Retired Textiles Officer’s Re-Nativity (RETORN)ର ଶୁଭ ଉଦଘାଟନ । 

ଭୁବନେଶ୍ୱର : ସ୍ଥାନୀୟ ରୋଟାରି ଭବନ, ଭୁବନେଶ୍ୱର ଠାରେ, ନୂତନ ଭାବେ ଆଇଜୀଆର, କଟକଙ୍କ ଦ୍ଵାରା ରାଜ୍ୟ ବୁଣାକାରଙ୍କ ସର୍ବବିଧ ଉନ୍ନତି ନିମନ୍ତେ   Retired Textiles Officer’s Re-Nativity (RETORN) ନାମରେ ଏକ ସଂସ୍ଥାର ପଞ୍ଜିକରଣ ହେଲାପରେ, ଏହାର ଶୁଭ ଉଦଘାଟନ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ଦାଶ (ଭା. ପ୍ର. ସେ.) ଙ୍କ ଦ୍ଵାରା ହୋଇଯାଇଛି।  ସେ ମହୋଦୟ ବର୍ତ୍ତମାନ ପଞ୍ଚାୟତ ରାଜ ଵିଭାଗରେ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ରୂପେ କାର୍ଯ୍ୟରତ । ଏହି ଉଦଘାଟନ ଉତ୍ସବରେ ରାଜ୍ୟର ସମସ୍ତ ଅବସର ପ୍ରାପ୍ତ ବୟନ ବୈଷୟିକ କର୍ମକର୍ତ୍ତା ଗଣ ଯୋଗଦାନ କରିଥିଲେ । 

ପ୍ରାରମ୍ଭରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ପରେ ପରେ, ମୁଖ୍ୟ ଅତିଥି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଗଣଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଵଳନ କରି ସଭାର ଶୁଭାରମ୍ଭ ହୋଇଥିଲା। ସଂଗଠନର ସଭାପତି ଇଂ. ଅନନ୍ତପଦ ଦାସ ସ୍ୱାଗତ ସମ୍ଭାଷଣ ଦେଲାପରେ, ସାଧାରଣ ସମ୍ପାଦକ ଡ. ସୁଦର୍ଶନ ବେହେରା ସଂଗଠନ ର ଆଭିମୁଖ୍ୟ ଉପରେ ସମ୍ୟକ ଧାରଣା ଦେଇଥିଲେ ଓ ସଭ୍ୟ ଇଂ. ରାମକୃଷ୍ଣ ମେହେର, ଶ୍ରୀମତୀ ସୀମା ମହାନ୍ତି, ନିର୍ଦେଶୀକା, Wild Lotus Fashions Pvt Ltd. , ଭୁବନେଶ୍ୱର ଏବଂ ଇଂ. ଉମାକାନ୍ତ ରାଉତ ଇତ୍ୟାଦି ତାଙ୍କଜୀବନର ସଫଳ ଉଦ୍ୟୋଗୀ ହେବାର ସ୍ବପ୍ନ କିପରି ସାକାର ହେଲା ତାହା ଉପରେ ପ୍ରେରଣା ଦାୟୀ ବିବରଣୀ ଉପସ୍ଥାପନ କରିଥିଲେ ।

ଏହି ଅବସରରେ, ବୟନଶିଳ୍ପ ଓ ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ଉଲେଖନିୟ ଅବଦାନ ନିମନ୍ତେ ଇଂ. ରାମକୃଷ୍ଣ ମେହେର, ଇଂ. ଉମାକାନ୍ତ ରାଉତ ଏବଂ ଶ୍ରୀମତୀ ସୀମା ମହାନ୍ତିଙ୍କୁ ଉତରୀୟ ଔପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏପରି ଏକ ସଂଗଠନରେ ସରକାରୀ ସ୍ତରରେ ପୂର୍ବତନ ବୟନ ଶିଳ୍ପ ନିର୍ଦେଶକ, ଯୁଗ୍ମ ନିର୍ଦେଶକ, ଉପନିର୍ଦେଶକ, ସହକାରୀ ବୟନ ଶିଳ୍ପ ନିର୍ଦେଶକ, ବୟନ ପର୍ଯ୍ୟବେକ୍ଷକ ଏବଂ ବୟନ ସହାୟକ ଆଦି ଅଂଶୀଦାର ଥିଲାବେଳେ, ବୈଷୟିକ ଶିକ୍ଷା ଅନୁଷ୍ଠାନର ଅବସର ପ୍ରାପ୍ତ ପ୍ରଫେସର, ବିଭିନ୍ନ ବୟନ ବସ୍ତ୍ର ଭଣ୍ଡାରରୁ ଅବସର ପ୍ରାପ୍ତ ଅଧିକାରୀଗଣ ସଂଗଠନର ମୂଳଦୁଆକୁ ସୁଦୃଢ କରିଛନ୍ତି। ଏହା ଏକ ବହୁମୁଖୀ ପ୍ରତିଭା ସମ୍ପର୍ଣ୍ଣ ଅନୁଷ୍ଠାନ ରୂପେ ଭବିଷ୍ୟତରେ ବୁଣାକାର ତଥା ଆନୁସଙ୍ଗିକ ଶିଳ୍ପୀମାନଙ୍କ ଜୀବନ ଧାରଣର ମାନଦଣ୍ଡରେ ଯଥେଷ୍ଟ ଉନ୍ନତି ଆଣିବାପାଇଁ  ଏହାର ସମସ୍ତ ଅଂଶୀଦାରଗଣ ଅଙ୍ଗୀକାରବଦ୍ଧ ।

ବୈଷୟିକ କର୍ମଚାରୀଙ୍କ ବ୍ୟତୀତ ସଭାରେ ସେଦ୍ରା ଫିଲଟ୍ରେସନ ପ୍ରାଇଭେଟ ଲିଃ ର  ପରିଚାଳନା ନିର୍ଦେଶକ, ଶ୍ରୀଯୁକ୍ତ ମୁକେଶ ନାୟକ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲା ବେଳେ,  ଗ୍ରାଣ୍ଟ  ଥରଣ୍ଟନ,  ଭାରତ ଏଲ.ଏଲ. ପି. ର ଅଂଶୀଦାର, ଶ୍ରୀଯୁକ୍ତ ମନୋଜ ଖରବ ଓ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ, ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ବାରିକ ସମ୍ମାନୀୟ ଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥିଙ୍କ ଅଭିଭାଷଣ ପରେ ଉପ ସଭାପତି ଇଂ. କେଦାରନାଥ ଦାସ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସମାପ୍ତି କରାଯାଇଥିଲା । Wild Lotus Fashions Pvt Ltd., ଭୁବନେଶ୍ୱର ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀଯୁକ୍ତ ସୁବ୍ରତ ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ ।

ଏପରି ଏକ ଅନୁଷ୍ଠାନ  ବୟନ ଶିଳ୍ପ କ୍ଷେତ୍ରରେ ଏକ ବଡ ସଫଳତା ସହ ବୁଣାକାରଙ୍କ ସାମାଜିକ ତଥା ଅର୍ଥନୀତିକ ମାନଦଣ୍ଡରେ ଯଥେଷ୍ଟ ଉନ୍ନତି ଆଣିବ ବୋଲି ଆଶା ।