ଭାରତୀୟ ଧାତୁ ସଂସଦର ୭୭ତମ ବାର୍ଷିକ ବୈଷୟିକ ବୈଠକ

ଭୁବନେଶ୍ଵର : ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତୀୟ ଧାତୁ ସଂସଦ( ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଟାଲସ ) ର ବାର୍ଷିକ ବୈଠକ ଏବଂ ଜାତୀୟ ଧାତୁ ବିଜ୍ଞାନୀମାନଙ୍କୁ ପୁରସ୍କାର ପ୍ରଦାନ ଉତ୍ସବ ( ନ୍ୟାସନାଲ ମେଟାଲର୍ଜିଷ୍ଟ ଆୱାର୍ଡ )-ଆଇଆଇଏମ୍-ଏଟିଏମ୍ ୨୦୨୩ ଓ ଏନ୍ଏମ୍ଏ ଆଜି ଠାରୁ ଆରମ୍ଭ ହୋଇଛି । ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଆଇଆଇଏମ୍ ଅନୁଗୋଳ, ସମ୍ବଲପୁର ଓ ଭୁବନେଶ୍ୱର ଚାପ୍ଟରର ମିଳିତ ଆନୁକୂଲ୍ୟରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ କିଟ୍ ଡିମଡ୍ ଟୁ ବି ୟୁନିଭର୍ସିଟି, ଭୁବନେଶ୍ୱରର ମିଳିତ ସହଯୋଗରେ ଧାତବ ଶିଳ୍ପ କ୍ଷେତ୍ରର ଏହି ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । “ଧାତୁ ଶିଳ୍ପରେ ପୋଷଣୀୟ ପରିବର୍ତ୍ତନ” ଶୀର୍ଷକ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଆୟୋଜନ ସହିତ ଧାତବ ଶିଳ୍ପ କ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସଂପର୍କରେ ଏଥିରେ ବ୍ୟାପକ ବିଚାର ବିମର୍ଶ କରାଯିବ ବୋଲି ବୈଠକରେ ଜଣାଯାଇଛି । ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଆଇଆଇଏମ୍ ର ଉପାଧ୍ୟକ୍ଷ ତଥା ଜେଏସଡବ୍ଲ୍ୟୁ ଗ୍ରୁପ୍ ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ସେଲ୍ ର ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ, ଆଇଆଇଏମ୍ ର ଅଧ୍ୟକ୍ଷ ତଥା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ, ଆଇଆଇଟି ହାଇଦ୍ରାବାଦର ନିର୍ଦ୍ଦେଶକ ପ୍ରଫେସର ବିଏସ୍ ମୂର୍ତ୍ତି ଏବଂ ପରମାଣୁ ଇନ୍ଧନ କମ୍ପ୍ଲେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. କୋମଲ କପୁର (ଉଭୟ ଆଇଆଇଏମ ଉପାଧ୍ୟକ୍ଷ) ଙ୍କ ଉପସ୍ଥିତିରେ ଆଇଆଇଏମ୍-ଏଟିଏମ୍ ୨୦୨୩ର ପୂର୍ଣ୍ଣାଙ୍ଗ ଅଧିବେଶନକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ଓଡ଼ିଶାର ବିପୁଳ ଖଣିଜ କ୍ଷେତ୍ର ଯୋଗୁଁ ଏହା ଦେଶର ଏକ ଅଗ୍ରଣୀ ରାଜସ୍ୱ ବଳକା ରାଜ୍ୟ ହୋଇପାରିଛି । ଖଣି ଏବଂ ଧାତୁ କ୍ଷେତ୍ରରେ ବିପୁଳ ଅଭିବୃଦ୍ଧିର ସୁଯୋଗ ଆମ ସରକାରଙ୍କର ଅର୍ଥନୀତି ଏବଂ ରାଷ୍ଟ୍ର ନିର୍ମାଣରେ ସହାୟକ ହେଉଛି । ପରିବେଶ ଉପରେ ଖଣିଜ କ୍ଷେତ୍ରର ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ସେ ପୋଷଣୀୟ ଖଣିଜ ଦ୍ରବ୍ୟ ଉତ୍ତୋଳନ ଅଭ୍ୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଆୟୋଜିତ ଏହି ବୈଠକ ତଥା ଆଲୋଚନା ଚକ୍ର ଧାତୁ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କ ଦ୍ୱାରା ବିଚାରବିମର୍ଶ ଏବଂ ମତ ବିନିମୟ ମାଧ୍ୟମରେ ବିକାଶ ମୂଳକ ପଦକ୍ଷେପ ନେବାରେ ବ୍ୟାପକ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ତାଙ୍କ ଅଭିଭାଷଣରେ ଧାତୁ ଓ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଯୋଗୁଁ ଓଡ଼ିଶା ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିରେ କିପରି ଉନ୍ନତି ପରିଲକ୍ଷିତ ହୋଇଛି, ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଧାତବ ଶିଳ୍ପରେ ପୋଷଣୀୟ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରି ଧାତୁବିଜ୍ଞାନରେ ଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ସଂପର୍କରେ ସେ ଗୁରୁତ୍ୱ ଦେଇଥିଲେ । ଓଡିଶାର ଶିଳ୍ପନୀତି ଓ ଶିଳ୍ପାନୁକୁଳ ବାତାବରଣ ରାଜ୍ୟରେ ଧାତବ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି କରିଛି ବୋଲି ସେ କହିଥିଲେ । ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସରକାର, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଧାତୁ ଶିଳ୍ପ, ପ୍ରମୁଖ କର୍ପୋରେଟ୍ ହାଉସ୍ ଏବଂ ଗବେଷଣା ଅନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସମେତ ୧୩୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଏହି ସମ୍ମିଳନୀର ଏକାଧିକ ଅଧିବେଶନରେ ପ୍ରାୟ ୬୦ ଜଣ ବିଶିଷ୍ଟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବକ୍ତା ଯୋଗ ଦେବେ, ଯେଉଁଥିରେ ୧୦ଟି ସମାନ୍ତରାଳ ବୈଷୟିକ ଅଧିବେଶନରେ ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ପାଖାପାଖି ୭୦୦ ବୈଷୟିକ ବିଷୟ ଉପସ୍ଥାପନା କରାଯିବ । ଉଦ୍ ଘାଟନୀ ଅଧିବେଶନରେ ଆଇଆଇଏମ୍-ଏଟିଏମ୍ ୨୦୨୩ର ଅଧ୍ୟକ୍ଷ ତଥା ଏସାର ମିନମେଟ୍ ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଶଶୀ ଶେଖର ମହାନ୍ତି ଏବଂ ଆଇଆଇଏମ୍-ଏଟିଏମ୍ ୨୦୨୩ର ଆବାହକ ତଥା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ଉପଦେଷ୍ଟା ବିଭୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ ଘାଟନୀ ଅଧିବେଶନ ପରେ ଶ୍ରୀ ସଜ୍ଜନ ଜିନ୍ଦଲ ଙ୍କ ଦ୍ୱାରା ଏକ ବୈଷୟିକ ପ୍ରଦର୍ଶନୀ ଓ ଶ୍ରୀ ସତୀଶ ପାଇଙ୍କ ଦ୍ୱାରା “ଧାତୁ ଶିଳ୍ପରେ ପୋଷଣୀୟ ପରିବର୍ତ୍ତନ” ଶୀର୍ଷକ ଏକ ଅନ୍ତର୍ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କରାଯାଇଥିଲା । ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟ ସମେତ , ଶିଳ୍ପ କ୍ଷେତ୍ର ସହିତ ଜଡିତ ବିଶେଷଜ୍ଞମାନେ ଯୋଗ ଦେଉଛନ୍ତି । ସମାବେଶରେ ଧାତବ ଓ ଶିଳ୍ପ କ୍ଷେତ୍ରରେ ଜୀବନ ବ୍ୟାପି ସାଧନା, ଜାତୀୟ ଧାତୁବିଜ୍ଞାନୀ, ଲୌହ ଓ ଇସ୍ପାତ କ୍ଷେତ୍ରରେ ଗବେଷଣା ଓ ବିକାଶ କ୍ଷେତ୍ରରେ ପୁରସ୍କାର, ଧାତୁ ବିଜ୍ଞାନରେ ଯୁବ ମେଟାଲର୍ଜିଷ୍ଟ ଏବଂ ପରିବେଶ ବିଜ୍ଞାନରେ ଯୁବ ମେଟାଲର୍ଜିଷ୍ଟମାନଙ୍କୁ ପୁରସ୍କୃତ କରାଯିବ । ଭାରତୀୟ ଧାତୁ ପ୍ରତିଷ୍ଠାନ ଏକ ପ୍ରମୁଖ ଧାତବ ଏବଂ ପଦାର୍ଥ ସଂଗଠନ ଭାବରେ ବିଶ୍ୱବ୍ୟାପୀ ସ୍ୱୀକୃତି ଲାଭ କରିଛି, ଯାହା ଧାତବ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ ଅଧ୍ୟୟନ, ଅଭ୍ୟାସ ଏବଂ ଗବେଷଣାର ପ୍ରସାର ଏବଂ ଅଗ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥିରେ ବହୁ ସଂଖ୍ୟକ ସଦସ୍ୟ ରହିଛନ୍ତି । ଆଇଆଇଏମ୍ ଆଜି ଭାରତର ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହର ଏବଂ ଶିଳ୍ପ ସହରରେ ଶାଖା ରହିଛି ।