କାଳିଆ, ବଳିଆ ଯୋଜନା, ମୋ ଓଡ଼ିଶା ନବୀନ ଓଡ଼ିଶା ପ୍ରଭୃତି ଯୋଜନା କେବଳ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଭୂଆଁ ବୁଲାଇବା ପାଇଁ ।

ଖୋର୍ଦ୍ଧାରେ କଂଗ୍ରେସର ପରିବର୍ତନ ସମାବେଶ

ଭୁବନେଶ୍ୱର : ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଖୋର୍ଦ୍ଧାଠାରେ କଂଗ୍ରେସର ଏକ ବିଶାଳ ରାଲି ଏବଂ ପରିବର୍ତନ ସମାବେଶ ଆୟୋଜିତ ହୋଇଥିଲା । ପ୍ରଥମେ ଖୋର୍ଦ୍ଧା ଠାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ଏକ ବିଶାଳ ରାଲିରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡା. ଚେଲା କୁମାର, ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ଖୋର୍ଦ୍ଧାର ହାବେଳି ପଡ଼ିଆ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଆୟୋଜିତ ସଭାରେ ମା’ ବରୁଣେୀ ଓ କରୁଣେଇଙ୍କୁ ପ୍ରଣିପାତ କରି ଡା. ଚେଲ୍ଲା କୁମାର କହିଥିଲେ ଯେ ଖୋର୍ଦ୍ଧା ମାଟି ବୀର ପ୍ରସବିନୀ । ଭାରତର ସ୍ୱାଧୀନତା ସଂଗ୍ରାମରେ ଖୋର୍ଦ୍ଧାର ଅବଦାନ ଅତୁଳନୀୟ । ଆୟୋଜିତ ସଭାର ଜନସାଧାରଣ ଖୋର୍ଦ୍ଧାର ବୀର ସ୍ୱାଧୀନତା ସଂଗ୍ରାମୀଙ୍କର ବଂଶଧର । ଯଦିବା ଐତିହାସିକମାନେ ୧୮୫୭କୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେଇଛନ୍ତି ତା ପୂର୍ବରୁ ୧୮୧୭ ଓ ୧୮୦୪ ର ମୁକ୍ତି ସଂଗ୍ରାମରେ ଖୋର୍ଦ୍ଧାର ମାଟି ରକ୍ତରଞ୍ଜିତ ହୋଇଛି । ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଜୟୀରାଜ ଗୁରୁ, ବକ୍ସିଜଗବନ୍ଧୁ, କୃତତିବାସ ପାଟଶାହାଣୀ, ମାଧବ ଚନ୍ଦ୍ର ରାଉତରାୟ ଏବଂ ପିଣ୍ଡିକି ବାହୁ ବଳେନ୍ଦ୍ରଙ୍କର ତ୍ୟାଗ ଓ ତିତୀକ୍ଷାର କାହାଣୀ ଅବିସ୍ମରଣୀୟ । ଖୋର୍ଦ୍ଧାର ଜ୍ଞାନପୀଠ ବିଜେତା କବି ସଚ୍ଚି ରାଉତରାୟ ଓ ଗୋଦାବରିଶ ମହାପାତ୍ରଙ୍କର କାଳଜୟୀ କୃତି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ଓଡ଼ିଶାର ବରପୁତ୍ର ତଥା ଏ ମାଟିର ସୁଯୋଗ୍ୟ ସନ୍ତାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନବ ଉତ୍କଳ ନିର୍ମାଣର ବିନ୍ଧାଣୀ ଭାବେ ପରିଚିତ । ଖୋର୍ଦ୍ଧା ଜିଲ୍ଲା ପାଇଁ ସ୍ୱର୍ଗତ ପଟ୍ଟନାୟକଙ୍କର ଅବଦାନ ଅତୁଳନୀୟ । ସେ ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିଥିଲେ । ଖୋର୍ଦ୍ଧା ସୂତାକଳ, ଖୋର୍ଦ୍ଧା ଘଣ୍ଟା ଫ୍ୟାକ୍ଟ୍ରି, ମାଲଗୁଣି ବ୍ୟାରେଜ, ଚିଲିକାର ନାଭାଲ ବେସ୍‌, ଜଗନ୍ନାଥ ସଡ଼କ, ଖୋର୍ଦ୍ଧାରେ ମହିଳା ନିବାସ, ବସଷ୍ଟାଣ୍ଡ, ମୁଖ୍ୟ ଡାକ୍ତରଖାନା, ଖୋର୍ଦ୍ଧା ଜିଲ୍ଲାର ସ୍କୁଲ, କଲେଜ, ଡାକ୍ତରଖାନା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପ୍ରଭୃତି ଜାନକୀ ବାବୁଙ୍କ ଦ୍ୱାରା ସାଧିତ ହୋଇଥିଲା । ଖୋର୍ଦ୍ଧାର ହସ୍ତତନ୍ତ ଶିଳ୍ପ ଓଡ଼ିଶା ବିଖ୍ୟାତ, ଖୋର୍ଦ୍ଧାର ଲୁଙ୍ଗି, ଗାମୁଛା ଓ ଅନ୍ୟାନ୍ୟ ବସ୍ତ୍ରର ଆଜିବି ଚାହିଦା ଅଛି । କଂଗ୍ରେସ ସରକାର ସମୟରେ ଏହି ବୁଣାକାରମାନଙ୍କୁ ସାହାଯ୍ୟ କରାଯାଉଥିଲା ମାତ୍ର ୨୩ ବର୍ଷର ନବୀନ ସରକାର ସମୟରେ ଅବହେଳିତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ପ୍ରତି ନବୀନ ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ଏହି ଜିଲ୍ଲାର ୧୮ ଟି ଶୀତଳ ଭଣ୍ଡାର ଆଜିବି ଅଚଳ । ଏଣୁ ଚାଷୀମାନଙ୍କର ଅବସ୍ଥା ନବୀନ ସରକାର ବୁଝୁଛନ୍ତିକି ? ଖୋର୍ଦ୍ଧା ଏବେ ନିଶାକାରବାରର କେନ୍ଦ୍ର ସ୍ଥଳୀ ହୋଇଛି । ନିଶା ମାଫିଆ ଏବଂ ଅସାଧୁ ଅଫିସରଙ୍କ ମଧୂଚନ୍ଦ୍ରିକା ପାଇଁ ଖୋର୍ଦ୍ଧା ଏବେ ନିଶାକାରବାରର କେନ୍ଦ୍ର ସ୍ଥଳୀ ହୋଇଛି । ଖୋର୍ଦ୍ଧାରେ ସରକାରୀ ଜମି ସବୁ ଜମି ମାଫିଆଙ୍କ କବଜାରେ ମାତ୍ର ପ୍ରଶାସନ ନୀରବ । ଏଠାରେ ଅବାଧ ପଥର ଖଣି ଲୁଟ ଚାଲିଛି । ଖୋର୍ଦ୍ଧା ଜିଲ୍ଲାରେ ଏବେ ସ୍କୁଲ, କଲେଜ ଅଛି ହେଲେ ଶିକ୍ଷକ ନାହାନ୍ତି, ଡାକ୍ତର ଖାନା ଅଛି ମାତ୍ର ଡାକ୍ତର ନାହାନ୍ତି । ନବୀନ ସରକାର ଅମଳରେ ଖୋର୍ଦ୍ଧାର ବିକାଶ ହୋଇପାରି ନାହିଁ । କାଳିଆ, ବଳିଆ ଯୋଜନା, ମୋ ଓଡ଼ିଶା ନବୀନ ଓଡ଼ିଶା ପ୍ରଭୃତି ଯୋଜନା କେବଳ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ । ଏଥିରେ ସହାୟତାର ଯେଉଁ ରାଶି ଘୋଷଣା କରାଯାଉଛି ପରବର୍ତୀ ସମୟରେ ଏହାକୁ ପୂରଣ କରିବାରେ ଖିଲାପ କରୁଛନ୍ତି । ନବୀନ ସରକାର ଦୀର୍ଘ ୨୩ ବର୍ଷରେ ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ଓଡ଼ିଶାର ଚାଷୀ ଦେଶର ସବୁ ରାଜ୍ୟର ଚାଷୀଙ୍କ ଠାରୁ ଗରିବ । ନବୀନ ସରକାର ପ୍ରତିବର୍ଷ ୨ ଲକ୍ଷ ନିଯୁକ୍ତି ଦେବା ପାଇଁ ଘୋଷଣା କରିଥିଲେ ମାତ୍ର ଆଜିବି ସରକାରରେ ୨ଲକ୍ଷ ୨୪ ହଜାର ପଦବୀ ଖାଲି ପଡ଼ିଛି । ସେହିପରି ଓଡ଼ିଶାର ସରକାରୀ ମେଡିକାଲ ଓ ଡାକ୍ତରଖାନାରେ ୨୯୦୦ ଡାକ୍ତର ପଦବୀ ଖାଲି ପଡ଼ିଛି । କଂଗ୍ରେସର ମନରେଗା ଯୋଜନା ଆଜି କୋଟି କୋଟି ଲୋକଙ୍କୁ ନିଯୁକ୍ତି ଦେଉଛି । କୃଷକମାନଙ୍କ ପାଇଁ କଂଗ୍ରେସ ୭୨ ହଜାର କୋଟି