ଜାତୀୟ ଶିକ୍ଷାନୀତି – ୨୦୨୦ ଦେଶର ଶିକ୍ଷା ବ୍ୟବସ୍ଥା କୁ ଧ୍ଵଂସ କରିବ : ଏଆଇଡିଏସଓ ।

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବନ୍ଦ ହୋଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ ଖୋଲିବା, ସମସ୍ତ ଶିଷାନୁଷ୍ଠାନରେ ସ୍ଥାୟୀ ଭିତ୍ତିରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ଯୋଗାଇଦେବା, ଅଶ୍ଳୀଳତା, ଅପସଂସ୍କୃତି, ନଗ୍ନତା, ମାଦମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା, ଛାତ୍ରୀମାନଙ୍କୁ ନିରାପତ୍ତା ଯୋଗାଇଦେବା, ନାରୀ ନିର୍ଯ୍ୟାତନା ରୋକିବା ଦାବିରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଛାତ୍ର କନଭେନସନ ବ୍ରହ୍ମପୁରସ୍ଥିତ ଉତ୍କଳ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶିକ୍ଷାରମାନ ଦିନକୁଦିନ ହ୍ରାସ ପାଇବାରେ ଲାଗିଛି । ସାଧାରଣ ଘରର ଛାତ୍ରଛାତ୍ରୀଙ୍କ ହାତପାଆନ୍ତାରୁ ଶିକ୍ଷା ଧୀରେ ଧୀରେ ଦୂରକୁ ଚାଲିଯାଉଛି । ଆଜି ସରକାରୀ ଶିକ୍ଷା ଧ୍ବଂସ ପଥରେ । ଗରିବ ଏବଂ ମଧ୍ୟବିତ୍ତ ଘରର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଏକ ବ୍ୟୟବହୁଳ ପଣ୍ୟରେ ରୂପାନ୍ତରିତ ହୋଇଛି । ୧୯୮୬ ମସିହା ଜାତୀୟ ଶିକ୍ଷାନୀତିର ଅପୂରିତ କାମକୁ ପୂରଣ କରିବାପାଇଁ କେନ୍ଦ୍ର ବିଜେପି ସରକାର ଜାତୀୟ ଶିକ୍ଷାନୀତି - ୨୦୨୦ ମାଧ୍ୟମରେ ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟିକରଣ, କେନ୍ଦ୍ରୀକରଣ ଓ ଧନ୍ଦାମୁଖୀକରଣର ଏକ ନୀଳ ନକ୍ସା ପ୍ରସ୍ତୁତ କରି, ଏହାକୁ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ କରିଚାଲିଛନ୍ତି । ଏହି ଶିକ୍ଷାନୀତି ଶିକ୍ଷାର ବ୍ୟବସାୟୀକରଣ, ମାତ୍ରାଧିକ ଫିସ୍ ବୃଦ୍ଧି, ଶିକ୍ଷାର ସ୍ୱାୟତ୍ତତା ଉପରେ ଆକ୍ରମଣ, ଶିକ୍ଷା କ୍ଷେତ୍ରରେ ସରକାରୀ ଖର୍ଚ୍ଚ କାଟ ଇତ୍ୟାଦି ସମସ୍ୟାର ସମାଧାନ ପରିବର୍ତ୍ତେ ଏସବୁକୁ ବୈଧ ଘୋଷଣା କରିଛି । ଶିକ୍ଷାର ପ୍ରକୃତ ନିର୍ଯ୍ୟାସ କୁ ନଷ୍ଟ କରି ଏହାକୁ ଏକ ଲାଭଦାୟକ ପଣ୍ୟରେ ପରିଣତ କରିବା ଉଦ୍ଦେଶ୍ୟରେ ଶିକ୍ଷାର ଏକାଡେମିକ୍ ଓ ପ୍ରଶାସନିକ କେନ୍ଦ୍ରୀକରଣ କରିବା ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି । ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଲଗୁକରିବା, ନବମ ଶ୍ରେଣୀରୁ ସେମିଷ୍ଟାର ବ୍ୟବସ୍ଥା ପ୍ରଚଳନ ଛାତ୍ରଛାତ୍ରୀମାନଙ୍କୁ ପୂର୍ଣ୍ଣାଙ୍ଗ ଜ୍ଞାନ ଆହରଣରୁ ବଞ୍ଚିତ କରିବ । ବ୍ଲେଣ୍ଡେଡ ଅର୍ଥାତ ଉଭୟ ଅନଲାଇନ ଓ ଅଫଲାଇନ ପଦ୍ଧତିରେ ଶିକ୍ଷାଦାନ ଏବଂ ଏକା ସାଙ୍ଗରେ ଦୁଇଟି ଡିଗ୍ରୀ ପାଇବାର ସୁଯୋଗ, ନିଜ ସୁବିଧା ଅନୁଯାୟୀ ଡ଼ିଗ୍ରୀକୋର୍ସରେ ପ୍ରବେଶ ଓ ପ୍ରସ୍ଥାନ ଆଦି ମିଠା ମିଠା କଥାର ଆଢ଼ୁଆଳରେ ଏହା ଶିକ୍ଷାର ବ୍ୟବସାୟୀକରଣକୁ ତ୍ୱରାନ୍ୱିତ କରିବ । ବିଦ୍ୟାଳୟ କମ୍ପ୍ଲେକ୍ସ ନାଁ ରେ କ୍ଲୋଜର-ମର୍ଜର କରିବା ସୁପାରିଶ ବାସ୍ତବରେ ବିଦ୍ୟାଳୟ ଗୁଡିକୁ ବନ୍ଦ କରି ସେହି ଭିତ୍ତିଭୂମିକୁ ଘୋରୋଇ ସଂସ୍ଥା ହାତରେ ଟେକି ଦେବାପାଇଁ ସୂପରିକଳ୍ପିତ ଷଡ଼ଯନ୍ତ୍ର । ଏହିଭଳି ଏକ ଶିକ୍ଷା ଧ୍ଵଂସକାରୀ ଜାତୀୟ ଶିକ୍ଷାନୀତି ପ୍ରଣୟନ ହେବା ସଙ୍ଗେ ସଙ୍ଗେ ଏହାକୁ ସମର୍ଥନ ଜଣାଇ ଆମ ରାଜ୍ୟ ସରକାର ଏନ୍ଇପି-୨୦କୁ ଆମ ରାଜ୍ୟରେ ଲାଗୁ କରିବାରେ ଚମ୍ପିୟାନ ସାଜିଛନ୍ତି । ରାଜ୍ୟ ସରକାର ୨୦୨୦-୨୧ ଶିକ୍ଷା ବର୍ଷରେ ୧୪ହଜାରରୁ ଉର୍ଦ୍ଧ୍ବ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଫଳରେ ଆମ ଜିଲ୍ଲାରେ ୪୩୩ ଟି ସ୍କୁଲ ଆଜି ବନ୍ଦ ହୋଇଯାଇଛି । ଗରିବ ଘରର ଛାତ୍ରଛାତ୍ରୀଙ୍କୁ ଅନ୍ଧକାର ମଧ୍ୟକୁ ଠେଲି ଦିଆଯାଇଛି । ଆଜି ସାରା ଜିଲ୍ଲାର ବିଦ୍ୟାଳୟଗୁଡିକରେ ବିନା ଶିକ୍ଷକ ଅଧ୍ୟାପକରେ ଶିକ୍ଷାଦାନ ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ । ସରକାରୀ ରିପୋର୍ଟ ଅନୁଯାୟୀ ଆମ ଜିଲ୍ଲାର ୧୧୦ଟି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାହାନ୍ତି ।  ଫଳରେ ସେହି ଉଚ୍ଚ ବିଦ୍ୟାଳୟଗୁଡ଼ିକ ବନ୍ଦ ହେବା ରାସ୍ତାରେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୯୬ରୁ ୮୬ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସମେତ ଜିଲ୍ଲାର ଅଧିକାଂଶ କଲେଜରେ ପ୍ରାୟ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲିପଡ଼ିଛି । ରେସ୍‌ନାଲାଇଜେସନ୍ ଜରିଆରେ ୩ ହଜାରରୁ କମ ଛାତ୍ରଛାତ୍ରୀ ଅଧ୍ୟୟନରତ କଲେଜଗୁଡିକୁ ଆଗାମୀ ଦିନରେ ବନ୍ଦ କରିବା ପାଇଁ ଏନଇପି-୨୦ ସୁପାରିଶ କରିଛି ।  ସାରା ଜିଲ୍ଲାରେ ହଜାର ହଜାର ଶିକ୍ଷକ, ଅଧ୍ୟାପକ ଏବଂ ଶିକ୍ଷା କର୍ମଚାରୀ ପଦବୀ ଖାଲି ପଡିଥିବା ବେଳେ ଶ୍ରେଣୀଗୃହ ଶିକ୍ଷାଦାନର ବିକଳ୍ପ ଭାବରେ ଅନଲାଇନ ଶିକ୍ଷାବ୍ୟବସ୍ଥା ପ୍ରଚଳନ ପାଇଁ ଏନଇପି-୨୦ ସୁପାରିଶ ରହିଛି । ଫଳରେ ଚରିତ୍ର ଗଠନ, ବ୍ୟକ୍ତିତ୍ଵର ବିକାଶ ଓ ଆପୋଷ ମିଳାମିଶା ଅଭାବରୁ ସାମାଜିକ ମନନ ଗଠନର ପ୍ରକ୍ରିୟା ସଂପୂର୍ଣ ବାଧାପ୍ରାପ୍ତ ହେବ । ସେମିଷ୍ଟାର ବ୍ୟବସ୍ଥା ପ୍ରଚଳନ କରିବା ଫଳରେ କଲେଜ, ବିଶ୍ଵବିଦ୍ୟାଳୟର ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ବ୍ୟାପକ ଅନିୟମିତତା ଓ ତ୍ରୁଟି ପରିଲକ୍ଷିତ ହେଉଛି ।      ଗୋଟିଏ ଦିଗରେ ଶିକ୍ଷା ଉପରେ ଆକ୍ରମଣ ଏବଂ ଅନ୍ୟଦିଗରେ ମଦମାଦକ ଦ୍ରବ୍ୟ, ଇଣ୍ଟରନେଟ ମାଧ୍ୟମରେ ଅଶ୍ଳୀଳ ସିନେମା, ସଂଗୀତ ଏବଂ ଭୋଗବାଦୀ ସଂସ୍କୃତିର ପ୍ରଚାର ପ୍ରସାର କରି ଛାତ୍ର ଓ ଯୁବ ସମ୍ପ୍ରଦାୟକୁ ବିପଥଗାମୀ କରାଯାଉଛି । ସ୍କୁଲ କଲେଜଗଡିକ ନିକଟରେ ମଦଦୋକାନ ଖୋଲା ଯାଉଛି । ଏହାର ଫଳସୃତି ଧର୍ଷଣ, ଗଣଧର୍ଷଣ, ଚୋରି, ଡକାୟତି ଭଳି ଅପରାଧ ବଢ଼ିବାରେ ଲାଗିଛି । ଛାତ୍ରୀ, ମହିଳାମାନଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ଏହି କନଭେନସନରେ ମୁଖ୍ୟ ବକ୍ତା ଭାବେ ଏଆଇଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ ତାଙ୍କ ବକ୍ତବ୍ୟରେ ଜାତୀୟ ଶିକ୍ଷାନୀତି - ୨୦୨୦ କେଉଁ ଭଳି ଭାବରେ ଦେଶର ଶିକ୍ଷା ବ୍ୟବସ୍ଥା କୁ ଧ୍ଵଂସ କରିବ ସେହି ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ସଭାପତି କିପରି ଭାବରେ ଶିକ୍ଷା ସମସ୍ୟା ବିରୁଦ୍ଧରେ ଲଢେ଼ଇ କରିବାକୁ ପଡ଼ିବ ସେ ବିଷୟରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାର ସଭାପତି ନିମାଇଁ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅନ୍ୟତମ ବକ୍ତା ଭାବେ ରାଜ୍ଯ ସଂପାଦକ ମଣ୍ଡଳୀ ସଦସ୍ୟ ଶିବାନୀ ଶଙ୍କର ମିଶ୍ର,ଜିଲ୍ଲା ସଂପାଦକ ନାରାୟଣ ସାହୁ, ଅଫିସ ସଂପାଦକ କିଷାନ ସାହୁ, ଉପସଭାପତି ପପୁନ ସାହୁ, ଶୁଭସ୍ମିତା ପାଣିଗ୍ରାହୀ, ଛାତ୍ର ନେତା ପାଙ୍କଜିନୀ ମହାନ୍ତ, ଚନ୍ଦନ ବେହେରା, ଲତିକା ସାହୁ, ପୂଜା ଭୂୟାଁ, କାମରାଜ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।