ଓଡ଼ିଶାରେ ସବୁଠାରୁ ବଡ ଦୁର୍ନୀତି ଚିଟଫଣ୍ଡ ଦୁର୍ନୀତି : ମନମୋହନ ସାମଲ

ଭୁବନେଶ୍ୱର : ଦୀର୍ଘ୨୩ ବର୍ଷର ବିଜେଡି ଶାସନରେ ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାର ଚରମ ସୀମା ଅତିକ୍ରମ କରିସାରିଛି । ଯାହାକି ‘ବ୍ଲକ ଘେରାଓ’ କାର୍ଯ୍ୟକ୍ରମରେ ସ୍ପଷ୍ଟ ରୂପେ ପ୍ରତିଫଳିତ ହୋଇଛି । ବିଜେଡିର କୁଶାସନକୁ ନେଇ ଓଡ଼ିଶାବାସୀଙ୍କ ମନରେ “ଜନଆକ୍ରୋଶ” ସୃଷ୍ଟି ହୋଇଛି । ଶାସକ ଦଳର ବିଧାୟକ ସୁଶାନ୍ତ ସିଂହଙ୍କ ଇଙ୍ଗିତରେ ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପଦାରେ ପକାଇଛି । ବିଜେଡି ଶାସନରେ ମହିଳା ଅସୁରକ୍ଷିତ । ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଥିବାବେଳେ ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ୍ ହେଉଛି । କେନ୍ଦ୍ର ଦେଇଥିବା ଟଙ୍କାକୁ ରାଜ୍ୟ ସରକାର କ’ଣ ଖର୍ଚ୍ଚ କଲେ ତାହାର ଉତର ରାଜ୍ୟ ସରକାର ତୁରନ୍ତୁ ଦିଅନ୍ତୁ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ରାଜ୍ୟ ସରକାରଙ୍କ ଆବେଦନଠାରୁ ଅଧିକ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ପକ୍କା ଘର ଯୋଗାଇ ଦେବା ସତ୍ୱେ ଆଜି ବି ଲକ୍ଷ ଲକ୍ଷ ପରିବାର ମୁଣ୍ଡ ଉପରେ ଛାତ ନାହିଁ । ଓଡିଶାରେ ଏପ୍ରିଲ ୨୦୨୩ ରୁ ଜୁନ ୨୦୨୩, ୩ ମାସ ଭିତରେ ୨ ଲକ୍ଷ ୫୯ ହଜାର ପକ୍କାଘର ନିର୍ମାଣ କାମ ସରିବା କଥା । ଏହି ସମୟରେ ୨ଲକ୍ଷ ୫୯ହଜାର ଗରିବ ଲୋକମାନେ ସେମାନଙ୍କ ପକ୍କା ଘରକୁ ପ୍ରବେଶ କରିବା କଥା । କିନ୍ତୁ ରାଜ୍ୟ ସରକାରଙ୍କର ଅପାରଗତା, ଚକ୍ରାନ୍ତ ଓ ଗରିବ ବିରୋଧୀ ନୀତି କାରଣରୁ ବର୍ତମାନ ସୁଦ୍ଧା ମାତ୍ର ୩ ହଜାର ପକ୍କାଘର ନିର୍ମାଣ କାର୍ଯ୍ୟ ସରିଛି । ଏହା ହେଉଛି ନିର୍ଦ୍ଧାରିତ ହୋଇଥିବା ଟାର୍ଗେଟର ମାତ୍ର ୧% । ଓଡ଼ିଶାର ଗରୀବ ଲୋକମାନେ କିଭଳି କେନ୍ଦ୍ର ସରକାର ଦେଉଥିବା ପକ୍କାଘର ନପାଇବେ ସେଥିପାଇଁ ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର । ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଳିତ ଆର୍ଥୀକ ବର୍ଷରେ ୧୦ ଲକ୍ଷ ୩୭ ହଜାର ପକ୍କାଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଛନ୍ତି । କିନ୍ତୁ ଏହି ଲକ୍ଷ୍ୟ ପୂରଣ କରିବାରେ ରାଜ୍ୟ ସରକାର ବିଫଳ ବୋଲି ଆଜି ଗଞ୍ଜାମ “ବ୍ଲକ ଘେରାଓ” କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସାମଲ କହିଛନ୍ତି । ସେହିପରି ଚିକିଟି ବ୍ଲକରେ ଆଜି ରାଜ୍ୟ ସଭାପତି “ବ୍ଲକ ଘେରାଓ” କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚିକିଟି ଅଂଚଳର ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଚିକିଟି ବ୍ଲକକୁ ମରୁଡି ଘୋଷରା କରିବା ସହ ଚାଷୀଙ୍କୁ ଆର୍ôଥକ ସହାୟତା ଓ ଜମିକୁ ପାଣି ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ସାମଲ ଦାବି କରିଛନ୍ତି । ଓଡ଼ିଶାରେ ଖଣି, ପାଣି, ଜଙ୍ଗଲ ଜମି ଥିଲେ ବି ଓଡ଼ିଆ ଯୁବକ ବେକାର ହୋଇ କାମ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶାରେ କୌଣସି ଶିଳ୍ପ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଏଯାଏଁ ହୋଇନାହିଁ । ଆମେ ଗର୍ବ କରିବା କଥା କି ଓଡ଼ିଶାରେ ୪୮୭କିମିର ବେଳାଭୂମି ଥିବାବେଳେ ୧୮୧୦ ନିୟୁତ ଟନ୍‌ର ବକ୍ସାଇଟି, ୫୧୫୩ ନିୟୁତ ଟନ ଲୁହାପଥର, ୧୭୪ ନିୟୁୁତ ଟନ୍‌ର କ୍ରୋମାଇଟ୍‌, ୬୫,୦୦୦ନିୟୁତ ଟନ୍‌ର କୋଇଲା, ୧୭୪ନିୟୁତ ଟନ୍‌ର ମାଙ୍ଗାନିଜ୍‌, ୫୮ଲକ୍ଷ ହେକ୍ଟରର ଜଙ୍ଗଲ, ୬୧ଲକ୍ଷ ହେକ୍ଟରର ଚାଷ ଜମି ଥାଇ ମଧ୍ୟ ଓଡ଼ିଶାରେ ଶିଳ୍ପର ବିକାଶ ନହେବା ଦୁର୍ଭାଗ୍ୟ ଜନକ । ଖଣି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଭାବେ ଥିବା ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ କଲ୍ୟାଣ ପାଣ୍ଠି ବା ଡିଏମଏଫ ପାଣ୍ଠି ଦୁର୍ନୀତିର ଗନ୍ତାଘର ସାଜିଛି । ପଞ୍ଚାୟତ, ବ୍ଲକରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପିଛି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ଶ୍ରୀ ସାମଲ କହିଛନ୍ତି । ଓଡିଶାବାସିଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟ୍ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ସବୁଠାରୁ ବଡ ଦୁର୍ନୀତି ଚିଟଫଣ୍ଡ ଦୁର୍ନୀତି । ଭେଳିକି ଦେଖାଇ କର୍ପସ ପଣ୍ଡ ଗଠନ କରିଦେଇ ଚୁପ୍ ବସିଥିବା ବିଜେଡି ସରକାର ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ବି ସାଧାରଣ ଲୋକଙ୍କୁ ଫେରାଇ ପାରିଲେ ନାହିଁ । ବିଜେଡି ସରକାରର ସୁରକ୍ଷା ପ୍ରଦାନ କାରଣରୁ ବିଭିନ୍ନ ଚିଟ୍‌ଫଣ୍ଡ ଘୋଟାଲାରେ ସଂପୃକ୍ତ ଅଭିଯୁକ୍ତମାନେ ଆଜି ନିର୍ଭୟରେ ବାହାରେ ବୁଲୁଛନ୍ତି । ଓଡ଼ିଶାରେ ସରକାର କିଏ ଚଳାଉଛି ଓ କେମିତି ଚାଲୁଛି ? ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଓଡିଶା ରାଜ୍ୟ ସମସ୍ତ ସୀମା ଅତିକ୍ରମ କରିସାରିଛି । ଏପରିକି ଗଣତନ୍ତ୍ର ଓ ପଞ୍ଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । “ଅଣଓଡିଆ ଅଫିସର, ଠିକାଦାର,ବ୍ୟବସାୟୀ” ମଧୁଚନ୍ଦ୍ରିକାରେ ରାଜ୍ୟର ବିକାଶକୁ ଲୁଣ୍ଠନ କରାଯାଉଛି । ୫୦ ପ୍ରତିଶତ ପିସି କମିଶନ ଟଙ୍କାରେ ବିଜେଡି ନେତା, ମନ୍ତ୍ରୀ ଓ ବିଧାୟକମାନେ ମାଲେମାଲ ହେଉଛନ୍ତି, କିନ୍ତୁ ସାଧାରଣ ଲୋକଟି ନିଜ ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ “ସ୍ୱଚ୍ଛ ଭାରତ ଅଭିଯାନ”ରେ ଲକ୍ଷ ଲକ୍ଷ ପାଇଖାନା ଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଯୋଗାଇ ଦେଇଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ବିଜେଡି କର୍ମୀମାନେ ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ବିଭିନ୍ନ ବ୍ୟକ୍ତି ମାନଙ୍କୁ ପାଇଖାନା ଘର ବଣ୍ଟନ କରୁଛନ୍ତି । ବହୁ ନିର୍ମିତ ପାଇଖାନା ଘର ଆଜି ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇପଡିଛି । ବହୁ ପଞ୍ଚାୟତରେ ଗୋଟିଏ ପାଇଖାନା ନର୍ମାଣ କରି ନାମଫଳକରେ ହିତାଧିକାରୀମାନଙ୍କ ନାମ ବାରମ୍ବାର ପରିବର୍ତନ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରୁଛନ୍ତି ଶ୍ରୀ ସାମଲ କହିଛନ୍ତି । ବିଧବା ଏବଂ ବାର୍ଦ୍ଧକ୍ୟ ଭତା ପ୍ରଦାନ କରିବାରେ ଆଜି ବିଜେଡି ସରକାର ବହୁ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି । ଶାନ୍ତିପ୍ରିୟ ଓଡିଶା ଏବେ ଅଶାନ୍ତିର ଶିକାର । ଶାସକ ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ରାଜ୍ୟରେ ହତ୍ୟା, ଧର୍ଷଣ, ଅପହରଣ, ଲୁଣ୍ଠନ ଭଳି ସଙ୍ଗୀନ ଘଟଣାମାନ ଦୈନନ୍ଦିନ ଘଟୁଛି । ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ଇଙ୍ଗିତରେ ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଛି । ଶାସକ ଦଳର ୪୦ରୁ ଅଧିକ ବିଧାୟକ ଆଜି ସଙ୍ଗୀନ ଦଫାର ଅଭିଯୁକ୍ତ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଭଳି ଅନେକ ଲୋମହର୍ଷଣକାରୀ ଅପରାଧିକ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜୁ ଜନତା ଦଳର ନେତାମାନେ । ବିଜେଡି ସାଂସଦ ଓ ବିଧାୟକ ମାନଙ୍କ ନାଁରେ ଯୈାନ ନିର୍ଯ୍ୟାତନାର ମାଳମାଳ ଅଭିଯୋଗ ରହିଛି କିନ୍ତୁ କେଉଁ ଗୋଟିଏ ଘଟଣାରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ୯୦ରୁ ଅଧିକ ରାଜନୈତିକ ହିଂସା ଘଟିଛି ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଘେରାଓ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ସରୋଜ କର, ଜିଲ୍ଲା ସଭାପତି ଡ.ସୁବାଷ ସାହୁ, ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୃଗୁ ବକ୍ସିପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ଓ ସାଧାରଣ ଜନତା ଯୋଗ ଦେଇଥିଲେ ।