ଟଙ୍କା ଋଣ ଛାଡ଼ କରିଛି । କଂଗ୍ରେସ କ୍ଷମତାକୁ ଆସିଲେ ମାନ୍ୟବର ରାହୁଲ ଗାନ୍ଧୀଙ୍କର ନ୍ୟାୟ ଯୋଜନାର ପ୍ରତିଶ୍ରୁତି ପାଳିତ ହେବ । ମାସକୁ ୬୦୦୦ କରି ବର୍ଷକୁ ୭୨ ହଜାର ଏବଂ ୫ ବର୍ଷରେ ୩ ଲକ୍ଷ ୬୦ ହଜାର ଟଙ୍କା ସାହାଯ୍ୟ ଦିଆଯିବ । ଡା. ଚେଲ୍ଲା କୁମାର କହିଲେ ଯେ କଂଗ୍ରେସର ପୂର୍ବ ଗୌରବ ଫେରିଲେ ଓଡ଼ିଶାର ବୈପ୍ଳବିକ ପରିବର୍ତନ ହେବ । ଜବର ଦଖଲ କରିବା ଜଣେ ତାମିଲର ସଂସ୍କୃତି ନୁହେଁ । ସେ ଓଡ଼ିଶାର ଜଣେ ତାମିଲର ଜବର ଦଖଲ କାର୍ଯ୍ୟକୁ ନିନ୍ଦା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ ଖୋର୍ଦ୍ଧା ବୀରମାନଙ୍କର ଭୂମି । ଏ ମାଟିର ଜନସାଧାରଣଙ୍କର ସ୍ୱାଭିମାନ ରହିଛି । ଖୋର୍ଦ୍ଧା ମାଟିରେ ଏଥର ବିଜେଡ଼ି ଓ ବିଜେପିର ପତନ ହେବ । ଉଭୟ ଦଳ ସେମାନଙ୍କର ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି । ପ୍ରତି ବ୍ଲକରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚନ, ଚାଷୀର ଆୟ ବୃଦ୍ଧି, ବର୍ଷକୁ ୨ଲକ୍ଷ ନିଯୁକ୍ତି, ଶୁଦ୍ଧ ପାନୀୟଜଳ, ସମସ୍ତଙ୍କୁ ଆବାସ ପ୍ରଭୃତି ଅସୁମାରୀ ଯୋଜନା ଘୋଷଣା କରାଗଲା । କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଚାଷୀ ଆତ୍ମହତ୍ୟା ବଢ଼ିଚାଲିଛି । ଓଡ଼ିଶାରେ ୯ଲକ୍ଷ ବେକାରୀ ଯୁବକ ନାମ ପଞ୍ଜିକରଣ କରି ନିଯୁକ୍ତି ପାଇଁ ଚାହିଁ ବସିଛନ୍ତିି । ଏ ରାଜ୍ୟରେ ମହିଳା ଅସୁରକ୍ଷିତ । ନବୀନଙ୍କ ମା’କୁ ସମ୍ମାନ ଆହ୍ୱାନ ଏକ ପ୍ରହଶନରେ ପରିଣତ ହୋଇଛି । ଏ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୂଷୁଡ଼ି ପଡ଼ିଛି । ୧୨ଟି ସରକାରୀ ବିଶ୍ୱବିଦ୍ୟାଳୟରେ ପାଖାପାଖି ୧୦୦୦ ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିଭଳି ସରକାରୀ ଡିଗ୍ରୀ କଲେଜରେ ୪୫ ପ୍ରତିଶତ ଶିକ୍ଷକ ପଦବୀ ଖାଲି । ୩୧୯୭ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି । କାଳିଆ, ବଳିଆ ଓ ପିଠାର ମାୟାରେ ଜନସାଧାରଣ ଆଉ ପଡ଼ିବେ ନାହିଁ । କଂଗ୍ରେସ ଓଡ଼ିଶାର ସାମଗ୍ରିକ ବିକାଶ କରିଥିଲା । ଯେଉଁଥିରେ ବିଜେଡ଼ି ବାଧକ ସାଜିଛି । ସେହିପରି ବର୍ଷକୁ ୨କୋଟି ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର ଆଜି ତାଙ୍କ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି । କେନ୍ଦ୍ର ସରକାରର ୧୦ଲକ୍ଷ ପଦବୀ ଆଜିବି ଖାଲି ପଡ଼ିଛି । ମୋଦି ଓ ନବୀନ କୃତ ମହଙ୍ଗା ମାଡ଼ରେ ସାଧାରଣ ଜନତାଙ୍କର ଅବସ୍ଥା ଶୋଚନୀୟ । ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ନିରପେକ୍ଷ ରହିପାରୁ ନାହିଁ । ଯେଉଁମାନେ ମୋଦି ଓ ନବୀନ ସରକାର ବିରୁଦ୍ଧରେ ସ୍ୱରଉତୋଳନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ସିବିଆଇ, ଇଡି ଏବଂ ଇଓଡବ୍ଲୁକୁ ପ୍ରୟୋଗ କରାଯାଉଛି । ସାଧାରଣ ଜନତାକୁ ନ୍ୟାୟ ଦେବାପାଇଁ ଏବଂ ଓଡ଼ିଶାର ବିକାଶ କରିବାକୁ ହେଲେ କଂଗ୍ରେସକୁ ପୁଣି କ୍ଷମତାସୀନ କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ବିଜୟ ପଟ୍ଟନାୟକ, ଶରତ ରାଉତ, ତାରା ପ୍ରସାଦ ବାହିନୀପତି, ଗଣେଶ୍ୱର ବେହେରା, ୟାସିର ନୱାଜ, ବନ୍ଦିତା ପରିଡ଼ା, ସିର୍ଦ୍ଧାର୍ଥ ରାଉତରାୟ, ସ୍ୱାଗତିକା ପଟ୍ଟନାୟକ, ଅମିତ ମହାନ୍ତି ପ୍ରମୁଖ ଅଭିଭାଷଣ ଦେଇ ନବୀନ ସରକାର ଓ ମୋଦି ସରକାରର କୁଶାସନ ଓ ଜନମାରଣ ନୀତିର କଟୁ ସମାଲୋଚନା କରିଥିଲେ । ପିସିସି ସାଧାରଣ ସଂପାଦକ ପୃଥିବଲ୍ଲଭ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ମାନସ ଆଚାର୍ଯ୍ୟ ଓ ଚିନ୍ମୟ ସୁନ୍ଦର ଦାସ ରାଲିକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିବାନନ୍ଦ ରାୟ, କିଶୋର ଜେନା, ନକୁଳ ନାୟକ,ଅମିୟ ପଟ୍ଟନାୟକ, ନବୀନ ଚନ୍ଦ୍ର ନାରାୟଣ ଦାସ, ଯୁଧିଷ୍ଠୀର ଜେନା, ବାଙ୍କନିଧି ବେହେରା, ଜ୍ଞାନ ପଟ୍ଟନାୟକ, ଜିଆଉଲ ହକ, ତରୁଣ ମିଶ୍ର, ସଂଜୟ ତ୍ରିପାଠୀ, ବିଜୟାନନ୍ଦ ଚାଉଳିଆ, ବିସ୍ମୟ ମହାପାତ୍ର, ଲିଙ୍ଗରାଜ ସାହୁ, ରସିକ ପଟ୍ଟନାୟକ, ଜୟୀରାମ ପଟ୍ଟନାୟକ, ସରୋଜ ପଟ୍ଟନାୟକ, ଅମିୟ ପାଣ୍ଡବ, ରଞ୍ଜିତ ପାତ୍ର, ମିହିର ଆଚାର୍ଯ୍ୟ, ନିରୁପମା ପାତ୍ର, ପ୍ରଦୀପ ମହାପାତ୍ର, ଦୀପକ ମହାପାତ୍ର, ରାଜକିଶୋର ବାରିକ, ପ୍ରଭାତ ପ୍ରତାପ ସିଂ, ଜୟକୃଷ୍ଣ ମଲ୍ଲିଆ, ବଟକୃଷ୍ଣ ରାଉତରାୟ, ପ୍ରଦୀପ ସ୍ୱାଇଁ, ଜୟକୃଷ୍ଣ ସୁବୁଦ୍ଧି, ନୌସରୀ ଅଲ୍ଲି, ଏମଡି ସାହାଦୁଲ୍ଲା, ପ୍ଲାବନ ପଟ୍ଟନାୟକ, ଅଜୟ ସାହୁ, ସ୍ୱାଗତ କର, ତପନ ଚକ୍ରବର୍ତୀ, ବିନୋଦ ପାଣି, ସୁନିଲ ରାଉତରାୟ, ସୁଧାଂଶୁ ମୋହନ ପଟ୍ଟନାୟକ, ତ୍ରିଲୋଚନ ପ୍ରଧାନ, ଧନେଶ୍ୱର ରାଉତରାୟ, ସୁବାଷ ପାତ୍ର, କଳିଙ୍ଗ ସାହୁ, ବୃନ୍ଦାବନ ସାହୁ, ଭୂଷଣ ଛୋଟରାୟ, ପଦ୍ମଚରଣ ସୁବୁଦ୍ଧି, କାର୍ତିକେଶ୍ୱର କାଣ୍ଡି, ସନ୍ତୋଷ ପ୍ରଧାନ, ନଗେନ ସିଂ, ଅଶୋକ ମଙ୍ଗରାଜ, ନରୋତମ ନାୟକ, ଅମିୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।