଣି ପିଇଲେ ସ୍ମରଣ ଶକ୍ତି ବଢ଼େ । ୨-୩ ଚାମଚ ବ୍ରାହ୍ମୀ ରସରେ ଗୋଲମରିଚ ଚୂର୍ଣ୍ଣ ମିଶାଇ ଶୀତ ଦିନରେ ସେବନ କଲେ ସ୍ମରଣ ଶକ୍ତି ବଢ଼ିଯାଇଥାଏ । ବ୍ରାହ୍ମୀ ଶୁଖିଲା ପତ୍ର ୨୫୦ ଗ୍ରାମ ଗୁ୍‍ଡରେ ୨୫୦ ଗ୍ରାମ ବାଦାମ, ୨୦ ଗ୍ରାମ କଳାମରିଚ ଓ ଅଧକିଲୋ ମିଶ୍ରୀ ମିଶାଇ ଚୂର୍ଣ୍ଣ କରି ଏକ ଏକ ମାତ୍ରାରେ ଖାଇଲେ ସ୍ମରଣ ଶକ୍ତି ବଢ଼ିଥାଏ । ଅପସ୍ମାର (ମୂର୍ଚ୍ଛା): ବ୍ରାହ୍ମୀ ଗଛକୁ ଚେର ସହିତ ଶୁଖାଇ ଗୁଣ୍ଡ କରି ଏକ ଚାମଚ ମାତ୍ରାରେ ଖାଇଲେ ଅପସ୍ମାର ଠିକ୍‍ ହୁଏ । ନିଦ ପାଇଁ: ବ୍ରାହ୍ମୀ ପତ୍ର ଚୂର୍ଣ୍ଣ ଏକ ଚାମଚ ସହିତ ୨-୩ ଗ୍ରାମ ଶୁଣ୍ଠି ଚୂର୍ଣ୍ଣ ଓ ମିଶ୍ରୀ ଗୁଣ୍ଡ ମିଶାଇ କ୍ଷୀର ସହିତ ଖାଇଲେ ନିଦ ହୁଏ । ମନଗତି ସ୍ଥିର ପାଇଁ: ବ୍ରାହ୍ମୀ ଚୂର୍ଣ୍ଣ ୧-୧ ଚାମଚ କିମ୍ବା ୩ ଗ୍ରାମ ବ୍ରାହ୍ମୀ ଚୂର୍ଣ୍ଣରେ ୨-୩ଟି ଗୋଲମରିଚ ଚୂର୍ଣ୍ଣ ମିଶାଇ ଖାଇଲେ ମନ ଗତି ସ୍ଥିର ହୁଏ । ସୁଖ ପ୍ରସବ: ବ୍ରାହ୍ମୀ ଗଛକୁ ବାଟି ଗର୍ଭବତୀର ଦୁଇ ହାତ ଓ ଦୁଇ ପାଦରେ ବୋଳିଲେ ସୁଖରେ ପ୍ରସବ ହୋଇଥାଏ । ପ୍ରମେହ/ପ୍ରଦର: ବ୍ରାହ୍ମୀ ଚୂର୍ଣ୍ଣ ୨-୩ ଗ୍ରାମ ମାତ୍ରାରେ ଜଳ ସହିତ ସେବନ କଲେ କିଛିଦିନରେ ପ୍ରମେହ ଓ ପ୍ରଦର ଠିକ୍‍ ହୁଏ । ଧାତୁ ରୋଗ ଓ ସ୍ୱପ୍ନ ଦୋଷ: ବ୍ରାହ୍ମୀ ଚୂର୍ଣ୍ଣ ୨-୩ ଗ୍ରାମ ମାତ୍ରାରେ କିଛିଦିନ ସେବନ କଲେ ଧାତୁରୋଗ ଓ ସ୍ୱପ୍ନ ଦୋଷ ଠିକ୍‍ ହୋଇଥାଏ । ହିଷ୍ଟ୍ରିୟା ରୋଗ: ବ୍ରାହ୍ମୀ ଚୂର୍ଣ୍ଣ ୧୦ ଗ୍ରାମରେ ୫ ଗ୍ରାମ କୁଠ ମିଶାଇ କିଛିଦିନ ସେବନ କଲେ ହିଷ୍ଟ୍ର୍ରିୟା ରୋଗ ଠିକ୍‍ ହୋଇଥାଏ । ବ୍ରାହ୍ମୀ ଘୃତ ୨ ଚାମଚ ମାତ୍ରାରେ ଦିନରେ ୨ ଥର ସେବନ କଲେ ହିଷ୍ଟ୍ରିୟା ରୋଗ ଭଲ ହୋଇଥାଏ । ଚୁଟି ଧଳା ହେଲେ ଓ ଝଡ଼ିଲେ: ବ୍ରାହ୍ମୀ ଓ ଭୃଙ୍ଗରାଜ ଚୂର୍ଣ୍ଣ ଏକ ଏକ ଚାମଚ ଖାଇଲେ କିଛି ଦିନରେ ଚୁଟି ଧଳା ହେବା ଓ ଉପୁଡ଼ିବା ବନ୍ଦ ହୋଇଥାଏ । ପରିସ୍ରା ପୋଡ଼ା: ବ୍ରାହ୍ମୀ ପତ୍ର ରସ ୨ ଚାଚମରେ ୨-୩ଟି ଗୋଲମରିଚ ଚୂର୍ଣ୍ଣ ମିଶାଇ ସେବନ କଲେ ପରିସ୍ରା ପୋଡ଼ା ଦୂର ହୁଏ । ବ୍ରାହ୍ମୀ ରସ ୨ ଚାମଚରେ ୧ ଚାଚମ ମିଶ୍ରୀ ଚୂର୍ଣ୍ଣ ମିଶାଇ ପିଇଲେ ମୂତ୍ରକୃଚ୍ଛ ଓ ପରିସ୍ରାପୋଡ଼ା ଠିକ୍‍ ହୁଏ । ପେଟ ଦରଜ: ବ୍ରାହ୍ମୀ ପତ୍ର ସହିତ ଗୋଲମରିଚ ୨-୩ଟି ବାଟି ଖାଇଲେ କିମ୍ବା ଖାଲି ବ୍ରାହ୍ମୀ ପତ୍ର ୫-୭ଟିକୁ ଚୋବାଇ ଖାଇଲେ ପେଟ ଦରଜ ଠିକ୍‍ ହୁଏ । ଘା’ ରୋଗ: ବ୍ରାହ୍ମୀ ପତ୍ରକୁ ବାଟି ଘାରେ ଲଗାଇଲେ ଘା’ ଶୀଘ୍ର ଶୁଖିଯାଏ । ଶରୀର ଜ୍ୱଳନ: ବ୍ରାହ୍ମୀ ରସ ୧ ଚାମଚରେ ମହୁ ମିଶାଇ ସେବନ କଲେ କିଛି ଦିନରେ ଶରୀର ଦାହ ଓ ଜ୍ୱଳନ ଠିକ୍‍ ହୁଏ । ବ୍ରାହ୍ମୀ ୫ ଗ୍ରାମ ସହିତ ୧ ଚାମଚ ଧନିଆଁ ରାତ୍ରିରେ ଭିଜାଇ ସକାଳେ ବାଟି ମିଶ୍ରୀ ସହିତ ସେବନ କଲେ ଲାଭ ମିଳେ ।