ଡଃ ହରେକୃଷ୍ଣ ମହତାବ ଥିଲେ ମଣିଷ ତିଆରି କାରଖାନା : ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ସ୍ଥିତ ଲୋୟରପିଏମଜି ଠାରେ ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ କମିଟିର ସାଧାରଣ ସଂପାଦକ ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ମହାନ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କର ୧୨୪ ତମ ଜୟନ୍ତୀ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ଛତିଶଗଡ଼ର ମହାମମହୀମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ଓ ପରବର୍ତୀ ପର୍ଯ୍ୟାୟରେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସ୍ୱର୍ଗତ ମହତାବଙ୍କର ବଳିଷ୍ଠ ଭୂମିକା ଥିଲା । ମହତାବ ଥିଲେ ମଣିଷ ତିଆରି କାରଖାନା । ତାଙ୍କର ଆଶୀର୍ବାଦ ଲାଭ କରି ଓଡ଼ିଶାରେ ଅସୁମାରୀ ଲୋକ ସମାଜସେବା, ରାଜନୀତି, ଶିକ୍ଷା, ବାଣିଜ୍ୟ ଓ ସାହିତ୍ୟ କ୍ଷେତ୍ରରେ ବହୁ ପ୍ରତିଷ୍ଠା ଲାଭ କରିଛନ୍ତି । ସେ ଥିଲେ ନବ ଉତ୍କଳର ନିର୍ମାତା । ପାଇକମାନଙ୍କ ପ୍ରତି ତାଙ୍କର ବହୁ ଆଦର ଥିଲା । କାରଣ ସେମାନଙ୍କର ପୂର୍ବ ପୁରୁଷ ଦେଶମାତୃକା ପାଇଁ ଜୀବନ ଦାନ ଦେଇଥିଲେ । ମହତାବ ଥିଲେ ଗଣତନ୍ତ୍ର ସୁରକ୍ଷା ସଂଗ୍ରାମର ସେନାପତି । ଯଦିବା ଜୀବନକାଳ ଭିତରେ ସେ ଓଡ଼ିଶାର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଭଳି କ୍ଷମତାପ୍ରାପ୍ତ ହୋଇଥିଲେ ମାତ୍ର ଏହିସବୁ କ୍ଷମତା ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ଆଗରେ ନିସ୍ପ୍ରଭ ଥିଲା । କ୍ଷମତା ଥାଉ ବା ନଥାଉ, ତାଙ୍କର ବ୍ୟକ୍ତିତ୍ୱର ପ୍ରଭାବ କ୍ଷମତାର ଉଚ୍ଚତାକୁ ଅତିକ୍ରମ କରିଯାଉଥିଲା । ସେ ଭୁବନେଶ୍ୱର ରାଜଧାନୀ, ହୀରାକୁଦ ବନ୍ଧ, ରାଉରକେଲା ଷ୍ଟିଲପ୍ଲାଂଟ, ହାଇକୋର୍ଟ, ଉତ୍କଳ ୟୁନିର୍ଭରସିଟି, କଟକ ବେତାର ଷ୍ଟେସନପ୍ରଭୃତି ମହତାବଙ୍କର କୀର୍ତିରାଜି ।
ସେ ଥିଲେ ଏକାଧାରରେ ରାଜନେତା, ଐତିହାସିକ, ସାହିତ୍ୟିକ ଓ ସାମ୍ବାଦିକ ତଥା ସମ୍ବାଦ ପତ୍ରର ପ୍ରତିଷ୍ଠାତା । ୧୯୨୩ ମସିହାରେ ସେ ବାଲେଶ୍ୱର ଠାରେ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ । ଯାହାକି ପରବର୍ତୀ ପର୍ଯ୍ୟାୟରେ କଟକରୁ ପ୍ରକାଶିତ ହୋଇଥିଲା । ଇଂରାଜୀ ସାପ୍ତାହୀକ ସମ୍ବାଦ ପତ୍ର ଦିଇଷ୍ଟନ ଟାଇମସ, ଶିଶୁ ସାହିତ୍ୟ ପତ୍ରିକା ମୀନାବଜାର, ସାହିତ୍ୟ ପତ୍ରିକା ଝଙ୍କାର ସେ ପ୍ରତିଷ୍ଠାତା ଥିଲେ । ତାଙ୍କର ଧାରାବାହିକ ଲେଖା “ଗାଁ ମଜଲିସ” ଓଡ଼ିଶାର ରାଜନୀତି, ଓଡ଼ିଶାର ବିଭିନ୍ନ ଅଂଚଳର ସମସ୍ୟା ଓ ଶାସନ ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ ଥିଲା ଯାହାକି ସବୁବେଳେ ସାରା ଓଡ଼ିଶାରେ ଚର୍ଚ୍ଚିତ ହେଉଥିଲେ । ତାଙ୍କ ଦ୍ୱାରା ରଚିତ ଓଡ଼ିଶା ଇତିହାସ ସର୍ବଜନାଦୁତ । ରେଭେନ୍ସା କଲେଜର ଛାତ୍ର ଥିବାବେଳେ ସେ ଦେଶପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ । ଆଜି ସମାଜସେବା କ୍ଷେତ୍ରରେ ଓ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିବା ଯୁବକମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ ଡଃ ହରୋକୃଷ୍ଣ ମହତାବ ଓଡିଆ ଜାତିପାଇଁ ଚିରନମସ୍ୟ । ସେ ଜଣେ ବ୍ୟକ୍ତି ନଥିଲେ ସେ ଥିଲେ ଏକ ଅନୁଷ୍ଠାନ । ଓଡ଼ିଶା ରାଜନୀତି, ଓଡ଼ିଶାର ବିକାଶ ଏବଂ ଓଡ଼ିଶାରେ ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମ ପ୍ରଭୃତିରେ ମହତାବଙ୍କର ନେତୃତ୍ୱ ଥିଲା ଅତୁଳନୀୟ । ବିଶେଷକରି କୃଷି, ଶିକ୍ଷା ଓ କର୍ମଯୋଗାଣ କ୍ଷେତ୍ରରେ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ଅଧିକ ପ୍ରାଧାନ୍ୟ ଦେଇଥିଲେ । ମହତାବଙ୍କ ଜୀବନଦର୍ଶନ ଆମର ପାଥେୟ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ଯେ ମହତାବଙ୍କ ଉଦ୍ୟମ ଫଳରେ ୨୬ଟି ଗଡଯାତ ରାଜ୍ୟର ମିଶ୍ରଣ ଓଡ଼ିଶା ସହିତ ହୋଇପାରିଥିଲା । ଯଦିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସାରା ଦେଶରେ ଗଡ଼ଯାତ ମିଶ୍ରଣର ନେତୃତ୍ୱ ନେଇଥିଲେ ମାତ୍ର ଏହି କ୍ଷେତ୍ରରେ ମହତାବଙ୍କର ଭୂମିକା ମଧ୍ୟ ଉଲ୍ଲେଖନୀୟ ଥିଲା । ଶ୍ରୀ ହରିଚନ୍ଦନ ଓଡ଼ିଶାର ସାମଗ୍ରିକ ବିକାଶ କ୍ଷେତ୍ରରେ ଏବଂ ରାଜ୍ୟ ସୁଶାସନ ଦେବାରେ ଡଃ ମହତାବଙ୍କର ମୁଖ୍ୟମନ୍ତ୍ରୀତ୍ୱ ସମୟ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବତାରଣା କରିଥିଲେ । ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ଶ୍ରୀ ସୁରେଶ କୁମାର ରାଉତରାୟ ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ କଳିଙ୍ଗ ବିହାର ପାର୍କଙ୍କୁ ମହତାବଙ୍କ ନାମରେ ନାମିତ କରିବାକୁ ଦାବି କରିଥିଲେ । ଏଥିସହ ମହତାବ ସହିତ ତାଙ୍କ ଜୀବନର କିଛି ଅଭୁଲାସ୍ମୃତି ସମ୍ପର୍କରେ ସେ କହିଥିଲେ । ପରିଶେଷରେ ବରିଷ୍ଠ ଆଇନଜୀବି ତଥା ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର, ରାଜନୀତି, ସାମ୍ବାଦିକତା, ପ୍ରଶାସନ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରସିଦ୍ଧ ବ୍ୟକ୍ତିତ୍ୱକୁ ସମ୍ବର୍ଦ୍ଧିତ କରାଯାଇଥିଲା । ମାଉସୀମା ମନ୍ଦିର ପ୍ରାଙ୍ଗଣରେ ୫୬ ଦଳ ପାଇକଙ୍କୁ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇ ଡଃ ମହତାବଙ୍କର ଘଟଣା ବହୁଳ ରାଜନୈତିକ ଜୀବନ, କୀର୍ତି ଓ କୃର୍ତି ସମ୍ପର୍କରେ ଆଲୋକପାତ କରିଥିଲେ । ସମାଜସେବୀ ମନ୍ମଥ ରାଉତରାୟ ଜନନାୟକ ମହତାବଙ୍କର ଓଡ଼ିଶାବାସୀଙ୍କୁ ଅବଦାନ ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ୫୬ ଦଳ ସାମରିକ କ୍ରୀଡ଼ା ପ୍ରଦର୍ଶନକାରୀ ପାଇକ, ପରମ୍ପରା ନୃତ୍ୟ ପ୍ରଦର୍ଶନ ଗୋଷ୍ଠୀ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିଥିଲେ । ସଭାସ୍ଥଳରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ସମସ୍ତେ ଏକ ଶୋଭାଯାତ୍ରାରେ ଗସ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗ୍ରାମ କିଶୋର ପାଇକରାୟ, କିଶୋର ଜେନା, ପ୍ରକାଶ ମହାନ୍ତି, ୟାସିର ନୱାଜ, ପ୍ରକାଶ ଜେନା, ସୁନିଲ ରାଉତରାୟ, ସନତ ମିଶ୍ର, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, କଳିଙ୍ଗ ସାହୁ, କୁନା ମୁଦୁଲି, ଦିଲ୍ଲୀପ ମିଶ୍ର, କାଳୁପତି, ଲିଙ୍ଗରାଜ ସାହୁ, ମିହିର ଆଚାର୍ଯ୍ୟ, ତରୁଣ ମିଶ୍ର, ଜୟକୃଷ୍ଣ ମଲ୍ଲିଆ, ନରୋତମ ସେଠୀ, ଅଭିରାମ ଜେନା, ବିରଂଚି ନାରାୟଣ ମହାସୁପକାର, ବିଜୟ ଦ୍ୱିବେଦୀ, ଜୟକୃଷ୍ଣ ସୁବୁଦ୍ଧି, ସତ୍ୟବ୍ରତ ନାୟକ, ନରୋତମ ନାୟକ, ତାପସ ସେଠୀ, ସୁଭାଷ ପ୍ରଧାନ, ବିକ୍ରମ ସୁନ୍ଦରରାୟ, ସଂକୁନା କହଁର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ବଢ଼େଇବାଙ୍କ ଛକଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ଯଥା ପ୍ରଶାସନ, ରାଜନୀତି, ସମାଜସେବା, ସାମ୍ବାଦିକତା, କ୍ରିଡ଼ା ଇତ୍ୟାଦି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ସର୍ବଶ୍ରୀ ବଳୱନ୍ତ ସିଂ, ପ୍ରତୀକ ସିଂ, ଆଶୁତୋଷ ବିଶ୍ୱାସ, ଶ୍ରୀପଦ କର୍ମକାର, ଅରୁଣାଭ ଭଞ୍ଜ ଦେଓ, ୟାସିର ନୱାଜ, ଶିବ ପସାଦ ବହେରା, ଅବିନାଶ ବଳିଆର ସିଂ, ସମୀକ୍ଷା ପଟ୍ଟନାୟକ, ମୌସୁମୀ ମହାନ୍ତି, ଜଗଦିଶ ଦାସ, ଚିନ୍ମୟ ମହାପାତ୍ର, ସୁନିଲ କୁମାର ଗହନ, ତୃପ୍ତି ମିରାବିକା ସାହୁ, କୈଳାସ ଷଡ଼ଙ୍ଗୀ, ଜିତେନ୍ଦ୍ର ରଥ, ଗୀତାଞ୍ଜଳି ସେଠୀ, ଅଂଶୁମାନ ପରିଡ଼ା, ସ୍ୱାଗତିକା ସାମନ୍ତ ରାୟ ଓ ସୁବାଷ ଚନ୍ଦ ସାହୁଙ୍କୁ ମାନଫଳକ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।